Parliament Winter Session: ୧୯ ଦିନରେ ୧୯ ବିଲ୍‍: ଶେଷ ଅଧିବେଶନରେ ଘେରିବେ ବିରୋଧୀ, ସରକାର କହିବେ ସଫଳତାର ଗାଥା
Advertisement
Article Detail0/zeeodisha/odisha1989067

Parliament Winter Session: ୧୯ ଦିନରେ ୧୯ ବିଲ୍‍: ଶେଷ ଅଧିବେଶନରେ ଘେରିବେ ବିରୋଧୀ, ସରକାର କହିବେ ସଫଳତାର ଗାଥା

Parliament Winter Session 2023: ୧୯ ଦିନ ପାଇଁ ନିର୍ଦ୍ଧାରଣ କରାଯାଇଥିବା ସଂସଦର ଶୀତକାଳୀନ ଅଧିବେଶନରେ ୧୫ଟି କାର୍ଯ୍ୟଦିବସ ରହିଛି। ଏହି ଦିନଗୁଡ଼ିକରେ ସରକାର ୧୯ଟି ବିଲ୍‍ ଉପସ୍ଥାପନ କରିବାକୁ ଯାଉଛନ୍ତି। ସେଥିରେ ଦୁଇଟି ଅର୍ଥନୀତିକ ବିଲ୍‍ ରହିଛି ।

 

Parliament Winter Session 2023

ଭୁବନେଶ୍ୱର: Parliament Winter Session, ଆସନ୍ତା ୪ ତାରିଖରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ। ପ୍ରଥମଥର ଲାଗି ନୂତନ ସଂସଦ ଗୃହରେ ଏକ ପୂର୍ଣ୍ଣକାଳୀନ ଅଧିବେଶନ ବସିବ। ଏହି ଅଧିବେଶନ ହେବ ୧୭ତମ ଲୋକସଭାର ଶେଷ ଅଧିବେଶନ। ଯଦିଓ ନିର୍ବାଚନକୁ ଯିବା ପୂର୍ବରୁ ବଜେଟ ଉପସ୍ଥାପନ ପାଇଁ ଏକ ଅଧିବେଶନ ରାଷ୍ଟ୍ରପତି ଡକାଇପାରନ୍ତି କିନ୍ତୁ ତାହା କାମଚଳା  ଓ ସ୍ୱଳ୍ପକାଳୀନ ହେବ। ଏଣୁ ଏହି ଅଧିବେଶନ ଉଭୟ ଶାସକ ଓ ବିରୋଧୀଙ୍କ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ହେବ ବୋଲି ଆଲୋଚନା ହେଉଛି। ସରକାରଙ୍କ ପକ୍ଷରୁ ଏହି ଅଧିବେଶନରେ ବିଗତ ୫ ବର୍ଷରେ ସଫଳତାର ଗାଥା ଉପସ୍ଥାପ କରିବାକୁ ଲକ୍ଷ୍ୟ ରଖାଯାଇଛି। ଅପରପକ୍ଷେ ବିରୋଧୀ ଦଳ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିବାକୁ ନିଷ୍ପତ୍ତି ନେଇଛି। 

୧୯ ଦିନ ପାଇଁ ନିର୍ଦ୍ଧାରଣ କରାଯାଇଥିବା ସଂସଦର ଶୀତକାଳୀନ ଅଧିବେଶନରେ ୧୫ଟି କାର୍ଯ୍ୟଦିବସ ରହିଛି। ଏହି ଦିନଗୁଡ଼ିକରେ ସରକାର ୧୯ଟି ବିଲ୍‍ ଉପସ୍ଥାପନ କରିବାକୁ ଯାଉଛନ୍ତି। ସେଥିରେ ଦୁଇଟି ଅର୍ଥନୀତିକ ବିଲ୍‍ ରହିଛି।  ଏହାସହ ଆଇପିସି, ସିଆରପିସି, ଏଭିଡେନ୍ସ ଆକ୍ଟ ଭଳି ଗୁରୁତ୍ୱପୂର୍ଣ୍ଣ ଆଇନର ସଂଶୋଧନ ପ୍ରସ୍ତାବ ବି ସାମିଲ ରହିଛି। ଗୃହ ବିଭାଗର ତିନୋଟି ବିଲ୍‍ ସହ ୨୧ଟି ଆଇଟମ୍‍ ସରକାରୀ କାର୍ଯ୍ୟକ୍ରମ ଭାବେ ସ୍ଥିର କରାଯାଇଛି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି। ଅଧିବେଶନ ପୂର୍ବରୁ ପ୍ରଚଳିତ ପ୍ରଥାକୁ ଅନୁସରଣ କରି ଆଜି ବରିଷ୍ଠ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନେତୃତ୍ୱରେ ସର୍ବଦଳୀୟ ବୈଠକ ବସିଥିଲା। ଏଥିରେ ୨୩ଟି ରାଜନୀତିକ ଦଳର ୩୦ ଜଣ ନେତା ଯୋଗ ଦେଇଥିଲେ ।

