ଲିଙ୍ଗରାଜ ମହାରାଜଙ୍କୁ ସେବା ଦେବାକୁ ନାରାଜ ସେବାୟତ
Advertisement
Article Detail0/zeeodisha/odisha1208239

ଲିଙ୍ଗରାଜ ମହାରାଜଙ୍କୁ ସେବା ଦେବାକୁ ନାରାଜ ସେବାୟତ

(ଭୁବନେଶ୍ୱର ,ରାଜେଶ ସାମନ୍ତରାୟ) : ଆଜି ଦେବଦେବ ମହାଦେବ ଏବଂ ମାତା ପାର୍ବତୀଙ୍କ ବିବାହ । ପରମ୍ପରା ଅନୁସାରେ ଦେବ ଦମ୍ପତ୍ତିଙ୍କ ବିବାହ ପାଇଁ ଜୋରଦାର ପ୍ରସ୍ତୁତି ହୋଇଛି । ସେପଟେ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତିରେ କିନ୍ତୁ ବିଭ୍ରାଟ ଦେଖାଦେଇଛି । ମନ୍ଦିର ପ୍ରଶାସନର ଅବହେଳାକୁ ଜୋରଦାର ବିରୋଧ କରି ସେବାୟତମାନେ ଅସହଯୋଗ କରିଛନ୍ତି । ଏପରିକି ମଙ୍ଗଳକୃତ୍ୟ ବିଧି ମଧ୍ୟ ସମ୍ପନ୍ନ ହୋଇପାରିନି । ଗତକାଲି ସାରା ଦିନ ମନ୍ଦିର ନୀତିରେ ବିଭ୍ରାଟ ଦେଖାଦେଇଥିଲା । 

ଲିଙ୍ଗରାଜ ମହାରାଜଙ୍କୁ ସେବା ଦେବାକୁ ନାରାଜ ସେବାୟତ

ଆଜି ମଧ୍ୟ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି । ମନ୍ଦିର ପ୍ରଶାସନ ଓ ସେବାୟତମାନଙ୍କ ମଧ୍ୟ‌ରେ ବିବାଦ ଲାଗି ରହିଥିବା କାରଣରୁ ଶୀତଳ ଷଷ୍ଠୀ ଭଳି ଠାକୁରଙ୍କ ନୀତି ବନ୍ଦ ହୋଇଯାଇଛି । ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟ‌ରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ତେବେ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହେବାକୁ ଥିବା ବୈଠକରେ ଏହି ସମସ୍ୟାର ସମାଧାନ ବାଟ କଢ଼ାଯିବା ନେଇ ଆଶା ପ୍ରକାଶ କରାଯାଇଛି । ଗତକାଲି ଠାରୁ ସେବାୟତମାନେ ନୀତିକାନ୍ତି ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖିଛନ୍ତି । ମନ୍ଦିର ପ୍ରଶାସନକୁ ଚେତାଇବାକୁ ଯାଇ ମଙ୍ଗଳ ଆଳତୀ ଠାରୁ ନୀତିକାନ୍ତି ବନ୍ଦ ରଖିଛନ୍ତି ସେବାୟତ ନିଯୋଗ । ସେବାୟତଙ୍କ ଦ୍ୱାରା ପ୍ରତୀକାତ୍ମକ ଅସହଯୋଗ କରାଯାଇ ୨ ଘଣ୍ଟା ନୀତି ବନ୍ଦ କରାଯିବା ପରେ ପୁଣି ନୀତି ସ୍ୱାଭାବିକ ହୋଇଥିଲା । ତେବେ ଏସବୁ ଭିତରେ ମନ୍ଦିର ପ୍ରଶାସନ ସମାଧାନର ରାସ୍ତା ବାହାର କରିନଥିଲା । ସନ୍ଧ୍ୟାରେ ପୁଣି ନୀତି ବନ୍ଦ କରିଥିଲେ ସେବାୟତ । ମନ୍ଦିରର ଦୁଇ ପ୍ରମୁଖ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ପୂର୍ବରୁ ଏନେଇ ଚେତାବନୀ ଦେଇଥିଲେ ମଧ୍ୟ ପଦକ୍ଷେପ ନେଇନଥିଲା ପ୍ରଶାସନ । ମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ବୈଠକରେ ବ୍ରାହ୍ମଣ ନିଯୋଗ ଏବଂ ପୂଜାପଣ୍ଡା ନିଯୋଗ ଶୀତଳ ଷଷ୍ଠୀ ଯାତ୍ରାରେ ସହଯୋଗ କରିବେ ନାହିଁ ରୋକଠୋକ୍ କହିଥିଲେ । ହେଲେ ପ୍ରଶାସନ ସେମାନଙ୍କର ଏଭଳି ଚେତାବନୀକୁ ହାଲୁକା ଭାବେ ଗ୍ରହଣ କରିଥିଲା । ତେଣୁ ନୀତିରେ ଅସହଯୋଗ କରାଗଲା ବୋଲି ନିଯୋଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କ କୌଣସି କଥା ଗ୍ରହଣ କରାଯାଉନି । ତେଣୁ ଏହାକୁ ବିରୋଧ କରି ଅସହଯୋଗ ଭଳି ବିଭ୍ରାଟ ଦେଖାଦେଇଛି ।