Mahashivratri 2023: ଜାଗର ପାଇଁ କମ୍ପୁଛି ଲୋକନାଥ ପୀଠ, ଜାଣନ୍ତୁ ପୁରା ନୀତିକାନ୍ତି
Advertisement

Mahashivratri 2023: ଜାଗର ପାଇଁ କମ୍ପୁଛି ଲୋକନାଥ ପୀଠ, ଜାଣନ୍ତୁ ପୁରା ନୀତିକାନ୍ତି

Mahashivratri 2023: ଲୋକନାଥଙ୍କ ପୀଠରେ ପଙ୍କୋଧାର ଏକାଦଶୀରୁ ମହାଶିବରାତ୍ରୀ ପର୍ଯ୍ୟନ୍ତ ତିନିଦିନ ଧରି ଜାଗର ଯାତ୍ରା ଅନୁଷ୍ଠିତ ହୋଇଥାଏ। ଯାହା ବିଶ୍ୱରେ କୌଣସି ଶୈବପୀଠରେ ହୋଇନଥାଏ। ଲୋକନାଥଙ୍କ ପୀଠରେ ଅନେକ ମାହାତ୍ମ୍ୟ ରହିଛି। କଣ ରହିଛି ସେହି ସବୁ ମହାତ୍ମ୍ୟ ଜାଣିବା ପାଇଁ ପଢନ୍ତୁ ପୁରା ରିପୋର୍ଟ...

Mahashivratri 2023: ଜାଗର ପାଇଁ କମ୍ପୁଛି ଲୋକନାଥ ପୀଠ, ଜାଣନ୍ତୁ ପୁରା ନୀତିକାନ୍ତି

Mahashivratri 2023: ପୁରୀ: ଆଜି ପବିତ୍ର ଜାଗର ଯାତ୍ରା। ଆଉ ଏ ନେଇ ସଜେଇ ହୋଇଛି ପୁରୀର ବାବା ଲୋକନାଥଙ୍କ ପୀଠ। ଶ୍ରୀକ୍ଷେତ୍ରର ଭଣ୍ଡାର ରକ୍ଷକ ତଥା ଶ୍ରୀରାମଙ୍କ ସମୟରୁ ପୁରୀରେ ସ୍ଥାପିତ ହୋଇଛନ୍ତି ବାବା ଲୋକନାଥ। ଆଉ ବାବା ଲୋକନାଥଙ୍କ ପୀଠରେ ମହାଶିବରାତ୍ରୀ ବା ଜାଗର ଉପଲକ୍ଷେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ସେ ନେଇ ଶ୍ରୀଲୋକନାଥ ଦେବ ଟ୍ରଷ୍ଟ ବୋର୍ଡ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ଜାଗର ପ୍ରସ୍ତୁତି। ନୀତି ନିର୍ଘଣ୍ଟ ଅନୁସାରେ ଗତକାଲି ରାତି ସାଢେ ୧୨ଟାରେ ଦ୍ୱାରଫିଟା ନିତି ସମ୍ପନ୍ନ ହେବା ପରେ ମଙ୍ଗଳଆଳତୀ ବଢିବା ସହ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ। ହଜାର ହଜାର ଭକ୍ତ ଦର୍ଶନାର୍ଥି ଗମ୍ଭୀରା ଭିତରେ ମହାପ୍ରଭୁ ଶ୍ରୀଲୋକନାଥଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି। ପ୍ରଶାସନ ପକ୍ଷରୁ ଦର୍ଶନ ବ୍ଯବସ୍ଥାକୁ ବେଶ୍ ଶୃଙ୍ଖଳିତ କରାଯାଇଛି। ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ କରୁଥିବା ବେଳେ ମୁଖ୍ୟ ଦ୍ୱାର ଦେଇ ପ୍ରସ୍ତାନ କରୁଛନ୍ତି। ସ୍ୱତନ୍ତ୍ର ଦର୍ଶନ ପାଇଁ ଟିକେଟ ବ୍ଯବସ୍ଥା କରାଯାଇଛି। 

