ସିଙ୍ଘୁ ବର୍ଡର ହତ୍ୟା ଘଟଣା ପରେ ଚର୍ଚ୍ଚାରେ ନିହଙ୍ଗ ଶିଖ୍; ଜାଣନ୍ତୁ କିଏ ଏମାନେ
ଶିଖ ଧର୍ମର ଶେଷ ଧାର୍ମିକ ଗୁରୁଙ୍କ ଦ୍ୱାରା ୧୬୯୯ ମସିହାରେ ଗଠନ କରାଯାଇଥିବା ଖାଲସା ପନ୍ଥରୁ ନିହଙ୍ଗ ଶିଖଙ୍କ ଉତ୍ପତ୍ତି ହୋଇଥିଲା।
ନୂଆଦିଲ୍ଲୀ: ବେଶ ଲମ୍ବା ସମୟ ଧରି କୃଷକ ଆନ୍ଦୋଳନକୁ ନେଇ ଚର୍ଚ୍ଚାରେ ରହିଥିବା ସିଙ୍ଘୁ ବର୍ଡର ଠାରେ ଜଣେ ଯୁବକଙ୍କୁ ହତ୍ୟା କରାଯିବା ଘଟଣା ସାମ୍ନାକୁ ଆସିବା ପରେ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ନିହଙ୍ଗ ଶିଖ୍। ଏହି ଘଟଣାର ଭିଡିଓ ଫଟୋ ସୋସିଆଲ ମିଡି଼ଆରେ ବେଶ ଜୋରସୋରରେ ଭାଇରାଲ ହେଉଛି। ଏପରି ହତ୍ୟାକାଣ୍ଡରେ ନିହଙ୍ଗ ଶିଖ ଜଡିତ ରହିଥିବା ନେଇ ଅଭିଯୋଗ ହୋଇଛି।
କିଏ ଏହି ନିହଙ୍ଗ ଶିଖ? ସିଙ୍ଘୁ ବର୍ଡର ଠାରେ ଜଣେ ଯୁବକଙ୍କୁ ହତ୍ୟା କରାଯିବା ଘଟଣା ସାମ୍ନାକୁ ଆସିବା ପରେ କାହିଁକି ଚର୍ଚ୍ଚାର ପରିସରକୁ ଆସିଲେ ସେମାନେ? ଏହା ପଛରେ କେଉଁ କାରଣ ରହିଛି? ଚର୍ଚ୍ଚାରେ ରହିଥିବା ଏହି ନିହଙ୍ଗ ଶିଖଙ୍କ ଇତିହାସ କ'ଣ?
କେବେ ଇତିହାସରେ ଶିଖ ଧର୍ମର ଶେଷ ଧାର୍ମିକ ଗୁରୁ ଗୋବିନ୍ଦ ସିଂହଙ୍କ ଦ୍ୱାରା ଗଠିତ ହୋଇଥିବା ଏହି ଫୌଜର ବୀରତ୍ୱ କାହାଣୀ ଶୁଣିବାକୁ ମିଳୁଥିବା ବେଳେ ହେଲେ ଏବେ କେତେକ ଭୁଲ କାରଣ ପାଇଁ ଚର୍ଚ୍ଚାରେ ରହିଛନ୍ତି ନିହଙ୍ଗ ଶିଖ।
Also Read: ଲାଲକିଲ୍ଲାରେ ଉଡ଼ିଲା ଖଲିସ୍ତାନୀ ପତାକା?
