Agnipath scheme: ବିରୋଧରେ ଦେଶବ୍ୟାପୀ ପୋଡ଼ାଜଳା, ସରକାର ନିରବ
Advertisement

Agnipath scheme: ବିରୋଧରେ ଦେଶବ୍ୟାପୀ ପୋଡ଼ାଜଳା, ସରକାର ନିରବ

Agnipath scheme: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଥମୁନି ଆନ୍ଦୋଳନ। ଧୀରେ ଧୀରେ ଦଙ୍ଗାର ପରିସୀମା ବୃଦ୍ଧି ପାଉଛି। ସରକାର ବୟସସୀମା ପରିବର୍ତ୍ତନ କଲାପରେ ମଧ୍ୟ ବିକ୍ଷୋଭକାରୀମାନେ ସନ୍ତୁଷ୍ଟ ନାହାନ୍ତି।

ଡିଜାଇନ୍ ଫଟୋ

Agnipath scheme, ନୂଆଦିଲ୍ଲୀ: ଭାରତୀୟ ସେନାର ଶକ୍ତିବୃଦ୍ଧି କରିବାକୁ ଯାଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଅଗ୍ନିପଥ ସ୍କିମ୍। କିନ୍ତୁ ଏହି ନିଯୁକ୍ତି ୪ ବର୍ଷ ପାଇଁ ଠିକା କ୍ରମରେ ହୋଇଥିବାରୁ ଏହାକୁ ନେଇ ବିଭିନ୍ନ ରାଜ୍ୟରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି। ଅଗ୍ନିପଥ ନିଯୁକ୍ତି ଯୋଜନାକୁ ଦେଶବ୍ୟାପୀ ବିରୋଧ କରାଯାଇଛି। ଏହାକୁ ବିରୋଧ କରି ଗତ ଗୁରୁବାର ପ୍ରତିବାଦକାରