)
Political fund:
ଲୋକସଭା ନିର୍ବାଚନର ଠିକ୍ ପୂର୍ବରୁ ସୁପ୍ରିମକୋର୍ଟ ଇଲେକ୍ଟୋରାଲ ବଣ୍ଡ ବା ନିର୍ବାଚନୀ ବଣ୍ଡକୁ ଅସାମ୍ବିଧାନିକ ଘୋଷଣା କରିଛନ୍ତି। ରାଜନୈତିକ ଦଳମାନଙ୍କ ପାଇଁ ଏହା ଏକ ବଡ଼ ଝଟକା ବୋଲି କୁହାଯାଉଛି। ବିଶେଷକରି କ୍ଷମତାରେ ଥିବା ଦଳ ପାଇଁ ଏହାକୁ ଝଟକା ଭାବେ ଗ୍ରହଣ କରାଯାଉଛି। ନିର୍ବାଚନରେ ଦଳଗୁଡ଼ିକ ଜୋରସୋରରେ ଅର୍ଥ ଖର୍ଚ୍ଚ କରିଥାନ୍ତି। ଷ୍ଟ୍ରିଟ୍ ହୋର୍ଡିଂଠାରୁ ଆରମ୍ଭ କରି ଅନଲାଇନ୍ ବିଜ୍ଞାପନ ପର୍ଯ୍ୟନ୍ତ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ ହୋଇଥାଏ। ଏହି ରାଶିର ଏକ ବଡ଼ ଅଂଶ ଇଲେକ୍ଟୋରାଲ ବଣ୍ଡରୁ ଆସିଥାଏ, ଯାହାକୁ ସୁପ୍ରିମକୋର୍ଟ ନିଷିଦ୍ଧ କରିଛନ୍ତି। ଇଲେକ୍ଟୋରାଲ ବଣ୍ଡ ହେଉଛି ଏକ ପ୍ରତିଶ୍ରୁତି ପତ୍ର ଯାହା ମାଧ୍ୟମରେ ରାଜନୈତିକ ଦଳମାନଙ୍କୁ ଦାନ ଦିଆଯାଏ କିନ୍ତୁ ଦାତାଙ୍କ ନାମ ସାର୍ବଜନୀନ କରାଯାଏ ନାହିଁ । ଏହି ଅବସ୍ଥା ବିବାଦର କାରଣ ପାଲଟିଛି।
ଇଲେକ୍ଟୋରାଲ ବଣ୍ଡ ଉପରେ ପ୍ରତିବନ୍ଧକ ଲାଗିବା ପରେ ରାଜନୈତିକ ଦଳମାନଙ୍କୁ ମିଳୁଥିବା ଚାନ୍ଦା ହ୍ରାସ ପାଇବ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଇଲେକ୍ଟୋରାଲ ବଣ୍ଡ ବ୍ୟତୀତ ରାଜନୈତିକ ଦଳମାନଙ୍କୁ କେମିତି ଚାନ୍ଦା ମିଳେ ?
କର୍ପୋରେଟ୍ ଦାନ
କର୍ପୋରେଟ୍ କ୍ଷେତ୍ରରୁ ଦଳଗୁଡ଼ିକ ଦ୍ୱାରା ପ୍ରାପ୍ତ ଦାନକୁ କମ୍ପାନୀ ଅଧିନିୟମ, ୨୦୧୩ ଅଧୀନରେ ନିୟନ୍ତ୍ରଣ କରାଯାଇଥିଲା। ଟଙ୍କା ଦାନ କରୁଥିବା କମ୍ପାନୀ ପାଇଁ ମଧ୍ୟ ନିୟମ ଥିଲା । ଧାରା ୧୮୨ ରେ କୁହାଯାଇଛି ଯେ ରାଜନୈତିକ ଦଳକୁ ଚାନ୍ଦା ଦେଉଥିବା କମ୍ପାନୀ ଅତିକମରେ ୩ ବର୍ଷ ପୁରୁଣା ହେବା ଆବଶ୍ୟକ । ଏହାବ୍ୟତୀତ କମ୍ପାନୀ ନିଜର ଲାଭର ୭.୫% ରୁ ଅଧିକ ଦାନ କରିପାରିବ ନାହିଁ । ଖାସ୍ କଥା ହେଉଛି ଏହାକୁ କମ୍ପାନୀକୁ ନିଜର ଆର୍ଥିକ ଦସ୍ତାବିଜରେ ମଧ୍ୟ ଦେଖାଇବା ବାଧ୍ୟତାମୂଳକ ଥିଲା ।
