ସଂସଦରେ 'ଶିବସେନା ମିଠା'
Trending Photos
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ 'ଠାକରେ ସରକାର' ଗଠନ ହେବା ପୂର୍ବରୁ ଦିଲ୍ଲୀରେ ସେଲିବ୍ରେସନ । ପରସ୍ପରକୁ ମିଠା ଖୁଆ ଖୁଇ ହୋଇଛନ୍ତି ଶିବସେନା ସାଂସଦ । ସଂସଦ ପରିସରରେ ଉତ୍ସବର ମାହୋଲ । ଗତକାଲି ନବ ଗଠିତ ମେଣ୍ଟ 'ମହା ବିକାଶ ଅଘାଡି'ର ନେତା ଉଦ୍ଧବ ଠାକରେଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ ରାଜ୍ୟପାଳ ଭଗତ ସିଂ କୋଶିୟାରୀ ।
ଆସନ୍ତାକାଲିଠୁ ମହାରାଷ୍ଟ୍ରରେ ଠାକରେ ସରକାର । ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ସଂନ୍ଧ୍ୟା ୬ଟା ୪୦ରେ ମୁମ୍ବାଇ ଶିବାଜୀ ପାର୍କରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ ଉତ୍ସବ । ଉଦ୍ଧବଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଜ୍ୟପାଳ ଭଗତ ସିଂ କୋଶିୟାରୀ । ଏପଟେ ଆଜି ସମସ୍ତ ନବ ନିର୍ବାଚିତ ବିଧାୟକ ଶପଥ ପାଠ ନେଉଛନ୍ତି । ଆଉ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଦଳୀୟ ସାଂସଦମାନେ ସେଲିବ୍ରେସନ କରୁଛନ୍ତି ।
ତେବେ ଡିସେମ୍ବର ୩ ତାରିଖ ଭିତରେ ତାଙ୍କୁ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ପଡିବ । ଏନସିପି, କଂଗ୍ରେସ ଓ ଶିବସେନା ମିଶି ଗଠନ କରିଛନ୍ତି ମହା ବିକାଶ ଅଘାଡି ମେଣ୍ଟ । ସେହିପରି ଉଦ୍ଧବ ବିଧାନସଭା କିମ୍ବା ବିଧାନ ପରିଷଦର ସଦସ୍ୟ ନୁହଁନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୬ ମାସ ମଧ୍ୟରେ ତାଙ୍କୁ ବିଧାନସଭା କିମ୍ବା ବିଧାନ ପରିଷଦରୁ ନିର୍ବାଚିତ ହେବାକୁ ପଡିବ । ରାଜ୍ୟପାଳ ଏନେଇ ଆମନ୍ତ୍ରଣ ପତ୍ରରେ ସୂଚେଇ ଦେଇଛନ୍ତି ।
ସେପଟେ ଉପମୁଖ୍ୟମନ୍ତ୍ରୀ ପଦରୁ କେବଳ ଇସ୍ତଫା ଦେଇନାହାଁନ୍ତି , ପୁଣି ବସାକୁ ମଧ୍ୟ ଫେରିଛନ୍ତି ଅଜିତ ପାୱାର । ମହାରାଷ୍ଟ୍ରରେ ବିଜେପି ସରକାର ବହୁମତ ପ୍ରମାଣ ଦେବା ପୂର୍ବରୁ ସରେଣ୍ଡର କରିଛି । ଆଉ ଏହାପରେ ପୁରୁଣା ଠିକଣାକୁ ଫେରିଛନ୍ତି ଏନସିପି ନେତା ଅଜିତ ପାୱାର । ମୁଁ ଏନସିପିରେ ଥିଲି, ବର୍ତ୍ତମାନ ବି ଅଛି ଏବଂ ଆଗକୁ ମଧ୍ୟ ଏନସିପିରେ ରହିବି ବୋଲି କହିଛନ୍ତି 'ପାୱାର' ପୁତୁରା । ଠାକରେ ସରକାରରେ ମଧ୍ୟ ସେ ମନ୍ତ୍ରୀ ହେବେ ବୋଲି କୁହାଯାଉଛି ।
ଶୁକ୍ରବାର ରାତିରେ ସରକାର ଗଠନ ପାଇଁ ବିଜେପି ଶିବିରକୁ ଡିଆ ମାରିଥିଲେ ତତ୍କାଳୀନ ଏନସିପି ବିଧାୟକ ଦଳ ନେତା । ହେଲେ ଅଜିତଙ୍କ ଏହି ନିଷ୍ପତ୍ତି ଭୁଲ ପ୍ରମାଣିତ ହୋଇଥିଲା । ସରକାର ଗଠନରେ ବିଜେପିକୁ ସମର୍ଥନ କଲେ, ତାଙ୍କ ସହ ବହୁ ଏନସିପି ବିଧାୟକ ମଧ୍ୟ ସମର୍ଥନ କରିବେ ବୋଲି ଭାବୁଥିଲେ ଅଜିତ ପାୱାର । ଆଉ ଏହି ଆଶା ନେଇ ବିଜେପି ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ମଧ୍ୟ ନେଇଯାଇଥିଲେ । ହେଲେ ଏଥିରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସମର୍ଥନ ନଥିବା ଜାଣିବା ପରେ ଅଜିତଙ୍କୁ ବାସି ପାଣିରେ ପଚାରି ନଥିଲେ ଦଳର ଅନ୍ୟ ବିଧାୟକ । ଆଉ ଏହା ପରେ ଅଜିତଙ୍କୁ ହାତେଇ ସରକାର ଗଢିଥିବା ବିଜେପି ଶେଷରେ ବହୁମତ ଦେବା ପୂର୍ବରୁ ସରେଣ୍ଡର କରିଦେଲା ।
ଗତକାଲି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଦେବେନ୍ଦ୍ର ଫଡନାଭିସ । ତାଙ୍କ ପୂର୍ବରୁ ଉପ ମୁଖ୍ୟମନ୍ତ୍ରୀ ପଦରୁ ଅଜିତ ପାୱାର ଇସ୍ତଫା ଦେଇଥିଲେ । ଇସ୍ତଫାର ଘୋଷଣା ଅବସରରେ ଫଡନାଭିସ କହିଥିଲେ ଯେ, ଆମ ପାଖରେ ସଂଖ୍ୟା ଗରିଷ୍ଠତା ନାହିଁ । ଏଥିପାଇଁ ମୁଁ ଇସ୍ତଫା ଦେଉଛି । ଯେଉଁମାନେ ସରକାର ଗଢିବାକୁ ଯାଉଛନ୍ତି, ସେମାନଙ୍କୁ ମୋର ଶୁଭେଚ୍ଛା । ଆମେ ୫ ବର୍ଷ ବହୁତ କଠିନ ପରିଶ୍ରମ କରିଥିଲୁ । ଜନତା ଆମର ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ଦେଇଥିଲେ । ମୁଖ୍ୟମନ୍ତ୍ରୀ ପଦ ପାଇଁ ଶିବସେନା ଆମକୁ ଧମକ ଦେଇଥିଲା ବୋଲି କହିଥିଲେ ଫଡନିଭିସ ।
ଅଧିକ ପଢନ୍ତୁ; ଡିସେମ୍ବର ୧ ନୁହେଁ, ଆସନ୍ତାକାଲିଠୁ ଠାକରେ ସରକାର