ଚୀନୀ ସେନାକୁ ତଡ଼ିଦେଲା ଭାରତୀୟ ସେନା, ନିଜ ସେନାର ଗୁମର ଖୋଲିଲା ଚୀନୀ ଖବର କାଗଜ...
Advertisement

ଚୀନୀ ସେନାକୁ ତଡ଼ିଦେଲା ଭାରତୀୟ ସେନା, ନିଜ ସେନାର ଗୁମର ଖୋଲିଲା ଚୀନୀ ଖବର କାଗଜ...

ଖବର ମୁତାବକ, ପାଙ୍ଗୋଙ୍ଗ ଅଞ୍ଚଳରେ ଥିବା ଭାରତୀୟ ପରାକ୍ରମୀ ଯୋଦ୍ଧା ପୁଣି ଥରେ ଚୀନ୍ ସେନାକୁ ନିଜର ଶକ୍ତି ନେଇ ଅବଗତ କରିଛି । ଏହି ଦାବି ଚାଇନାର ଖବରକାଗଜ ଗ୍ଲୋବାଲ ଟାଇମ୍ସ ନିଜେ କହୁଛି ।

ଚୀନୀ ସେନାକୁ ତଡ଼ିଦେଲା ଭାରତୀୟ ସେନା, ନିଜ ସେନାର ଗୁମର ଖୋଲିଲା ଚୀନୀ ଖବର କାଗଜ...

ଜିନୁ ଜେନା(ନୂଆଦିଲ୍ଲୀ): ଚାଇନାର ଖବରକାଗଜ ଗ୍ଲୋବାଲ ଟାଇମ୍ସ (Global Times) ଚୀନ୍ ସେନା (China Army)ର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ମୁଖପାତ୍ରଙ୍କ ଖବରକୁ ଉଦ୍ଧୃତ କରିଛି ଯେ ଭାରତୀୟ ସେନା (Indian Army)ପୁଣି ଥରେ ଚୀନ୍ ସୈନିକଙ୍କୁ ଘଉଡ଼ାଇ ଦେଇଛି। ସେମାନେ ନିଜେ ଗୁଳି ଚଳାଇ ଚୀନୀ ସୈନ୍ୟଙ୍କୁ ଆତଙ୍କିତ କରିଥିଲେ। 

ଭାରତୀୟ ସେନାର ସାହସିକତା ବିଷୟରେ ଚୀନ୍ କହିଛି

ଖବର ମୁତାବକ ଚୀନ୍ ପୁନର୍ବାର ପୂର୍ବ ଲଦାଖରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା, ହେଲେ ଭାରତୀୟ ସେନା ପୁଣି ଥରେ ଚୀନ୍ ଅନୁପ୍ରବେଶକୁ ରୋକି ଦେଇଥିଲା । ଏହି ଘଟଣା ପାଙ୍ଗୋଗ ହ୍ରଦର ଦକ୍ଷିଣ ମୁଣ୍ଡରେ ଥିବା ଶେନପାଓ ପାହାଡ଼ ନିକଟରେ । ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ ପାର୍ଶ୍ୱରେ ଚୀନ୍ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା  ହେଲେ ଭାରତୀୟ ସେନା ଚେତାବନୀ ପାଇଁ ଫାଇରିଂ କରି ଚୀନ୍ ସୈନ୍ୟଙ୍କୁ ଫେରିଯିବାକୁ ବାଧ୍ୟ କରିଥିଲା । ଭାରତୀୟ ସେନାର ସାହସିକତାର ଏହି କାହାଣୀ ଚୀନ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଦ୍ୱାରା ପ୍ରକାଶିତ ହୋଇଛି ।

ଏମିତି ରହିଥିଲା ଘଟଣାକ୍ରମ 

ଚୀନ୍ ଅଭିଯୋଗ କରିଛି ଯେ ଭାରତୀୟ ସେନା LACରେ ଉସୁକାଇବା ଭଳି କାର୍ଯ୍ୟ କରିଛି । ଚୀନ୍ ସୈନିକଙ୍କ ଉପରେ ଗୁଳି ଚଳାଇଛି । ଚାଇନାର ଖବରକାଗଜ ଲେଖିଛି ଭାରତୀୟ ସେନା 'ପାଙ୍ଗୋଙ୍ଗ ସୋ ହ୍ରଦର ଦକ୍ଷିଣ ସୀମା ନିକଟ ଶେନପାଓ ପାହାଡ଼ ଉପରେ ଲାଇନ୍ ଅଫ୍ ଆକ୍ଚୁଏଲ୍ କଣ୍ଟ୍ରୋଲ୍ (LAC) ଅତିକ୍ରମ କରିଛି । ଏହା ପରେ ଭାରତୀୟ ସୈନିକ ବୁଝାମଣା କରିବାକୁ ଚେଷ୍ଟା କରୁଛନ୍ତି ଏବଂ PLA ର ସୀମା ପାଟ୍ରୋଲିଂରେ ନିୟୋଜିତ ସୈନିକଙ୍କୁ ଚେତାବନୀ ଦେବା ସ୍ୱରୂପ ଗୁଳି ଚଳାଇଥିଲା ।

ଘଟଣାକୁ ସ୍ୱୀକାର କରିଛି ଚୀନ୍‌ ସେନା

ଗ୍ଲୋବାଲ ଟାଇମ୍ସ ବ୍ୟତୀତ ଚାଇନାର ଆର୍ମି ପିପୁଲ୍ସ ଲିବରେସନ ଆର୍ମି (PLA)ର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ମୁଖପାତ୍ର ଝାଙ୍ଗ ଶୁଇ ଭାରତୀୟ ସେନା ବିରୋଧରେ ଅଭିଯୋଗ ଆଣି କହିଛନ୍ତି ଭାରତୀୟ ପକ୍ଷ ଦ୍ୱିପାକ୍ଷିକ ଚୁକ୍ତିନାମା ଉଲ୍ଲଂଘନ କରିଛି ।  ଏହାଦ୍ୱାରା ଏହି ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇପାରେ । ଚୀନ୍‌ର ସୈନ୍ୟ ଏହାକୁ ଏକ ଗୁରୁତର ସାମରିକ ଉତ୍ତେଜନା ବୋଲି ବିବେଚନା କରୁଛି । 

ଝାଙ୍ଗ କହିଛନ୍ତି, 'ଆମେ ଦାବି କରୁଛୁ ଭାରତ ପକ୍ଷରୁ ଯେଉଁ ବିପଜ୍ଜନକ ପଦକ୍ଷେପକୁ ବନ୍ଦ କରି ଗୁଳି ଚଳାଇଥିବା ସୈନିକଙ୍କୁ ଦଣ୍ଡିତ କରୁ ଏବଂ ଏପରି ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ଆମେ ଦାବି କରୁଛୁ । PLA ପଶ୍ଚିମ କମାଣ୍ଡ ସୈନିକ ନିଜ କର୍ତ୍ତବ୍ୟ ପାଳନ କରିବେ ଏବଂ ନିଜ ଦେଶର ଆଞ୍ଚଳିକ ସାର୍ବଭୌମତ୍ୱ ରକ୍ଷା କରିବେ । 

ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ ସେନା

ଭାରତୀୟ ସେନା ଭଲଭାବେ ଜାଣିଛି ଚୀନ୍ କୌଣସି ପ୍ରକାର ଭୁଲ ପଦକ୍ଷେପ ନେଇପାରେ । ଲଦାଖରେ ଚୀନ୍ ଦ୍ୱାରା ହୋଇଥିବା ପ୍ରତାରଣା ପରେ ସେନା ବର୍ତ୍ତମାନ ରାତ୍ରିକାଳୀନ ଲଢେଇରେ ନିଜକୁ 'ଦକ୍ଷ' କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଏଥିପାଇଁ ସେନା ନିଜର ପଦାତିକ ଯୁଦ୍ଧ ଯାନ  infantry combat vehicles(ଆଇସିଭି) କୁ ରାତ୍ରି ଯୁଦ୍ଧରେ ସକ୍ଷମ କରିବା ପାଇଁ ଆବଶ୍ୟକ ପରିବର୍ତ୍ତନ କରିବାକୁ ଯାଉଛି ।

ସେନାର ମୂଳ ପରିକଳ୍ପିତ ଯୁଦ୍ଧ ଯାନ 'ବିଏମପି-୨/୨' ର infantry combat vehicles, ର ବିକାଶ ଏବଂ ପରବର୍ତ୍ତୀ ଯୋଗାଣ ପାଇଁ ଘରୋଇ କମ୍ପାନୀଗୁଡ଼ିକରୁ ଆଗ୍ରହର ଏକ ଅଭିବ୍ୟକ୍ତି (EOI) ପାଇଁ ଆମନ୍ତ୍ରଣ କରିଛି। ଭାରତୀୟ ସେନାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବନି ସାରିଛି ଲଢୁଆ ବାହନ, 1985 ମସିହାରେ ଏହାକୁ ଅନ୍ତର୍ଭୂକ୍ତ କରାଯାଇଥିଲା ।

EOI କହିଛି ଯେ ବିଏମପି ସିଷ୍ଟମ ରାତ୍ରି କାର୍ଯ୍ୟ ପାଇଁ ଉପଯୁକ୍ତ ନୁହେଁ ଏବଂ ରାତିର ଯୁଦ୍ଧ କ୍ଷମତା ସହିତ ବିକାଶ ହେବା ଆବଶ୍ୟକ। ରାତିରେ ଯୁଦ୍ଧ କ୍ଷମତା ବିକଶିତ ହେବା ପରେ ଏହି ଯୁଦ୍ଧ ଯାନ ଯୁଦ୍ଧକ୍ଷେତ୍ରରେ ଅଧିକ ମାରାତ୍ମକ ହୋଇଯିବ । 

ସୀମାରେ ଜାରି ରହିଛି ଉତ୍ତେଜନା

ପୂର୍ବ ଲଦାଖରେ ଚୀନ୍‌ର ଅନୁପ୍ରବେଶ ପରେ ଗତ ୫ ମାସ ଧରି ଦୁଇ ଦେଶ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ସୀମାର ଉଭୟ ପାର୍ଶ୍ୱରେ ପ୍ରାୟ ଏକ ଲକ୍ଷ ସୈନିକ ଭାରି ଯନ୍ତ୍ରପାତି ସହିତ ନିୟୋଜିତ ହୋଇଛନ୍ତି । ଚୀନ୍ ସହିତ ଅନେକ ସ୍ତରରେ ସାମରିକ ଏବଂ କୂଟନୈତିକ ବୁଝାମଣା ସତ୍ତ୍ୱେ ଏହି ସମସ୍ୟାର ସମାଧାନ ହୋଇପାରି ନାହିଁ। ଏଭଳି ପରିସ୍ଥିତିରେ ଯୁଦ୍ଧର ସମ୍ଭାବନାକୁ ଦୃଷ୍ଟିରେ ରଖି ଦେଶର ତିନି ସୈନ୍ୟବାହିନୀ ନିଜ ନିଜ ସ୍ତରରେ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ।