London beer flood:ଲଣ୍ଡନର ବିୟର ବନ୍ୟା,ଯାହା ଭସାଇନେଇଥିଲା ଗୋଟିଏ ବସ୍ତି ଓ ମରିଥିଲେ ୮ ଜଣ !
Advertisement
Article Detail0/zeeodisha/odisha2083209

London beer flood:ଲଣ୍ଡନର ବିୟର ବନ୍ୟା,ଯାହା ଭସାଇନେଇଥିଲା ଗୋଟିଏ ବସ୍ତି ଓ ମରିଥିଲେ ୮ ଜଣ !

ବନ୍ୟା ବିଭିଷିକାର ଚିତ୍ର ଦେଖିଥିବେ । କିନ୍ତୁ କେବେ ମଦବନ୍ୟା କଥା ଭାବିଛନ୍ତି ? ମଦର ଏମିତି ବନ୍ୟା ଯେଉଁଥିରେ ୧୫ ଫୁଟର ଲହରି ଉଠିବ ? ଯେଉଁଥିରେ ଭାସିଯାଉଥିବେ ଲୋକ ?

SOCIAL MEDIA

London beer flood:

ବନ୍ୟା ବିଭିଷିକାର ଚିତ୍ର ଦେଖିଥିବେ । କିନ୍ତୁ କେବେ ମଦବନ୍ୟା କଥା ଭାବିଛନ୍ତି ? ମଦର ଏମିତି ବନ୍ୟା ଯେଉଁଥିରେ ୧୫ ଫୁଟର ଲହରି ଉଠିବ ? ଯେଉଁଥିରେ ଭାସିଯାଉଥିବେ ଲୋକ ? ହୁଏତ ଆପଣଙ୍କୁ ଏହା କଳ୍ପାନ ଲାଗୁଥାଇପାରେ । କୌଣସି  ମଦ୍ୟପର ସ୍ୱପ୍ନର କଳ୍ପନା ଲାଗୁଥାଇପାରେ । କିନ୍ତୁ ଏଭଳି ଦିନ ଘଟିଥିଲା । ପାଖାପଖି ୨ଶହ ବର୍ଷ ତଳେ ଆସିଥିଲା ଏହି ମଦବନ୍ୟା । 1814 ମସିହାରେ ଲଣ୍ଡନର ସେଣ୍ଟ ଗାଇଲସ ରୁକେରୀ ବାସିନ୍ଦାଙ୍କ ପାଇଁ ମଦ ବନ୍ୟା ଆଣିଥିଲା ଦୁଃଖର ପାହାଡ଼ । କିଛି ମଦୁଆଙ୍କ ପାଇଁ ସେହି ବନ୍ୟା ଯଦି ମାଗଣାରେ ମଦ ପିଇବାର ମୌକା ଥିଲା ତେବେ ଅନେକଙ୍କ ପାଇଁ ଏହା ଥିଲା କେବେ ନଭୁଲିବା ଭଳି ଦୁର୍ଘଟଣା ।

ସେଣ୍ଟ୍ ଗାଇଲସ୍ ରୁକେରୀ ଲଣ୍ଡନର ଏକ ଜନବହୁଳ ବସ୍ତି ଥିଲା । ଅକ୍ଟୋବର 17, 1814 ରେ ସେଠାରେ ଏକ ଜୋରଦାର ଶବ୍ଦ ଶୁଣାଯାଇଥିଲା । ଆଉ ଅଳ୍ପ ସମୟ ମଧ୍ୟରେ ଏହାର ବାସିନ୍ଦା ଏକ  ଅଜବ ବିପର୍ଯ୍ୟୟର ଶିକାର ହୋଇଥିଲେ । ରାସ୍ତାରେ ଲକ୍ଷ ଲକ୍ଷ ଲିଟର ମଦ ପ୍ରବାହିତ ହେବାକୁ ଲାଗିଲା। କିଛି ଲୋକ ମାଗଣା ମଦ ଲୁଟିବା ଆରମ୍ଭ କରିଥିବାବେଳେ ଅନ୍ୟମାନେ ସେମାନଙ୍କ ପରିବାର ସଦସ୍ୟଙ୍କୁ ଖୋଜୁଥିଲେ। ଯେଉଁମାନେ ସେହି ବିୟର ବନ୍ୟାରେ ଭାସିଯାଇଥିଲେ ।  ଆସନ୍ତୁ ଜାଣିବା ସେହି ଘଟଣା ବାବଦରେ ଯାହା ଇତିହାସରେ ଲଣ୍ଡନର ବିୟର ବନ୍ୟା ଭାବେ ପରିଚିତ ।