ଗୁରୁ ଗୋବିନ୍ଦ ସିଂହଙ୍କ ଦ୍ୱାରା ୧୬୯୯ ମସିହାରେ ଗଠନ କରାଯାଇଥିବା ଖାଲସା ପନ୍ଥରୁ ନିହଙ୍ଗ ଶିଖଙ୍କ ଉତ୍ପତ୍ତି ହୋଇଥିଲା। ଏହି ଲୋକ ବର୍ତ୍ତମାନ ସମୟରେ ମଧ୍ୟ ଧର୍ମ ସମ୍ପ୍ରଦାୟ ସହ ଜଡିତ ସ୍ଥାନରେ ରହିଥାନ୍ତି। ସେମାନେ ପୁରୁଣା ଶିଖ ଯୋଦ୍ଧାଙ୍କୁ ନେଇ ଗଠିତ ଏକ ଗୋଷ୍ଠୀ।
ଅଷ୍ଟାଦଶ ଓ ଉନବିଂଶ ଶତାବ୍ଦୀରେ ମୋଗଲ ତଥା ଆଫଗାନ ଅନୁପ୍ରବେଶର ମୁକାବିଲା କରିଥିଲେ। ଆଫଗାନ ଆକ୍ରମଣକାରୀ ଅବ୍ଦାଲୀ ଶାହଙ୍କ ମୁକାବିଲା କରିବା କ୍ଷେତ୍ରରେ ନିହଙ୍ଗ ଶିଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଇତିହାସକାର ସେମାନଙ୍କୁ ପୌରାଣିକ ଏବଂ ଦୁର୍ଦ୍ଦଶ ସେନାପତି ଭାବେ ଦର୍ଶାଇଥାନ୍ତି। ଗୁରୁ ଗୋବିନ୍ଦ ସିଂହଙ୍କ ନେତୃତ୍ୱରେ ଖାଲସା ପନ୍ଥ ସହ ଜଡିତ ନିହଙ୍ଗ ଶିଖ ଅନେକ ଯୁଦ୍ଧରେ ବିଜୟୀ ହୋଇଥିଲେ।
୧୮୧୮ ମସିହାରେ ପଞ୍ଜାବ କେଶରୀ ରଣଜିତ ସିଂହଙ୍କ ସରକାର-ଏ-ଖାଲସା ଗଠନର ଶ୍ରେୟ ଅନେକାଂଶରେ ନିହଙ୍ଗ ଶିଖ ଯୋଦ୍ଧାଙ୍କୁ ଦିଆଯାଏ। ଖୁସୱନ୍ତ ସିଂହଙ୍କ ଦ୍ୱାରା ରଚିତ 'ଶିଖଙ୍କ ଇତିହାସ' ନାମକ ପୁସ୍ତକରେ ଏହା ଦର୍ଶାଯାଇଛି ମୁଲତାନ ଉପରେ ବିଜୟ ପଞ୍ଜାବ ଉପରେ ଆଫଗାନ ପ୍ରଭାବକୁ ହ୍ରାସ କରିବା ସହ ଦକ୍ଷିଣ ଭାରତରେ ମୁସଲିମ ରାଜ୍ୟର ଆଧାରକୁ ଭାଙ୍ଗି ଦେଇଥିଲା ଏବଂ ସିନ୍ଧ ଲାଗି ରାସ୍ତା ଖୋଲି ଦେଇଥିଲା। ୧୮୪୯ ମସିହାରେ ସରକାର-ଏ-ଖାଲସାର ପତ୍ତନ ନିହଙ୍ଗ ଶିଖଙ୍କ ପ୍ରଭାବକୁ ହ୍ରାସ କରିଥିଲା।
Also Read: India Against Propaganda: ଖଲିସ୍ତାନୀ ଗୋଷ୍ଠୀକୁ ସହଯୋଗ କରୁଛି ପାକିସ୍ତାନ
ନିହଙ୍ଗ ଅର୍ଥ କ'ଣ?
ସଂସ୍କୃତ, ପାର୍ସୀ, ଶିଖ ଧର୍ମର ଧର୍ମଗ୍ରନ୍ଥ ଗୁରୁ ଗ୍ରନ୍ଥ ସାହିବରେ ଏହାର ଭିନ୍ନ ଭିନ୍ନ ଅର୍ଥ ରହିଛି। ଗୁରୁ ଶବ୍ଦରେ ଏହାର ଅର୍ଥ ହେଉଛି ଖଣ୍ଡା, ଘଡିଆଳ/କୁମ୍ଭୀର, ଘୋଡା। ସେହିପରି ଗୁରୁ ଗ୍ରନ୍ଥ ସାହିବରେ ଏହାର ଅର୍ଥ ହେଉଛି ଦୁଃସାହାସୀ ବ୍ୟକ୍ତି।
ନିହଙ୍ଗଙ୍କ ପୋଷାକ, ହତିଆର ହୋଇଥାଏ ସ୍ୱତନ୍ତ୍ର
