)
Kapil Sharma: କମେଡ଼ି କିଙ୍ଗ କପିଲ ଶର୍ମାଙ୍କୁ(Kapil Sharma) କିଏ ବା ନ ଜାଣେ । ନିଜ କମେଡ଼ିରେ ଲୋକଙ୍କୁ ହସେଇ ହସେଇ ବେଦମ କରୁଥିବା କପିଲ ଶର୍ମାଙ୍କର ଦେଶ ବାହାରେ ମଧ୍ଯ ବହୁ ଫ୍ୟାନ୍ସ ଫଲୋୟର୍ସ ରହିଛନ୍ତି । ଲୋକେ ତାଙ୍କୁ ଦେଖିବା ଲାଗି ବିଦେଶରୁ ଆସିଥାଆନ୍ତି । ଖାଲି ଟେଲିଭିଜନ ଶୋ ନୁହେଁ ଫିଲ୍ମରେ ମଧ୍ୟ କମେଡ଼ି କିଙ୍ଗଙ୍କ(Comedy king) ଅଭିନୟର ଯାଦୁ ଦେଖିବାକୁ ମିଳିଛି । ଆଖିରେ ଆଖିଏ ସ୍ବପ୍ନ ନେଇ ମୟାନଗରୀ ମୁମ୍ବାଇକୁ ଆସିଥିବା କପିଲ କେବେ ସ୍ବପ୍ନରେ ମଧ୍ଯ ଭାବେ ନଥିଲେ କି କମେଡ଼ି ମାଧ୍ଯରେ ସେ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟ ଉପରେ ରାଜ କରିବେ । କିନ୍ତୁ ଏହି ଏତେ ସହଜ ନଥିଲା କପିଲଙ୍କ ଏହି ଯାତ୍ରା । ଦୀର୍ଘ ଦିନର ସଂର୍ଘଷ କପିଲଙ୍କୁ ଆଜି ଘରେ ଘରେ ପରିଚିତ କରାଇପାରିଛି ।
୧୯୮୧ ମସିହା ଏପ୍ରିଲ ମାସ ୨ ତାରିଖରେ ପଞ୍ଜାବର ଅମୃତସରରେ ଜନ୍ମ ହୋଇଥିବା କପିଲ ଶର୍ମା(Kapil Sharma) । ତାଙ୍କ ପିତା ଜଣେ ପୋଲିସ ହେଡ଼ କନଷ୍ଟେବଳ ଥିବାବେଳ ମାତା ଜଣେ ଗୃହିଣୀ ଥିଲେ। କର୍କଟ କାରଣରୁ ଅଳ୍ପ ବୟସରେ କପିଲଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା । ପିତାଙ୍କ ଦେହାନ୍ତ ପରେ କପିଲଙ୍କ ବଡ଼ ଭାଇଙ୍କୁ ତାଙ୍କ ପିତାଙ୍କ ଚାକିରି ମିଳିଥିଲା। ନିକଟରେ ଏକ ସାକ୍ଷାତକାରରେ କପିଲ ଶର୍ମା କହିଥିଲେ ଯେ, ତାଙ୍କ ପିତା ପ୍ରାୟ ୧୦ ବର୍ଷ ଧରି କର୍କଟରେ ପୀଡିତ ଥିଲେ। ସେ ଏକଥା ପୁରା ପରିବାରଠାରୁ ଲୁଚାଇ ରଖିଥିଲେ। କର୍କଟ ଲାଷ୍ଟ ଷ୍ଟେଜରେ ପହଞ୍ଚିବା ପରେ ସେ ଏନେଇ ପରିବାର ଲୋକଙ୍କୁ ଜଣାଇଥିଲେ। ସେତେବେଳେ କପିଲଙ୍କ ପରିବାର ପାଖରେ ତାଙ୍କ ପିତାଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ଅର୍ଥ ନଥିଲା। ସେତେବେଳେ କପିଲ ଟେଲିଫୋନ୍ ବୁଥରେ କାମ କରୁଥିଲେ। ସେତେବେଳେ ତାଙ୍କ ପିତାଙ୍କୁ ଦିଲ୍ଲୀର AIIMS ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିଛି ସମୟ ଚିକିତ୍ସା ହେବା ପରେ ସେଠାରେ ହିଁ ତାଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା।
