ସରକାରୀ ହସ୍ପିଟାଲରେ ବଢ଼ିବ ବେଡ୍ ସଂଖ୍ୟା, ପ୍ରାଥମିକ ଚିକିତ୍ସାଳୟରେ ବି ହେବ ଇନ୍‍ଡୋର ଚିକିତ୍ସା
Advertisement

ସରକାରୀ ହସ୍ପିଟାଲରେ ବଢ଼ିବ ବେଡ୍ ସଂଖ୍ୟା, ପ୍ରାଥମିକ ଚିକିତ୍ସାଳୟରେ ବି ହେବ ଇନ୍‍ଡୋର ଚିକିତ୍ସା

Odisha News: ଏଣିକି ପ୍ରତି ପିଏଚ୍‍ସି ସ୍ତରରେ ୨୪ ଘଣ୍ଟିଆ ସେବା ପ୍ରଦାନ ସହ ୬ଟି ଲେଖାଏଁ ଶଯ୍ୟା ରହିବ । ଖାଲି ସେତିକି ନୁହେଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସଂଖ୍ୟା ରାଜ୍ୟରେ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

Hospital Beds Count To Be Increased In Odisha-Health Director

ଭୁବନେଶ୍ୱର: ପ୍ରାଥମିକ ଚିକିତ୍ସା ବ୍ୟବସ୍ଥାକୁ ନେଇ ଅତୀତରେ ସମାଲୋଚିତ ହୋଇଥିବା ରାଜ୍ୟ ସରକାର ଏବେ ଇନ୍‍ଡୋର ଚିକିତ୍ସା କରିବା ଲାଗି ଚିନ୍ତା କରୁଛନ୍ତି । ରାତି ଅଧରେ ଜରୁରୀକାଳୀନ ରୋଗୀଙ୍କୁ ସେବା ଯୋଗାଇବା ଲାଗି ପ୍ରତି ପ୍ରାଥମିକ ଚିକିତ୍ସା କେନ୍ଦ୍ର ବା ପିଏଚ୍‍ସିରେ ଏଣିକି ୬ଟି ଲେଖାଏଁ ଶଯ୍ୟା ରଖିବା ବ୍ୟବସ୍ଥା କରାଯିବ । ଏହାସହ ଟର୍ସିଆରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବୋଝ କମାଇବା ଲାଗି ଜିଲ୍ଲା ଓ କମ୍ୟୁନିଟି ସ୍ତରରେ ମଧ୍ୟ ଶଯ୍ୟା ସଂଖ୍ୟା ବଢ଼ାଇବାକୁ ସରକାର ଚିନ୍ତା କରୁଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । 

ସେ କହିଛନ୍ତି, ରାଜ୍ୟରେ ମେଡିକାଲ୍ ସ୍ୱାସ୍ଥ୍ୟସେବା ଲାଗି ଏବେ ୨୮ ହଜାର ଶଯ୍ୟା ବ୍ୟବସ୍ଥା ରହିଛି। ଏହାକୁ ୫୦ ହଜାରକୁ ବଢ଼ାଇବା ଲାଗି ସରକାର ଚିନ୍ତା କରିଛନ୍ତି। ଏ ଦିଗରେ କାର୍ଯ୍ୟ ହାତକୁ ନିଆଯାଇଛି । ଏହିକ୍ରମରେ ପିଏସଚ୍‍ସି, ସିଏଚ୍‍ସି, ଜିଲ୍ଲା ଚିକିତ୍ସା କେନ୍ଦ୍ର ଏବଂ ମେଡିକାଲ୍‍ କଲେଜଗୁଡ଼ିକରେ ଶଯ୍ୟା ବଢ଼ାଯିବ । ଏଣିକି ପ୍ରତି ପିଏଚ୍‍ସି ସ୍ତରରେ ୨୪ ଘଣ୍ଟିଆ ସେବା ପ୍ରଦାନ ସହ ୬ଟି ଲେଖାଏଁ ଶଯ୍ୟା ରହିବ । ଖାଲି ସେତିକି ନୁହେଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସଂଖ୍ୟା ରାଜ୍ୟରେ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏବେ ରାଜ୍ୟରେ ୧୨୩୬ଟି ପ୍ରାଥଇମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି । ଏହି ସଂଖ୍ୟାରେ ଆହୁରି ୩୦୬ଟି ନୂଆ ପିଏଚ୍‍ସି ଯୋଡ଼ାଯିବ । 

