ଜଟଣୀ କମିଶନରେଟ୍ ପୋଲିସ ପଞ୍ଜାରେ ୩ କୁଖ୍ୟାତ ମୋବାଇଲ ଲୁଟେରା, ବାଇକ ସହ ୪୬ଟି ମୋବାଇଲ ଜବତ
Advertisement
Article Detail0/zeeodisha/odisha1211507

ଜଟଣୀ କମିଶନରେଟ୍ ପୋଲିସ ପଞ୍ଜାରେ ୩ କୁଖ୍ୟାତ ମୋବାଇଲ ଲୁଟେରା, ବାଇକ ସହ ୪୬ଟି ମୋବାଇଲ ଜବତ

(ରିପୋର୍ଟ-ସୂର୍ଯ୍ୟନାରାୟଣ ମହାନ୍ତି, ଖୋର୍ଦ୍ଧା) :-ଦୀର୍ଘ ଦିନ ଧରି ଜଟଣୀ ଓ ଏହାର ଆଖପାଖ ଅଂଚଳରେ ମୋବାଇଲ ଲୁଟ୍ କରି ଆତଙ୍କରାଜ ଚଳାଇଥିବା ଏକ ଲୁଟେରା ଗ୍ୟାଙ୍କକୁ ଜଟଣୀ କମିଟନରେଟ୍ ପୋଲିସ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଗିରଫ କରିବା ସହିତ ଲୁଟେରାମାନଙ୍କ ନିକଟରୁ ଗୋଟିଏ ପଲସର ଓ ଗୋଟିଏ ଟିଭିଏସ୍ ଆପାଚି ଗାଡ଼ି(ଦୁଇଟି ଯାକ ଗାଡ଼ି ସମ୍ବଲପୁରରୁ ଚୋରି ହୋଇଥିଲା)କୁ ଜବତ କରିବା ସହ ସେମାନଙ୍କ ନିକଟରୁ ୪୬ଟି ଲୁଟ୍ ମୋବାଇଲ ଓ ଗୋଟିଏ ଲ୍ୟାପଟପ୍ ଜବତ କରିଛି । 

 

ଜଟଣୀ କମିଶନରେଟ୍ ପୋଲିସ ପଞ୍ଜାରେ ୩ କୁଖ୍ୟାତ ମୋବାଇଲ ଲୁଟେରା, ବାଇକ ସହ ୪୬ଟି ମୋବାଇଲ ଜବତ

ଖୋର୍ଦ୍ଧା ଜିଲ୍ଲାରେ ଦିନକୁ ଦିନ ବେକାରୀ ଯୁବକଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ, ଅଧିକାଂଶ ଯୁବକ ବିନା ପରିଶ୍ରମରେ ଅଧିକ ଟଙ୍କା ରୋଜଗାର କରିବା ପାଇଁ ଲୁଟ୍‌, ରାହାଜାନୀ ଓ ଡ଼କାୟତି ଭଳି ରାସ୍ତାକୁ ଆପଣାଇ ନେଉଛନ୍ତି । ଏପରିକି ଅନେକ ନିଶା କାରବାରରେ ଲିପ୍ତ ରହୁଥିବା ଦେଖିବାକୁ ମିଳୁଛି। ଖୋର୍ଦ୍ଧା ଏବେ ବ୍ରାଉନସୁଗାର ବେପାରୀଙ୍କ ହବ୍ ହୋଇଥିବା ବେଳେ, ୨୦ରୁ ୩୦ବର୍ଷର ଯୁବକମାନେ ଏହି ବେପାର ପ୍ରତି ଆଗ୍ରହ ଦେଖାଉଛନ୍ତି। ପ୍ରଥମେ ବ୍ରାଉନସୁଗାର ଖାଇବା ଆରମ୍ଭ କରୁଛନ୍ତି, ଧିରେ ଧିରେ ଟଙ୍କା ସରିଆସିଲେ, ବ୍ରାଉନସୁଗାର ବେପାର, ନଚେତ ଲୁଟତରାଜକୁ ସଂସ୍ଥା ଆପଣେଇ ନେଉଛନ୍ତି । ତେବେ ଜଟଣୀ ପୋଲିସ ଏଭଳି ଏକ ଲୁଟେରା ଗ୍ୟାଙ୍କକୁ ଧରିବାରେ ସକ୍ଷମ ହୋଇଛି ।

