ପାକିସ୍ତାନର ଆଉ ଏକ ନୂଆ ଚାଲ, କରତାରପୁର ଗୁରୁଦ୍ୱାରା ଉପରେ ISIର ନିୟନ୍ତ୍ରଣ
Advertisement

ପାକିସ୍ତାନର ଆଉ ଏକ ନୂଆ ଚାଲ, କରତାରପୁର ଗୁରୁଦ୍ୱାରା ଉପରେ ISIର ନିୟନ୍ତ୍ରଣ

ସିଖଙ୍କ ପବିତ୍ର ସ୍ଥଳ କରତାରପୁର ସାହିବ ଗୁରୁଦ୍ୱାରା ଉପରେ ପାକିସ୍ତାନ ନିଜର ଅଧିକାର ସାବ୍ୟସ୍ତ କରିବା ଆରମ୍ଭ କରିଦେଇଛି। ଏହାର ନିୟନ୍ତ୍ରଣର ଦାୟିତ୍ୱ SGPC ଠାରୁ ଛଡ଼ାଇ ନିଆଯାଇ Evacuee Trust Property Board(ETPB) ନାମକ ଏକ ମୁସଲିମ କମିଟିକୁ ହସ୍ତାନ୍ତର କରିଦିଆଯାଇଛି।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଭାରତ ବିପକ୍ଷରେ ପାକିସ୍ତାନ ଆଉ ଏକ ଷଡ଼ଯନ୍ତ୍ର କରୁଥିବା ସୂଚନା ରହିଛି। କରତାରପୁରରେ ରହିଥିବା ସିଖଙ୍କ ପବିତ୍ର ସ୍ଥଳ କରତାରପୁର ସାହିବ ଗୁରୁଦ୍ୱାରା ଉପରେ ପାକିସ୍ତାନ ନିଜର ଅଧିକାର ସାବ୍ୟସ୍ତ କରିବା ଆରମ୍ଭ କରିଦେଇଛି। ଏହାର ନିୟନ୍ତ୍ରଣର ଦାୟିତ୍ୱ SGPC ଠାରୁ ଛଡ଼ାଇ ନିଆଯାଇ Evacuee Trust Property Board(ETPB) ନାମକ ଏକ ମୁସଲିମ କମିଟିକୁ ହସ୍ତାନ୍ତର କରିଦିଆଯାଇଛି।

ଏଠାରେ କହି ରଖୁଛୁ ଯେ, ଗତବର୍ଷ ନଭେମ୍ବର ମାସରେ କରତାରପୁର କରିଡ଼ର ଉଦଘାଟନୀ ଉତ୍ସବରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜକୁ ଏକ ନିସ୍ୱାର୍ଥପର ସେବକ ଭାବେ ପ୍ରମାଣିତ କରିବାକୁ ଲାଗିପଡ଼ିଥିଲେ। କିନ୍ତୁ ଏହାର ଗୋଟିଏ ବର୍ଷ ପରେ ହିଁ ପାକିସ୍ତାନର ଅସଲ ଚେହେରା  ସାମ୍ନାକୁ ଆସିଯାଇଛି।

ମିଳିଥିବା ସୂଚନା ମୁତାବକ କରତାରପୁର ସାହିବ ଗୁରୁଦ୍ୱାର ଦାୟିତ୍ୱ କାମ ଏବେ ପାକିସ୍ତାନ ସିଖ ଗୁରୁଦ୍ୱାରା ସମିତି ଠାରୁ ଛଡ଼ାଇ ନେଇ Project Management Unitକୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ଏହି ୟୁନିଟରେ ମୋଟ ୯ ଜଣ ସାମିଲ ରହିଥିବା ବେଳେ ଏହା ପାକିସ୍ତାନର Evacuee Trust Property Board ସହିତ ଜଡ଼ିତ ରହିଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଏହି ଟ୍ରଷ୍ଟର ସଦସ୍ୟଙ୍କ ମଧ୍ୟରେ ଜଣେ ମଧ୍ୟ ସିଖ ବ୍ୟକ୍ତି ବିଶେଷ ନାହାନ୍ତି। ଯାହା ସମସ୍ତଙ୍କୁ ଚକିତ କରିଛି।

