ନବୀନଙ୍କ ନୂଆ ଯୁଦ୍ଧଂଦେହି ଡାକରା: ଜଟିଳ ହେବ ଆଞ୍ଚଳିକ ବନାମ ଜାତୀୟ ରାଜନୀତି
Advertisement
Article Detail0/zeeodisha/odisha810466

ନବୀନଙ୍କ ନୂଆ ଯୁଦ୍ଧଂଦେହି ଡାକରା: ଜଟିଳ ହେବ ଆଞ୍ଚଳିକ ବନାମ ଜାତୀୟ ରାଜନୀତି

ବିଜେଡି-ବିଜେପି ଭିତିର ସମ୍ପର୍କ ନେଇ ଆଲୋଚନା ବି ହେଉଥିଲା। କିନ୍ତୁ, ଅଚାନକ୍ ନବୀନଙ୍କ ଏହି କଠୋର ଆଭିମୁଖ୍ୟ ଏବେ ଓଡ଼ିଶା ରାଜନୀତିକୁ ଉଷ୍ମ କରିଦେଇଛି।

ନବୀନଙ୍କ ନୂଆ ଯୁଦ୍ଧଂଦେହି ଡାକରା: ଜଟିଳ ହେବ ଆଞ୍ଚଳିକ ବନାମ ଜାତୀୟ ରାଜନୀତି

ଦିନକୁ ଦିନ ବଦଳୁଛି ରାଜନୀତିର ପରିଭାଷା। ୨୦୧୪ ମସିହା ପରଠାରୁ ବିଜେପି ନିଜର ରାଜନୀତିର ସଂଜ୍ଞା ମଧ୍ୟ ବଦଳାଇଛି। ଭାରତକୁ କଂଗ୍ରେସ ମୁକ୍ତ କରିବାର ଦୃଢ ସଂକଳ୍ପ ଲଗାତାର ଭାବେ ଦୁଇ ଥର କ୍ଷମତାକୁ ଆଣିବାରେ ସଫଳ କରିଛି। ତେବେ ବିଜେପି ସରକାରର ତୃଣମୂଳ ସ୍ଥିତି କ'ଣ, ତାହା ସମସ୍ତେ ଜାଣିଛନ୍ତି। ମାତ୍ର, ସାମାଜିକ ଗଣମାଧ୍ୟମରେ କ୍ୟାମ୍ପେନିଂ ଏବଂ ପ୍ରାୟୋଜିତ କ୍ୟାମ୍ପେନ୍ ରାଜନୈତିକ ଦଳ ଗୁଡ଼ିକୁ ଅଧିକ ସକ୍ରିୟ କରିଛି। ସିଏ ଭିନ୍ନ କଥା, ରାଜ୍ୟ ରାଜନୀତିକୁ ଏବେ ପୁଣି ଥରେ ଲେଉଟିଛି ଆଞ୍ଚଳିକବାଦ ବନାମ ଜାତୀୟବାଦ ରାଜନୀତି। ବିଜୁ ଯୁବ ଜନତାର କାର୍ଯ୍ୟକାରିଣୀରେ କେନ୍ଦ୍ର ବିରୋଧି ଆନ୍ଦୋଳନର ଆଭାସ ଦେଇ ସୁପ୍ରିମୋ ନବୀନ ପଟ୍ଟନାୟକ ରାଜନୀତି ପାଣିପାଗକୁ ଉଷ୍ଣ କରି ଦେଇଛନ୍ତି। ଉଭୟ ବିଜେପି ଓ କଂଗ୍ରେସକୁ ଏମିତି ଟାର୍ଗେଟ୍ କରିଛନ୍ତି ଯେ, ଏବେ ବିରୋଧୀଙ୍କ ମୁହଁ ରାଗରେ ପାଚି ନାଲି ପଡିଯାଇଛି।