 ଏହି ଲୁଟେରାମାନେ ୧୬ ନମ୍ବର ଜାତୀୟ ରାଜପଥର ଟାଙ୍ଗୀ(ଖୋର୍ଦ୍ଧା) ଠାରୁ ଆରମ୍ଭ କରି କଟକ ମଧ୍ୟରେ ସେମାନେ ଅପରେସନ କରିଥାନ୍ତି। ବିଶେଷ କରି ସଂଧ୍ୟା ସମୟରେ ମୋଟରସାଇକେଲରେ ଯାଉଥିବା ସ୍ୱାମୀ ସ୍ତ୍ରୀ ଓ ପୁଅଝଅଙ୍କୁ ଟାର୍ଗେଟ୍ କରି ମୋବାଇଲ ଲୁଟ୍ କରିଥାନ୍ତି । ବାଇକର ପଛରେ ବସିଥିବା ମହିଳାମାନେ ଯେତେବେଳେ ଫୋନରେ କଥାବାର୍ତା ହୁଅନ୍ତି, ସେହି ସମୟରେ ଲୁଟେରାମାନେ ହଠାତ୍ ପଛପଟୁ ଆସି ମୋବାଇଲକୁ ଝାମ୍ପି ନେଇ ଅର୍ନ୍ତଧ୍ୟାନ ହୋଇଯାଆନ୍ତି । ତେବେ ଗତ ୪ତାରିଖରେ ଜଟଣୀ ଷଣ୍ଢପୁର ଅଂଚଳର ପ୍ରତାପ ରାଉତ ନାମକ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ସହ ଜଟଣୀରୁ ଘରକୁ ଫେରୁଥିବା ବେଳେ, ଏକ ଟିଭିଏସ୍ ଆପାଚି ଗାଡ଼ିରେ ୩ଜଣ ଅଜଣା ଯୁବକ ପ୍ରତାପଙ୍କ ପତ୍ନୀର ହାତରୁ ମୋବାଇଲକୁ ଛଡ଼ାଇ ନେଇ ଆଖି ପିଛୁଳାକେ ଛୁ ମାରିଥିଲେ। ପ୍ରତାପଙ୍କ ଅଭିଯୋଗ ପରେ ପୋଲିସ ଏହି ଘଟଣାକୁ ଗୁରୁତର ଭାବେ ନେବା ସହ ଲୁଟ୍ ହୋଇଥିବା ସ୍ଥାନ ନିକଟରେ ଥିବା ବିଭିନ୍ନ ସିସିଟିଭିକୁ ଯାଂଚ କରି ତଦନ୍ତକୁ ତ୍ୱରାନ୍ୱିତ କରିଥିଲା।

 ଜଟଣୀ ଥାନା ଅଧିକାରୀ ଦୟାନିଧି ନାୟକଙ୍କ ତତ୍ୱବଧାନରେ ଏକ ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରିବା ପରେ ଶେଷରେ ଜଟଣୀ ମୁଣ୍ଡିଆସାହି ଅଂଚଳରୁ ୩ ମୋବାଇଲ ଲୁଟେରାଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ଏହି ଲୁଟେରାମାନଙ୍କ ମଧ୍ୟରେ ଜଣେ ଜଟଣୀ ମହୁଲଗୁଡ଼ିଆ ଛକର ଲିପୁନି ଦାସ ହୋଇଥିବା ବେଳେ, ଭୁବନେଶ୍ୱର ଏୟାରଫ୍ଲିଡ଼ ଥାନା ଅନ୍ତର୍ଗତ ଜାମୁସାହିର ଅଭିଶେକ ମହାପାତ୍ର ଓ ବରକୁଦା ହରିଜନ ସାହିର ପ୍ରତାପ ଭୋଇ। ଏହି ୩ ଅଭିଯୁକ୍ତମାନଙ୍କ ନାଁରେ ସମ୍ବଲପୁର ଟାଉନ ଥାନାରେ ୨ଟି, ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଗୋଟିଏ ଓ କଟକ ସଦର ଥାନାରେ ଦୁଇଟି କେଶ ରହିଥିବା ଜଟଣୀ ଥାନା ଅଧିକାରୀ ସୂଚନା ଦେଇଛନ୍ତି । ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ଜଟଣୀ ଥାନା ଅଧିକାରୀ ଦୟାନିଧି ନାୟକ ।