Patidiyan: ଅଣସରବେଳେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟିଦିଅଁ । ସ୍ନାନଯାତ୍ରା ପରେ ମହାପ୍ରଭୁ ବିଜେ କରିବେ ଅଣସର ଘରକୁ । ଏହି ସମୟରେ ଶ୍ରୀମନ୍ଦିରରେ ପଟିଦିଅଁ ପୂଜା ପାଇବେ । ଏଥିଲାଗି ଚିତ୍ରକର ସେବାୟତଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
Trending Photos
ପୁରୀ: ଆସନ୍ତା ମଙ୍ଗଳବାର ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ । ସ୍ନାନଯାତ୍ରା ପରେ ମହାପ୍ରଭୁ ଅଣସର ଘରକୁ ବିଜେ କରିବେ । ଏହି ସମୟରେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟି ଦିଅଁ । ଏଥିପାଇଁ ଚିତ୍ରକର ସେବକମାନେ ପଟିଦିଅଁ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ଇତିମଧ୍ୟରେ ପଟି ପ୍ରସ୍ତୁତ ହୋଇ ସାରିଥିବାବେଳେ ସେଥିରେ ପାରମ୍ପରିକ ରଙ୍ଗ ଦେବା କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପରମ୍ପରା ଅନୁଯାୟୀ ବଂଶାନୁକ୍ରମିକ ଭାବେ ଚିତ୍ରକର ରାଜେନ୍ଦ୍ର ମହାରଣାଙ୍କ ପରିବାର ଲୋକେ ବଡ ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରାଙ୍କ ପଟିଦିଅଁ ପ୍ରସ୍ତୁତ କରି ଯୋଗାଇଥାନ୍ତି । ସେହିପରି ବଂଶାନୁକ୍ରମିକ ଭାବେ ନାରଣ ମହାରଣାଙ୍କ ପରିବାର ଲୋକେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ପଟି ଦିଅଁ ପ୍ରସ୍ତୁତ କରି ଶ୍ରୀମନ୍ଦିରକୁ ଦେଇଥାନ୍ତି । ଅଣସର ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଅନନ୍ତ ନାରାୟଣ ରୂପରେ, ଶ୍ରୀବଳଭଦ୍ର ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ବଦଳରେ ଭୁବନେଶ୍ବରୀ ପଟିଦିଅଁ ଭାବେ ପୂଜା ପାଇଥାନ୍ତି । ସ୍ନାନ ପୂର୍ଣ୍ଣିମାରେ ଠାକୁରଙ୍କ ବାହୁଡା ପହଣ୍ଡି ପରେ ବିଳମ୍ବିତ ରାତିରେ ଶ୍ରୀମନ୍ଦିରରୁ ଏକ ପଟୁଆର ଚିତ୍ରକରଙ୍କ ଘରକୁ ଯାଇଥାଏ । ପାରମ୍ପରିକ ପୂଜାର୍ଚ୍ଚନା ପରେ ଘଣ୍ଟ, ଛତା, କାହାଳି ସହ ପଟିଦିଅଁ ଶ୍ରୀମନ୍ଦିରକୁ ବିଜେ କରିଥାନ୍ତି । ଅଣସର ସମୟରେ ଗର୍ଭଗୃହରେ ଦାରୁ ମୂର୍ତ୍ତିମାନଙ୍କ ବଦଳରେ ପଟିଦିଅଁଙ୍କୁ ପୂଜା କରାଯାଇଥାଏ ।
