ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ ପୋଲ, ଛଅ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ
Advertisement

ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ ପୋଲ, ଛଅ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ

ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାରେ ନିର୍ମିତ ହୋଇଥିବା ଝୁଲା ପୋଲଟି ପୁର୍ବରୁ ତିତିଲି ବାତ୍ୟାରେ ଭାସିଯାଇଛି। ତିନି ବର୍ଷ ହେଲା ବାରମ୍ବାର ହୋମ ପାଇପ ପକାଇ ଆପ୍ରୋଚ ରୋଡ (ଅସ୍ଥାୟୀ ପୋଲ) ନିର୍ମାଣ କରି ପ୍ରସାଶନ କାମ ଚଲାଇ ଆସୁଛି।

ଡିଜାଇନ ଫଟୋ

ପ୍ରେମାନନ୍ଦ ପୁଜାରୀ, ଗଜପତି: ଜିଲ୍ଲାର ମୋହନାରେ ଲଗାଣ ବର୍ଷାର ପ୍ରଭାବରେ ବିଭିନ୍ନ ନଦୀରେ ଜଳସ୍ଥର ବୃଦ୍ଧି ପାଇଛି। ଲଗାତାର ଭାବେ ବର୍ଷା ହୋଇଥିବା ଯୋଗୁଁ ବିଭିନ୍ନ ପାହାଡିଆ ଝରଣାର ସମିଶ୍ରଣରେ ନଦୀ ଜଳସ୍ତର ବୃଦ୍ଧି ପାଇ ବିପଦପୂର୍ଣ୍ଣ ଭାବେ ଜଳ ପ୍ରବାହିତ ଯୋଗୁଁ ଚାନ୍ଦିପୁଟ ନିକଟସ୍ଥ ବାଲିପଙ୍କ ଅସ୍ଥାୟୀ ପୋଲ ସଂପୂର୍ଣ୍ଣ ଧୋଇ ହୋଇଯାଇଛି। ଫଳରେ ଚାନ୍ଦିପୁଟ ଠାରୁ ୬ଟି ପଞ୍ଚାୟତକୁ ଯୋଗାଯୋଗ ଏବେ ବିଚ୍ଛିନ୍ନ ହୋଇପଡିଛି। 

ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାରେ ନିର୍ମିତ ହୋଇଥିବା ଝୁଲା ପୋଲଟି ପୁର୍ବରୁ ତିତିଲି ବାତ୍ୟାରେ ଭାସିଯାଇଛି। ତିନି ବର୍ଷ ହେଲା ବାରମ୍ବାର ହୋମ ପାଇପ ପକାଇ ଆପ୍ରୋଚ ରୋଡ (ଅସ୍ଥାୟୀ ପୋଲ) ନିର୍ମାଣ କରି ପ୍ରସାଶନ କାମ ଚଲାଇ ଆସୁଛି। ତେବେ ପ୍ରତି ବର୍ଷ ଭଳି ଚଳିତ ବର୍ଷାରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇ ପୋଲ ଭାସିଯାଇଥିବା ଯୋଗୁଁ ଜନସାଧାରଣ ବେଶୀ ପ୍ରଭାବିତ ହୋଇଛନ୍ତି। 

Also Read: ଉଛୁଳା ନାଳରେ ଫସିଗଲା ବସ, ଗ୍ରାମବାସୀଙ୍କ ଦ୍ୱାରା ବସଯାତ୍ରୀ ଉଦ୍ଧାର

ଭଙ୍ଗା ପୋଲର ମରାମତି କରିବା ନିମନ୍ତେ ସ୍ଥାନୀୟ ଅଞ୍ଚଳବାସୀ ବିଡିଓ ସମେତ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଗୁହାରି ଜଣାଇ ଜଣାଇ ନୟାନ୍ତ ହେଲେଣି। କିନ୍ତୁ କୌଣସି ସୁଫଳ ମିଳୁନଥିବା ଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ତେବେ ବାରମ୍ବାର ଗୁହାରି ସତ୍ତ୍ୱେ ପ୍ରଶାସନ କର୍ଣ୍ଣପାତ କରୁନଥିବା ହେତୁ ଆଗାମୀ ଦିନରେ ଚାନ୍ଦିପୁଟ ରାଜରାସ୍ତାକୁ ଓଲ୍ଲାଇ ଆନ୍ଦୋଳନକୁ ତୀବ୍ରତ୍ତର କରିବାକୁ ବାଲିପଙ୍କ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