fallback

ଗତ କିଛିମାସ ଧରି କେନ୍ଦ୍ର ସରକାରଙ୍କ ପ୍ରତି ବିଜେଡିର ନରମ ଆଭିମୁଖ୍ୟ ନେଇ ରାଜନୈତିକ ଚର୍ଚ୍ଚା ହେଉଥିଲା। ବିଜେଡି-ବିଜେପି ଭିତିର ସମ୍ପର୍କ ନେଇ ଆଲୋଚନା ବି ହେଉଥିଲା। କିନ୍ତୁ, ଅଚାନକ୍ ନବୀନଙ୍କ ଏହି କଠୋର ଆଭିମୁଖ୍ୟ ଏବେ ଓଡ଼ିଶା ରାଜନୀତିକୁ ଉଷ୍ମ କରିଦେଇଛି। ଓଡ଼ିଶାବାସୀଙ୍କୁ 'ମାଲିକ' କହି ନବୀନ ପଟ୍ଟନାୟକ ନିଜକୁ ପ୍ରବୀଣ ରାଜନେତା ଭାବେ ଯେତିକି ପ୍ରତିପାଦିତ କରିଛନ୍ତି, ଦୁଇ ପ୍ରମୁଖ ଜାତୀୟ ଦଳକୁ ଅତର୍କିତ ଆକ୍ରମଣ କରି ଏକ ନୂଆ ଗୋଟିଚାଳନା ବି କରିଛନ୍ତି। ଯେକୌଣସି ମୁହୂର୍ତ୍ତରେ ପୌର ନିର୍ବାଚନ ହୋଇପାରେ। ସେହିପରି ବର୍ଷେ ପରେ ପଞ୍ଚାୟତ ନିର୍ବାଚନ ଅଛି। ତେଣୁ, ଏବେଠାରୁ ଖୋଦ୍ ଦଳର ମୁଖିଆ ସକ୍ରିୟ ହୋଇ ବିରୋଧିଙ୍କୁ ଏକ ନୂଆ ବାର୍ତ୍ତା ଦେଇଛନ୍ତି। ରାଜ୍ୟବାସୀଙ୍କୁ ନିଜର ବସ୍ କହି ଲୋକଙ୍କ ଆସ୍ଥାଭାଜନ ହେବାରେ ସଫଳ ହୋଇଛନ୍ତି। କହିବାକୁ ଗଲେ, ଆସନ୍ତା ନିର୍ବାଚନ ପାଇଁ ବିଜେଡି ନିଜର କାର୍ଯ୍ୟକାରିଣୀ ଜରିଆରେ ଏକ ପ୍ରକାର ବିଗୁଲ ବଜାଇ ଦେଇଛି। ଦଳକୁ ସାଙ୍ଗଠନିକ ସ୍ଥିତିରେ ଆହୁରି ଅଧିକ ସୁଦୃଢ଼ କରିବାକୁ ଦଳର ଏହା ନୂଆ ଷ୍ଟ୍ରାଟେଜି ବୋଲି ଚର୍ଚ୍ଚା ହେଉଛି। ପରୀ, ପିହୁ ଭଳି ଅନେକ ଅପରାଧ ଜନିତ ପ୍ରସଙ୍ଗରେ ସରକାର ଘେରି ହୋଇ ରହିଛନ୍ତି। ଏବେଠାରୁ ସେହି ଚକ୍ରବ୍ୟୁହରୁ ମୁକୁଳିବାକୁ ଯଦି ଦଳ ପ୍ରୟାସ ନକରେ, ତେବେ ଆଗାମୀ ନିର୍ବାଚନରେ ଦଳକୁ ହିଁ ଏହାର ମୂଲ ଦେବାକୁ ପଡ଼ିବ। 

