ବଣମଲ୍ଲୀ ପାଲଟିଥି କୋଟପାଡ଼ ପାଟ। ବଣମଲ୍ଲୀ ବଣରେ ଝଡ଼ିଯିବା ଭଳି ଝଡ଼ିଯିବାକୁ ବସିଛି କୋଟପାଡ଼ ପାଟ । ଏହାକୁ ଲୋକଲୋଚନକୁ ଆଣିବାକୁ ପ୍ରୟାସ କରିଛନ୍ତି ନିର୍ଦ୍ଦେଶକ ତଥା ସିନେ ନିର୍ମାତା ବିଶ୍ୱନାଥ ରଥ ।
Trending Photos
ପ୍ରଭୁଦତ୍ତ ମହାରଣା, ନୂଆଦିଲ୍ଲୀ: ନିକଟରେ ଆମାଜନ ପ୍ରାଇମରୁ ଓଡ଼ିଆ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର 'କ୍ଷଣିକ' ହଟାଇ ଦିଆଯାଇଛି। ଯାହାକୁ ନେଇ ଓଡ଼ିଶାବାସୀମାନେ ବେଶ କ୍ଷୋଭ ପ୍ରକାଶ କରିଥିଲେ। ଆମାଜନ ପ୍ରାଇମର ଏଭଳି ପଦକ୍ଷେପକୁ ନେଇ ସମଗ୍ର ରାଜ୍ୟରେ ସ୍ୱର ତୀବ୍ର ହୋଇଛି। ପୁନର୍ବାର ଆମାଜନ ପ୍ରାଇମରେ ଉକ୍ତ ସିନେମାକୁ ରିଲିଜ କରିବା ପାଇଁ ଜୋର ଧରିଛି। ତେବେ ସେ ଯାହାବି ହେଉ, ଆମାଜନ ପ୍ରାଇମରେ ରିଲିଜ ହୋଇଛି ଆଉ ଏକ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର କୋଟପାଡ଼ ଓ୍ୱିଭିଙ୍ଗ- ଦ ଷ୍ଟୋରୀ ଅଫ ରେସ ଏଗେନଷ୍ଟ ଟାଇମ।
ଦକ୍ଷିଣ ଓଡ଼ିଶାର କୋଟପାଡ଼ ପାଟକୁ ଲୋକଲୋଚନକୁ ଆଣିବାରେ ପ୍ରୟାସ କରିଛନ୍ତି ନିର୍ଦ୍ଦେଶକ ତଥା ଲେଖକ ବିଶ୍ୱନାଥ ରଥ। ବିଶ୍ୱନାଥ ନିଜ ପ୍ରଡକସନ ହାଉସ ବିଏନଆର ଫିଲ୍ମସ ମାଧ୍ୟମରେ ଏହି ସିନେମାଟିର ପ୍ରସ୍ତୁତ କରିଛନ୍ତି। ବାଇଲିଙ୍ଗୁଆଲ ବା ଇଂଲିଶ ଓ ଓଡ଼ିଆରେ ପ୍ରସ୍ତୁତ ହୋଇଛି ଏହି ସିନେମାଟି। ବିଶ୍ୱନାଥଙ୍କୁ ସହଯୋଗ କରିଛନ୍ତି କ୍ୟାମେରା ପର୍ସନ ବିଶାଲ ବାଓ୍ୱା, ଡିଜାଇନର ବିନାୟକ ଦାସଗୁପ୍ତା, ରବୀନ୍ଦ୍ର ହୋତା, ବିଜୁ ସାମ, ସାଉଣ୍ଡ ଡିଜାଇନର ସୁଦର୍ଶନ ଲିଙ୍ଗମ, ରାଜୀବ ମେହରୋତ୍ରା, ତୁଲୀକା ଶ୍ରୀବାସ୍ତବ, ରିଦ୍ଧିମା ମେହେର, ସନ୍ଦିପ ଭଟ୍ଟ ପ୍ରମୁଖ।
ଦକ୍ଷିଣ ଓଡ଼ିଶାର ଲୁଚି ଯାଉଥିବା କୋରାପୁଟର କୋଟପାଡ଼ ପାଟକୁ ନେଇ ଗତିଶୀଳ ସିନେମାର କାହାଣୀ। ସଂଘର୍ଷ କରିବା ପରେ ଗୋଟିଏ ପାଟର ପ୍ରସ୍ତୁତିକୁ ମଧ୍ୟ ବେଶ ସୁନ୍ଦର ଭାବେ ଉପସ୍ଥାପିତ କରାଯାଇଛି। ଗତିଶୀଳ କାହାଣୀ ମଧ୍ୟରେ ବୁଣାକାରମାନେ ମଧ୍ୟ ସେମାନଙ୍କର ପ୍ରସ୍ତୁତିକୁ ମଧ୍ୟ ବଖାଣିଛନ୍ତି।
