ଉତ୍ତର କୋରିଆରେ ୧୧ ଦିନ ଯାଏଁ ହସିବା ଓ ମଦ ପିଇବା ଉପରେ ବ୍ୟାନ
ସଦ୍ୟ ଏହି ଦେଶର ଲାଗୁ ହୋଇଥିବା କଟକଣା ବାବଦରେ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ପ୍ୟୋଙ୍ଗଆଙ୍ଗ: ଅଜବ ଧରଣର ଆଇନ କାନୁନକୁ ନେଇ ଚର୍ଚ୍ଚାର ପରିସର ମଧ୍ୟରେ ରହିଥାଏ ଉତ୍ତର କୋରିଆ। ସଦ୍ୟ ଏହି ଦେଶର ଲାଗୁ ହୋଇଥିବା କଟକଣା ବାବଦରେ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ଡିସେମ୍ବର ୧୭ ତାରିଖ ଶୁକ୍ରବାର ଠାରୁ ଦେଶରେ ଆରମ୍ଭ ହୋଇଯାଇଛି ୧୧ ଦିନିଆ ଶୋକ ଦିବସ। ଏହି ସମୟ ମଧ୍ୟରେ ଉତ୍ତର କୋରିଆ ଲୋକଙ୍କ ଲାଗି ହସିବା, ପିଇବା ଏବଂ କିଣିବା ଉପରେ ଏବେ ପ୍ରତିବନ୍ଧକ ଲଗାଯାଇଛି। ଚଳିତ ବର୍ଷ ଦେଶ ଏହାର ପୂର୍ବତନ ସର୍ବୋଚ୍ଚ ନେତା କିମ ଜୋଙ୍ଗ ଇଲଙ୍କ ଦେହାନ୍ତର ଦଶମ ବାର୍ଷିକୀ ପାଳନ କରିବ। ସେହି କାରଣରୁ ଶୋକ ସମୟକୁ ୧୧ ଦିନକୁ ବୃଦ୍ଧି କରାଯାଇଛି। ଅନ୍ୟଥା ଏହା ୧୦ ଦିନିଆ ଅବଧି ମଧ୍ୟରେ ପ୍ରତିବର୍ଷ ପାଳନ କରାଯାଏ।
ଗତ ୨୦୧୧ ଡିସେମ୍ବର ୧୭ ତାରିଖରେ ହୃଦଘାତ ହେତୁ କିମ ଜୋଙ୍ଗ ଇଲଙ୍କ ଦେହାନ୍ତ ହୋଇଥିଲା। ୬୯ ବର୍ଷ ବୟସ୍କ ଇଲ ୧୯୯୪-୨୦୧୧ ପର୍ଯ୍ୟନ୍ତ ଦେଶକୁ ଶାସନ କରିଥିଲେ। ଏହା ପରେ ତାଙ୍କ ସାନ ପୁଅ କିମ ଜୋଙ୍ଗ ଉନ ଦେଶର ଶାସନଭାର ଗ୍ରହଣ କରିଥିଲେ।
Also Read: North କୋରିଆରେ ଖାଇବା ମନା ! ଦାମ ଶୁଣିଲେ ଉଡ଼ିଯିବ ହୋସ୍
ରେଡିଓ ଫ୍ରି ଏସିଆ ଅନୁଯାୟୀ ଏହି ନିଷେଧାଦେଶ ନିଶ୍ଚିତ ହୋଇଛି ଏବଂ ଆସନ୍ତା ୧୧ ଦିନ ଦେଶରେ ସମସ୍ତ ଛୁଟି ଦିନ କାର୍ଯ୍ୟକୁ ନିଷେଧ କରାଯାଇଛି। ଏହି ୧୧ ଦିନିଆ ଶୋକ ସମୟ ମଧ୍ୟରେ ଦେଶବାସୀ କିଣିବାକୁ କିମ୍ବା ପିଇବାକୁ ଯାଇପାରିବେ ନାହିଁ। ଯଦି କେହି ଏହି ନିୟମ ଭାଙ୍ଗନ୍ତି ତାହେଲେ ସେମାନଙ୍କୁ ଗିରଫ କରାଯିବ।
ଯଦି ଆପଣଙ୍କ ପରିବାର ସଦସ୍ୟଙ୍କ ଏହି ଶୋକ ସମୟ ମଧ୍ୟରେ ମୃତ୍ୟୁ ହୁଏ ତାହେଲେ କାନ୍ଦି ପାରିବେ ନାହିଁ। ଶୋକ ଦିବସ ପରେ ଆପଣ ଶବକୁ ଘର ବାହାରକୁ ଆଣିପାରିବେ। ଏପରିକି ଯଦି ଏହି ସମୟ ମଧ୍ୟରେ କୌଣସି ବ୍ୟକ୍ତିଙ୍କ ଜନ୍ମ ଦିନ ପଡ଼େ ତାହଲେ ସେ ଏହାକୁ ପାଳନ କରିପାରିବେ ନାହିଁ ବୋଲି ଜଣେ ସ୍ଥାନୀୟ ବାସିନ୍ଦା ରେଡିଓ ଫ୍ରି ଏସିଆକୁ କହିଛନ୍ତି।
Also Read: ପରମାଣୁ ପରୀକ୍ଷଣକୁ ନେଇ ପୁଣି ଚର୍ଚ୍ଚାରେ ଉତ୍ତର କୋରିଆ, ଭାଇରାଲ ସାଟେଲାଇଟ ଫଟୋକୁ ନେଇ ଚର୍ଚ୍ଚା
ସେ ଆହୁରି ମଧ୍ୟ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ ଅତୀତରେ ଅନେକ ଲୋକ ଶୋକ ସମୟରେ ମଦ୍ୟପାନ କରି ଧରାପଡିଥିଲେ। ସେମାନଙ୍କୁ ତୁରନ୍ତ ଗିରଫ କରାଯାଇ ସେମାନଙ୍କୁ ଆଦର୍ଶଗତ ଅପରାଧି ଭାବେ ବ୍ୟବହାର କରାଯାଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ଗିରଫ ହେବା ପରେ ଏହି ଲୋକ କେବେ ଦେଖିବାକୁ ମିଳିନାହାଁନ୍ତି।
ପିତାଙ୍କ ଦେହାନ୍ତ ଅବସରରେ କିମ ପ୍ରତିବର୍ଷ ତାଙ୍କ କବରସ୍ଥାନ ଠାରେ ତାଙ୍କୁ ସମ୍ମାନ ପ୍ରଦର୍ଶନ କରିଥାନ୍ତି। ଯେଉଁଠାରେ କିମ ଜୋଙ୍ଗ ଇଲଙ୍କ ମୃତ ଦେହ ଉତ୍ତର କୋରିଆର ପୂର୍ବତନ ରାଷ୍ଟ୍ରପତି କିମ ଇଲ ସଙ୍ଗଙ୍କ ଶବ ସହିତ ରହିଛି। ମୃତ୍ୟୁ ବାର୍ଷିକୀ ଅବସରରେ କିମ ତାଙ୍କ ପିତାଙ୍କୁ ସମ୍ମାନ ଜଣାଇ ଜାତୀୟ ସଭା ଆୟୋଜନ କରିସାରିଛନ୍ତି।
Also Read: କିମ୍ ଜୋନଙ୍କ କାରନାମା: ଉତ୍ତର କୋରିଆରେ ଖାଦ୍ୟ ସଂକଟ ଦୂର କରିବା ପାଇଁ ଜାରି କଲେ ଅଦ୍ଭୂତ ନିୟମ
ଏହି ସମୟରେ ଦେଶର ରାଷ୍ଟ୍ରୀୟ ଗଣମାଧ୍ୟମ (State Run Media) କିମ ଜୋଙ୍ଗ ଇଲଙ୍କୁ ପ୍ରଶଂସା କରୁଥିବା ପ୍ରବନ୍ଧ ପ୍ରକାଶ କରିଥିବାବେଳେ ଦେଶର ପୂର୍ବତନ ନେତାଙ୍କ ଉପରେ ଗୀତ ଏବଂ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶନ କରିଛି। ଏହା ସହିତ ଏହି ସମୟ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବାର ଯୋଜନା ରହିଛି ଯେଉଁଥିରେ କିମ ଜୋଙ୍ଗ ଇଲଙ୍କ ଫଟୋ ପ୍ରଦର୍ଶନୀ ଏବଂ ତାଙ୍କ ନାମରେ ନାମିତ ଫୁଲ ଏବଂ ଏକ ସଙ୍ଗୀତ କାର୍ଯ୍ୟକ୍ରର ଅନ୍ତର୍ଭୂକ୍ତ ରହିଛି।