fallback

ଅନ୍ୟପଟେ ବିରୋଧି ମଧ୍ୟ ଚୁପ୍ ବସିନାହାନ୍ତି। 'ପରୀ' ମାମଲାରେ ବିଜେପିର ଜାତୀୟସ୍ତରର ନେତା ଓଡ଼ିଶା ଆସି ରାଜ୍ୟ ସରକାରଙ୍କୁ ଘେରୁଛନ୍ତି। ନିକଟରେ ବିଜେପିର ନୂଆ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଓଡ଼ିଶା ଗସ୍ତ କରିଥିଲେ। ନିଜର ନୂଆ ରଣନୀତିରେ ଦଳକୁ ଆଗକୁ ବଢ଼ାଇବାକୁ ସେ ନିହାତି ଚେଷ୍ଟା କରିବେ। କାରଣ, ଦଳ ତାଙ୍କ ଉପରେ ଭରସା କରି ଏତେ ବଡ଼ ଦାୟିତ୍ୱ ଦେଇଛି। ସେହିପରି କଂଗ୍ରେସର ଶକ୍ତି ଦୁର୍ବଳ ହୋଇଥିଲେ ବି ଦଳ ପ୍ରତିଦିନ ଛୋଟମୋଟ ପ୍ରସଙ୍ଗରେ ଖବରରେ ରହୁଛି। କଂଗ୍ରେସ ମଧ୍ୟ ନିଜ ନୂଆ ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାରଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଉପରେ ମନୋବୈଜ୍ଞାନିକ ଚାପ ପକାଉଛି। ଜାନୁଆରୀ ମାସରେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧି ଓଡ଼ିଶା ଗସ୍ତରେ ଆସିବେ। ଦଳର ଆଗାମୀ ରଣନୀତି ନେଇ ନେତା କର୍ମୀଙ୍କୁ ଗୁରୁଜ୍ଞାନ ଦେବେ। ତେଣୁ, ଶକ୍ତିଶାଳୀ ହୋଇଥିଲେ ଶାସକ ଦଳ କୌଣସି ପ୍ରକାର ରିସ୍କ ନେବାକୁ ଚାହିଁବ ନାହିଁ। ସର୍ବଦା ସେଫ୍ ଜୋନର ଖେଳାଳି ଭାବେ ଅଭ୍ୟସ୍ତ ନବୀନ ପଟ୍ଟନାୟକ ଏଥର ବି କୌଣସି ପ୍ରକାର ଖରାପ ସଟ୍ ଖେଳିବାକୁ ଚାହିଁବେ ନାହିଁ। ତେଣୁ, ଏବେଠାରୁ କେନ୍ଦ୍ର ବିରୋଧୀ ଆନ୍ଦୋଳନର ଆଭାସ ଦେଇ ନବୀନ ବିରୋଧୀଙ୍କୁ ଏକ ପ୍ରକାର ଚ୍ୟାଲେଞ୍ଜ ଦେଇଛନ୍ତି। ଖୁବଶୀଘ୍ର ଦଳ କେନ୍ଦ୍ର ଅବହେଳା ଏବଂ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇ ବିଜେପିକୁ ଝାଳନାଳ କରିପାରେ।

fallback

ବର୍ତ୍ତମାନ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ସରକାରକୁ ଗାଦିଚ୍ୟୁତ କରିବାକୁ ବିଜେପି ପ୍ରାଣପଣେ ଉଦ୍ୟମ କରୁଛି। ପ୍ରତିଦିନ ସେଠାକୁ ବିଜେପିର ଜାତୀୟସ୍ତରୀୟ ନେତା ଯାଉଛନ୍ତି ଏବଂ ଦିଦିଙ୍କୁ ଖୁବ୍ ବର୍ଷୁଛନ୍ତି। ଅମିତ ଶାହ ତ ଖୋଲାଖୋଲି ଭାବେ ଦୁଇ ଶହରୁ ଅଧିକ ଆସନ ପାଇ ସରକାର ଗଠନ କରିବାକୁ ଛାତି ପିଟି ସାରିଲେଣି। ମାତ୍ର, ଦିଦିଙ୍କୁ ପରାଜୟର ସ୍ୱାଦ ଚଖାଇବା କ'ଣ ଏତେ ସହଜ ? ୨୦୧୪ ଓ ୨୦୧୯ ନିର୍ବାଚନ ସମୟରେ ବିଜେପି ଓଡ଼ିଶା ଦଖଲ କରିବା ନେଇ ଡିଣ୍ଡିମ ପିଟିଥିଲା। ୧୨୦ ପ୍ଲସ୍ ମିଶନର ନାରା ଦେଇ ବିଜେପି ନେତାମାନେ ଭାରି ଖୁସି ଥିଲେ। କିନ୍ତୁ, ବିଜେଡି ଲୋକଙ୍କୁ ଆସ୍ଥାଭାଜନ କରି ସରକାର ଗଠନ କରିଥିଲା। 

