ଚାଷୀଙ୍କ ପାଇଁ ବରଦାନ ସାଜିବ ଏହି କେତୋଟି ଉପାୟ...ଜାଣନ୍ତୁ ଓ ଲାଭ ଉଠାନ୍ତୁ

ଯେତେ ଖତ, ରାସାୟନିକ ସାର ପ୍ରୟୋଗ କଲେ ବି ଯଦି ଉତ୍ତମମାନର ବିହନ ବ୍ୟବହାର କରି ନାହାନ୍ତି ତେବେ ଚାରା ଅସୁସ୍ଥ ହେବା ସହ ଅମଳ ମଧ୍ୟ କମ ଦେଇଥାଏ । ଏଣୁ କମ୍ ଖର୍ଚ୍ଚରେ ତଥା ଜୈବିକ ଉପାୟରେ ଧାନ ଓ ଡାଲି ବିହନ କିପରି ସଂରକ୍ଷଣ କରିବେ ଜାଣନ୍ତୁ ସେ ବିଷୟରେ

ଚାଷୀଙ୍କ ପାଇଁ ବରଦାନ ସାଜିବ ଏହି କେତୋଟି ଉପାୟ...ଜାଣନ୍ତୁ ଓ ଲାଭ ଉଠାନ୍ତୁ
ସୌଜନ୍ୟ: ସୋସିଆଲ ମିଡିଆ

ତପନ କର, ନୂଆଦିଲ୍ଲୀ: ବର୍ତ୍ତମାନ ବିହନ ଅମଳ ସମୟ । ସମସ୍ତେ ନିଜର ପରବର୍ତ୍ତୀ ଫସଲ ପାଇଁ ବିଭିନ୍ନ ଉପାୟରେ ମଧ୍ୟ ବିହନ ଅମଳ କରି ସାଇତି ରଖିଥାନ୍ତି । ତେବେ ଚାଷୀର ଅଧିକ ଅମଳ ପାଇଁ ଉତ୍ତମ ବିହନ ହିଁ ପ୍ରଥମ ଆବଶ୍ୟକତା ରହିଥାଏ । ଯେତେ ଖତ, ରାସାୟନିକ ସାର ପ୍ରୟୋଗ କଲେ ବି ଯଦି ଉତ୍ତମମାନର ବିହନ ବ୍ୟବହାର କରି ନାହାନ୍ତି ତେବେ ଚାରା ଅସୁସ୍ଥ ହେବା ସହ ଅମଳ ମଧ୍ୟ କମ ଦେଇଥାଏ । ଏଣୁ କମ୍ ଖର୍ଚ୍ଚରେ ତଥା ଜୈବିକ ଉପାୟରେ ଧାନ ଓ ଡାଲି ବିହନ କିପରି ସଂରକ୍ଷଣ କରିବେ ସେ ବିଷୟରେ ଆସନ୍ତୁ ଜାଣିବା ।

 ବିହନ ସଂଗ୍ରହ
ବିହନ ଉପଯୋଗୀ ଫସଲ ବା ଯେକୌଣସି କିସମର ଫସଲକୁ ବିହନ ରୂପେ ବ୍ୟବହାର କରିବା ଭୁଲ । କେବଳ ଭଲ ଓ ଉତ୍ତମମାନର ଫସଲରୁ ବିହନ ସଂଗ୍ରହ କରିବା ଆବସ୍ୟକ । ସଂପୂର୍ଣ୍ଣ ପରିପକ୍ଵ ଅବସ୍ଥାରେ ଫସଲକୁ ଅମଳ କରନ୍ତୁ । ଧ୍ୟାନ ରଖନ୍ତୁ ଯେ ବିହନ ସୁସ୍ଥ ସବଳ ନିରୋଗ ହୋଇଥିବା ନିତ୍ୟାନ୍ତ ଆବଶ୍ୟକ । ଏଥିରେ କିଛି ଅଳିଆ, କୁଟା, କାଠି,ଗୋଡି ମାଟି ଓ ଅନ୍ୟ କିସମ ବା ଅନ୍ୟ ବିହନ ମିଶିନଥିବା ଆବଶ୍ୟକ । ବିହନରେ ବାଳୁଙ୍ଗାର ବିହନ ନରହିବା ଆବଶ୍ୟକ । ବିହନର (ସବୁ ମଞ୍ଜିର) ରଙ୍ଗ ସମାନ ଦିଶୁଥିବା ତଥା ସବୁ ବିହନ ଏକା ହୋଇଥିବା ଦରକାର । ବିହନ କୁ ଅଲଗା ଅମଳ କରନ୍ତୁ ନହେଲେ ଖଳାରେ ଥିବା ଅନ୍ୟାନ୍ୟ ଶସ୍ୟ ଏହାସହ ମିଶିଯାଇପାରେ । ସାଇତି ରଖିବା ପୂର୍ବରୁ ଶସ୍ୟକୁ ୩-୪ ଦିନ ଅତି ଟାଣ ଖରାରେ ଭଲଭାବରେ ସାଇତି ରଖିବା ଉଚିତ୍ ଯେପରିକି ଶସ୍ୟରେ ୧୦ ପ୍ରତିଶତ ଜଳୀୟ ଅଂଶ ରହିବା ଆବଶ୍ୟକ ସେ ପର୍ଯ୍ୟନ୍ତ ଶୁଖାଇ ରଖନ୍ତୁ ।