ତେବେ ଦାରୁ ଦେବତା ରତ୍ନ ସିଂହାସନରେ ଯେଉଁ ରୂପରେ ପୂଜା ପାଆନ୍ତି ପଟ୍ଟଚିତ୍ର ଗୁଡ଼ିକ ସେହି ଆକୃତିର ନୁହେଁ । କାଷ୍ଠ ନିର୍ମିତ ସୁଦୃଶ୍ୟ ଆସନରେ ବସିଥିବା ପରି ଅଙ୍କିତ ହୋଇଥିବା ଚିତ୍ରରେ ସମସ୍ତ ଦିଅଁ ଚତୁଃହସ୍ତ ଓ ଦୁଇପଦ ବିଶିଷ୍ଟ ହୋଇ ପଦ୍ମାସନରେ ବସିଥାଆନ୍ତି । ବଳଭଦ୍ରଙ୍କ କଳେବର ଶ୍ବେତବର୍ଣ୍ଣରେ ଚିତ୍ରିତ ହେଇଥାଏ । ଚତୁଃହସ୍ତରେ ସେ ଧରିଥାଆନ୍ତି ଶଙ୍ଖ, ଚକ୍ର, ଗଦା ଓ ହଳ । ହରିଦ୍ର ବର୍ଣ୍ଣା ସୁଭଦ୍ରା ଦୁଇ ଊର୍ଦ୍ଧ୍ବ ହସ୍ତରେ ପଦ୍ମ ଧରିଥାଆନ୍ତି ଓ ନିମ୍ନହସ୍ତ ଦୁଇଟି ଥାଏ ବରଦା ମୁଦ୍ରାରେ । କଳା ରଙ୍ଗରେ ଚିତ୍ରିତ ଶ୍ରୀଜଗନ୍ନାଥ ଚାରିହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧରିଥାଆନ୍ତି । ସମସ୍ତ ଦେବତାଙ୍କ ପୃଷ୍ଠପଟ୍ଟ ଗାଢ଼ନାଲି ରଙ୍ଗ ହେଇଥାଏ । ଚିତ୍ରପାଇଁ ଦରକାର ପଡ଼ୁଥିବା ରଙ୍ଗ ଅତି ନିଷ୍ଠାର ସହ ପ୍ରସ୍ତୁତ କରାଯାଇଥାଏ । ଧଳାରଙ୍ଗ ଶଙ୍ଖରୁ ପ୍ରସ୍ତୁତ ହେଉଥିବା ବେଳେ, କଳାରଙ୍ଗ ପାଇଁ ପୋଲାଙ୍ଗ ଦୀପର କଳା, ହିଙ୍ଗୁଳରୁ ନାଲି, ହରିତାଳରୁ ହଳଦିଆ ଓ ଖଣ୍ଡନୀଳରୁ ନୀଳ ରଙ୍ଗ ପ୍ରସ୍ତୁତ କରାଯାଇଥାଏ । ସ୍ନାନ ପୂର୍ଣ୍ଣିମା ଦିନ ନିଶାର୍ଦ୍ଧ ରାତିରେ, ବାଇଦ ବାଜଣା ସହ ଚିତ୍ରକାରମାନେ ଅଣସର ପଟ୍ଟିଗୁଡ଼ିକୁ ମନ୍ଦିରକୁ ଆଣନ୍ତି । ଅଣସର ଘରେ ଠାକୁରମାନଙ୍କୁ ପଣା ଓ ଚକଟା ଭୋଗ ଆଦି କରାଯାଉଥିବାବେଳେ ପଟିଦିଅଁଙ୍କୁ ଅନ୍ନଭୋଗ କରାଯାଇଥାଏ । ଗର୍ଭଗୃହ ସଂଲଗ୍ନ ଦକ୍ଷିଣ ଘରୁ ସେବାୟତମାନେ ସାତଗୋଟି ଚଳନ୍ତି ପ୍ରତିମା ଆଣି ଅଣସର ଘର ବାହାରପଟେ ପକାଯାଇଥିବା ଗୋଟିଏ ଖଟ ଉପରେ ରଖନ୍ତି । ବଳଭଦ୍ରଙ୍କ ଆସ୍ଥାନ ସମୀପରେ ରାମ, ନୃସିଂହ ଓ ଦୋଳଗୋବିନ୍ଦଙ୍କ ବିଗ୍ରହ ରହେ । ସୁଭଦ୍ରାଙ୍କ ସମୀପରେ ରହେ ଲକ୍ଷ୍ମୀ ଓ ସରସ୍ବତୀଙ୍କ ପିତୁଳା ଦ୍ବୟ ଏବଂ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ରହେ ମଦନମୋହନ ଓ କୃଷ୍ଣଙ୍କ ପ୍ରତିମୂର୍ତ୍ତି । ଏହି ସମୟରେ ଜଗନ୍ନାଥଙ୍କ ସ୍ଥାନରେ ଭକ୍ତମାନେ ବ୍ରହ୍ମଗିରିର ଅଲାରନାଥଙ୍କୁ ବିଷ୍ଣ ରୂପରେ ଦର୍ଶନ କରିଥାନ୍ତି ।
ତେବେ ଶ୍ରୀମନ୍ଦିରରେ ଆଜି ରୁକ୍ମିଣୀ ହରଣ ଏକାଦଶୀ ତିଥିରେ ମହାପ୍ରଭୁଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ରାଜେନ୍ଦ୍ରାଭିଷେକ ନୀତି ସରିବା ପରେ ଆଜି ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ରୁକ୍ମିଣୀଙ୍କୁ ବିବାହ କରିଛନ୍ତି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ। ଆଉ ଏହି ବିବାହ ଉତ୍ସବକୁ ଧୁମଧାମରେ ପାଳନ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ଏହି ଅବସରରେ ଶ୍ରୀମନ୍ଦିରକୁ ଫୁଲ ଦ୍ୱାରା ଆକର୍ଷଣୀୟ ଭାବେ ସଜା ଯାଇଥିଲା । ପୁଣି ଭକ୍ତମାନେ ମନ୍ଦିରକୁ ପ୍ରବେଶ ବେଳେ ଜୟ ଜଗନ୍ନାଥ ଓ ହରିବୋଲ ହୁଳହୁଳି ପକାଇ ଦର୍ଶନ ପାଇଁ ଯାଇଥିଲେ । ମହାପ୍ରଭୁଙ୍କ ବିବାହ ଉତ୍ସଵ ଅନୁଷ୍ଠିତ ହୋଇଥିବା ବେଳେ ରବିବାର ରହିଛି ଚମ୍ପକ ଦ୍ଵାଦଶୀ ଓ ମହାପ୍ରଭୁଙ୍କ ଗୁଆଲି ଯାତ୍ରା । ଆଉ ଦଇତା ପ୍ରବେଶ ନୀତି ରହିଛି । ଆଉ ଏବେଠାରୁ ନୀତି ଶୃଙ୍ଖଳିତ କଲେ ସ୍ନାନପୁର୍ଣିମା ନୀତି ସଅଳ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିରର ବରିଷ୍ଠ ସେବାୟତ । ତେବେ ଦୁଇବର୍ଷ ପରେ ମହାପ୍ରଭୁଙ୍କ ବିବାହ ଉତ୍ସବ ଦର୍ଶନ କରି ବେଶ ଖୁସି ବୋଲି କହିଛନ୍ତି ଶ୍ରଦ୍ଧାଳୁ । ସେପଟେ ସ୍ନାନପୂର୍ଣ୍ଣିମାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବାର ଆଶଙ୍କା ଥିବାରୁ ପୁଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା କରାଯାଇଛି । ଦର୍ଶନ ଶୃଙ୍ଖଳିତ ପାଇଁ ତିନି ଥାକିଆ ବେରିକେଡିଂର ବ୍ଯବସ୍ଥା କରାଯାଇଛି। ମାର୍କେଟ ଛକରୁ ଶ୍ରୀନହର ପର୍ଯ୍ୟନ୍ତ ଅସ୍ଥାୟୀ ବ୍ଯାରିକେଡ କରାଯାଇଥିବା ବେଳେ ଶ୍ରୀନହରରୁ ସିଂହଦ୍ଵାର ଏବଂ ସିଂହଦ୍ୱାରରୁ ଲଙ୍ଗୁଳି ମଠ ପର୍ଯ୍ୟନ୍ତ ଅସ୍ଥାୟୀ ବ୍ଯାରିକେଡ କରାଯାଇଛି । ସେପଟେ ସ୍ନାନବେଦୀରେ ମହାପ୍ରଭୁଙ୍କୁ ବଡଦାଣ୍ଡରୁ ଦର୍ଶନ ପାଇଁ ଲଙ୍ଗୁଳିମଠ ଅଞ୍ଚଳରେ କରାଯାଇଛି ଜିଗଜାଗ୍ ବ୍ୟାରିକେଡ। ସେପଟେ ଜୁନ ୧୩ତାରିଖ ସଂନ୍ଧ୍ଯାରେ ସେନାପଟା ଲାଗି ନିତି ଓ ଜୁନ୍ ୧୪ରେ ଭୋର ୪ଟାରୁ ପହଣ୍ଡି ନିତି କରିବା ପାଇଁ ସେବାୟତଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ । ସୁରକ୍ଷା ଦୃଷ୍ଟି କୋଣରୁ ପ୍ରାୟ ୫୦ପ୍ଲାଟୁନ ଫୋର୍ସ ମୁତୟନ ହେବେ ବୋଲି ଜଣାପଡିଛି । କୋଭିଡ ନିୟନ୍ତ୍ରଣକୁ ଆସିବା ପରେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁ, ଦର୍ଶନାର୍ଥି ଆଉ ପର୍ଯ୍ଯଟକଙ୍କ ସୁଅ ଛୁଟୁଛି । ଆଗକୁ ଦେବସ୍ନାନ ପୂର୍ଣ୍ଣିମା ଆଉ ରଥଯାତ୍ରାରେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ସମସ୍ତ ବ୍ୟବସ୍ଥା ଗ୍ରହଣ କରୁଛି ।
ଏହା ବି ପଢ଼ନ୍ତୁ: ରାଜ୍ୟସଭାରେ ହ୍ରାସ ପାଇଲା BJP ସଦସ୍ୟଙ୍କ ସଂଖ୍ୟା, ଜାଣନ୍ତୁ କଂଗ୍ରେସ ସମେତ ଅନ୍ୟାନ୍ୟ ଦଳର ସ୍ଥିତି