୨୦୧୭ ର ଅର୍ଥ ଆଇନରେ ସଂଶୋଧନ କରାଯାଇ କର୍ପୋରେଟ୍ ଦାନ ଉପରେ ଥିବା ୭.୫ ପ୍ରତିଶତ ବାଧ୍ୟତାମୂଳକତାକୁ ହଟାଇ ଦିଆଯାଇଥିଲା।ବିବିସିର ଏକ ରିପୋର୍ଟ ଅନୁଯାୟୀ, କେନ୍ଦ୍ର ସରକାର ମଧ୍ୟ ଦାନ ନିୟମରେ ପରିବର୍ତ୍ତନ କରିଛନ୍ତି। ଯାହା ଅଧୀନରେ ରାଜନୈତିକ ଦଳମାନେ ମଧ୍ୟ ବିଦେଶୀ ପାଣ୍ଠି ବି ନେଇପାରିବେ। ଗୋଟିଏ କମ୍ପାନୀ କୌଣସି ରାଜନୈତିକ ଦଳକୁ ନିଜ ଇଛାରେ ଯେତିକି ଚାହିଁବେ ସେତିକି ରାଶି ଦେଇପାରିବେ।
ନିର୍ବାଚନୀ ଟ୍ରଷ୍ଟ
୨୦୧୩ରେ ନିର୍ବାଚନୀ ଟ୍ରଷ୍ଟ ଆରମ୍ଭ ହୋଇଥିଲା। ଏହା ଏକ ଅଣଲାଭକାରୀ କମ୍ପାନୀ । ଏହି ଟ୍ରଷ୍ଟ କମ୍ପାନୀମାନଙ୍କଠାରୁ ଚାନ୍ଦା ଗ୍ରହଣ କରି ପାରିବେ ଏବଂ ଦଳମାନଙ୍କ ମଧ୍ୟରେ ବାଣ୍ଟି ପାରିବେ । ଏଥିରେ ମଧ୍ୟ ଦାନଦାତ୍ତାଙ୍କ ନାମ ଗୋପନ ରହିବାର ବ୍ୟବସ୍ଥା ରହିଛି। ନିର୍ବାଚନ ଆୟୋଗଙ୍କ ଗାଇଡଲାଇନ ଅନୁଯାୟୀ, ୨୦୧୩ ଜାନୁଆରୀ ପରେ ଗଠିତ ସମସ୍ତ ଇଲେକ୍ଟୋରାଲ ଟ୍ରଷ୍ଟ ପାଇଁ ପ୍ରାପ୍ତ ଏବଂ ବିତରଣ ହୋଇଥିବା ପାଣ୍ଠିର ବିବରଣୀ ଘୋଷଣା କରିବା ବାଧ୍ୟତାମୂଳକ ଅଟେ। କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଏହି କଂପାନିଗୁଡ଼ିକ ଏକ ଆର୍ଥିକ ବର୍ଷରେ ନିଜର ମୋଟ ଆୟର ୯୫% ପଞ୍ଜୀକୃତ ରାଜନୈତିକ ଦଳମାନଙ୍କୁ ଦାନ କରିପାରିବେ।
କ୍ରାଉଡଫଣ୍ଡିଂ: ୪୮ ଘଣ୍ଟାରେ ମହାରାଷ୍ଟ୍ରରୁ କଂଗ୍ରେସକୁ ମିଳିଥିଲା ସର୍ବାଧିକ ଚାନ୍ଦା
ରାଜନୈତିକ ଦଳଗୁଡ଼ିକ ମଧ୍ୟ କ୍ରାଉଡ୍ ଫଣ୍ଡିଂ ଜରିଆରେ ଅର୍ଥ ସଂଗ୍ରହ କରିଥାନ୍ତି। କିଛି ଦିନ ତଳେ କଂଗ୍ରେସ କ୍ରାଉଡ୍ ଫଣ୍ଡିଂ ଜରିଆରେ ଟଙ୍କା ସଂଗ୍ରହ କରିବା ଆରମ୍ଭ କରିଥିଲା। କଂଗ୍ରେସର 'ଡୋନେଟ୍ ଫର୍ ନେସନ୍' ଅଭିଯାନ ଆରମ୍ଭ ହେବାର ୪୮ ଘଣ୍ଟା ମଧ୍ୟରେ ୧ ଲକ୍ଷ ୧୩ ହଜାର ଲୋକ ଦଳକୁ ଚାନ୍ଦା ପଠାଇଛନ୍ତି। ମହାରାଷ୍ଟ୍ରରୁ ଦଳକୁ ସର୍ବାଧିକ ଚାନ୍ଦା ମିଳିଛି। ଏହା ପରେ ରାଜସ୍ଥାନ, ଦିଲ୍ଲୀ, ୟୁପି ଓ କର୍ଣ୍ଣାଟକ ରହିଛନ୍ତି।
ସଦସ୍ୟତା ଅଭିଯାନରୁ ଆୟ
ରାଜନୈତିକ ଦଳ ମଝିରେ ମଝିରେ ସଦସ୍ୟ ସଂଗ୍ରହ କରିଥାନ୍ତି। ନୂଆ ସଦସ୍ୟଙ୍କଠାରୁ ଦଳ ସଦସ୍ୟ ଶୁଳ୍କ ନେଇଥାନ୍ତି। ସରଳ ଭାଷାରେ କହିବାକୁ ଗଲେ ଦଳରେ ଯୋଗ ଦେବା ପରେ ବ୍ୟକ୍ତିଙ୍କୁ କିଛି ଫି' ଦେବାକୁ ପଡ଼ିଥାଏ। ତେବେ ଏହାକୁ ନେଇ ଅନେକ ଥର ବିବାଦ ସୃଷ୍ଟି ହୋଇଛି। ଅନେକ ଅଜଣା ବ୍ୟକ୍ତି ଦଳୀୟ ସଦସ୍ୟତା ନାଁରେ ଦାଦାବଟି ଆଦାୟ କରୁଥିବା ଅଭିଯୋଗ ହୁଏ।