ଏହି କ୍ଷୁଦ୍ର ଚଳଚ୍ଚିତ୍ରଟି ଅନ୍ତର୍ଜାତୀୟ ସ୍ତରରେ ଓଟିଟି ପ୍ଲାଟଫର୍ମ ମାଧ୍ୟମରେ ରିଲିଜ କରାଯାଇଛି। ପ୍ରାୟ ୧୫ଟି ରାଷ୍ଟ୍ରରେ ଏହି ସିନେମାଟିକୁ ରିଲିଜ କରାଯାଇଛି। ଆମେରିକା, ୟୁକେ, କାନାଡ଼ା, ଅଷ୍ଟ୍ରେଲିଆ ଓ ଅନ୍ୟ ଇଂରାଜୀ ଭାଷାବହୁଷ ରାଷ୍ଟ୍ରରେ ଏହାକୁ ରିଲିଜ କରାଯାଇଛି। ଦେଶ ମଧ୍ୟରେ ଅନେକ ପ୍ରଶଂସା ସାଉଁଟିବାରେ ସଫଳତା ହାତେଇଛି ଏହି କ୍ଷୁଦ୍ର ଚଳଚ୍ଚିତ୍ରଟି। ପୁନେ, ଶ୍ରୀନଗର, ନୂଆଦିଲ୍ଲୀ, କୋଲକାତା, ମୁମ୍ବାଇ, ଚେନ୍ନାଇ ପ୍ରମୁଖ ସହରରେ ପ୍ରଦର୍ଶିତ ହୋଇ ସିନେମାକୁ ଅନେକ ପୁରସ୍କାର ମଧ୍ୟ ମିଳିସାରିଛି। ଓଡ଼ିଶା ମଧ୍ୟରେ ଓଡ଼ିଶା ହସ୍ତତନ୍ତ କାର୍ଣ୍ଣିଭାଲ, କୋରାପୁଟ ଲିଟେରାରି ଫେଷ୍ଟିଭାଲ ପ୍ରମୁଖ ଉତ୍ସବରେ ପ୍ରଦର୍ଶିତ କରାଯାଇଛି।
ଜଣେ ରିସର୍ଚ୍ଚର ଭାବରେ ବିଶ୍ୱନାଥ ହଜିଯାଉଥିବା ଓଡ଼ିଶାର ଏହି ବସ୍ତ୍ରଶିଳ୍ପକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାରେ ଏକ ପ୍ରମୁଖ ଭୁମିକା ଗ୍ରହଣ କରିଛନ୍ତି। ସମ୍ବଲପୁରୀ ପାଟ ସହିତ ସମାନ୍ତରାଳ ଭାବେ ଆଦୃତି ଲାଭ କରିଥିବା ଏହି ପାଟ ଧୀରେଧୀରେ ଲୋକଲୋଚନରୁ ହଜିଯିବାକୁ ବସିଛି। ବିଶେଷ କରି କୋରାପୁଟ ଜିଲ୍ଲାର କୋଟପାଡ଼ରେ ଏହି ପାଟକୁ ପ୍ରସ୍ତୁତ କରୁଛନ୍ତି କିଛି ପରିବାର। ପ୍ରସ୍ତୁତ କରିବାରେ ଯେତିକି ପରିଶ୍ରମ କରିବାକୁ, ସେତିକି ମୂଲ୍ୟ ମିଳୁନଥିବା କହିଛନ୍ତି ପାଟ ପ୍ରସ୍ତୁତକାରୀ। କିନ୍ତୁ ଏହି ସିନେମାଟି ପ୍ରଦର୍ଶିତ ହେବା ପରେ ଜାତୀୟ ଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ମିଳିଛି। ବିଭିନ୍ନ ଫ୍ୟାସନ ଡିଜାଇନର ଏହାର ଭରପୁର ପ୍ରଶଂସା କରିଛନ୍ତି।
ସିନେମାକୁ ଦେଖିବା ପରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଫ୍ୟାସନ ଟେକ୍ନଲୋଜିର ନିର୍ଦ୍ଦେଶିକା ଏହାର ଭରପୁର ପ୍ରଶଂସା କରିଛନ୍ତି। ଏହାର ମାନ ତଥା ଚାହିଦାକୁ ବେଶ ପ୍ରଶଂସା କରିଛନ୍ତି ନିର୍ଦ୍ଦେଶିକା।