ସେପଟେ ଗୁରୁଦ୍ୱାରା ରକ୍ଷଣାବେକ୍ଷଣା ଦାୟିତ୍ୱରେ ଥିବା Project Management Unitର ସିଇଓ ଦାୟିତ୍ୱ ମୋହମ୍ମଦ ତାରିକଙ୍କୁ ଦିଆଯାଇଛି। ଏହା ସହିତ ପାକିସ୍ତାନ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନୂଆ ଆଦେଶନାମାରେ ପ୍ରୋଜେକ୍ଟ ବିଜନେସ୍ ପ୍ଲାନ ସମ୍ପର୍କରେ ମଧ୍ୟ ସୂଚନା ପ୍ରଦାନ କରାଯାଇଛି। ସିଧାସଳଖ ନ ହେଲେ ମଧ୍ୟ ପରୋକ୍ଷରେ ଏହି ଗୁରୁଦ୍ୱାରାରୁ ପାକିସ୍ତାନ ସରକାର ରୋଜଗାର ପାଇଁ ବ୍ୟବସ୍ଥା କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି।

ତେବେ ଏହାରି ମଧ୍ୟରେ ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟର ସମ୍ପର୍କ ଥିବା ETBPକୁ ସମ୍ପୂର୍ଣ୍ଣ ଭାବେ ପାକିସ୍ତାନୀ ଆତଙ୍କୀ ସଂଗଠନ ଆଇଏସଆଇ ନିୟନ୍ତ୍ରଣ କରୁଛି। ଅର୍ଥାତ କରତାରପୁର ଗୁରୁଦ୍ୱାରା ଉପରେ ସିଧାସଳଖ ଭାବେ ଆଇଏସଆଇର ନିୟନ୍ତ୍ରଣ ରହିବ।

ସିଖ ସମ୍ପ୍ରଦାୟରୁ କରତାରପୁର ଗୁରୁଦ୍ୱାରାର ପରିଚାଳନାକୁ ଛଡ଼ାଇ ନେଇ ଏହାକୁ ମୁସଲମାନ କମିଟିକୁ ଦେବା ନିଷ୍ପତ୍ତି ସିଖମାନଙ୍କ ପାଇଁ ପାକିସ୍ତାନର ମାନସିକତାର ପରିବର୍ତ୍ତନ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି। ଏହି ଗୁରୁଦ୍ୱାରା ସହ ଭାରତ ତଥା ବିଶ୍ୱର ଲକ୍ଷ ଲକ୍ଷ ସିଖଙ୍କ ଆସ୍ତା ଯୋଡି ହୋଇରହିଛି । ସେପଟେ ପାକିସ୍ତାନରେ ଅନ୍ୟ ଧର୍ମର କେତେ ସ୍ୱାଧିନତା ରହିଛି ତାହା ଏହି ଘଟଣାରୁ ସ୍ଫଷ୍ଟ ଜଣାପଡୁଛି। କାରଣ ଗୁରୁଦ୍ୱାରାର ରକ୍ଷଣାବେକ୍ଷଣ ପାଇଁ ନିର୍ମିତ ନୂତନ ଅନୁଷ୍ଠାନରେ କୌଣସି ସିଖ ସଦସ୍ୟ ନାହାଁନ୍ତି। ଆଉ ଆଇଏସଆଇ ସହିତ ନୂତନ ମ୍ୟାନେଜମେଣ୍ଟ ବୋର୍ଡର ଏକ ଗଭୀର ସମ୍ପର୍କ ଅଛି। କାରଣ ଏହାର ପ୍ରଥମ ମୂଖ୍ୟ ଆଇଏସଆଇ ମୁଖ୍ୟ ଜାଭେଦ ନାସିର ଥିଲେ।