Artificial sweeteners : କୃତ୍ରିମ ମିଠା ଖାଇଲେ ହୃଦ୍‌ଘାତ, ଷ୍ଟ୍ରୋକ୍ ପରି ହୋଇପାରେ ସମସ୍ୟା
Advertisement
Article Detail0/zeeodisha/odisha2306169

Artificial sweeteners : କୃତ୍ରିମ ମିଠା ଖାଇଲେ ହୃଦ୍‌ଘାତ, ଷ୍ଟ୍ରୋକ୍ ପରି ହୋଇପାରେ ସମସ୍ୟା

Higher risk of heart disease : ୟୁରୋପିଆନ୍ ହାର୍ଟ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ, ଚିନିର ବିକଳ୍ପ ରୂପେ ବ୍ୟବହୃତ କୃତ୍ରିମ ମିଠା ‘ଜାଇଲିଟଲ୍’ ହୃଦଘାତ, ଷ୍ଟ୍ରୋକ୍ ଓ ହୃତ୍ପିଣ୍ଡ ସମ୍ବନ୍ଧୀୟ ରୋଗ ସହ ସିଧାସଳଖ ଭାବେ ସମ୍ପୃକ୍ତ ।

Artificial sweeteners

 HEALTH TIPS : ୟୁରୋପିଆନ୍ ହାର୍ଟ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ, ଚିନିର ବିକଳ୍ପ ରୂପେ ବ୍ୟବହୃତ କୃତ୍ରିମ ମିଠା ‘ଜାଇଲିଟଲ୍’ ହୃଦଘାତ, ଷ୍ଟ୍ରୋକ୍ ଓ ହୃତ୍ପିଣ୍ଡ ସମ୍ବନ୍ଧୀୟ ରୋଗ ସହ ସିଧାସଳଖ ଭାବେ ସମ୍ପୃକ୍ତ । ନିୟମିତ ଏହାର ବ୍ୟବହାର ଦ୍ୱାରା ଭବିଷ୍ୟତରେ ହୃଦଘାତ ଜନିତ ମୃତ୍ୟୁ ହୋଇପାରେ ।

ନିକଟ ଅତୀତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଥିଲା, ଚିନିର ବିକଳ୍ପ ଭାବେ ବ୍ୟବହୃତ କୃତ୍ରିମ ମିଠା ‘ଆସ୍ପାର୍ଟେମ୍’ରୁ ଟାଇପ୍-୨ ମଧୁମେହ ଓ ହୃଦରୋଗ ଆଶଙ୍କା ବଢ଼ିପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଇଣ୍ଟରନ୍ୟାସନାଲ୍ ଏଜେନ୍ସି ଫର ରିସର୍ଚ୍ଚ ଅନ୍ କ୍ୟାନ୍ସର(ଆଇଏଆର୍ସି)ର ମିଳିତ ଅଧ୍ୟୟନ ପରେ ଆସ୍ପାର୍ଟେମକୁ କାର୍ସିନୋଜେନ୍ ବିଭାଗରେ ରଖାଗଲା । ଏହାର ଅର୍ଥ, ଆସ୍ପାର୍ଟେମ୍ କର୍କଟ-କାରକ ହୋଇପାରେ । ଏହା ପରେ ବିକଳ୍ପ ଭାବେ ବ୍ୟବହୃତ ହେଉଥିବା ସମସ୍ତ ପ୍ରକାର କୃତ୍ରିମ ମିଠାକୁ ନେଇ ଏପରି ଚେତାବନୀ ଦିଆଗଲା।

