ଶୋଷରେ ମରିବେ...
Advertisement
Article Detail0/zeeodisha/odisha1167856

ଶୋଷରେ ମରିବେ...

ଗୋଟିଏ ପରେ ଗୋଟିଏ ନଦୀକୁ ପଡୋଶୀ ରାଜ୍ୟ ଅକ୍ତିଆର କରି ଚାଲିଥିବା ବେଳେ ଦୂରଦୃଷ୍ଟି ଅଭାବ ଓଡିଶା ସରକାର ନାହିରେ ତେଲ ପକାଇ ଶୋଇଛନ୍ତି।

ଶୋଷରେ ମରିବେ...

ଭୁବନେଶ୍ୱର: ଶୁଖିଲା ହୋଇଯିବ ଓଡିଶା। ବୁନ୍ଦାଏ ପାଣି ପିଇବା ପାଇଁ ଲୋକଙ୍କୁ ମିଳିବ ନାହିଁ। ହାହାକାର ପରିସ୍ଥିତିରେ ଲୋକେ ହେବେ ଆଉଟୁପାଉଟୁ। ଶସ୍ୟ ଶାମଳା ଓଡିଶା ଆଗାମୀ ଦଶ ବର୍ଷରେ ପାଲଟିବ ମରୁଭୂମି। ସବୁ ନଦୀ ଶୁଖିଲା ପଡିବ। ଖରାଦିନେ ପରିସ୍ଥିତି ହେବ ଭୟଙ୍କର। ଏଭଳି ପରିସ୍ଥିତିର ଆକଳନ ଏବେ ଠାରୁ ଜଳ ଜଳ ହୋଇ ଦିଶିଲାଣି। ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ଦୂରଦୃଷ୍ଟି ଅଭାବ ଓଡିଶାବାସୀଙ୍କ ପାଇଁ କାଳ ଆଣି ଅସୁଛି। ଖୁବଶୀଘ୍ର ରାଜ୍ୟବାସୀ ଭୋଗିବେ ଜଳକଷ୍ଟ।

ଗୋଟିଏ ପରେ ଗୋଟିଏ ନଦୀକୁ ପଡୋଶୀ ରାଜ୍ୟ ଅକ୍ତିଆର କରି ଚାଲିଥିବା ବେଳେ ଦୂରଦୃଷ୍ଟି ଅଭାବ ଓଡିଶା ସରକାର ନାହିରେ ତେଲ ପକାଇ ଶୋଇଛନ୍ତି। କେବଳ ରାଜନୀତି ଛଡା ରାଜ୍ୟ ସରକାରଙ୍କୁ କୌଣସି ସମାଧାନ ଦେଖାଯାଉନାହିଁ। ପଡୋଶୀ ରାଜ୍ୟ ଗୋଟିଏ ପରେ ଗୋଟିଏ ନଦୀ ଜଳକୁ ଅକ୍ତିଆର କରୁଥିବା ବେଳେ ଓଡିଶା ଜଳ ସମ୍ପଦ ମନ୍ତ୍ରୀଙ୍କୁ ଏ ସମ୍ପର୍କରେ କୌଣସି କଥା ଜଣାନଥିବା କହିଛନ୍ତି। କେବଳ ନାମକୁ ମନ୍ତ୍ରୀପଦ ହାତେଇ ବସିଥିବା ଜଳସମ୍ପଦ ମନ୍ତ୍ରୀଙ୍କ ଏଭଳି ଖାମଖିଆଲି ମନ୍ତବ୍ୟ ଯେ ଆଗାମୀ ଦିନରେ ରାଜ୍ୟରେ ଜଳକଷ୍ଟ ସୃଷ୍ଟି କରିବ ତାହା ଜଳ ଜଳ ହୋଇ ଦେଖାଯାଉଛି। 

