Advertisement
Article Detail0/zeeodisha/odisha776474
Zee OdishaOdisha National-Internationalଜାତୀୟ ଏକତା ଦିବସ: ୧୪୫ତମ ଜୟନ୍ତୀରେ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି

ଜାତୀୟ ଏକତା ଦିବସ: ୧୪୫ତମ ଜୟନ୍ତୀରେ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି

ଆଜି ଷଷ୍ଠ ଜାତୀୟ ଏକତା ଦିବସ ତଥା ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ୧୪୫ତମ ଜୟନ୍ତି।

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: ୨୦୧୪ ମସିହାରୁ ପ୍ରତିବର୍ଷ ଅକ୍ଟୋବର ୩୧ରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ବାର୍ଷୀକିକୁ ଜାତୀୟ ଏକତା ବା ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରାଯାଉଛି। ଭାରତର ଏକୀକରଣରେ ସର୍ଦ୍ଦାର ପଟେଲ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଯେଉଁଥିପାଇଁ ତାଙ୍କ ଲୋହ ପୁରୁଷ ବା ଆଇରନ ମ୍ୟାନ ଅଫ ଇଣ୍ଡିଆ କୁହାଯାଏ।

୧୮୭୫ ମସିହାରେ ଗୁଜୁରାଟର ନଡିୟାଦରେ ସର୍ଦ୍ଦାର ପଟେଲଙ୍କ ଜନ୍ମ। ପେଶାରେ ସେ ଜଣେ ଓକିଲ ଥିଲେ। କିନ୍ତୁ ତାଙ୍କ ଭିତରେ ଥିବା ରାଷ୍ଟ୍ରବାଦୀ ଗୁଣ ତାଙ୍କୁ ଜଣେ ସ୍ୱାଧିନତା ସଂଗ୍ରାମୀ ଓ ଜନ ନାୟକ କରିଥିଲା। ସର୍ଦ୍ଦାର ପଟେଲ ସ୍ୱାଧିନ ଭାରତର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀ ଥିଲେ। ନେହେରୁଙ୍କ ସହ ମତ ପାର୍ଥକ୍ୟ ହେତୁ ସେ ଇସ୍ତଫା ଦେବାକୁ ମନସ୍ତ କରିଥିଲେ। କିନ୍ତୁ ଗାନ୍ଧିଜୀଙ୍କ ଅନୁରୋଧ କ୍ରମେ ମୃତ୍ୟୁ (୧୫ ଡିସେମ୍ବର ୧୯୫୦) ପର୍ଯ୍ୟନ୍ତ ନେହେରୁଙ୍କ ସରକାର ଅଂଶ ହୋଇ ରହିଲେ।

ଭାରତକୁ ଏକତ୍ର କରିବାରେ ସର୍ଦ୍ଦାର ପଟେଲ ଅବିଶ୍ୱାସନୀୟ ଉଦ୍ୟମ କରିଥିଲେ। ସେଥିରେ ସେ ସଫଲ ମଧ୍ୟ ହୋଇଥିଲେ। ତେଣୁ ତାଙ୍କ ସମ୍ମାନର୍ଥେ ଅକ୍ଟୋବର ୩୧କୁ ଦେଶ ୨୦୧୪ ଠାରୁ ଜାତୀୟ ଏକତା ଦିବସ ପାଳନ କରିଆସୁଛି। ଗୃହ ମନ୍ତ୍ରଣାଳୟର ବିବୃତ୍ତି ଅନୁଯାୟୀ ଏହି ଦିନ “ଆମ ଦେଶର ଏକତା, ଅଖଣ୍ଡତା ଏବଂ ନିରାପତ୍ତା ପ୍ରତି ପ୍ରକୃତ ତଥା ସମ୍ଭାବ୍ୟ ବିପଦକୁ ପ୍ରତିହତ କରିବା ପାଇଁ ଆମ ଦେଶର ଅନ୍ତର୍ନିହିତ ଶକ୍ତି ଏବଂ ସ୍ଥିରତାକୁ ପୁନଃ ପ୍ରମାଣିତ କରିବାର ସୁଯୋଗ ପ୍ରଦାନ କରିବ।”

Add Zee News as a Preferred Source

୨୦୧୮ରେ ଏହି ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୮୨ମିଟର ଉଚ୍ଚ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ। ଏହାକୁ ଷ୍ଟାଚ୍ୟୁ ଅଫ୍ ୟୁନିଟି କୁହାଯାଏ।  ଭଦୋଦରା ସହର ନିକଟସ୍ଥ ନର୍ମଦା ନଦୀ କୂଳରେ ସର୍ଦ୍ଦାର ସରୋବର ଡ୍ୟାମ୍ ସମ୍ମୁଖରେ ଷ୍ଟାଚ୍ୟୁ ଅଫ୍ ୟୁନିଟି ଅବସ୍ଥିତ। ଏହାକୁ ନିର୍ମାଣ କରିବାକୁ ପ୍ରାୟ ୩ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। 

ସର୍ଦ୍ଦାର ପଟେଲଙ୍କ ଅବଦାନ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଦେଶର ବିଭିନ୍ନ ବିଦ୍ୟାଳୟ, କଲେଜ, ଏବଂ କର୍ମକ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। କିନ୍ତୁ ଚଳିତବର୍ଷ କୋରୋନା ସଙ୍କଟ ପାଇଁ ନିରାଡମ୍ବର ଭାବେ ଜାତୀୟ ଏକତା ଦିବସ ପାଳନ ହେବ। ସେପଟେ ଏହି ଅବସରରେ ଶପଥ ଗ୍ରହଣ ସମାରୋହ, ପ୍ରବନ୍ଧ, ବିତର୍କ, ସ୍ଲୋଗାନ, ପୋଷ୍ଟର ତିଆରି ଭଳି ବିଭିନ୍ନ ପ୍ରତିଯୋଗିତା ଅନଲାଇନରେ ଆୟୋଜନ କରିବାକୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ବିଜ୍ଞପ୍ତି ଜାରି କରିଛି।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସପ୍ତାହରେ ଗୁଜୁରାଟର କେଭାଡିଆରେ ସର୍ଦ୍ଦାର ଭାଲାଭଭାଇ ପଟେଲଙ୍କ ଜନ୍ମ ବାର୍ଷିକୀ ପାଳନ କରିବା ପାଇଁ ଅନେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ସେ ଅହମ୍ମଦାବାଦର ସାବରମତି ନଦୀ କୂଳ ସହିତ “ଷ୍ଟାଚ୍ୟୁ ଅଫ୍ ୟୁନିଟି”କୁ ସଂଯୋଗ କରୁଥିବା ସାମୁଦ୍ରିକ ସେବା ସମେତ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ। ସରକାରୀ ବିବୃତ୍ତି ଅନୁଯାୟୀ ପ୍ରଧାନମନ୍ତ୍ରୀ କେଭାଡିଆ ଆପ୍ ଲଞ୍ଚ କରିବା ବ୍ୟତୀତ ଜାତିସଂଘର ସମସ୍ତ ସରକାରୀ ଭାଷାରେ ଷ୍ଟାଚ୍ୟୁ ଅଫ୍ ୟୁନିଟିର ୱେବସାଇଟ୍ ଉନ୍ମୋଚନ କରିବେ।

 

 

 

 

 

 

About the Author