ଦୁଇ ମାସ ତଳେ ପଞ୍ଜାବର ପଟିଆଲାରେ ୧୦ ବର୍ଷୀୟ ଝିଅ ମାନବୀର ଜନ୍ମଦିନ କେକ୍ ଖାଇବା ଯୋଗୁ ମୃତ୍ୟୁ ହୋଇଥିଲା । ମୃତ୍ୟୁର କାରଣ କୃତ୍ରିମ ମିଠା ବୋଲି ଯାଞ୍ଚରୁ ଜଣାପଡ଼ିଲା।ଷ୍ଟେଟିଷ୍ଟାରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ, ବିଶ୍ୱରେ ବର୍ଷକୁ ପ୍ରାୟ ୧୨୦ କୋଟି କିଲୋ କୃତ୍ରିମ ମିଠା ବ୍ୟବହୃତ ହେଉଛି । ୨୦୨୮ ମସିହା ସୁଦ୍ଧା ଏହା ୧୪୫ କୋଟି କିଲୋ ହୋଇପାରେ ।

କୃତ୍ରିମ ମିଠାକୁ ସୁରକ୍ଷିତ ଭାବି ଖାଉଛନ୍ତି । କିନ୍ତୁ କୃତ୍ରିମ ମିଠାରୁ ହେଉଥିବା କ୍ଷତି ବିଷୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକଟ କରିଛି।ବିଶ୍ୱର ତମାମ ବଡ଼ ଡାକ୍ତର କୃତ୍ରିମ ମିଠାର ବ୍ୟବହାର ଉପରେ ପ୍ରଶ୍ନ ଉଠାଇଛନ୍ତି । ଜଣାଶୁଣା ଡାକ୍ତର ଜାସନ୍ ଫଙ୍ଗ୍ ନିଜର ପୁସ୍ତକ ‘ଦ ଡାଇବେଟିସ୍ କୋଡ୍: ପ୍ରିଭେଣ୍ଟ୍ ଆଣ୍ଡ ରିଭର୍ସ ଟାଇପ୍-୨ ଡାଇବେଟିସ୍ ନ୍ୟାଚୁରାଲୀ’ରେ କୃତ୍ରିମ ମିଠାକୁ କ୍ଷତିକାରକ ବୋଲି ଦର୍ଶାଇଛନ୍ତି । ଏହାର ନିୟମିତ ବ୍ୟବହାର ଦ୍ୱାରା ଶରୀରରେ ରକ୍ତ ଜମାଟ ବାନ୍ଧିବା ଆଶଙ୍କା ବଢ଼ିଯାଏ, ଯାହା ହୃଦ୍ଘାତର କାରଣ ହୋଇଥାଏ । 

ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ, କୃତ୍ରିମ ମିଠା ଲଗାତାର ବ୍ୟବହାର ଫଳରେ ଭୋଜନ ପରେ ତୃପ୍ତିର ଅନୁଭବ ପ୍ରଦାନ କରୁଥିବା ହର୍ମୋନ୍ ଲେପ୍ଟିନ୍ ପ୍ରଭାବିତ ହୁଏ । ସେଥିପାଇଁ ବାରମ୍ବାର ଖାଇବାର ଇଚ୍ଛା ବଢ଼େ । ଆମ ଗଟ୍ ବ୍ୟାକ୍ଟେରିଆ ଚିନି ତୁଳନାରେ କୃତ୍ରିମ ମିଠାକୁ ଭିନ୍ନ ରୂପେ ପ୍ରତିକ୍ରିୟା କରନ୍ତି ।  ଯେତେବେଳେ ସାକାରିନ୍ ଓ ସୁକ୍ରୋଲୋଜ ଭଳି ମିଠା ଆମ ମାଇକ୍ରୋବାୟୋମ୍ସ ସମ୍ପର୍କରେ ଆସନ୍ତି, ଡିସ୍ବିଓସିସ୍ ଆଶଙ୍କା ବଢ଼ିଯାଏ । ଏହାର ଅର୍ଥ, ଭଲ ବ୍ୟାକ୍ଟେରିଆ ତୁଳନାରେ ହାନିକାରକ ବ୍ୟାକ୍ଟେରିଆ ସଂଖ୍ୟା ବଢ଼ିଯାଏ । ଏହା ଦ୍ୱାରା ପେଟରେ ଫୁଲା, ଅଟୋ ଇମ୍ୟୁନ କଣ୍ଡିସନ୍, ମାଇଗ୍ରେନ୍ ଭଳି ସମସ୍ୟା ହୋଇପାରେ ।