fallback

୨୦୧୯ ନିର୍ବାଚନ ପୂର୍ବରୁ ବିଜେପି ସରକାର ବିରୋଧରେ ଲଢ଼େଇ କରିବାକୁ ଆଞ୍ଚଳିକ ଦଳ ଗୁଡ଼ିକ ମଧ୍ୟରେ ଏକ ମହାମେଣ୍ଟ ନେଇ ପ୍ରସ୍ତୁତି ଚାଲିଥିଲା। ଅବଶ୍ୟ ତାହା ସଫଳ ହୋଇ ପାରି ନ ଥିଲା ଏବଂ ବିଜେପିକୁ ସରକାର ଗଠନ କରିବାରେ ଆହୁରି ସହାୟକ ହୋଇଥିଲା। ମାତ୍ର, ୨୦୧୯ ନିର୍ବାଚନ ସମୟରେ ଆଞ୍ଚଳିକ ଦଳ ଗୁଡ଼ିକ ଏକ ଉଦାହରଣ ସୃଷ୍ଟି କରିଥିଲେ। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଳି ତେଲଙ୍ଗାନାରେ କେସିଆର ମଧ୍ୟ ଜଣେ ଆଞ୍ଚଳିକ ନେତା। ତେଲଙ୍ଗାନାରେ ବିଜେପି ଭଳି ଦଳକୁ କେସିଆରଙ୍କ ଦଳ ଟିଆରଏସ ଚକମା ଦେଇ ବିଜୟ ଲାଭ କରିଥିଲା। ନବୀନଙ୍କ ସମଦୂରତା ଫର୍ମୁଲା କେତେକାଂଶରେ କେସିଆରଙ୍କୁ ବିଜୟୀ କରିଥିଲା। ମାତ୍ର, ଏହା ସମ୍ପୂର୍ଣ୍ଣ ଭାବେ ସତ ନୁହେଁ। ଟିଡିପି ସହ କଂଗ୍ରେସର ମେଣ୍ଟ ଏବଂ ଆନ୍ଧ୍ର ପ୍ରଦେଶ ଭୟ ଯୋଗୁ କେସିଆର ଉଭୟ ଦଳଠାରୁ ସମଦୂରତା ରକ୍ଷା କରି ଏହି ବିଜୟ ପାଇଥିଲେ। 

fallback

ସେହିପରି ଆନ୍ଧ୍ର ପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁଙ୍କୁ ପରାଜିତ କରି ଜଗନମୋହନ ରେଡ୍ଡୀଙ୍କ ୱାଇଏସଆର୍ କଂଗ୍ରେସ ସରକାର ଗଠନ କରିଛି। ଓଡ଼ିଶାରେ ୨୦ ବର୍ଷ ଧରି ବିଜେଡି ସରକାର ଗଠନ କରିବାରେ ସଫଳ ହୋଇଛି। ୨୦୦୯ ଯାଏ ବିଜେପି ସହ ମେଣ୍ଟ ସରକାର ଥିବାବେଳେ ୨୦୦୯ ମସିହାରୁ ନିଜ ଗୋଡ଼ରେ ଛିଡ଼ା ହୋଇଛି ବିଜୁ ଜନତା ଦଳ। ଲଗାତାର ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ କେବଳ ଓଡ଼ିଶାରେ ନୁହେଁ, ଜାତୀୟସ୍ତରରେ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି ନବୀନ ପଟ୍ଟନାୟକ। ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା, ହକି ବିଶ୍ୱକପ ଆୟୋଜନ ଆଦି ଅନେକ ପ୍ରସଙ୍ଗରେ ନବୀନ ପଟ୍ଟନାୟକ ଜାତୀୟସ୍ତରରେ ପ୍ରଶଂସା ସାଉଁଟିଛନ୍ତି। ସେପଟେ ବିଜେପି ପାଇଁ ପଶ୍ଚିମବଙ୍ଗ ବ୍ୟତୀତ ଓଡ଼ିଶା ମୁଖ୍ୟ ଫୋକସ୍। ତେଣୁ, ଦଳ କଳେବଳେ କୌଶଳେ ଏଠାରେ କ୍ଷମତାକୁ ଆସିବାକୁ ଚାହୁଁଛି। ତେଣୁ, ଆଗାମୀ ଦିନରେ ଆଞ୍ଚଳିକବାଦ ବନାମ ଜାତୀୟ ରାଜନୀତି ଅଧିକ ଜଟିଳ ହେବ,ଏଥିରେ ସନ୍ଦେହ ନାହିଁ।