ଶ୍ରେଷ୍ଠ ଭିତ୍ତିଭୂମି ପ୍ରକଳ୍ପ ସମ୍ମାନ ପାଇଲା ଅଟଳ ଟନେଲ
Advertisement
Article Detail0/zeeodisha/odisha1168603

ଶ୍ରେଷ୍ଠ ଭିତ୍ତିଭୂମି ପ୍ରକଳ୍ପ ସମ୍ମାନ ପାଇଲା ଅଟଳ ଟନେଲ

୨୦୧୦ ଜୁନ୍ ୨୮ରୁ ଆରମ୍ଭ ହୋଇଥିବା ଏହି ଟନେଲକୁ ୨୦୨୦ ମସିହା ଅକ୍ଟୋବର ୩ ତାରିଖରେ ଉଦଘାଟନ କରାଯାଇଥିଲା

ଶ୍ରେଷ୍ଠ ଭିତ୍ତିଭୂମି ପ୍ରକଳ୍ପ ସମ୍ମାନ ପାଇଲା ଅଟଳ ଟନେଲ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ରୋହତଙ୍ଗସ୍ଥିତ ଅଟଳ ଟନେଲକୁ ଶ୍ରେଷ୍ଠ ଭିତ୍ତିଭୂମି ବର୍ଗରେ ପୁରସ୍କାର ମିଳିଛି। ଗତକାଲି ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଟଳ ଟନେଲକୁ ପୁରସ୍କୃତ କରିଛି ଇଣ୍ଡିଆନ୍ ବିଲଡିଂ କଂଗ୍ରେସ (IBC)। ପୁରସ୍କାର ପାଇଁ ୩୦ରୁ ଅଧିକ ଭିତ୍ତିଭୂମି ପ୍ରକଳ୍ପ ମନୋନୀତ ହୋଇଥିଲା । ଏଥିରୁ ଅଟଳ ଟନେଲକୁ ଆଇବିସି ଶ୍ରେଷ୍ଠ ପ୍ରକଳ୍ପ ଭାବରେ ଘୋଷଣା କରିଥିଲା । ଇଣ୍ଡିଆନ୍ ବିଲଡିଂ କଂଗ୍ରେସର ବାର୍ଷିକ ସମ୍ମିଳନୀରେ ବର୍ଡର ରୋଡ ଅର୍ଗାନାଇଜେସ(BRO)ର ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଚୌଧୁରୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

୨୦୧୦ ଜୁନ୍ ୨୮ରୁ ଆରମ୍ଭ ହୋଇଥିବା ଏହି ଟନେଲକୁ ୨୦୨୦ ମସିହା ଅକ୍ଟୋବର ୩ ତାରିଖରେ ଉଦଘାଟନ କରାଯାଇଥିଲା। ୩ ହଜାର ମିଟର ଉଚ୍ଚ ପାହାଡ଼ରେ ନିର୍ମିତ ହୋଇଥିବା ଏହି ଟନେଲ ୯ କିମି ବିଶିଷ୍ଟ। ଏହି ଟନେଲ ଯୋଗୁଁ ମନାଲି ଓ ଲେହର ଦୂରତା ୪୬ କିମି ହ୍ରାସ ପାଇଛି । ଯାତାୟତ ପାଇଁ ସମୟ ମଧ୍ୟ ୪ରୁ ୫ଘଣ୍ଟା କମିଯାଇଛି । ପୂର୍ବରୁ ପ୍ରବଳ ତୁଷାରପାତ ହେତୁ ପ୍ରତିବର୍ଷ ପ୍ରାୟ ୬ମାସ ପର୍ଯ୍ୟନ୍ତ ମନାଲି ଓ ଲେହ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଉଥିଲା। ଯାହା ଏବେ ବର୍ଷସାରା ଖୋଲା ରହୁଛି । ସାମରିକ ଦୃଷ୍ଟି କୋଣରୁ ମଧ୍ୟ ଏହି ଟନେଲ ଅନେକ ଗୁରୁତ୍ୱ ବହନ କରୁଛି ।

ମନାଲି ଏବଂ ଲାହଲ ଉପତ୍ୟକାକୁ ସଂଯୋଗ କରୁଥିବା ଏହି ଟନେଲ ଭାରତୀୟ ସେନାର ବର୍ଡର ରୋଡ ଅର୍ଗାନାଇଜେସ (BRO)ଦ୍ୱାରା ନିର୍ମିତ ହୋଇଥିଲା । ଏହି ଟନେଲ ହେବା ଫଳରେ ମନାଲି ଏବଂ ଲେହର ସମେତ ବିଭିନ୍ନ ଅଞ୍ଚଳରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏପରିକି ଚଳିତ ଏପ୍ରିଲରେ ଗୋଟିଏ ଦିନରେ
ସର୍ବାଧିକ ୧୨.୮ ହଜାର ଲୋକ ଟନେଲରେ ଯାତାୟତ କରିଥିଲେ ।

ପୂର୍ବରୁ ଅଟଳ ବିହାରୀ ବାଜପେୟୀଙ୍କ ସରକାର ରୋହତଙ୍ଗରେ ଟନେଲ୍ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ୨୬ ମେ ୨୦୦୨ରେ ଟନେଲ କାର୍ଯ୍ୟ ନେଇ ଘୋଷଣା କରାଯାଇଥିଲା। ୨୦୧୦ରେ ସୋନିଆ ଗାନ୍ଧିଙ୍କ ଦ୍ୱାରା ଦକ୍ଷିଣ ପାର୍ଶ୍ୱରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଡିସେମ୍ୱର ୨୦୧୯ରେ କେନ୍ଦ୍ର ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ସମ୍ମାନାର୍ଥେ ରୋହତଙ୍ଗ ଟନେଲକୁ ଅଟଳ ଟନେଲ ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଥିଲେ।