ରାଜକ୍ଷମା ଆବେଦନରେ ତିହାର ବାଧକ: ଏପି ସିଂହ
Advertisement
Article Detail0/zeeodisha/odisha629799

ରାଜକ୍ଷମା ଆବେଦନରେ ତିହାର ବାଧକ: ଏପି ସିଂହ

ନିର୍ଭୟା ଦୋଷୀ ରାଜକ୍ଷମା ଆବେଦନ କରିବା ପାଇଁ ଚାହୁଁଥିବା ବେଳେ ବିଳମ୍ବ କରୁଛନ୍ତି ଜେଲ କର୍ତ୍ତୃପକ୍ଷ

ରାଜକ୍ଷମା ଆବେଦନରେ ତିହାର ବାଧକ: ଏପି ସିଂହ

ନୂଆଦିଲ୍ଲୀ: ତିହାର ଜେଲ କର୍ତ୍ତୃପକ୍ଷ କୁଆଡ଼େ ନିର୍ଭୟା ଦୋଷୀଙ୍କୁ ରାଜକ୍ଷମା ଆବେଦନ ପାଇଁ ଆବଶ୍ୟକ କାଗଜ ପତ୍ର ଦେବାରେ ବିଳମ୍ବ କରୁଛନ୍ତି । ମୁକେଶର ସିନା ରାଜକ୍ଷମା ଖାରଜ ହୋଇଛି, ଏପର୍ଯ୍ୟନ୍ତ ଅନ୍ୟ ୩ ଦୋଷୀ ଆବେଦନ ମଧ୍ୟ କରି ନାହାଁନ୍ତି । ଏମାନେ ରାଜକ୍ଷମା ଆବେଦନ କରିବା ପାଇଁ ଚାହୁଁଥିବା ବେଳେ ଜେଲ କର୍ତ୍ତୃପକ୍ଷ ଆବଶ୍ୟକ କାଗଜପତ୍ର ଦେବାରେ ବିଳମ୍ବ କରୁଛନ୍ତି । ଆଜି ଏମିତି କିଛି ଅଭିଯୋଗ କରି ପଟିଆଲା ହାଉସ କୋର୍ଟରେ ଏକ ଯାଚିକା ଦାଖଲ କରିଛନ୍ତି ନିର୍ଭୟା ଦୋଷୀଙ୍କ ଓକିଲ ଏପି ସିଂହ ।

ଯାଚିକାରେ ଦର୍ଶାଯାଇଛି, ମୁକେଶ ଭଳି ପବନ, ଅକ୍ଷୟ ଓ ବିନୟ ମଧ୍ୟ ରାଜକ୍ଷମା ଆବେଦନ କରିବାକୁ ଚାହାଁନ୍ତି । ମାତ୍ର ଜେଲ ପ୍ରଶାସନ ଆବଶ୍ୟକ କାଗଜପତ୍ର ଦେଉନାହାଁନ୍ତି । ଯେଉଁଥିପାଇଁ ସେମାନେ ଏପର୍ଯ୍ୟନ୍ତ ରାଜକ୍ଷମା ଆବେଦନ କରିପାରିନାହାଁନ୍ତି । ସେହିପରି ସୁପ୍ରିମକୋର୍ଟରେ ପବନ ଓ ଅକ୍ଷୟ କ୍ୟୁରେଟିଭ ପିଟିସନ ମଧ୍ୟ ଦାଖଲ କରିବେ ବୋଲି ଏହି ଯାଚିକାରେ ଦର୍ଶାଯାଇଛି । ପୂର୍ବରୁ ଅନ୍ୟ ୨ ଦୋଷୀ ମୁକେଶ ଓ ବିନୟର କ୍ୟୁରେଟିଭ ପିଟିସନ ଖାରଜ ହୋଇସାରିଛି । ତେବେ ଏହା ଉପରେ ପଟିଆଲା ହାଉସ କୋର୍ଟ ଆସନ୍ତାକାଲି ଶୁଣାଣି କରିପାରନ୍ତି ।

ସେହିପରି ନିର୍ଭୟା ଦୋଷୀଙ୍କ ପରିବାରକୁ ଚିଠି ଲେଖିଛନ୍ତି ତିହାର ଜେଲ କର୍ତ୍ତୃପକ୍ଷ । ଆସନ୍ତା ଫେବ୍ରୁଆରୀ ୧ ତାରିଖ ସକାଳ ୬ଟାରେ ଫାଶୀ ଦିଆଯିବ ବୋଲି ୪ ଦୋଷୀଙ୍କ ପରିବାର ବର୍ଗଙ୍କୁ ଏଥିରେ ସୂଚନା ଦିଆଯାଇଛି । ଅନ୍ତିମ ସାକ୍ଷାତ ପାଇଁ ପରିବାର ବର୍ଗଙ୍କୁ ଚିଠି ଲେଖିଲେ ଜେଲ କର୍ତ୍ତୃପକ୍ଷ । ପରିବାର ସଦସ୍ୟ କିମ୍ବା ସମ୍ପର୍କୀୟ ଦୋଷୀଙ୍କୁ ସାକ୍ଷାତ କରିବା ପାଇଁ ଚାହୁଁଥିଲେ, ତିହାର ଆସି ଦେଖା କରିପାରିବେ । ନିୟମ ଅନୁସାରେ ସେମାନଙ୍କୁ ଦୋଷୀଙ୍କ ସହ ଅନ୍ତିମ ସାକ୍ଷାତ କରାଇ ଦିଆଯିବ । ତିହାର ଜେଲ ସୂତ୍ର ଅନୁସାରେ ଚିଠି ଲେଖାଯାଇଥିବା ନେଇ ସୂଚନା ମିଳିଛି ।