ସ୍ୱାମୀଙ୍କ ପାଇଁ ବ୍ରତ : କେଉଁ ରାଜ୍ୟରେ କେମିତି କରାଯାଏ ପୂଜା ?
Advertisement
Article Detail0/zeeodisha/odisha685057

ସ୍ୱାମୀଙ୍କ ପାଇଁ ବ୍ରତ : କେଉଁ ରାଜ୍ୟରେ କେମିତି କରାଯାଏ ପୂଜା ?

ପ୍ରତ୍ୟେକ ସଧବା ଓଡ଼ିଆଣୀଙ୍କ ପାଇଁ ବହୁ ପ୍ରତିକ୍ଷୀତ ବ୍ରତ ହେଉଛି ସାବିତ୍ରୀ ବ୍ରତ । ସ୍ୱାମୀଙ୍କ ଦୀର୍ଘାୟୁ ଏବଂ ସୁସ୍ଥ ଜୀବନ ପାଇଁ  ବ୍ରତ କରିଥାନ୍ତି ଓଡ଼ିଆ ଘରର ବୋହୁ । ଏଭଳି ଓଷା ବା ବ୍ରତ  ଜରିଆରେ ଦଂପତ୍ତିଙ୍କ ମଧ୍ୟରେ ଶ୍ରଦ୍ଧା ଓ ସମ୍ମାନ ବଜାୟ ରହେ । ଓଡ଼ିଶା ସମେତ ଭାରତର ବିଭିନ୍ନ  ରାଜ୍ୟରେ ତିଥି ଅନୁଯାୟୀ ଭିନ୍ନ ଭିନ୍ନ ବ୍ରତ ପାଳନ କରିଥାନ୍ତି ସଧବା ନାରୀ ।

ସ୍ୱାମୀଙ୍କ ପାଇଁ ବ୍ରତ : କେଉଁ ରାଜ୍ୟରେ କେମିତି କରାଯାଏ ପୂଜା ?

ଶୁଭଶ୍ରୀ ମହାପାତ୍ର, ଭୁବନେଶ୍ୱର: ସାବିତ୍ରୀ ଅମାବାସ୍ୟା । ଜ୍ୟେଷ୍ଠ ମାସର ଅମାବାସ୍ୟା  ତିଥିରେ ସଧବା ଓଡ଼ିଆଣୀ ମାନେ ପାଳନ କରିଥାନ୍ତି ଏହି ବ୍ରତ । ଏହି ଦିନ ମହାସତୀ ସାବିତ୍ରୀ ନିଜ ସ୍ବାମୀ ସତ୍ୟବାନଙ୍କୁ ମୃତ୍ୟୁ ମୁଖରୁ ଫେରାଇ ଆଣିଥିଲେ । ଯମରାଜଙ୍କ ଠାରୁ ଆର୍ଶୀବାଦ ଲାଭ କରି ସୁଖୀ ଦାମ୍ପତ୍ୟ ବିତାଇଥିଲେ । ପୁରାଣରେ ବର୍ଣ୍ଣିତ ଏହି କଥାବସ୍ତୁକୁ ଆଧାର କରି ପ୍ରତ୍ୟେକ ସଧବା ନାରୀ ପାଳନ କରନ୍ତି ସାବିତ୍ରୀ ବ୍ରତ । ତୁଳସୀ ଚଉଁରା ମୂଳେ କିମ୍ବା ମନ୍ଦିରରେ ପୂଜା କରିଥାନ୍ତି। ବାପଘରୁ ଯାଇଥିବା ନୂଆ ଶାଢୀ,ଶଙ୍ଖା,ସିନ୍ଦୂର ସହ ବିଭିନ୍ନ ପ୍ରକାର ଫଳରେ ଭୋଗ ଡ଼ାଲା ସଜାଇଥା’ନ୍ତି ସଧବା ନାରୀ । ନଡ଼ିଆ,କଦଳୀ,ଆମ୍ବ, ପଣସ,ତାଳସଜ,ଲିଚୁ, କେନ୍ଦୁ, ଜାମୁ,,ସପେଟା ଖଜୁରୀ ଆଦି ସହ ମୁଗ ମଧ୍ୟ ପୂଜା କରାଯାଇଥାଏ ।

ଗଣଗୌର ପୂଜା : ରାଜସ୍ଥାନ ଏବଂ ଏହାର ସୀମା ମଧ୍ୟପ୍ରଦେଶର କେତେକ ଅଂଚଳରେ ଏହି ପର୍ବ ପାଳିତ ହୋଇଥାଏ । ଗଣଗୌର ପୂଜା ରାଜସ୍ଥାନର ଗଣପର୍ବ ଭାବେ ପରିଚିତ । ଚୈତ୍ର ମାସର ଶୁକ୍ଲପକ୍ଷ ତୃତୀୟା ଦିନ କୁମାରୀ କନ୍ୟା ଏବଂ ବିବାହିତ ମହିଳା ମାନେ ଶିବ-ପାର୍ବତୀଙ୍କୁ ପୂଜା କରିଥାନ୍ତି । ଶିବ ଓ ଗୌରୀଙ୍କୁ ପୂଜା କରି କୁମାରୀ କନ୍ୟା ମାନେ ଯୋଗ୍ୟ ବର ପାଇବାକୁ ଆଶା ରଖିଥାନ୍ତି । ସେହିଭଳି ବିବାହିତା ମହିଳା ମାନେ ସୌଭାଗ୍ୟ, ସମୃଦ୍ଧି ସହ ନିଜ ପରିବାରର ଶୁଭ କାମନା କରିଥାନ୍ତି ।

