ପୁରୁଣା ଘର ଖୋଳିବା ବେଳେ ବାହାରିଲା ସୁନାରୂପା, ଧନସମ୍ପତ୍ତି ନେଇଗଲେ ଶ୍ରମିକ
Advertisement
Article Detail0/zeeodisha/odisha720438

ପୁରୁଣା ଘର ଖୋଳିବା ବେଳେ ବାହାରିଲା ସୁନାରୂପା, ଧନସମ୍ପତ୍ତି ନେଇଗଲେ ଶ୍ରମିକ

ଘର ଖୋଳିବା ସମୟରେ ମିଳିଥିବା ଧନସମ୍ପତ୍ତିକୁ ନେଇ ଯାଇଥିବା ଶ୍ରମିକଙ୍କୁ ଅଟକ ରଖିଛି ପୋଲିସ । 

ପୁରୁଣା ଘର ଖୋଳିବା ବେଳେ ବାହାରିଲା ସୁନାରୂପା, ଧନସମ୍ପତ୍ତି ନେଇଗଲେ ଶ୍ରମିକ

ଭୋପାଳ: ଭାରତକୁ ସୁନାର ଦେଶ ବୋଲି କୁହାଯାଏ । କାରଣ ଏଠାରେ ସମୟ ସମୟରେ ବିଭିନ୍ନ ସ୍ଥାନରେ ହେଉଥିବା ନିର୍ମାଣ ଅଥବା ଅନ୍ୟ କୌଣସି କାର୍ଯ୍ୟ କରିବା ଲାଗି ଖୋଳିବା ସମୟରେ ସୁନାରୂପା ଭଳି ଅନେକ ମୂଲ୍ୟବାନ ପଦାର୍ଥ ମିଳିଥାଏ । ଏପରି ଅନେକ ଘଟଣା ସାମ୍ନାକୁ ଆସିଥାଏ । ସଦ୍ୟ ଏହାର ଉଦାହରଣ ଦେଖିବାକୁ ମିଳିଛି ମଧ୍ୟ ପ୍ରଦେଶର ଉଜ୍ୱୈନ ଜିଲ୍ଲାରେ।      

ଜିଲ୍ଲାର ମହିଦପୁର ନାମକ ସ୍ଥାନରେ ଏକ ୧୦୦ ବର୍ଷ ତଳର ପୁରୁଣା ଘରକୁ ଖୋଳିବା ସମୟରେ ବହୁ ମୂଲ୍ୟବାନ ଅଳଙ୍କାର ଏବଂ ମୁଦ୍ରା ମିଳିଥିଲା । ଯାହାକୁ ଏହି ଘର ଖୋଳିବା କାର୍ଯ୍ୟରେ ନିୟୋଜିତ ଶ୍ରମିକ ନେଇଯାଇଥିବାର କୁହାଯାଉଛି । ଏ ଘଟଣା ବାବଦରେ ଖବର ପାଇ ସ୍ଥାନୀୟ ପୋଲିସ ବିଳମ୍ବିତ ରାତିରେ ଘଟଣାସ୍ଥଳରେ ପହଞ୍ଚିବା ସହ ସେଠାରେ କାର୍ଯ୍ୟ କରୁଥିବା ୩ଜଣ ଶ୍ରମିକଙ୍କୁ ଅଟକ ରଖିଛି ।

ଏଘଟଣାରେ ପୋଲିସ ପକ୍ଷରୁ କୁହାଯାଇଛି ଘର ଖୋଳିବା କାର୍ଯ୍ୟରେ ନିୟୋଜିତ ଥିବା ୨ ଶ୍ରମିକଙ୍କ ନିକଟରୁ ପ୍ରାୟ ୫ କିଲୋଗ୍ରାମ ରୂପା ଏବଂ ୨୦୦ ଗ୍ରାମ ସୁନା ଜବତ କରାଯାଇଛି। ମହୀଦପୁରର ଘାଟିରେ ରହୁଥିବା ଓକିଲ ବିଜୟନ୍ଦ୍ର ଏବଂ ସୁରେନ୍ଦ୍ର ଦୁବେଙ୍କ ୧୦୦ ବର୍ଷର ପୁରୁଣା ଘରକୁ ଭାଙ୍ଗି ଏକ ନୂତନ ଗୃହ ନିର୍ମାଣ କରାଯାଉଥିଲା। 

ବୁଧବାର ଘର ଖୋଳିବା ସମୟରେ ଏଠାରେ କାମ କରୁଥିବା ଶ୍ରମିକ ୨ଟି ବଡ଼ ବଡ଼ ହାଣ୍ଡି ଦେଖିଥିଲେ । ଯେତେବେଳେ ସେମାନେ ଏହାକୁ ଖୋଲିଥିଲେ, ସେତେବେଳେ ଏହା ମଧ୍ୟରେ ସୁନାରୂପା ସମେତ ବିଭିନ୍ନ ମୂଲ୍ୟବାନ ପଦାର୍ଥ ସେମାନଙ୍କୁ ମିଳିଥିଲା । ଲୋଭର ବଶବର୍ତ୍ତୀ ହେବା ସହ ଘର ମାଲିକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ସେମାନେ ଏହି ହାଣ୍ଡିକୁ ନେଇ ଫେରାର ହୋଇଯାଇଥିଲେ ।  

ସନ୍ଧ୍ୟାରେ ଘର ମାଲିକଙ୍କୁ ଏନେଇ ଖବର ମିଳିବା ପରେ ସେ ଏ ଘଟଣା ବାବଦରେ ପୋଲିସକୁ ଜଣାଇଥିଲେ। ଅଭିଯୋଗ ପାଇବା ପରେ ମହିଦପୁର ପୋଲିସ ଏ ମାମଲାରେ କାର୍ଯ୍ୟାନୁଷ୍ଠାନ କରିଥିଲା। ଏ ଘଟଣାରେ ପ୍ରତିକ୍ରିୟା ରଖି ସ୍ଥାନୀୟ ଏସଡିଏମ ରାମପ୍ରସାଦ ବର୍ମା କହିଛନ୍ତି ପୋଲିସ ଧନସମ୍ପତ୍ତ ନେଇଥିବା ଏହି ୩ ଶ୍ରମିକଙ୍କୁ ଅଟକ ରଖିବା ସହ ସେମାନଙ୍କ ଘରୁ ଅଳଙ୍କାର ଜବତ କରିଛି। ପୋଲିସ ଅଟକ ରହିଥିବା ଶ୍ରମିକଙ୍କ ଘରୁ ୫ କିଲୋଗ୍ରାମ ରୂପା ଅଳଙ୍କାର ଏବଂ ପ୍ରାୟ ୨୦୦ ଗ୍ରାମ ପୁରୁଣା ସୁନା ଅଳଙ୍କାର ଜବତ କରିଛି। 

ଜବତ ହୋଇଥିବା ଅଳଙ୍କାରରେ ୧୮୦୦ ମସିହାର ମୋଗଲ ଶାସନ ସମୟରେ ପ୍ରଚଳିତ ଥିବା ମୁଦ୍ରା ମଧ୍ୟ ମିଳିଛି । ଏବେ ପୋଲିସ ଏ ମାମଲାରେ ଜଡିତ ଶ୍ରମିକଙ୍କୁ ପଚରାଉଚରା କରିବା ସହ ପୁରୁଣା ଘର ତଳୁ ମିଳିଥିବା ବଳକା ସୁନାରୂପାକୁ ଉଦ୍ଧାର କରିବା ଲାଗି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।