ମଦ କେଉଁଠୁ ଆସିଲା?

1810 ମସିହାରେ ବିୟର ବନ୍ୟା ର ମୂଳଦୁଆ ପଡିଥିଲା ।ସେହି ବର୍ଷ ହର୍ସ ସୁ’ ବ୍ରୁଏରୀ ମଦ କାରଖାନାରେ 22 ଫୁଟ ଉଚ୍ଚର କାଠ ବିୟର ଫେମେଣ୍ଟେସନ୍ ଟ୍ୟାଙ୍କ ନିର୍ମାଣ ହୋଇଥିଲା । ଏହା ଏତେ ବଡ ଥିଲା ଯେ ସେଥିରେ ଏକ ସମୟରେ 3500 ବ୍ୟାରେଲରୁ ଅଧିକ ବା ପ୍ରାୟ ପାଞ୍ଚ ଲକ୍ଷ ଲିଟର ମଦ ରହିପାରୁଥିଲା । ଏହି କାଠ ଟାଙ୍କି ଚାରିପାଖରେ ଅନେକ ଭାରୀ ଲୁହା ରିଙ୍ଗ ଲଗା ଯାଇଥିଲା । ସମୟ ସମୟରେ ଏହି ରିଙ୍ଗ୍ ଗୁଡିକର ଯାଞ୍ଚ କରାଯାଉଥିଲା । 17 ଅକ୍ଟୋବର 1814 ସନ୍ଧ୍ୟାରେ ଷ୍ଟୋର କିରାଣୀ ଜର୍ଜ କ୍ରିକ୍ ରକ୍ଷଣାବେକ୍ଷଣ ପାଇଁ ଟ୍ୟାଙ୍କର ଯାଞ୍ଚ କରୁଥିଲେ। ସେ ଦେଖିଥିଲେ ଯେ ଟ୍ୟାଙ୍କର 700 ପାଉଣ୍ଡ ଲୁହା ରିଙ୍ଗ ଢିଲା ହୋଇଯାଇଛି । ଯାହାକି  ବର୍ଷକୁ ଦୁଇ ତିନି ଥର ସେଭଳି ହେଉଥିଲା । ତେଣୁ ସେ ଏହି ଘଟଣାକୁ ଏତେ ଚିନ୍ତାଜନକ ମନେ କରିନଥିଲେ । ତେବେ ଏବାବାଦରେ ସେ ବ୍ରୁଏରୀ ମାଲିକଙ୍କୁ ଜଣାଇଥିଲେ । ମାଲିକ ତାଙ୍କୁ ଚିନ୍ତା ନକରିବାକୁ ଆଶ୍ୱାସନା ଦେଇଥିଲେ । କିନ୍ତୁ କିଛି ସମୟ ପରେ ମାଲିକଙ୍କ କଥା ଭୁଲ ପ୍ରମାଣିତ ହୋଇଥିଲା ।