ସବୁବେଳେ ଭଣ୍ଡାର ଘରକୁ ଅନ୍ୟ ଘର ଠାରୁ ଅଲଗା କରନ୍ତୁ । ଭଣ୍ଡାର ଘରରେ ଥିବା ଫାଟକୁ ତୁରନ୍ତ ବନ୍ଦ କରନ୍ତୁ । ଶସ୍ୟ ରଖିବା ପାତ୍ରଗୁଡିକୁ ପ୍ରଥମେ ପରିଷ୍କାର କରି ଧୋଇ ଖରାରେ ଶୁଖାନ୍ତୁ । ବଡ଼ ଆକାରର ପାତ୍ରରେ କମ୍ ଶସ୍ୟ କେବେବି ରଖନ୍ତୁ ନାହିଁ । ବ୍ୟାଗ କିମ୍ବା ବସ୍ତାରେ ବିହନ ରଖୁଥିଲେ ପୂର୍ବରୁ ଚିରା ଫଟା ଅଂଶ ସବୁକୁ ସିଲାଇ କରିନିଅନ୍ତୁ । ବିହନ ବସ୍ତାକୁ କେବେବି ମାଟିରେ କିମ୍ବା କାନ୍ଥରେ ଲଗାଇ ରଖନ୍ତୁ ନାହିଁ । ଭାଡି କରି ରଖିବା ସବୁଠାରୁ ଭଲ । ଦୁଇ ଧାଡି ବସ୍ତା ମଝିରେ ଯଥେଷ୍ଟ ଫାଙ୍କ ରଖନ୍ତୁ । ଯଦି ବିହନ ଭାଡି କରିପାରିବେ ନାହିଁ ତେବେ ଯଥେଷ୍ଟ  ପରିମାଣର କୁଟା ବା କାଠ ଗଦାକରି ବିହନ ବସ୍ତା ରଖିପାରିବେ । ବିହନକୁ ଚଟାଣ ଓ ଆଦ୍ରତାଠାରୁ ଦୁରେଇ ରଖନ୍ତୁ ।  ବିହନକୁ ଓଳିଆ ଭାବରେ  ସାଇତି ରଖିଲେ ଖୁବ ଭଲ । ମୂଷାମାନଙ୍କ ଦାଉରୁ ବିହନକୁ ରକ୍ଷା କରିବାକୁ ଭାଡିରେ ଆପଣ ବରକୋଳି କଣ୍ଟା, ବେତ କଣ୍ଟା ରଖିପାରିବେ । ଭାଡିର ଖୁଣ୍ଟରେ ଜଡା ତେଲ କିମ୍ବା ଆଲକାତରା ବା ପୋଡା ମୋବିଲ ମଧ୍ୟ ବୋଳି ପାରିବେ ।