ଛୋଟବେଳୁ କପିଲଙ୍କର ସଂଗୀତ ପ୍ରତି ବହୁତ ଦୁର୍ବଳତା ରହିଥିଲା। ସେ ଜଣେ ଗାୟକ ହେବାର ସ୍ୱପ୍ନ ଦେଖୁଥିଲେ । କଲେଜରେ ପାଠ ପଢୁଥବା ସମୟରେ ସେ ପ୍ରସିଦ୍ଧ ପଞ୍ଜାବୀ ଗାୟକ ଅମରିନ୍ଦର ଗିଲଙ୍କ ପାଇଁ ବ୍ୟାକଅପ୍ ଗାୟକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । କପିଲ ୨୦୦୭ ମସିହାରେ ‘ଦି ଗ୍ରେଟ୍ ଇଣ୍ଡିଆନ୍ ଲାଫଟର ଚ୍ୟାଲେଞ୍ଜ ଶୋ’ରେ(Great Indian Laughter Challenge) ପ୍ରତିଯୋଗୀ ଭାବେ ଅଂଶ ଗ୍ରହଣ କରିଥିଲେ । ପରେ ଏହି ଶୋରେ ସେ ବିଜେତା ମଧ୍ଯ ହୋଇଥିଲେ । ଶୋ’ର ବିଚାରପତି ଶେଖର ସୁମନ ଓ ନବଜୋତ ସିଂ ସିଦ୍ଧୁ ଥିଲେ। ସୂଚନା ଅନୁଯାୟୀ, କପିଲ ଶର୍ମା ତାଙ୍କ କମେଡି ଶୋ’ର ଗୋଟେ ଏପିସୋଡ଼ ପାଇଁ ୮୦-୯୦ ଲକ୍ଷ ଟଙ୍କା ଚାର୍ଜ କରିଥାଆନ୍ତି। ବିଳାସପୂର୍ଣ୍ଣ କାର ବ୍ୟତୀତ କପିଲଙ୍କର ପଞ୍ଜାବ ଓ ମୁମ୍ବାଇରେ ଅନେକ ସମ୍ପତ୍ତି ରହିଛି । ମୁମ୍ବାଇରେ ଥିବା ତାଙ୍କ ଫ୍ଲାଟର ମୂଲ୍ୟ ପ୍ରାୟ ୧୫ କୋଟି ଟଙ୍କା ହୋଇଥିବା ବେଳେ ପଞ୍ଜାବରେ ଥିବା ତାଙ୍କ ବଙ୍ଗଳା ମୂଲ୍ୟ ପ୍ରାୟ ୨୫ କୋଟି ଅଟେ।
ଏକ ଗଣମାଧ୍ୟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ କପିଲ ଶର୍ମାଙ୍କ ବାର୍ଷିକ ଆୟ ୩୦ କୋଟିରୁ ଅଧିକ ହୋଇଥିବାବେଳେ ସେ ଏକ ମାସରେ ପ୍ରାୟ ୩ କୋଟି ଟଙ୍କା ରୋଜଗାର କରୁଛନ୍ତି। କପିଲଙ୍କ ମୋଟ ନେଟ୍ ୱର୍ଥ(Kapil Sharma Net Worth) ପ୍ରାୟ ୩୦୦ କୋଟି ବୋଲି କୁହାଯାଉଛି। ତେବେ ନିକଟରେ ରିଲିଜ ହୋଇଥିଲା କପିଲ ଶର୍ମାଙ୍କ ଫିଲ୍ମ “ଜିଗାଟୋ”(zwigato) ବକ୍ସ ଅଫିସରେ କିଛି ଖାସ ପ୍ରଦର୍ଶନ କରିପାରିନଥିଲା ।