୪ ହଜାର ଭକ୍ତଙ୍କ ପାଇଁ ଏହି ବ୍ଯବସ୍ଥା କରାଯାଇଥିବା ବେଳେ ଟିକେଟ ମୁଲ୍ଯ ୧୦୦ଟଙ୍କା ରଖାଯାଇଛି। ତେବେ ଲୋକନାଥଙ୍କ ପୀଠରେ ପଙ୍କୋଧାର ଏକାଦଶୀରୁ ମହାଶିବରାତ୍ରୀ ପର୍ଯ୍ୟନ୍ତ ତିନିଦିନ ଧରି ଜାଗର ଯାତ୍ରା ଅନୁଷ୍ଠିତ ହୋଇଥାଏ। ଯାହା ବିଶ୍ୱରେ କୌଣସି ଶୈବପୀଠରେ ହୋଇନଥାଏ। ଲୋକନାଥଙ୍କ ପୀଠରେ ଅନେକ ମାହାତ୍ମ୍ୟ ରହିଛି। ପୌରାଣିକ କିମ୍ବଦନ୍ତୀ ଅନୁସାରେ ମହାପ୍ରଭୁ ଶ୍ରୀରାମଚନ୍ଦ୍ର ବନବାସରେ ଥିବା ସମୟ ଲୋକନାଥ ମନ୍ଦିର ପ୍ରତିଷ୍ଠା କରି ପୂଜା କରିଥିଲେ। ସେହି ଆଧାରରେ ଭକ୍ତମାନେ ଲୋକନାଥଙ୍କୁ ଇଷ୍ଟ ଦେବତା ଭାବେ ପୂଜା କରିଥାନ୍ତି। ବିଶ୍ୱାସ ରହିଛି ଲୋକନାଥଙ୍କ ନିକଟରେ ଜାଗରରେ ଉଜାଗର ରହି ଦିପ ଜାଳିଲେ ମାନସିକ ପୂରଣ ହୋଇଥାଏ। ଏଣୁ ଆଜିର ଦିନରେ ଲକ୍ଷଲକ୍ଷ ଭକ୍ତ ଶ୍ରୀକ୍ଷେତ୍ରକୁ ଆସି ମହାପ୍ରଭୁଙ୍କ ଦର୍ଶନ  ସହ ଶ୍ରୀଲୋକନାଥଙ୍କୁ ଦର୍ଶନ କରିଥାନ୍ତି। ସବୁଠାରୁ ବଡକଥା ହେଲା ଆଜିର ଦିନରେ ଏହି ପୀଠରେ ହରିହର ଭେଟ ନୀତି ସମ୍ପନ୍ନ ହୋଇଥାଏ। ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ ଶ୍ରୀଲୋକନାଥ ହରି ବେଶରେ ଲୋକନାଥ ପୀଠକୁ ବିଜେ କରି ଲୋକନାଥ ପୀଠର ଇଷ୍ଟଦେବ ଶ୍ରୀଲୋକନାଥ ହର ବେଶରେ ଭେଟ ନୀତି ସେବକଙ୍କ ଦ୍ୱାରା ସମ୍ପନ୍ନ ହୋଇଥାଏ।  ହରିହର ଭେଟ ନୀତି ଭକ୍ତମାନେ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଥାନ୍ତି। ସେପଟେ ଜଗତ କଲ୍ଯାଣ ଉଦ୍ଦେଶ୍ୟରେ ଲୋକନାଥ ପିଠରେ ଜଳୁଛି ମହାଦୀପ। କୁଇଣ୍ଟାଲ କୁଇଣ୍ଟାଲ ଘିଅରେ ଏହି ଦିପ ପ୍ରଜ୍ୱଳିତ ହେଉଛି। ସେପଟେ ମହାଶିବରାତ୍ରୀ ଅବସରରେ ଆଜି ରାତିରେ ଲକ୍ଷାଧିକ ଭକ୍ତ ନିଜର ମନସ୍କାମନା ପାଇଁ ଶ୍ରୀଲୋକନାଥ ମନ୍ଦିର ପରିସରରେ ଦୀପଜାଳି ଜାଳିବେ। ତେବେ ଭିତରକାଠର ଦର୍ଶନର ବ୍ୟବସ୍ଥା ହୋଇଥିବା ବେଳେ ଗମ୍ଭୀରା ଦର୍ଶନ ବନ୍ଦ କରାଯାଇଛି ଓ ରାତ୍ର ୪ଟାରେ ଉଠିବ ଲୋକନାଥଙ୍କ ମହାଦ୍ୱୀପ। 

ହରିହର ଉପାସନାର ଅନନ୍ୟ କ୍ଷେତ୍ର ଶ୍ରୀକ୍ଷେତ୍ର ଶୈବ ଭକ୍ତରେ ପରିପୂର୍ଣ୍ଣ ହୋଇଥିବା ଦେଖିବାକୁ ମିଳିଛି। ଶ୍ରୀକ୍ଷେତ୍ରର ପବିତ୍ର ଶୈବପୀଠ ଲୋକନାଥଙ୍କର ବିଶେଷ ପର୍ବ ମହାଶିବରାତ୍ରୀ ବା ଜାଗର। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ନେଇ ଶ୍ରୀଲୋକନାଥ ଦେବ ଟ୍ରଷ୍ଟ ବୋର୍ଡ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ମହାଶିବରାତ୍ରୀ ନୀତି ଚୁଡାନ୍ତ ହୋଇଛି। ଚଳିତ ବର୍ଷ  ମହାଶିବରାତ୍ରୀରେ ଲୋକନାଥଙ୍କ ମନ୍ଦିର ଗମ୍ଭୀରା ତଥା ଗର୍ଭଗୃହରେ ଦର୍ଶନ ବନ୍ଦ ରହିଛି  । ଭିତର କାଠ ନିକଟରେ ଭକ୍ତ କରିବେ ଦର୍ଶନ।ଏବଂ ଯେଉଁମାନେ ଶୀଘ୍ର ଦର୍ଶନ କରିବା ପାଇଁ ଚାହିଁବେ ଏଥିଲାଗି ଟିକେଟ ଦର୍ଶନ ବ୍ୟବସ୍ଥା କରାଯାଇଛି।  