ଏମାନେ ନୀଳ ରଙ୍ଗର କପଡା଼ ପିନ୍ଧିବା ସହ ଯୁଦ୍ଧ ଶୈଳୀରେ ଅର୍ଦ୍ଧ ଚନ୍ଦ୍ରାକାର ପଗଡ଼ି ପିନ୍ଧିଥାନ୍ତି। ସେମାନେ ଖଣ୍ଡା ରଖିବା ସହ ଲୁହାର କଙ୍କଣ ପିନ୍ଧନ୍ତି। ଅଣ୍ଟାରେ ଏକ ସ୍ୱତନ୍ତ୍ର ଖଣ୍ଡା ରଖିବା ସହ ଢାଲ ବ୍ୟବହାର କରନ୍ତି। ଯୁଦ୍ଧକୁ ଯିବା ବେଳେ ସ୍ୱତନ୍ତ୍ର ଜୋତା ବ୍ୟବହାର କରିବା ସହ ଟୋଧାଦର ବନ୍ଧୁକ କିମ୍ବା ରାଇଫଲ ବ୍ୟବହାର କରିଥାନ୍ତି।
ବର୍ତ୍ତମାନ ସମୟରେ ନିହଙ୍ଗ ୩ ମଣ୍ଡଳରେ ବିଭକ୍ତ। ଯୁବକଙ୍କୁ ନେଇ ଗଠିତ ତରୁନା ଦଳ ଏବଂ ବୟସ୍କଙ୍କୁ ନେଇ ଗଠିତ ବୁଦ୍ଧ ଦଳ। ଏହା ବ୍ୟତୀତ ଏପରି କିଛି ନିହଙ୍ଗ ଅଛନ୍ତି ଯେଉଁମାନଙ୍କ ଉପରେ କୌଣସି କେନ୍ଦ୍ରର ନେତୃତ୍ୱ ନାହିଁ।
Also Read: କୃଷକ ଆନ୍ଦୋଳନ ବେଳେ ଆଇଏସଆଇ ଚଳାଇଛି ଖଲିସ୍ତାନ ଗଠନ ଅଭିଯାନ! ମିଳିଲା ଏପରି ପ୍ରମାଣ
ବିବାଦ ସହ ରହିଛି ନିହଙ୍ଗ ଶିଖଙ୍କ ପୁରୁଣା ସମ୍ପର୍କ
ନିହଙ୍ଗ ଶିଖଙ୍କ ଉପରେ ଭାଙ୍ଗ ଭଳି ମାଦକ ଦ୍ରବ୍ୟ ସେବନ କରୁଥିବା ନେଇ ଅଭିଯୋଗ ରହିଛି। ନିଶା ଦ୍ରବ୍ୟ ସେବନ କରିବା ଉପରେ ଶିଖ ଧର୍ମରେ କଟକଣା ଜାରି ହୋଇଛି। ହେଲେ ନିହଙ୍ଗ ପରମ୍ପରାର ଉଦାହରଣ ଦେଇ ଏଥିରେ ଜଡି଼ତ ଶିଖ ଏହାକୁ ଠିକ ବୋଲି ଦର୍ଶାଇଥାନ୍ତି।
ଶିଖ ବୁଦ୍ଧିଜୀବୀଙ୍କ ଅନୁସାରେ ଅନେକ ନିହଙ୍ଗ ଶିଖ ଧାର୍ମିକ ଆଚାର ସଂହିତ ତୁଳନାରେ ବାହରର ପୋଷାକ ବ୍ୟବହାର କରିବା ଉପରେ ଧ୍ୟାନ ଦେଉଛନ୍ତି।
ଅଭିଯୋଗ ଆସୁଛି ସେମାନେ ଅପରାଧିକ ତତ୍ତ୍ୱ, ଜମି ମାଫିଆ ଏବେ ନିହଙ୍ଗ ସହ ଯୋଡି ହୋଇଛନ୍ତି। ବର୍ତ୍ତମାନ କିଛି ନିହଙ୍ଗ ପ୍ରଥା ମୁଖ୍ୟଧାରା ଶିଖ ପରମ୍ପରା ଠାରୁ ଭିନ୍ନ।
ଲକଡାଉନ୍ ସମୟରେ ପଟିଆଲା ଠାରେ ପୋଲିସ ଏଏସଆଇଙ୍କ ହାତ କାଟି ଦେବା ଘଟଣାରେ ନିହଙ୍ଗ ଶିଖଙ୍କ ଭୂମିକା ସାମ୍ନାକୁ ଆସିଥାଲ।
ଚଳିତ ଜାନୁଆରୀ ୨୬ ତାରିଖରେ କୃଷକ ସଙ୍ଗଠନ ପକ୍ଷରୁ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ସମୟରେ ଏପରି ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ନିହଙ୍ଗ ଶିଖଙ୍କ ଭୂମିକାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା।