ଝାଡ଼ଖଣ୍ଡ ନିର୍ବାଚନ: ଆଦିବାସୀଙ୍କୁ ଅଣଦେଖା କରି ହାରିଲା ବିଜେପି
Advertisement

ଝାଡ଼ଖଣ୍ଡ ନିର୍ବାଚନ: ଆଦିବାସୀଙ୍କୁ ଅଣଦେଖା କରି ହାରିଲା ବିଜେପି

81ଟି ଆସନରେ ହୋଇଥିବା ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, କଂଗ୍ରେସ ଏବଂ ଆରଜେଡ଼ିର ମେଣ୍ଟ ରାଜ୍ୟରେ ସରକାର ଗଢିବ ବୋଲି ଭୋଟ ଗଣତିରୁ ବାରି ହୋଇ ପଡ଼ୁଛି

ସୌଜନ୍ୟ: ସୋସିଆଲ ମିଡିଆ

ରାଞ୍ଚି: ଝାଡ଼ଖଣ୍ଡ ନିର୍ବାଚନରେ ଶାସକ ବିଜେପି ଗାଦିଚ୍ୟୁତ ହେବା ନେଇ ଏକ ପ୍ରକାର ନିଶ୍ଚିତ ହୋଇ ଗଲାଣି । 81ଟି ଆସନରେ ହୋଇଥିବା ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, କଂଗ୍ରେସ ଏବଂ ଆରଜେଡ଼ିର ମେଣ୍ଟ ରାଜ୍ୟରେ ସରକାର ଗଢିବ ବୋଲି ଭୋଟ ଗଣତିରୁ ବାରି ହୋଇ ପଡ଼ୁଛି । ତେବେ ମହାରାଷ୍ଟ୍ର ପରେ ଝାଡଖଣ୍ଡରେ ବିଜେପିର ଏଭଳି ପରାଜୟର କାରଣ ଖୋଜିବା ଆରମ୍ଭ କରିଦେଲେଣି ରାଜନୈତିକ ସମୀକ୍ଷକ । ବିଶେଷ ଭାବେ 5ଟି କାରଣ ପାଇଁ ଦଳକୁ ଏଭଳି ପରାଜୟର ମୁହଁ ଦେଖିବାକୁ ପଡ଼ିଛି ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ । 

ଆଦିବାସୀ ଚେହେରାଙ୍କୁ ଅଣଦେଖା
ଝାଡ଼ଖଣ୍ଡ ହେଉଛି ଏକ ଆଦିବାସୀ ବହୁଳ ରାଜ୍ୟ । ରାଜ୍ୟର ମୋଟ ଜନସଂଖ୍ୟାର ପ୍ରାୟ 26.3 ପ୍ରତିଶତ ହେଉଛନ୍ତି ଆଦିବାସୀ । ସେହିଭଳି ରାଜ୍ୟର ମୋଟ ଆସନ ମଧ୍ୟରୁ 28ଟି ଆସନ ଆଦିବାସୀଙ୍କ ପାଇଁ ସଂରକ୍ଷିତ ରହିଛି । ତେବେ ବିରୋଧୀଙ୍କ ମହାମେଣ୍ଟ ଆଦିବାସୀ ଜନନେତା ହେମନ୍ତ ସୋରେନଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ପାଇଁ ମନୋନୀତ କରିଥିବା ବେଳେ ବିଜେପି ପକ୍ଷରୁ ଜଣେ ଅଣ- ଆଦିବାସୀ ରଘୁବର ଦାସଙ୍କୁ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ପାଇଁ ମନୋନୀତ କରାଯାଇଛି । ଝାଡ଼ଖଣ୍ଡର ଆଦିବାସୀ ସମୁଦାୟ ରଘୁବର ଦାସଙ୍କ ନୀତିକୁ ନେଇ ଯଥେଷ୍ଟ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି । ରଘୁବର ଦାସ ତାଙ୍କର 5 ବର୍ଷର କାର୍ଯ୍ୟକାଳ ମଧ୍ୟରେ ଆଦିବାସୀ ବିରୋଧୀ ଆଇନ ତିଆରି କରିଛନ୍ତି । ସେହିପରି ଖୁଣ୍ଟି ଯାତ୍ରା ସମୟରେ ଆଦିବାସୀମାନେ ରଘୁବର ଦାସଙ୍କ ଉପରକୁ ଜୋତା ଏବଂ ଚପଲ ମାଡ଼ କରିଥିଲେ । 

ଦଳର ସହଯୋଗୀଙ୍କୁ ଅଣଦେଖା କରିବା
ରାଜନୈତିକ ସମୀକ୍ଷକ ଓ ରାଜନୈତିକ ନେତୃବୃନ୍ଦ କହିଛନ୍ତି କି, ବିଜେପି ତାର ସହଯୋଗୀ ଦଳଗୁଡ଼ିକୁ ଅଣଦେଖା କରିବା ଦଳ ପାଇଁ ବେଶ ମହଙ୍ଗା ସାବ୍ୟସ୍ତ ହୋଇଛି । 2014 ନିର୍ବାଚନରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ସହଯୋଗୀ ଅଲ ଇଣ୍ଡିଆ ଷ୍ଟୁଡେଣ୍ଟ ୟୁନିଅନ(ଏଜେଏସୟୁ) ସହିତ ମିଳିତ ଭାବେ ନିର୍ବାଚନକୁ ଲଢିଥିଲେ । ଏହା ସହିତ ବିପୁଳ ଭାବରେ ସଫଳତା ମଧ୍ୟ ହାତେଇ ଥିଲେ । ତେବେ ବିଜେପି ତାହାର ସହଯୋଗୀ ଦଳ ଏଜେଏସୟୁ ବିନା 
ଏହି ନିର୍ବାଚନର ରଣାଙ୍ଗନକୁ ଓହ୍ଲାଇଥିଲା । ଯ଼ାହା ଦଳ ପାଇଁ ବେଶ ମହଙ୍ଗା ସାବ୍ୟସ୍ତ ହୋଇଛି । ସେପଟେ ଏଜେଏସୟୁ ଏହି ନିର୍ବାଚନରେ ବେଶ ଭଲ ପ୍ରଦର୍ଶନ ମଧ୍ୟ କରିଛି । ଏଠାରେ କହି ରଖୁଛୁ ଯେ, 2000 ମସିହାରେ ଝାଡ଼ଖଣ୍ଡ ଗଠନ ହେବା ପରେ ଏହି ଦୁଇ ଦଳ ମିଳିତ ଭାବେ ନିର୍ବାଚନ ଲଢି ଆସୁଥିଲେ । 

