Summer Beverages: ଖରାଦିନେ ଶରୀର ପାଇଁ ବେଶ ଉପଯୋଗୀ ହୋଇଥାଏ ଏହିସବୁ ପାନୀୟ
Advertisement
Article Detail0/zeeodisha/odisha1650017

Summer Beverages: ଖରାଦିନେ ଶରୀର ପାଇଁ ବେଶ ଉପଯୋଗୀ ହୋଇଥାଏ ଏହିସବୁ ପାନୀୟ

Summer Beverages: ବଢିବାରେ ଲାଗିଛି ଗ୍ରୀଷ୍ମର ପ୍ରବାହ। ଏହିପରି ସମୟରେ ନିଜ ଶରୀରକୁ ହାଇଡ୍ରେଟେଡ଼ ରଖିବା ନିହାତି ଜରୁରୀ । ତେବେ ଏହି ସମୟରେ ଶରୀରର ସନ୍ତୁଳନ ବଜାୟ ରଖିବା ପାଇଁ ପ୍ରତିଦିନ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଆବଶ୍ୟକ।

ସୌ(ସୋସିଆଲ ମିଡିଆ)

Summer Beverages: ବର୍ତ୍ତମାନ ବଢିବାରେ ଲାଗିଛି ଗ୍ରୀଷ୍ମର ପ୍ରବାହ। ପ୍ରଚଣ୍ଡ ରୌଦ୍ର୍ୟତାପ ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ। ରାଜ୍ୟରେ ଦିନ ବେଳେ ପାରଦ ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ମୁଣ୍ଡ ଫଟା ଖରାକୁ ଦେଖି ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ଛୁଟି ଘୋଷଣା କରାଯାଇଛି । ଗ୍ରୀଷ୍ମ ଋତୁରେ ଅତ୍ୟଧିକ ତାପମାତ୍ରା ଓ ଆର୍ଦ୍ରତା ଯୋଗୁଁ ଶରୀରରେ ଜଳ ସ୍ତର କମି ଯାଇଥାଏ। ତେବେ ଏହିପରି ସମୟରେ ନିଜ ଶରୀରକୁ ହାଇଡ୍ରେଟେଡ଼ ରଖିବା ନିହାତି ଜରୁରୀ । ତେବେ ଏହି ସମୟରେ ଶରୀରର ସନ୍ତୁଳନ ବଜାୟ ରଖିବା ପାଇଁ ପ୍ରତିଦିନ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଆବଶ୍ୟକ।

ମାନବ ଶରୀରରେ ୭୦ ଭାଗ ଜଳ ରହିଥାଏ। ଏହା ସର୍ବଦା ସ୍ଥିର ରହିଥାଏ ଓ ଅତିରିକ୍ତ ଜଳ ଶରୀରରୁ ନିଷ୍କାସିତ ହୋଇଥାଏ। ଯେହେତୁ ଆମ ଶରୀରରେ ଖରାଦିନେ ଜଳ ସ୍ତରର ପରିମାଣ କମିଯାଇଥାଏ ତେଣୁ ଆମେ ଏହି ସମୟରେ ଅଧିକ ପାଣି ପିଇବା ଉଚିତ୍। ଜଣେ ସୁସ୍ଥ ବ୍ୟକ୍ତିର ଶରୀରରେ ଆବଶ୍ୟକ ହେଉଥିବା ଜଳ ସ୍ତର ପାନୀୟ ଜଳ ଦ୍ୱାରା ସହଜରେ ପୂର୍ଣ୍ଣ ହୋଇଥାଏ। ବିଶେଷଜ୍ଞଙ୍କ ମତରେ, ଖରା ଦିନେ ଜଣେ ପୁରୁଷ ପ୍ରତିଦିନ ୩ ଲିଟର (୧୨ ଗ୍ଲାସ) ଓ ଜଣେ ମହିଳା ୨.୨ ଲିଟର (୧୧ ଗ୍ଲାସ) ପାଣି ପିଇବା ଉଚିତ୍। ଏହାଛଡା ଆପଣ ଅନ୍ୟ ସ୍ୱାସ୍ଥ୍ୟ ଉପକାରୀ ଥଣ୍ଡା ପାନୀୟ ପିଇ ପାରିବେ ଯାହା ଶୋଷ ମେଣ୍ଟାଇବା ସହ ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ। ତେବେ ଆସନ୍ତୁ ଜାଣିବା ଏମିତି କିଛି ସ୍ୱାସ୍ଥ୍ୟ ଉପକାରୀ ଥଣ୍ଡା ପାନୀୟ ବିଷୟରେ...

. ଆମ୍ବ ପଣା

ଆମ୍ବକୁ ଫଳ ମାନଙ୍କର ରାଜା ବୋଲି କୁହାଯାଇଥାଏ । ଆମ୍ବ ପଣା ଯେତିକି ସୁଆଦିଆ ସେତିକି ସ୍ବାସ୍ଥ୍ୟ ଉପଯୋଗୀ ମଧ୍ଯ । ଏହି ଆମ୍ବ ପଣା ମହାରାଷ୍ଟ୍ରରେ ଅଧିକ ଲୋକପ୍ରିୟ ଅଟେ। ପାଚିଲା ଆମ୍ବରେ ଜିରା, ପୁଦିନା ପତ୍ର ଆଦି ମିଶାଇ ଏହି ପାନୀୟ ପ୍ରସ୍ତୁତ କରାଯାଇଥାଏ। ଏହି ପାନୀୟ କେବଳ ଶରୀରକୁ ସତେଜ ରଖେ ତାହା ନହେଁ ବରଂ ଖରାଦିନେ ଏହା ଶରୀରକୁ ଶକ୍ତି ଯୋଗାଇଥାଏ।

. ଜଲଜିରା ପାଣି

ଆପଣ ଏହାର ନାଁରୁ ହିଁ ଜାଣି ପାରୁଥିବେ ଏହା କେଉଁଥିରୁ ପ୍ରସ୍ତୁତ। ଜିରାକୁ ଭାଜିବା ପରେ ଏହାକୁ ବାଟି ପାଉଡ଼ର ପ୍ରସ୍ତୁତ କରାଯାଇଥାଏ । ଏହାକୁ ପାଣିରେ ମିଶାଇ ସେବନ କରାଯାଏ। ଏଥିରେ ଆପଣଙ୍କ ସ୍ୱାଦ ଅନୁସାରେ ଲୁଣ କିମ୍ବା ଚିନି ପକାଇ ପାରିବେ। ବିଶେଷ କରି ଗ୍ରୀଷ୍ମ ସମୟରେ ହଜମ ଜନିତ ସମସ୍ୟାରୁ ଏଡାଇବା ପାଇଁ ଏହା ଏକ ଉପଯୁକ୍ତ ମାଧ୍ୟମ ଅଟେ। ଥଣ୍ଡା ଜଳଜିରାକୁ ଖରା ସମୟରେ ଆପଣ ନିୟମିତ ପିଇ ପାରିବେ। ଏହା ଶରୀରରେ ଜଳ ସ୍ତର ବଢାଇବା ସହ ଶରୀରର ତାପମାତ୍ରା ନିୟନ୍ତ୍ରିତ କରିଥାଏ।