ସୌଭାଗ୍ୟ ସୁନ୍ଦରୀ:  ମାଘ ମାସ ତୃତୀୟା ତିଥିରେ ସୌଭାଗ୍ୟ ସୁନ୍ଦରୀ ବ୍ରତ ପାଳନ କରନ୍ତି । ସ୍ବାମୀ ଓ ସନ୍ତାନ ପ୍ରାପ୍ତି ପାଇଁ ଏହି ବ୍ରତ କରାଯାଇଥାଏ । ଦେବୀ ପାର୍ବତୀ   ଘୋର ତପସ୍ୟା କରି ମହାଦେବଙ୍କୁ ବର ଓ ଗଣେଶ,କାର୍ତ୍ତିକଙ୍କୁ ପୁତ୍ର ରୂପେ ପ୍ରାପ୍ତି କରିଥିଲେ । ସଧବା ମହିଳା ଓ କନ୍ୟା ମାନେ ଏହି ବ୍ରତ ରଖିଥାନ୍ତି । ଏହି ପୂଜାରେ ସବୁ ସାମଗ୍ରୀ ୧୬ଟି ଲେଖାଏଁ ବ୍ୟବହାର କରାଯାଏ।

କରବା ଚୌଥ : କାର୍ତ୍ତିକ ମାସର କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ଏହି ବ୍ରତ ପାଳନ କରାଯାଏ। ବଡ଼ି ଭୋରରୁ ଆରମ୍ଭ ହେଉଥିବା ଏହି ବ୍ରତ ରାତ୍ରିରେ ଚନ୍ଦ୍ର ଦର୍ଶନ ଏବଂ ପୂଜା ପରେ ଶେଷ ହୋଇଥାଏ । ମହିଳା ମାନେ ଦିନସାରା ଉପବାସ ରହିଥାନ୍ତି।  ୧୨ କିମ୍ବା ୧୬ ବର୍ଷ ପର୍ଯ୍ୟନ୍ତ କ୍ରମାଗତ ପୂଜା କରିବାକୁ ପଡ଼ିଥାଏ। ପଞ୍ଜାବ,ଉତ୍ତରପ୍ରଦେଶ,ହରିୟାଣା, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଏହି ପର୍ବ ପାଳନ ହୋଇଥାଏ ।

ହରତାଳିକା ବ୍ରତ : ଏହାକୁ ହରତାଳିକା ତୀଜ୍ ବା ତୀଜା ବଲି କୁହାଯାଏ।  ଭାଦ୍ରବ ମାସ ଶୁକ୍ଲପକ୍ଷ ତୃତୀୟା ତିଥିରେ ହସ୍ତା ନକ୍ଷତ୍ର ଦିନ ଏହି ପର୍ବ ପାଳିତ ହୋଇଥାଏ ।

ସଧବା ମହିଳା ମାନେ ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତି ପାଇଁ ଏହି ବ୍ରତ ପାଳନ କରିଥାନ୍ତି । ଉତ୍ତରପ୍ରଦେଶ ପୂର୍ବାଂଚଳ ଏବଂ ବିହାରରେ ଏହି ବ୍ରତ ପାଳିତ ହୋଇଥାଏ।

ବିଜୟାପାର୍ବତୀ : ଆଷାଢ ମାସ ଶୁକ୍ଲପକ୍ଷ ଏକାଦଶୀ ଦିନ ଏହି ବ୍ରତ ପାଳନ କରାଯାଏ । କେତେକ ସ୍ଥାନରେ ଏହାକୁ ଜୟାପାର୍ବତୀ ବ୍ରତ ବୋଲି ମଧ୍ୟ କହନ୍ତି । ଏହି ବ୍ରତ ପାଳନ କଲେ ମହିଳା ମାନେ ଅଖଣ୍ଡ ସୌଭାଗ୍ୟବତୀ ହେବାର ଆର୍ଶୀବାଦ ପାଆନ୍ତି ବୋଲି ଆଶା ରହିଛି । ଏହାକୁ କେହି କେହି ୫ ଦିନ ପର୍ଯ୍ୟନ୍ତ ମଧ୍ୟ ପାଳନ କରିଥାନ୍ତି। ବ୍ରତ ପାଳନ କରୁଥିବା ମହିଳା ମାନେ ଖାଦ୍ୟରେ ଲୁଣ ଗ୍ରହଣ କରନ୍ତି ନାହିଁ। ସୁନା,ରୂପା କିମ୍ବା ମାଟି ନିର୍ମିତ ବୃଷଭ ଉପରେ ତିଆରି  ଶିବ-ପାର୍ବତୀ ବସିଥିବା ମୂର୍ତ୍ତି ପ୍ରତିଷ୍ଠା କରନ୍ତି ।