ସେହିପରି ସିଏଚ୍‍ସି ସଂଖ୍ୟାକୁ ବଢ଼ାଯିବ। ପ୍ରତି ସିଏଚ୍‍ସିରେ ୩୦ଟି ଲେଖାଏଁ ଶଯ୍ୟା ସ୍ଥାପନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଏହା ସହ ରାଜ୍ୟର ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶଯ୍ୟା ସଂଖ୍ୟା ୩୦୦ କରିବାକୁ ସରକାର ପ୍ରସ୍ତାବ ରଖିଛନ୍ତି। ଏ ଦିଗରେ ସରକାର କାର୍ଯ୍ୟରତ ବୋଲି ସୂଚନା ଦେଇଛନ୍ତି ଶ୍ରୀ ମହାପାତ୍ର ।
 
ଓଡ଼ିଶାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ରହିଥିବା ତ୍ରୁଟିକୁ ବିଶେଷ ଭାବେ ଅନୁଧ୍ୟାନ କରି ୨୦୨୧ ଏପ୍ରିଲ୍‍ ମାସରେ ହାର୍ଭାର୍ଡ ସ୍କୁଲ୍‍ ଅଫ୍‍ ହେଲ୍ଥ ଏକ ରିପୋର୍ଟ ପ୍ରକାଶ କରିଥିଲେ । ଯାହା ସେତେବେଳେ ରାଜ୍ୟର ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଥିଲା । ଏହି ରିପୋର୍ଟରେ ରାଜ୍ୟର ସରକାରୀ ହସ୍ପିଟାଲ ଗୁଡ଼ିକରେ ଲୋକଙ୍କ ଅସନ୍ତାଷକୁ ବ୍ୟକ୍ତ କରାଯାଇଥିଲା । ରାଜ୍ୟରେ ଡାକ୍ତରଙ୍କ ଅଭାବ ଯୋଗୁଁ ଲୋକେ ଡାକ୍ତରଙ୍କ ଅପେକ୍ଷା ମେଡିସିନ୍‍ ଷ୍ଟୋରଙ୍କ ଭରସାରେ ଚାଲନ୍ତି ବୋଲି ଏହି ରିପୋର୍ଟରେ ଦର୍ଶଯାଇଥିଲା । ଡାକ୍ତର ଓ ଭିତ୍ତିଭୂମି ଅଭାବ ଯୋଗୁଁ ସାଧାରଣ ରୋଗ ପାଇଁ ବି ଲୋକଙ୍କୁ ସ୍ପେଶିଆଲିଷ୍ଟ ହସ୍‍ପିଟାଲ୍‍କୁ ପଠାଯାଉଥିବା ଦର୍ଶଯାଇଛି । ଏହାସହ ସ୍ପେଶିଆଲିଷ୍ଟ ହସ୍‍ପିଟାଲ୍‍ରୁ କାହାକୁ ପ୍ରାଇମେରି ହସ୍‍ପିଟାଲ୍‍କୁ ପଠାଯିବାର ନଜର ନଥିବା କୁହାଯାଇଥିଲା । 

ଏ ରିପୋର୍ଟକୁ ଦୁଇ ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ରାଜ୍ୟ ସରକାର ଏ ଦିଗରେ ଯତ୍ନବାନ ହୋଇ ନଥିଲେ । ଏବେ ନିର୍ବାଚନ ଆସୁଥିବାରୁ ସରକାର ଲୋକଙ୍କ ଆସ୍ଥା ଜିତିବା ଲାଗି ଡାକ୍ତରଙ୍କ ପଦବୀ ସଂଖ୍ୟା ବୃଦ୍ଧି କରିଥିଲେ ମଧ୍ୟ ରାଜ୍ୟରେ ଉପଯୁକ୍ତ ଡାକ୍ତର ପ୍ରାର୍ଥୀ ମିଳୁ ନଥିବା କହି ନିଯୁକ୍ତି ସଂଖ୍ୟାକୁ କମାଇ ଦିଆଯାଇଛି । ଅପରପକ୍ଷେ ମେଡିକାଲ୍‍ କଲେଜଠାରୁ ଆରମ୍ଭ କରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଯାଏ ଡାକ୍ତରଙ୍କ ଅଭାବ ରହି ଆସିଛି । ଏପରି ସ୍ଥଳରେ ହସ୍ପିଟାଲରେ ଆସନ ଶଯ୍ୟା ସଂଖ୍ୟା ବଢ଼ାଇବା ନିଷ୍ପତ୍ତି କେତେଦୂର କାର୍ଯ୍ୟକାରୀ ହେଉଛି ତାହାକୁ ଅପେକ୍ଷା ।