ହୋଇଥିଲା ବିରାଟ ବିସ୍ଫୋରଣ

ଟ୍ୟାଙ୍କଟି ପୂର୍ବରୁ ମଦ ଭରି ରହିଥିଲା । ରାସାୟନିକ ପ୍ରକ୍ରିୟା ହେତୁ ଏଥିରେ ଭୀଷଣ ଚାପ ସୃଷ୍ଟି ହୋଇଥିଲା । ଫଳସ୍ୱରୂପ, କ୍ରିକଙ୍କ ରିପୋର୍ଟର ପ୍ରାୟ ଏକ ଘଣ୍ଟା ପରେ ବିୟର ଟ୍ୟାଙ୍କରେ ବିସ୍ଫୋରଣ ହୋଇଥିଲା। ଏହା ଏତେ ଭୟଙ୍କର ଥିଲା ଯେ ମଦ ବନ୍ୟାଜଳ ଭଳି ପଛପଟ କାନ୍ଥ ଭାଙ୍ଗି ନିକଟସ୍ଥ ବସ୍ତିରେ ପହଞ୍ଚିଥିଲା। ଏହି ଗୋଟିଏ ବିସ୍ଫୋରଣ ଚେନ୍ ରିଆକ୍ସନ ସୃଷ୍ଟି କରିଥିଲା ।  ଏବଂ ଅବଶିଷ୍ଟ ମଦ ଟାଙ୍କିରେ ମଧ୍ୟ ବିସ୍ଫୋରଣ ଆରମ୍ଭ ହୋଇଥିଲା । ଏହା ପରେ ଯାହା ଘଟିଲା ତାହା ସମଗ୍ର ଲଣ୍ଡନରେ କେହି କେବେ ଆଗରୁ ଦେଖିନଥିଲେ ।

ରାସ୍ତାରେ 3,20,000 ଗ୍ୟାଲନ୍ ମଦ ପ୍ରବାହିତ ହେବାକୁ ଲାଗିଲା । ସେତେବେଳର ଖବରକାଗଜ ରିପୋର୍ଟ  ଅନୁଯାୟୀ, 15 ଫୁଟ ଉଚ୍ଚର ମଦ ଲହରି ସଂକୀର୍ଣ୍ଣ ରାସ୍ତାରେ ପ୍ରବାହିତ ହୋଇ ସାମ୍ନାରେ ପଡିଥିବା ସବୁକିଛି ଧୋଇ ନେଇଥିଲା । ବର୍ଜ୍ୟଜଳ ନିଷ୍କାସନ ପାଇଁ ଥିବା ନାଳ ଦେଇ ଏହି ମଦ ଘର ମଧ୍ୟକୁ ପ୍ରବେଶ କରିଥିଲା । ଏହି ପ୍ରବାହରେ ଦୁର୍ବଳ ଅଟ୍ଟାଳିକା ଭୁଶୁଡି ପଡିଥିଲା । ଏସବୁ ମଧ୍ୟରେ ସୁବିଧାବାଦୀ ଲୋକମାନେ ଘରୁ ବାସନକୁସନ ଆଣି ମଦ ଲୁଟିବା ଆରମ୍ଭ କରିଥିଲେ। ଅନେକ ଦିନ ଧରି ସମଗ୍ର ଅଞ୍ଚଳରେ ମଦର ଦୁର୍ଗନ୍ଧ ରହିଥିଲା ।