. ସତ୍ତୁ ସର୍ବତ

ଖରା ଦାଉରୁ ରକ୍ଷା ପାଇବା ପାଇଁ ସତ୍ତୁ ସର୍ବତ ଏକ ଉପଯୁକ୍ତ ପାନୀୟ ଅଟେ। ଗ୍ରୀଷ୍ମ ଋତୁରେ ମିଳୁଥିବା ଏହି ପାନୀୟ ବିହାରରେ ବେଶ ପ୍ରସିଦ୍ଧ ଅଟେ। ଗ୍ରୀଷ୍ମ ଋତୁ ଛଡା ଅନ୍ୟ ଦିନ ମାନଙ୍କରେ ମଧ୍ୟ ଏହା ସାଧାରଣ ପାନୀୟ ଭାବେ ଗ୍ରହଣ କରାଯାଏ। ଛତୁଆ, ଚିନି ଓ ପାଣି ଦ୍ୱାରା ପ୍ରସ୍ତୁତ ଏହି ପାନୀୟ ଶରୀରକୁ ସତେଜ ରଖିବା ସହ ପେଟ ମଧ୍ୟ ଭରିଥାଏ। ଖରା ଦିନେ ଏହାକୁ ଆପଣ ସକାଳ ଖାଦ୍ୟ ରୂପେ ଗ୍ରହଣ କରି ପାରିବେ। ଏଥିରୁ ଶରୀର ଆବଶ୍ୟକ କରୁଥିବା ଦୈନିକ ପୁଷ୍ଟିକର ଉପାଦାନ ମଧ୍ୟ ମିଳିଥାଏ।

. ବଟର ମିଲ୍କ

ଭାରତର ପ୍ରତ୍ୟେକ ସହରରେ ଏହି ପାନୀୟ ଅତି ସହଜରେ ଉପଲବ୍ଧ। ଓଡି଼ଆରେ ଏହାକୁ ଘୋଳ ଦହି ବୋଲି କୁହାଯାଏ। ଦହି, ଜିରା ମସଲା ଓ ପାଣି ଦ୍ୱାରା ପ୍ରସ୍ତୁତ ଏହି ପାନୀୟ ଖରା ଦିନେ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ମୁଣ୍ଡଫଟା ଖରାରେ ଏହା ଶରୀରକୁ ସତେଜ ରଖିବା ସହ କାର୍ଯ୍ୟ କରିବା କ୍ଷମତା ବୃଦ୍ଧି କରିଥାଏ। ଏହାଛଡା ଏହା ଏକ ହଜମକାରୀ ପାନୀୟ ଭାବେ ମଧ୍ଯ ଜଣାଶୁଣା। ଏହାକୁ ଆପଣ ଦୈନିକ ପାନୀୟ ଭାବେ ବ୍ୟବହାର କରି ପାରିବେ।

fallback

. ପଇଡ଼ ପାଣି

ପଇଡ଼ ପାଣି ଶରୀର ପାଇଁ ବେଶ ଲାଭଦାୟୀ ହୋଇଥାଏ । ପଇଡ଼ ପାଣି ପିଇବା ଦ୍ବାରା ବ୍ୟକ୍ତି ସତେଜ ଅନୁଭବ କରିଥାଏ। ଗ୍ରୀଷ୍ମକାଳୀନ ଥକ୍କାପଣ ଓ ଡିହାଇଡ୍ରେସନରୁ ମୁକ୍ତି ପାଇବା ପାଇଁ ଏହା ଏକ ଉତ୍ତମ ପାନୀୟ ଅଟେ। ଛୋଟ ପିଲାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଏହା ଏକ ଉପଯୁକ୍ତ ପାନୀୟ ଅଟେ। ଶରୀରରେ ଓଆରଏସ ପରି ଏହା ଇଲେକ୍ଟ୍ରୋଲାଇଟ ତିଆରି କରେ।

.ଆଖୁ ରସ

ଆଖୁ ରସକୁ ଅନେକ ପ୍ରକାର ରୋଗର ପ୍ରାକୃତିକ ଉପଚାର ଭାବେ ବ୍ୟବହାର କରାଯାଏ। ଏହା ଶରୀରକୁ ଶକ୍ତି ପ୍ରଦାନ କରିବା ସହ ପ୍ଲାଜ୍‌ମା ଓ ବଡି଼ ଫ୍ଲୁଇଡ ନିର୍ମାଣ କରିବାରେ ସାହାଯ୍ୟ କରିଥାଏ। ଶରୀରକୁ ସତେଜ ରଖିବା ସହ ଏହା ଡିହାଇଡ୍ରେସନରୁ ମଧ୍ୟ ରକ୍ଷା କରିଥାଏ। ଏକ ଗ୍ଲାସ ଆଖୁ ରସରେ କିଛି ପୁଦିନା ପତ୍ର ମିଶାଇ ପିଇଲେ ଏହା ପାଟିକୁ ସୁସ୍ୱାଦୁ ଲାଗିବା ସହ ଆମ ଶରୀର ପାଇଁ ଲାଭଦାୟୀ ହୋଇଥାଏ। ଖରା ଦିନେ ଏହାର ଚାହିଦା ବହୁତ ଅଧିକ।

. ଲସି

ଖରା ଦିନେ ଲସି କାହାକୁ ବା ଭଲ ନ ଲାଗେ?  ଗ୍ରୀଷ୍ମ ଋତୁ ଆସିଲେ ଗଳି ଗଳିରେ ଲସି ଦୋକାନର ଆସର ଜମିଥାଏ। ଏହି ମିଠା ପାନୀୟକୁ ଏକ ଉତ୍ତମ ଗ୍ରୀଷ୍ମ କାଳୀନ ପାନୀୟ ମଧ୍ଯରେ ଗଣନା କରାଯାଇଥାଏ । ଏବେ ମାର୍କେଟରେ ଦହି , ରାବିଡି଼ ଓ ବାଦାମରେ ପ୍ରସ୍ତୁତ ଲସି ସହଜରେ ଉପଲବ୍ଧ ହେଉଛି। ପ୍ରଚଣ୍ଡ ଖରାରେ ଗୋଟିଏ ଗ୍ଲାସ ଲସି ଶରୀରରେ ଜୀବନ ଭରି ଦେଇଥାଏ। ଏହା ଶରୀରକୁ ସତେଜ ରଖିବା ସହ ଥଣ୍ତା ରଖିଥାଏ। ଖରା ଦିନେ ଥକ୍କାପଣ ଦୂରେଇବା ପାଇଁ ଚାହୁଁଥିଲେ ଏକ ଗ୍ଲାସ ଲସି ପିଅନ୍ତୁ। ଏହା ଆପଣଙ୍କୁ ସକ୍ରିୟ କରିଥାଏ।

.ବାର୍ଲି

କାହିଁ କେଉଁ କାଳରୁ ବାର୍ଲି ସ୍ୱାସ୍ଥ୍ୟ ଉପଯୋଗୀ ଉପାଦାନ ଭାବେ ବ୍ୟବହାର ହୋଇ ଆସୁଛି।  ଏହାକୁ ପାଣିରେ ଫୁଟାଇ ଥଣ୍ଡା କରିବା ପରେ ଏଥିରେ ଲୁଣ, ମହୁ ଓ ଲେମ୍ବୁ ମିଶାଇ ଆପଣ ଏକ ଉତ୍ତମ ଗ୍ରୀଷ୍ମକାଳୀନ ପାନୀୟ ଭାବେ ସେବନ କରି ପାରିବେ। ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ସକାଳୁ ଖାଲି ପେଟରେ ପିଇଲେ ପେଟ ଥଣ୍ଡା ରଖିବା ସହ ଶରୀରକୁ ଡିହାଇଡ୍ରେସନରୁ ବଞ୍ଚାଇ ଥାଏ।

ଯଦି ଆପଣଙ୍କର ମଧ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି ସମସ୍ୟା ଅଛି, ତେବେ ଆମକୁ ଆର୍ଟିକିଲ୍ ତଳେ ଥିବା କମେଣ୍ଟ ବକ୍ସରେ କୁହନ୍ତୁ ଓ ଆମେ ଏହାକୁ ଆମର ଆର୍ଟିକିଲ ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରିବୁ । ଯଦି ଆପଣ ଏହି ଆର୍ଟିକିଲକୁ ପସନ୍ଦ କରନ୍ତି ତେବେ ଏହାକୁ ସେୟାର କରନ୍ତୁ । ଏହିପରି ଅଧିକ ଆର୍ଟିକିଲ ପଢିବା ପାଇଁ ଆମ ଜି ଓଡ଼ିଶା ନ୍ୟୁଜ ସହିତ ଯୋଡି ରୁହନ୍ତୁ ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)