ବୈଠକ ପରେ ଶ୍ରୀ ଯୋଶୀ କହିଛନ୍ତି ‘ ସରକାର ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ରହିଛନ୍ତି। ଢାଞ୍ଚାଗତ ଭାବେ ପ୍ରତିଟି ପ୍ରସଙ୍ଗର ଶୃଙ୍ଖଳିତ ଆଲୋଚନା ପାଇଁ ଲକ୍ଷ୍ୟ ରଖିଛନ୍ତି। ବିରୋଧୀ ଦଳର ଦାବି ବିଷୟରେ ସୂଚନା ଦେଇ ଶ୍ରୀ ଯୋଶୀ କହିଛନ୍ତି, ସର୍ବଦଳୀୟ ବୈଠକରେ ସ୍ୱଳ୍ପ ସମୟ ଭିତ୍ତିକ ଆଲୋଚନା, ଶୂନ୍ୟକାଳ, ଧ୍ୟାନ ଆକର୍ଷଣକାରୀ କାଳକୁ ବଢ଼ାଇବା ଲାଗି ଦାବି ହୋଇଥିଲା। ଆମେ ପ୍ରତି ସମୟରେ ଦୁଇଟିଯାକ ଗୃହରେ ଶୂନ୍ୟକାଳ ଆଲୋଚନା ଲାଗି ସମୟ ସୃଷ୍ଟି କରିଛୁ। ଆମେ ସବୁ ପ୍ରକାର ଆଲୋଚନା ଲାଗି ପ୍ରସ୍ତୁତ ରହିଛୁ କିନ୍ତୁ ସେମାନେ ବିତର୍କର ଧାରାକୁ ଅନୁସରଣ କରିବା ଦରକାର ବୋଲି କହିଛନ୍ତି ଶ୍ରୀ ଯୋଶୀ। 

ଏଥର ଲୋକସଭାରେ ସଦାଚାର କମିଟିର ରିପୋର୍ଟ ଆଲୋଚନାକୁ ସରଗରମ କରିପାରେ। ଏହି ରିପୋର୍ଟ ପ୍ରଶ୍ନ ପାଇଁ ଲାଞ୍ଚ ମାମଲାର ତଦନ୍ତକୁ ଆଧାର କରାଯାଇଛି। ସଦାଚାର କମିଟି ସୋମବାର ଦିନ ଏହି ରିପୋର୍ଟ ପ୍ରଦାନ କରିବାକୁ ଥିବାବେଳେ ଏଥିରେ ସାଂସଦ ମହୂଆ ମୈତ୍ରଙ୍କୁ ବହିଷ୍କାର କରିବା ପାଇଁ ସୁପାରିସ କରାଯାଇଛି। ଏହାକୁ ନେଇ ବିରୋଧୀ ଦଳ ଓ ସରକାରୀ ଦଳ ଭିତରେ ତର୍କ ବଢ଼ିପାରେ। 

ଅନ୍ୟପକ୍ଷରେ ସରକାରୀ ଦଳ ପକ୍ଷରୁ କୁହାଯାଇଛି ଯେ, ସାଧାରଣ ଲୋକଙ୍କ ସହ ସମ୍ପୃକ୍ତ ସମସ୍ତ ପ୍ରସଙ୍ଗକୁ ନେଇ ଆଲୋଚନା କରିବାକୁ  ସରକାର ପ୍ରସ୍ତୁତ ରହିଛି। ଏହି ଅଧିବେଶନରେ ମୋଦୀ ସରକାର ଦେଶବାସୀଙ୍କ ବିକାଶଲାଗି ନେିଥିବା ବିଭିନ୍ନ ବିଷୟକୁ ଉଲ୍ଲଖ କରିପାରନ୍ତି ବୋଲି କହିଛନ୍ତି।