୮ ନିରୀହ ଜୀବନ ଯାଇଥିଲା

ବନ୍ୟାରେ କେବଳ ସମ୍ପତ୍ତି ନଷ୍ଟ ହୋଇନଥିଲା। ଖବର ଅନୁଯାୟୀ, ଗୋଟିଏ ଘରେ ମେରି ବାନଫିଲ୍ଡ ଏବଂ ତାଙ୍କର ଚାରି ବର୍ଷର ଝିଅ ହାନ୍ନା ବନ୍ୟା ଆସିବାବେଳେ ଚା ପିଇବାକୁ ବସିଥିଲେ । ଉଭୟ ବିୟର ବନ୍ୟାରେ ଡୁବି ପ୍ରାଣ ହରାଇଥିଲେ । ସେହିଭଳି ନିଜ ପୁଅର ମୃତ୍ୟୁଶୋକ ପାଳନ କରୁଥିବା ଜଣେ ମା’ ଓ ତାଙ୍କ ପରିବାରର ୪ ଜଣ ମଧ୍ଯ ବନ୍ୟାରେ ପ୍ରାଣ ହରାଇଥିଲେ । ସେହିଭଳି ବନ୍ୟାରେ ଏକ ପବ୍ ର କାନ୍ଥ ଭାଙ୍ଗି ଯାଇଥିଲା, ଯେଉଁଥିପାଇଁ ପୂର୍ବରୁ ସେଠାରେ କାମ କରୁଥିବା ଇଲିଆନା ନାମକ ବ୍ୟକ୍ତି ଆବର୍ଜନା ତଳେ ପୋତି ହୋଇ ପ୍ରାଣ ହରାଇଥିଲେ । ଏହି ବିପର୍ଯ୍ୟୟରେ ମୋଟ ୮ ଜଣ ନିରୀହ ମହିଳା ଓ ଶିଶୁ ପ୍ରାଣ ହରାଇଥିଲେ। ତେବେ ବିୟର ବ୍ରୁଏରୀରେ କେହି ମଧ୍ଯ ଏହି ଦୁର୍ଘଟଣାରେ ପ୍ରାଣ ହରାଇନଥିଲେ ।

ମଦ କମ୍ପାନୀ କ’ଣ ଦଣ୍ଡ ମିଳିଲା ?

ଏଭଳି ବିପର୍ଯ୍ୟୟ ପରେ ଦୋଷୀ କମ୍ପାନୀ ବିରୋଧରେ କିଛି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶା କରାଯାଉଥିଲା । କିନ୍ତୁ ସେମିତି କିଛି ଘଟିନଥିଲା । କୋର୍ଟରେ ଯାହା ଘଟିଥିଲା ତାହା ପୀଡିତଙ୍କ ପାଇଁ ଘା’ରେ ଲୁଣ ଭଳି ହୋଇଥିଲା । ପ୍ରଥମେ ଏହି ଘଟଣାକୁ ଇଶ୍ୱରଙ୍କ ଇଛା ବୋଲି କହି ବ୍ରୁଏରୀ ମାଲିକମାନେ ନିଜକୁ ରକ୍ଷା କରିବାକୁ ଉଦ୍ୟମ କରିଥିଲେ । ଅଦାଲତ ମଧ୍ୟ ସେମାନଙ୍କୁ  ନିର୍ଦ୍ଦୋଷରେ ଖଲାସ କରିଥିଲେ । କେବଳ ଏତିକି ନୁହେଁ,କମ୍ପାନୀକୁ ଦେବାଳିଆ ହେବାରୁ ରକ୍ଷା କରିବା ପାଇଁ ସରକାର ପୂର୍ବରୁ ସଂଗୃହିତ ଏକ୍ସାଇଜ୍ ଟ୍ୟାକ୍ସକୁ ଫେରସ୍ତ କରିଥିଲେ । ଏହାବାବଦରେ କମ୍ପାନୀ 7250 ପାଉଣ୍ଡ ପାଇଥିଲା । ଯାହା ଆଜିର ହିସାବରେ  ପ୍ରାୟ ଚାରି ଲକ୍ଷ ପାଉଣ୍ଡ ଅଟେ। ଏହି ବିପର୍ଯ୍ୟୟ ପରେ, କାଠ ତିଆରି ଫେମେଣ୍ଟେସନ ଟ୍ୟାଙ୍କର ବ୍ୟବହାର ଧୀରେ ଧୀରେ ବନ୍ଦ ହୋଇଗଲା । କାଠ ଟ୍ୟାଙ୍କର ସ୍ଥାନ ନେଇଥିଲା ଶକ୍ତିଶାଳୀ କଂକ୍ରିଟ୍ ଟାଙ୍କି ।