ଜଳୁଛି ଦେଶ, ରାସ୍ତାରେ ଭବିଷ୍ୟତ
Advertisement
Article Detail0/zeeodisha/odisha612566

ଜଳୁଛି ଦେଶ, ରାସ୍ତାରେ ଭବିଷ୍ୟତ

ନାଗରିକତା ସଂଶୋଧନ ଆଇନକୁ ନେଇ ଜଳୁଛି ସମଗ୍ର ଦେଶ

ସୌଜନ୍ୟ: ସୋସିଆଲ ମିଡିଆ

ହିଂମାଶୁ ଶେଖର ସାମଲ, ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଜଳୁଛି ସମଗ୍ର ଦେଶ । ଦେଶର ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ହିଂସାର ରୂପ ନେବାରେ ଲାଗିଛି । ଗାଁଠୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସବୁଠି ବିଦ୍ରୋହର ବହ୍ନି କ୍ୟାନସର ଭଳି ବ୍ୟାପିବାରେ ଲାଗିଛି । ଦିଲ୍ଲୀରୁ ଭୁବନେଶ୍ୱର ସବୁଠି ଆନ୍ଦୋଳନ ଓ ପ୍ରତିବାଦ । ସେହିପରି ଆଜି ନାଗରିକତା ଆଇନକୁ ନେଇ ଉତ୍ତରପ୍ରଦେଶ ଲକ୍ଷ୍ନୌରେ ସ୍ଥିତି ଅଣାୟତ ହେବାରେ ଲାଗିଛି । ପ୍ରଦର୍ଶନ ହିଂସାର ରୂପ ନେଉଛି । ସମ୍ଭଲ ଜିଲ୍ଲାରେ ପ୍ରଦର୍ଶନକାରୀମାନେ ବସରେ ନିଆଁ ଲଗାଇ ଦେଇଛନ୍ତି । ପରେ ସ୍ଥିତି ଆୟତ୍ତ କରିବା ପାଇଁ ପୋଲିସ ପଦର୍ଶନକାରୀଙ୍କୁ ଉକ୍ତ ସ୍ଥାନରୁ ହଟାଇ ଦେଇଥିଲେ । ଅନେକ ଆନ୍ଦୋଳନକାରୀମାନେ ପୋଲିସ ଉପରେ ପଥର ମାଡ଼ ମଧ୍ୟ କରିଥିଲେ । ପରିସ୍ଥିତି ଏତେ ବ୍ୟାପକ ହୋଇଥିଲା ଯେ, ହଜରତଗଞ୍ଜରେ ପ୍ରଦର୍ଶନକାରୀମାନେ ପୋଲିସ ଥାନାକୁ ଜଳାଇ ଦେଇଥିଲେ ।  ପୂରୁଣା ଲକ୍ଷ୍ନୌରେ ମଧ୍ୟ ଏହି ହିଂସାର ବହ୍ନି ବ୍ୟାପିଥିବା ଦେଖିବାକୁ ମିଳିଛି । ସେହିପରି ମଦ୍ୟଗଞ୍ଜରେ ପ୍ରଦର୍ଶନକାରୀମାନେ ପୋଲିସ ଥାନା ବାହାରେ ଥିବା ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ ।

ଲକ୍ଷ୍ନୌରେ ବରିଷ୍ଠ ପୋଲିସ ଅଧିକାରୀ କଳାନିଧି ନୌଥାନିଙ୍କ କହିବା ଅନୁସାରେ ସୋସିଆଲ ମିଡିଆରେ ମିଥ୍ୟା ପ୍ରଚାର କରିବାକୁ ନେଇ ତିନିଜଣ ଲୋକଙ୍କୁ ଗିରଫ କରାଯାଇଛି । ସେହିପରି ଗୁରୁବାର ଉତ୍ତରପ୍ରଦେଶର ଅନେକ ସଂଗଠନ ଆନ୍ଦୋଳନ କରିବାକୁ ଘୋଷଣା କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଅନେକ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି । ଉତ୍ତରପ୍ରଦେଶ ମହାନିର୍ଦ୍ଦେଶକ ଓ ପି ସିଂହଙ୍କ କହିବା ଅନୁସାରେ ମେରଠରେ ମିଥ୍ୟା ପ୍ରଚାରକୁ ନେଇ ତିନି ଜଣଙ୍କୁ ଗିରଫ କରାଯିବା ସହ ବୁଧବାର ସନ୍ଧ୍ୟା ସୁଦ୍ଧା ୬୨ ଜଣଙ୍କୁ ଗିରଫ କରାଯାଇଛି । ୩ ହଜାର ଲୋକଙ୍କୁ ଅଟକ ରଖାଯାଇଛି । ସେ ପ୍ରଦର୍ଶନକାରୀଙ୍କ ପରିବାରବର୍ଗଙ୍କୁ ନିବେଦନ କରିଛନ୍ତି । ପିଲାମାନଙ୍କୁ ବାହରକୁ ଛାଡନ୍ତୁନାହିଁ । ପ୍ରଦର୍ଶନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।.  
ତେବେ ଏହି ଆଇନକୁ ସରକାର ଲୋକମାନଙ୍କୁ ବୁଝାଇବାରେ ଅସଫଳ ଥିବା ସ୍ପଷ୍ଟ ଦେଖାଯାଉଛି । ଦେଶରେ ଏକ ନୀତିକୁ ବିରୋଧ କରିବା ବିରୋଧୀ ଦଳଙ୍କ କାର୍ଯ୍ୟ । କିନ୍ତୁ ଦେଶରେ ସମଗ୍ର ଆନ୍ଦୋଳନ ସୃଷ୍ଟି କରିବା ବିରୋଧୀଙ୍କ ମୁଣ୍ଡରେ ଅଠା ବୋଳିବା ସରକାରଙ୍କ ପାଇଁ ମହଙ୍ଗା ପଡ଼ିପାରେ । କେବେ ଏ ବିଦ୍ରୋହର ବହ୍ନି ଶାନ୍ତ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।