ମହାନଦୀ ପରେ ଏବେ ତେଲ ଏବଂ ଉଦନ୍ତି ନଦୀକୁ କବଜା କରିନେଲେଣି ଛତିଶଗଡ ସରକାର। ହେଲେ ଓଡିଶା  ସରକାର ବ୍ୟରେଜ କରିବେ କରିବେ କହି କେବଳ କାଗଜପତ୍ରରେ ସୀମିତ ରହିଛନ୍ତି। ହେଲେ ଏକଥାକୁ ନେଇ ଜଳସମ୍ପଦ ମନ୍ତ୍ରୀଙ୍କୁ ପଚାରିବା ପରେ ଚିହିଁକି ଉଠୁଛନ୍ତି। ଗୋଟିଏ ପରେ ଗୋଟିଏ ନଦୀ ଜଳକୁ ଛତିଶଗଡ କବଜା କରୁଥିବା ବେଳେ ଓଡିଶା ସରକାରଙ୍କ କୌଣସି ଚିନ୍ତା ନାହିଁ କି ସରକାର ଏହାକୁ ନେଇ କୌଣସି ଦୀର୍ଘମିଆଦି ବ୍ୟବସ୍ଥା ମଧ୍ୟ କରୁନାହାଁନ୍ତି।  କାଗଜପତ୍ରରେ ସବୁ କିଛି ଚାଲିଛି। ମହାନଦୀ ପରେ ଏବେ ତେଲ ଏବଂ ଉଦନ୍ତି ନଦୀର ପାଣି ଅଟକାଇଲାଣି ଛତିଶଗଡ। ଏହି ନଦୀରେ ବ୍ୟାରେଜ ତିଆରି କରି ଏବେ ଓଡିଶା ଭାଗର ପାଣିକୁ ଛତିଶଗଡ ଅଟକାଇଲାଣି। ଏହାକୁ ନେଇ  ବାରମ୍ବାର ଚେତାଇବା ପରେ ମଧ୍ୟ ରାଜ୍ୟ ସରକାରଙ୍କର କୌଣସି ନିଘା ନାହିଁ। ପୁଣି ଥରେ ରାଜ୍ୟ ସରକାରଙ୍କର ନିଘୋଡ ନିଦ୍ରା ଭଙ୍ଗ କରିବା ପାଇଁ ବିରୋଧୀ ଚେଷ୍ଟା କରିଛନ୍ତି। ପୁଣିଥରେ ବିରୋଧୀଙ୍କ ଟାର୍ଗେଟରେ ରାଜ୍ୟ ସରକାର।

ସେପଟେ ନାମକୁ ମାତ୍ର ଜଳ ସମ୍ପଦ ମନ୍ତ୍ରୀ ରଘୁ ନନ୍ଦନ ଦାସଙ୍କୁ ବିତଣ୍ଡା ଯୁକ୍ତି ଶୁଣିରେ ଆପଣ ଚକିତ ହୋଇଯିବେ। ତେଲ ଏବଂ ଉଦନ୍ତି ନଦୀ ଉପରେ ଛତିଶଗଡ଼ ବ୍ୟାରେଜ ନିର୍ମାଣ କରିବା ପ୍ରସଙ୍ଗରେ ଜଳ ସମ୍ପଦ ମନ୍ତ୍ରୀ ରଘୁ ନନ୍ଦନ ଦାସ ପ୍ରଶ୍ନ କରିବାରୁ ଓଲଟା ସାମ୍ବାଦିକଙ୍କୁ ଟାର୍ଗେଟ କରିଛନ୍ତି। ନିଜେ କୌଣସି ଖବର ଜାଣିନଥିଲେ ମଧ୍ୟ ଓଲଟା ସାମ୍ବାଦିକଙ୍କୁ କହିଛନ୍ତି ତୁମେ ମାନେ ଯାଇ ଛତିଶଗଡ କାର୍ଯ୍ୟ ବନ୍ଦ କରି ଦଉନ। ଛତିଶଗଡ଼ କ'ଣ ଆଜି ତେଲ ଓ ଉଦନ୍ତି ନଦୀ ଉପରେ ବ୍ୟାରେଜ କରୁଛି କି ବୋଲି ଓଲଟା ପ୍ରଶ୍ନ କରିଛନ୍ତି ମନ୍ତ୍ରୀ। ମନ୍ତ୍ରୀଙ୍କ କହିବା ଅନୁସାରେ ଛତିଶଗଡ଼ ତାର କାର୍ଯ୍ୟ କରିବାରେ ଅସୁବିଧା କେଉଁଠି। ସେପଟେ ଆପଣ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ପାଇଁ କଣ ପଦକ୍ଷେପ ନେବେ କି ବୋଲି ପ୍ରଶ୍ନରେ ମନ୍ତ୍ରୀଙ୍କ ଉତ୍ତର କେମିତି କରିବୁ ତାହା କଣ ଆମ ରାଜ୍ୟରେ ହେଉଛି କି ରାଜ୍ୟ ବାହାରେ ହେଉଛି। ଆମେ କିଛି ପଦକ୍ଷେପ ନେଇ ପାରିବୁ ନାହିଁ ବୋଲି ରୋକଠୋକ କହିଛନ୍ତି। ମନ୍ତ୍ରୀଙ୍କ ଏଭଳି ବେପରୁଆ ଉତ୍ତର ସୂଚାଇ ଦେଉଛି ଯେ ଏହି ବିଭାଗ ପାଇଁ କେତେ ଯୋଗ୍ୟ। ତାଙ୍କର ଜଳ ସମ୍ପଦ ଉପରେ କେତେ ଜ୍ଞାନ ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି। ସେପଟେ ଜଳସମ୍ପଦ ମନ୍ତ୍ରୀଙ୍କ ଦାୟିତ୍ବହୀନ ମନ୍ତବ୍ୟ ସୂଚାଇ ଦେଉଛି ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଆଗାମୀ ଦିନରେ କିଭଳି ଭାବେ ପାଣି ବୁନ୍ଦାଏ ନ ଦେଇ ଛଟପଟ କରିବେ।

ମହାନଦୀରେ ଛତିଶଗଡ ବ୍ୟରେଜ କରିବା ପରେ ରାଜ୍ୟ ସରକାର ଜୋରଦାର ଆନ୍ଦୋଳନ କରିଥିଲେ ଆଉ ଛତିଶଗଡକୁ ପାନେ ଦେବା ପାଇଁ ମଧ୍ୟ କହିଥିଲେ। ଏପରିକି ମହାନଦୀର ତଳମୁଣ୍ଡରେ ୪୭ ବ୍ୟାରେଜ କରି ମହାନଦୀରେ ପାଣି ଷ୍ଟୋରେଜ କରି ରଖିବେ ବୋଲି କହିଥିଲେ। ମହାନଦୀ ଜଳ ସ୍ତରକୁ ନେଇ ରାଜ୍ୟ ସରକାର ଟ୍ରିବ୍ୟୁନାଲରେ ମାମଲା ମଧ୍ୟ  ରୁଜୁ କରିଛନ୍ତି। ହେଲେ ଏ ପର୍ଯ୍ୟନ୍ତ କେବଳ କାଗଜପତ୍ରରେ ମହାନଦୀ ଉପରେ ବ୍ୟାରେଜ ନିର୍ମାଣ କଥା ରହିଛି। ହେଲେ ବାସ୍ତବତା ସମ୍ପୂର୍ଣ୍ଣ ଓଲଟା। ରାଜ୍ୟର ସ୍ଥିତି ଏବେ ଏମିତି ଯେ ମହାନଦୀରେ ଖରାଦିନ କଣ ବର୍ଷା ଦିନେ ମଧ୍ୟ ଆବଶ୍ୟକୀୟ ଜଳ ରହୁନାହିଁ। ଏଭଳି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଖାମଖିଆଲି ମନୋଭାବ ଆଉ ଦୂରଦୃଷ୍ଟି ଅଭାବ ପାଇଁ ରାଜ୍ୟବାସୀ ଜଳ କଷ୍ଟ ଭୋଗିବା ଏକ ପ୍ରକାର ଥୟ।