ଅଣସର ଘରେ ମହାପ୍ରଭୁ, ଆଜିଠାରୁ ଅଲାରନାଥଙ୍କ ଅଣସର ଦର୍ଶନ, ୧୩ ଦିନ ଯାଏଁ ଚାଲିବ ଦର୍ଶନ
Advertisement
Article Detail0/zeeodisha/odisha2304504

ଅଣସର ଘରେ ମହାପ୍ରଭୁ, ଆଜିଠାରୁ ଅଲାରନାଥଙ୍କ ଅଣସର ଦର୍ଶନ, ୧୩ ଦିନ ଯାଏଁ ଚାଲିବ ଦର୍ଶନ

Mahaprabhu jagannath: ସମୟରେ ପ୍ରଭୁ ଅଲାରନାଥଙ୍କ ଦର୍ଶନ କଲେ ରତ୍ନ ବେଦୀରେ କାଳିଆ ଠାକୁରଙ୍କ ଦର୍ଶନ ସହ ସମାନ ବୋଲି ବିଶ୍ୱାସ ରହିଛି। ତେଣୁ ଅଲାରନାଥଙ୍କ ପୀଠରେ ସକାଳୁ ସକାଳୁ ଦର୍ଶନ ପାଇଁ ଭିଡ଼ ଜମିଛି।

ଅଣସର ଘରେ ମହାପ୍ରଭୁ, ଆଜିଠାରୁ ଅଲାରନାଥଙ୍କ ଅଣସର ଦର୍ଶନ, ୧୩ ଦିନ ଯାଏଁ ଚାଲିବ ଦର୍ଶନ

ପୁରୀ: ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାଶିତ ଜଳରେ ସ୍ନାନ କରିବା ପରେ ଏବେ ଜ୍ୱରରେ ପଡ଼ିଛନ୍ତି ଶ୍ରୀଜିଉ। ମହାପ୍ରଭୁଙ୍କୁ ସୁସ୍ଥ କରିବାକୁ ଅଣସର ପିଣ୍ଡିରେ ଚାଲିଛି ଗୁପ୍ତ ସେବା। ରତ୍ନବେଦୀରେ ପୂଜା ପାଇବେ ପଟି ଦିଅଁ। ଏହି ଅଣସର ସମୟରେ ବ୍ରହ୍ମଗିରରି ଅଲାନାଥ ପୀଠ ପାଲଟିଛି ଦ୍ୱିତୀୟ ଶ୍ରୀକ୍ଷେତ୍ର। ଏହି ସମୟରେ ପ୍ରଭୁ ଅଲାରନାଥଙ୍କ ଦର୍ଶନ କଲେ ରତ୍ନ ବେଦୀରେ କାଳିଆ ଠାକୁରଙ୍କ ଦର୍ଶନ ସହ ସମାନ ବୋଲି ବିଶ୍ୱାସ ରହିଛି। ତେଣୁ ଅଲାରନାଥଙ୍କ ପୀଠରେ ସକାଳୁ ସକାଳୁ ଦର୍ଶନ ପାଇଁ ଭିଡ଼ ଜମିଛି। ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ମଧ୍ୟ ହୋଇଛି। 

ସେହିପରି ଭୋର୍‌ ଚାରିଟାରେ ଦ୍ବାରଫିଟା, ମଙ୍ଗଳଆଳତି, ଅବକାଶ, ବେଶ, ଚନ୍ଦନ ତୁଳସୀ ଲାଗି, ଦ୍ବାରପାଳ ପୂଜା, ସୂର୍ଯ୍ୟପୂଜା, ରୋଷହୋମ ଓ ଗୋପାଳବଲ୍ଲଭ ଉଠି ସକାଳ ୬ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ମଧ୍ୟ୍ୟାହ୍ନ ୧୨ଟାରେ ସକାଳ ଧୂପ, ଅପରାହ୍ନ ୨ଟାରେ ମଧ୍ୟ୍ୟାହ୍ନ ଧୂପ ନୀତି ବଢ଼ି ସାଢେ ଦୁଇଟାରେ ପହୁଡ଼ ହେବ। ଅପରାହ୍ନ ୨ଟା ୪୫ରୁ ପୁଣି ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ସନ୍ଧ୍ୟାଆଳତି ଓ ମଇଲମ ନୀତି ବଢ଼ିବା ପରେ ସାଢ଼େ ୭ଟାରୁ ସର୍ବସାଧାରଣ ଦର୍ଶନ ହେବ। ରାତି ୧୦ଟାରେ ସନ୍ଧ୍ୟା ଧୂପ ନୀତି ବଢିବା ପରେ ରାତି ଏଗାରଟାରେ ବଡ଼ସିଂହାର ବେଶ ଓ ଧୂପ ନୀତି ବଢ଼ି ରାତି ୧୨ଟାରେ ପହୁଡ଼ ହେବ ବୋଲି ସେବାୟତ ନିଯୋଗ ପକ୍ଷରୁ ସୂଚନା ମିଳିଛି। 

ଚଳିତବର୍ଷ ୧୫ ଦିନ ବଦଳରେ ଶ୍ରୀଜିଉଙ୍କ ଅଣସର ନୀତି ୧୩ ଦିନ ଧରି ଚାଲିବ। ଏହି ସମୟରେ ଶ୍ରୀଜିଉଙ୍କ ବଦଳରେ ପଟିଦିଅଁ ପୂଜା ପାଇବେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୂପରେ ଅନନ୍ତ ନାରାୟଣ, ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ରୂପରେ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ରୂପରେ ମା’ ଭୁବନେଶ୍ୱରୀ ପୂଜା ପାଇବେ। ପଟିଦିଅଁଙ୍କ ସହ ଦୋଳଗୋବିନ୍ଦ, ମଦନମୋହନ, ଲକ୍ଷ୍ମୀ, ସରସ୍ୱତୀ, ରାମ, କୃଷ୍ଣ ଓ ନୃସିଂହ ଭଗବାନଙ୍କ ପଟିଦିଅଁ ବି ପୂଜା ପାଇବେ। ଅନ୍ୟପଟେ ଅଣସରକାଳୀନ ଗୁପ୍ତନୀତି ଆରମ୍ଭ ହୋଇଛି। ଜୟବିଜୟ ଦ୍ବାର ବନ୍ଦ ଓ ବେହେରଣ ଦ୍ବାର ଫିଟିବା ନୀତି ଅନୁଷ୍ଠିତ ହେବ। ଦଇତାପତି ସେବକମାନେ ଅଣସରର ଗୁପ୍ତସେବା ପାଇଁ ପ୍ରତିଦିନ ବେହେରଣ ଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ଅଣସରର ଗୁପ୍ତନୀତି ପରେ ମହାପ୍ରଭୁ ନବଯୌବନ ବେଶ ସହ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରକୁ ବାହାରିବେ। ଏହି ୧୩ ଦିନ ପଟିଦିଅଁମାନେ ଶ୍ରୀମନ୍ଦିର ଅଣସର ତାଟି ନିକଟରେ ପୂଜା ପାଇବେ। ମହାପ୍ରଭୁଙ୍କ ବଦଳରେ ପଟିଦିଅଁଙ୍କଠାରେ ଷାଠିଏ ପଉଁଟି ଭୋଗ ଲାଗି ହେବ। ଏହି ସମୟରେ ମହାପ୍ରଭୁଙ୍କ ଠାରେ ଫଳ, ଚକଟା ଭୋଗ ଆଦି ଲାଗି ହେବ। ଘନ ଅନ୍ଧକାର ଭିତରେ ଏହି ଭୋଗ ଲାଗି ସହ ଗୁପ୍ତସେବା ଅନୁଷ୍ଠିତ ହେବ। ଅଲାରନାଥଙ୍କୁ ଦର୍ଶନ କରିବା ସହ କ୍ଷୀରି ଭୋଗ ପାଇବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଦେଖୁବାକୁ ମିଳିଛି।