କୋରୋନା ମୁକାବିଲା: ଉତ୍ତର ପ୍ରଦେଶରେ ୫୫ ଘଣ୍ଟିଆ ଲକଡାଉନ
Advertisement

କୋରୋନା ମୁକାବିଲା: ଉତ୍ତର ପ୍ରଦେଶରେ ୫୫ ଘଣ୍ଟିଆ ଲକଡାଉନ

କୋରୋନା ମୁକାବିଲା ଲାଗି ୟୁପିରେ ପୁଣି ଥରେ ୫୫ ଘଣ୍ଟିଆ ଲକ ଡାଉନ ଜାରି ହୋଇଛି ।

 କୋରୋନା ମୁକାବିଲା: ଉତ୍ତର ପ୍ରଦେଶରେ ୫୫ ଘଣ୍ଟିଆ ଲକଡାଉନ

ଲକ୍ଷ୍ନୌ: ରାଜ୍ୟରେ ଦିନକୁ ଦିନ କୋରୋନା ମାମଲା ବଢିବା ପରେ ଏବେ ଯୁଦ୍ଧକାଳୀନ ଭିତ୍ତିରେ ଏହି ମହାମାରୀର ମୁକାବିଲା ଲାଗି ଉଦ୍ୟମ ଜାରି ରଖିଛନ୍ତି ଉତ୍ତର ପ୍ରଦେଶରେ କ୍ଷମତାସୀନ ଯୋଗୀ ଆଦିତ୍ୟନାଥଙ୍କ ସରକାର । ଏହି କ୍ରମରେ ପୁନର୍ବାର ରାଜ୍ୟର ୫୫ ଘଣ୍ଟିଆ ଲକ ଡାଉନ ଜାରି କରିଛନ୍ତି ଯୋଗୀ ସରକାର । ଏହା ଜୁଲାଇ ୧୦ ତାରିଖ ଶୁକ୍ରବାର ରାତି ୧୦ଟାରୁ ଆରମ୍ଭ ହୋଇ, ଆସନ୍ତା ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ ।      

ରାଜ୍ୟରେ କୋରୋନା ମୁକାବିଲା ଲାଗି ଏହି ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ଉତ୍ତର ପ୍ରଦେଶ ସରକାର । ଏହି ୫୫ ଘଣ୍ଟିଆ ଲକ ଡାଉନ ସମୟରେ କେବଳ ଅତ୍ୟାବଶ୍ୟକ ସେବା ଜାରି ରହିବ । ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ, ଅଣ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ ହେଉଥିବା ଦୋକାନ, ମଲ୍ ଏବଂ ରେଷ୍ଟୁରାଁ ଆଦି ବନ୍ଦ ରହିବ । ଏହି ସମୟ ଅବଧି ପରେ ବସ ଏବଂ ଅନ୍ୟାନ୍ୟ ସାଧାରଣ ପରିବହନ ସେବା ଉପରେ ପ୍ରତିବନ୍ଧିକ ଲଗାଯାଇଛି ।

ଲକ ଡାଉନ ସମୟରେ ଲୋକଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ୟୁପି ପୋଲିସ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାରିକେଡିଂ କରାଯାଇଛି । ଶନିବାର ଠାରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ସ୍ୱଚ୍ଛତା ଏବଂ ପରିମଳ ଅଭିଯାନକୁ କାର୍ଯ୍ୟକାରୀ କରିବା ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ଶୁକ୍ରବାର ସମସ୍ତ ବିଭାଗୀୟ କମିଶନର, ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ବରିଷ୍ଠ ପ୍ରଶାସନିକ ଏବଂ ପୋଲିସ ଅଧିକାରୀଙ୍କ ସହ ଏକ ଭିଡିଓ କନଫରେନ୍ସ ବୈଠକରେ ୟୁପି ସିଏମ କହିଛନ୍ତି ଏହି ଅଭିଯାନ ଜୁଲାଇ ୧୧ ଏବଂ ୧୨ ତାରିଖରେ ରାଜ୍ୟର ସମସ୍ତ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ କରାଯିବ ।

ଉତ୍ତର ପ୍ରଦେଶରେ ମୋଟ କୋରୋନା ସଂକ୍ରମଣ ମାମଲା ଏବେ ୩୨ ହଜାର ପାର କରିଛି । ସେମାନଙ୍କ ମଧ୍ୟରୁ ୨୦ ହଜାରରୁ ଅଧିକ ସଂକ୍ରମିତ ଚିକିତ୍ସିତ ହେବା ପରେ ଆରୋଗ୍ୟ ଲାଭ କରିଛନ୍ତି । ଅନ୍ୟପଟେ ୮୪୫ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।