fallback

ଗଜପତି ଜିଲ୍ଲା ମୋହନା ବ୍ଲକର ଚାନ୍ଦିପୁଟ ପଞ୍ଚାୟତ ଠାରୁ ଛଅ ଗୋଟି ପଞ୍ଚାୟତ ଯଥା କେଶରୀଗୁଡା, ବାଘମାରି, ବଡସିନ୍ଧବା, ଯୁବ, ଅନ୍ତରବା ସମେତ ଚୁଡଙ୍ଗପୁର ପଞ୍ଚାୟତକୁ ସଂଯୋଗ କରୁଥିବା ବାଲିପଙ୍କର ଝୁଲା ପୋଲଟି ସୁପ୍ତ ଅବସ୍ଥାରେ ପଡିରହିଛି । ୨୦୧୬ ମସିହାରେ କୋଟି କୋଟି ଟଙ୍କା ବ୍ୟୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଝୁଲା ପୋଲ ନିର୍ମାଣ ହୋଇଥିଲା। ନଦୀର ନିର୍ଦ୍ଦିଷ୍ଟ ଜଳସ୍ଥଳ ଠାରୁ କମ ଉଚ୍ଚତା ରେ ନିର୍ମାଣ ହୋଇଥିବା ଏହି ଝୋଲାପୋଲଟି ନିର୍ମାଣର ୬ ମାସ ନପୁରୁଣୁ ଗତ ତିତିଲି ବାତ୍ୟାରେ ଭାସିଯାଇଥିଲା। 

Also Read: ଦଶଟି ଗ୍ରାମ ପାଇଁ ଲୋଡା ଗୋଟିଏ କଲଭର୍ଟ; ଟଙ୍କା ଦେବାକୁ ନାରାଜ ସରକାର

ଆଜକୁ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ସରକାର ଏହାକୁ ପୁନଃ ନିର୍ମାଣ କରିବା ବଦଳରେ “ପୋଲ ଭାଙ୍ଗିଯାଇଛି ସାବଧାନ!” ଫଳକ ଲଗାଇ ନିରବ ଦ୍ରଷ୍ଟା ସାଜିଛି। ଫଳରେ ବିଭିନ୍ନ ଦୃଷ୍ଟି କୋଣରୁ ଚାନ୍ଦିପୁଟ ପଞ୍ଚାୟତ ଉପରେ ନିର୍ଭର କରିଆସୁଥିବା ଛଅ ଗୋଟି ପଞ୍ଚାୟତବାସୀଙ୍କ ଦୁଃଖ ଏବେ କହିଲେ ନ ସରେ। ତେବେ ପୋଲ ମରାମତି ପାଇଁ ବହୁ ବିଭାଗୀୟ ଅଧିକାରୀଙ୍କୁ ଅଞ୍ଚଳବାସୀ ଦାବି କରିଆସୁଥିଲେ ମଧ୍ୟ ପ୍ରଶାସନର ସେଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। 

ଅପରପକ୍ଷେ ଦୀର୍ଘ ବର୍ଷ ଧରି ଏହି ଝୁଲା ପୋଲଟି ଭାସିଯାଇ ଦୟନୀୟ ଅବସ୍ଥାରେ ନଦୀ ଭିତରେ ପଡିରହିଛି। କ୍ବିଣ୍ଟାଲ କ୍ବିଣ୍ଟାଲ ଓଜନ ଲୁହାରେ ତିଆରି ଏହି ପୋଲ ଏବେ କଳଙ୍କି ଲାଗି ନଷ୍ଟ ହେବାରେ ଲାଗିଛି। ଲୋକଙ୍କ ଗମନାଗମନ ପାଇଁ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ଭାବେ ହୋମପାଇପ ପକାଯାଇ ରାସ୍ତା ନିର୍ମାଣ କରାଯାଇଛି। କିନ୍ତୁ ସାମାନ୍ୟ ବର୍ଷାର ହେଲେ ଏଭଳି ଭାବେ ହୋମପାଇପକୁ ଭସାଇନେଇଯାଉଛି। ଉକ୍ତ ବିପଦପୁର୍ଣ୍ଣ ରାସ୍ତାରେ ଅନେକ ଧନ ଜୀବନ ହାନୀ ଘଟୁଥିବା ବେଳେ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପୋଲ ମରାମତି କରିବାକୁ ଦାବି ହୋଇଛି।