ଆଉ ଟିକେଟର ଆୟକୁ ୧୫ ପ୍ରତିଶତ ଶ୍ରୀଲୋକନାଥ ଦେବ ଟ୍ରଷ୍ଟ ବୋର୍ଡ ଓ ବାକି ୮୫ ପ୍ରତିଶତ ଶ୍ରୀଲୋକନାଥ ଦେବ ସେବାୟତ ନିଯୋଗ ନେବା ପାଇଁ ସ୍ଥିର କରାଯାଇଛି। ସେପଟେ ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ ଯୋଗାଣ, ପରିମଳ ବ୍ୟବସ୍ଥା ଏବଂ ଗହଳି ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଜାଗର ପଡିଆରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା, ଅଗ୍ନିଶମ ବ୍ୟବସ୍ଥା ସହ ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଚଳିତବର୍ଷ ଅଧିକା ଭକ୍ତଙ୍କ ଆଗମନକୁ ଲକ୍ଷ୍ୟରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୧୫ ପ୍ଲାଟୁନ ଫୋର୍ସ, ୨ ଅତିରିକ୍ତ ଏସ୍ପି, ୫ ଡିଏସପି ରାଙ୍କର ଅଧିକାରୀ ଏବଂ ୮୨ ହୋମଗାର୍ଡ, ୭୨ କନଷ୍ଟେବଳ, ୧୬ ଇନ୍ସପେକଟର, ୪୧ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ୱରେ ରହିଛନ୍ତି। ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଛି।

ମହାଶିବରାତ୍ରୀ ଦିନ ରାତ୍ର ୧୨ଟା ୩୦ରୁ ଦ୍ୱାରଫିଟା ନୀତି ବଢି ରାତି ୧ ଟାରେ ମଙ୍ଗଳଆଳତୀ ଆଦି ବଢି ୫ଟା ଭିତରେ ଗୋପାଳବଲ୍ଲଭ, ସକାଳ ଧୁପ ଓ ଦ୍ୱିପହର ଧୁପ ନୀତି ସମ୍ପର୍ଣ୍ଣ କରାଯାଇଛି । ଭୋରରୁ ରାତ୍ର ୨ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ଓ ରାତ୍ର ୨ଟାରେ ହରିହର ଭେଟ ଓ ରାତ୍ର ୩ଟାରେ ମହାଦୀପ ଉଠିବା ପାଇଁ ବ୍ୟବସ୍ଥା କରାଯାଇଛି  । ମହାଦୀପ ଉଠିବା ଯେଭଳି ବିଳମ୍ବ ନ ହୁଏ ସେଥିପ୍ରତି ସେବକମାନେ ଯତ୍ନବାନ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନୀତି ଶୃଙ୍ଖଳିତ କରିବା ପାଇଁ ସେବାୟତମାନେ ସମ୍ପୁର୍ଣ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। 

ସେପଟେ ଶ୍ରୀମନ୍ଦିରରେ ଗୋପାଳବଲ୍ଲଭ ସରିବା ପରେ ଶ୍ରୀମନ୍ଦିରରୁ ଭଣ୍ଡାର ରକ୍ଷକ ଲୋକନାଥଙ୍କ ଚଳନ୍ତି ପ୍ରତିମା ବିମାନରେ ବିଜେ କରି ପନ୍ତି ଖାଇ ଆସି ପଂହଚିବେ ଲୋକନାଥଙ୍କ ପୀଠରେ। ତା'ପରେ ଅନ୍ୟାନ୍ୟ ନୀତି ବଢି ହରିହର ଭେଟ ସରିବା ପରେ ମହାଦ୍ୱୀପ ଉଠିବାର ପରମ୍ପରା ରହିଛି।  ଶ୍ରୀଲୋକନାଥ ଦେବଙ୍କ ଜାଗର ଯାତ୍ରାରେ ପ୍ରାୟ  ୫ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥାଏ। ତେଣୁ ଏହି ଦିନ ସବୁକୁ ଶୃଙ୍ଖଳିତ କରିବା ପାଇଁ ସେବାୟତ ଓ ପ୍ରଶାସନର ସମନ୍ୱୟ ରଖିବା ପାଇଁ ଗୁରୁତ୍ୱ ଦିଆଯାଇଛି।