ବିରୋଧିଙ୍କ ମହାମେଣ୍ଟ
ସେହିପରି ବିରୋଧୀଙ୍କ ମହାମେଣ୍ଟ ବିଜେପି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଗୋଟିଏ ପଟେ ବିଜେପି ନିଜର ସହଯୋଗୀଙ୍କୁ ଅଣଦେଖା କରୁଥିବା ବେଳେ ବିରୋଧୀ ମାନେ ମହାମେଣ୍ଟ ଗଠନ କରିଛନ୍ତି । ବିରୋଧୀମାନେ ମିଶିକରି ନିର୍ବାଚନ ଲଢିଥିବା ବେଳେ ବିଜେପି ଏକାକି ସରକାର ଗଠନ କରିବାକୁ ଦେଖୁଥିବା ସ୍ୱପ୍ନକୁ ଧୁଳିସାତ କରିଦେଇଛନ୍ତି । ଫଳରେ ଅଣବିଜେପି ଶାସିତ ରାଜ୍ୟ ଗୁଡ଼ିକରେ ବିଜେପିର ଶକ୍ତି ଦୁର୍ବଳ ହେଉଥିବା ବେଳେ ଆଞ୍ଚଳିକ ଦଳ ଗୁଡ଼ିକ ଏବେ ବହୁମତ 
ପାଉଥିବା ଦେଖିବାକୁ ମିଳିଛି । 

ଦଳ ଭିତରେ ଥିବା ଗୋଷ୍ଠୀକନ୍ଦଳ
ଝାଡ଼ଖଣ୍ଡ ବିଧାନସଭାରେ ଝାଡ଼ଖଣ୍ଡ ବିଜେପି ମଧ୍ୟରେ ଥିବା ଗୋଷ୍ଠୀ କନ୍ଦଳ ଦଳକୁ ଏଭଳି ପରିସ୍ଥିତିରେ ପକାଇଛି । ଦଳର କିଛି ନେତାଙ୍କ ପାଇଁ ଏଭଳି ସମସ୍ୟାର ସମ୍ମୁଖିନ ହୋଇଛି ବିଜେପି । ଦଳର ବରିଷ୍ଠ ସଦସ୍ୟ ରାଧାକୃଷ୍ଣ କିଶୋର ଏଜେଏସୟୁ ସହିତ ହାତ ମିଳାଇଥିଲେ । ଯାହା ଦଳ ପାଇଁ ବେଶ ମହଙ୍ଗା ପଡ଼ିଥିଲା । ସେହିଭଳି ଟିକେଟ ବଣ୍ଟା ସମୟରେ ମଧ୍ୟ ଦଳର ବରିଷ୍ଠ ନେତା ସରାୟୁ ରାୟଙ୍କୁ ବିଜେପି ଟିକେଟ ଦେଇ ନଥିଲା । ଫଳରେ ସରାୟୁ  ଜାମସେଦପୁର ଆସନରୁ 
ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ବିରୋଧରେ ନିର୍ବାଚନ ଲଢିଥିଲେ । ତେବେ ସଦ୍ୟ ଖବର ମୁତାବକ ରଘୁବରଙ୍କୁ ସରାୟୁ ପଛରେ ପକାଇଥିବା ଜଣାପଡ଼ିଛି । 

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ବିଜେପି କହିଥିଲା, 81 ଆସନରୁ ଦଳ 65ଟିରେ ବିଜୟ ଲାଭ କରିବ । ଏହା ସହିତ ଦଳ ରାଜ୍ୟରେ ଏକାକୀ ନିର୍ବାଚନ ଲଢିବ । ଏଭଳି ଉକ୍ତି ଦଳ ପାଇଁ ଓଲଟା ମହଙ୍ଗା ସାବ୍ୟସ୍ତ ହୋଇଛି । ରାଜ୍ୟ ବିଜେପିର ଭରସା ଥିଲା କି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଧାର କରି ରାଜ୍ୟ ବିଜେପି ନିର୍ବାଚନ ଲଢିବ ଏବଂ ସଫଳତା ମଧ୍ୟ ହାତେଇବ । ତେବେ ଏଥିପାଇଁ ରାଜ୍ୟ ବିଜେପି ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ଉତ୍ତରପ୍ରଦେଶ 
ମୁଖ୍ୟମନ୍ତ୍ର ଯୋଗୀ ଆଦିତ୍ୟନାଥଙ୍କୁ ନିର୍ବାଚନ ପ୍ରଚାରକୁ ଓହ୍ଲାଇଥିଲା । ମାତ୍ର ରାଜ୍ୟ ବିଜେପିର ଏହି ରଣନୀତି ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି । ଏହା ସହିତ ରାଜ୍ୟ ବିଧାନସଭା ରଣନୀତିରେ ଲଜ୍ଜାଜନକ ପରାଜୟ ବରଣ କରିଛି