ଜଳଘେରରେ ଆସାମ : ସୁଧୁରୁନି ସ୍ଥିତି
Advertisement

ଜଳଘେରରେ ଆସାମ : ସୁଧୁରୁନି ସ୍ଥିତି

ଆସାମରେ ବନ୍ୟା ପରିସ୍ଥିତି ଏବେ ବି ସଙ୍ଗୀନ । ଅନେକ ଅଞ୍ଚଳ ପାଣିଘେରରେ ରହିଥିବାବେଳେ ଲୋକମାନେ ଜଳବନ୍ଦୀ । ବନ୍ୟା ପାଣିରେ ଉବୁଟୁବୁ ହେଉଛି ପ୍ରାୟ ୩୩ଟି ଜିଲ୍ଲା । ଉଦ୍ଧାରକାରୀ ଦଳ ଏବଂ ରିଲିଫ୍ ବୋଟ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରୀ ରଖିଥିବାବେଳେ ବନ୍ୟା ବିପନ୍ନମାନଙ୍କୁ ଆବଶ୍ୟକୀୟ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।

 ଜଳଘେରରେ ଆସାମ : ସୁଧୁରୁନି ସ୍ଥିତି

ଗୌହାଟି : ଆସାମରେ ସାଙ୍ଘାତିକ ହେବାରେ ଲାଗିଛି ବନ୍ୟାସ୍ଥିତି । କେଉଁଠି ପାଣିରେ ଘରଦ୍ବାର ଭାସୁଥିବାବେଳେ  ଆଉ କେଉଁଠି ଭୂସ୍ଖଳନ ହେଉଛି । ଚାରିଆଡେ ଜଳପ୍ରଳୟର ଭୟାନକ ଚିତ୍ର ଦେଖିବାକୁ ମିଳୁଛି । ଏବେବି ବିଭିନ୍ନ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ASDMA)ମଙ୍ଗଳବାର ସୂଚନା ଦେଇଛି ଯେ କାଚର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳରେ କରାଯାଇଥିବା ଅପରେସନରେ ଗର୍ଭବତୀ ମହିଳା, ଶିଶୁ ଏବଂ ବରିଷ୍ଠ ନାଗରିକଙ୍କ ସମେତ ୩୦୦୦ ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ବନ୍ୟା ଓ ଭୂସ୍ଖଳନ ଯୋଗୁଁ ରାଜ୍ୟରେ ଅବସ୍ଥା ଗୁରୁତର ରହିଛି ।  ରିପୋର୍ଟ ଅନୁଯାୟୀ, ଲଗାଣ ବର୍ଷା ପରେ ରାଜଧାନୀ ଗୌହାଟୀଠୁ ନେଇ ବିଭିନ୍ନ ଜିଲ୍ଲାରେ ବିଷମ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । କେବଳ ସୋମବାର ଦିନ ୧୧ ଜଣଙ୍କ ମୃତ୍ୟୁ ଘଟିଛି । ଯାହାଫଳରେ ବନ୍ୟା ଓ ଭୂସ୍ଖଳନ ଜନିତ ମୃତ୍ୟୁସଂଖ୍ୟା  ୮୨ ଜଣ ପ୍ରାଣ ହରାଇଥିବାବେଳେ ପ୍ରାୟ ୪୮ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ବନ୍ୟାରେ ଜୀବଜନ୍ତୁ ମଧ୍ୟ ବିଶେଷ ପ୍ରଭାବିତ ହୋଇଛନ୍ତି । ସାରା ରାଜ୍ୟରେ ପ୍ରାୟ ୫,୨୩୨ଟି ପଶୁ ବନ୍ୟାଜଳରେ ଭାସି ଯାଇଥିବାର ଜଣାପଡିଛି । ଆସାମର ଜଳପ୍ରଳୟ ୧୧୩୪୮୫.୩୭ ହେକ୍ଟର ଚାଷଜମିକୁ ନଷ୍ଟଭ୍ରଷ୍ଟ କରିଦେଇଛି । ଭାରତ ପାଣିପାଗ ବିଭାଗ (ଆଇଏମଡି)ର ଆକଳନ ଅନୁଯାୟୀ ଚଳିତ ବର୍ଷ ରାଜ୍ୟରେ ୫୨୮.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।  ଯାହା ଜୁନ୍ ମାସରେ ହେଉଥିବା ବର୍ଷା ତୁଳନାରେ ୧୦୯ ପ୍ରତିଶତ ଅଧିକ। ବର୍ତ୍ତମାନ ୩୩ ଟି ଜିଲ୍ଲାର ୧୨୫ ରାଜସ୍ୱ ସର୍କଲ ଅନ୍ତର୍ଗତ ୫,୪୨୪ ଟି ଗାଁ ବନ୍ୟାଜଳରେ ଭର୍ତ୍ତି ହୋଇ ରହିଛି । ବେକି, ପଗଲାଦିୟା, ପୁଥିମାରୀ, କପିଲି ଏବଂ ବ୍ରହ୍ମପୁତ୍ର ନଦୀର ଜଳସ୍ଥର ବିପଦସଙ୍କେତ ଉପରେ ରହିଛି । କପିଲି ନଦୀ ସର୍ବୋଚ୍ଚ ଜଳସ୍ତର ଅତିକ୍ରମ କରିସାରିଛି ।

"ଭାରତୀୟ ସେନା, ସିଆରପିଏଫ୍(CRPF),ବିଏସ୍ଏଫ୍(BSF),ଏନଡ଼ିଆରଏଫ୍(NDRF) ଏବଂ ଏସଡ଼ିଆରଏଫ୍(SDRF)ଦ୍ୱାରା ସିଲଚରର ସହରାଞ୍ଚଳ ତଥା ଗ୍ରାମାଞ୍ଚଳ ସମେତ କାଚର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ଯାହାର ଚିତ୍ର ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ୱାରା ଟ୍ୱିଟ୍ କରାଯାଇଛି ।  ବର୍ତ୍ତମାନ ଏନଡ଼ିଆରଏଫ୍(NDRF), ଏସଡ଼ିଆରଏଫ୍(SDRF), ଭାରତୀୟ ସେନା ଏବଂ ଫାୟାର ବିଗ୍ରେଡ ବନ୍ୟା ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର ପାଇଁ ଅହରହ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ବନ୍ୟା ପ୍ରଭାବିତ ଉତ୍ତର-ପୂର୍ବ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରବଳ ବର୍ଷାର ପ୍ରତିକୂଳ ପ୍ରଭାବ ବିଷୟରେ ଆଲୋଚନା କରିଛନ୍ତି । ଶାହା ଟ୍ୱିଟରରେ କହିଛନ୍ତି ଯେ, ଆସାମ ଏବଂ ମେଘାଳୟର ଲୋକଙ୍କ ସହ ମୋଦୀ ସରକାର ଦୃଢ଼ ଭାବରେ ଠିଆ ହୋଇଛନ୍ତି । ସେ କହିଛନ୍ତି, “ଏକ ଆନ୍ତଃ-ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଦଳ (IMCT)ଆସାମ ଏବଂ ମେଘାଳୟର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରିବ” । ଅନ୍ୟପଟେ ବନ୍ୟା ସ୍ଥିତିର ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ବନ୍ୟା ପ୍ରଭାବିତ ଜିଲ୍ଲାର ଡେପୁଟି କମିଶନରମାନଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହୋଇଛନ୍ତି । ବନ୍ୟା ବିପନ୍ନମାନଙ୍କୁ ଆବଶ୍ୟକୀୟ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଉଦ୍ଧାରକାରୀ ଦଳ ଏବଂ ରିଲିଫ୍ ବୋଟ ପହଞ୍ଚି ପାରୁନଥିବା ସ୍ଥାନରେ ହେଲିକପ୍ଟର ଯୋଗେ ରିଲିଫ୍ ସାମଗ୍ରୀ ବଣ୍ଟନ କରିବାକୁ କୁହାଯାଇଛି ।