 *ବିହନ ସାଇତିବା ବେଳେ ବେଗୁନିଆଁ, ନିର୍ଗୁଣ୍ଡି ପତ୍ର, ନିମ୍ବପତ୍ର, ଲଙ୍କା ପ୍ରଭୃତି ମିଶାଇ ରଖନ୍ତୁ ।
*ଏକ କ୍ଲିଣ୍ଟାଲ ଧାନ ବସ୍ତାରେ ୨୫ କିଲୋ ମୁଗ, ବିରି କିମ୍ବା ହରଡ ରଖିଲେ ମୁଗରେ ପୋକ ଲାଗି ନଥାନ୍ତି ।
*ଘରେ ବ୍ୟବହୁତ ଡାଲିକୁ ଅମଳ ପରେ ଚୋପା ଛଡାଇ ସାଇତି ରଖିଲେ ଶସ୍ୟ ଭୃଙ୍ଗ ପୋକ ଲାଗେନି ।
* ଡାଲିଜାତୀୟ ଶସ୍ୟରେ ନିମ୍ବ, କରଞ୍ଜ, ନଡିଆ ପାମୋଲିନ୍ କିମ୍ବା ସୋରିଷ ତେଲ (୩ ମିଲି/କି.ଗ୍ରା. ମଞ୍ଜି)ରେ ମିଶାଇ ସାଇତି ରଖିଲେ ପୋକ ଲାଗନ୍ତିନି । ମୁଗ, ବିରି ଭଳି ଡାଲି ଜାତୀୟ ଶସ୍ୟ ସହିତ  ଗୋବର ପାଉଁଶ, ବେଗୁନିଆଁ, ପୋକଶୁଙ୍ଗା କିମ୍ବା ନିମ୍ବ ପତ୍ରକୁ ଭଲଭାବରେ ଶୁଖାଇ ଗୁଣ୍ଡ କରି (୧କିଲୋ ମଞ୍ଜିରେ ୫୦ ଗ୍ରାମ୍) ମିଶାଇ ସାଇତି ରଖିବେ ଚାଶୀ ଭାଇ।

ଚାଷୀ ଭାଇ ଆମର ଅର୍ଥବ ବେଦରେ ଉଲ୍ଲେଖ ଅଛିଯେ 'ଧେନୁ ସଦନଂ ରୟୀଣାମ' ଏହାର ଅର୍ଥ ଗୋମାତା ସମସ୍ତ ସମ୍ପତ୍ତିର ଘର ଅଟନ୍ତି । ବିହନ ସଂରକ୍ଷଣରେ ଗୋବରର ବ୍ୟବହାର ଆସନ୍ତୁ ଜାଣିବା ।

ଏଥିପାଇଁ ଆବଶ୍ୟକ ସାମଗ୍ରୀ ହେଉଛି ଘସି ପାଉଁଶ ୫ କିଲୋ, ଗୋମୁତ୍ର ୨ ଲିଟର (ଦେଶୀ ଗାଇ), ନିମ୍ବ ପତ୍ର ଗୁଣ୍ଡ ୨୦୦ ଗ୍ରାମ୍ । ଏସବୁକୁ ଏକାଠି ମିଶାଇ ଖରାରେ ଶୁଖାଇ ମଞ୍ଜି/ ବିହନ ସଂରକ୍ଷକ ଭାବରେ ବ୍ୟବହାର କରାଯାଇପାରେ । ଏହି ଗୁଣ୍ଡରେ ବିହନ ଗୋଳାଇ ରଖିଲେ ବିହନ ଦୀର୍ଘସ୍ଥାୟୀ ଓ ନିରୋଗ ହେବା ସହିତ ଏଥିରେ କୌଣସି ପୋକ ଲାଗନ୍ତି ନାହିଁ ।

ଅନ୍ୟ ଏକ ଉପାୟରେ ଆପଣ ନିମ୍ବ, ଅରଖ, ବେଲ, କରଞ୍ଜ, ତୁଳସୀ, ଆତ ପତ୍ରକୁ ୧-୧ ଓ ୪ ଅନୁପାତରେ ପାଣି ଓ ପତ୍ର ସିଝାଇ ଏହା ୧/୪ ଅଂଶ ରହିବାପରେ ଥଣ୍ଡା କରି ଏହାକୁ ଘସି ପାଉଁଶ ଓ ଗୋମୂତ୍ର ମିଶାଇ ବ୍ୟବହାର କରିପାରିବେ ।

କିନ୍ତୁ ସବୁ ବେଳେ ମନେ ରଖିବା ଉଚିତ ଯେ ଟ୍ରାକ୍ଟର ତଥା କାଠ ରୋଲରେ ମଡାଇ ଧାନ ଅମଳ ବିହନ ପାଇଁ ଆଦୌ ଉପଯୁକ୍ତ ନୁହେଁ । ସେହିପରି ଧାନ ଅମଳ ସମୟରେ ବର୍ଷା ହେଲେ କିମ୍ବା ବିହନ ବର୍ଷରେ ଓଦା ହେଲେ ବିହନ ପାଇଁ ଉପଯୁକ୍ତ ହୁଏନି । ବିହନ ଧାନକୁ ସବୁବେଳେ ଫସଲ ସଂପୂର୍ଣ୍ଣ ପାଚିଲା ପରେ ଅମଳ କରିବାର ଆବଶ୍ୟକତା ରହିଥାଏ ।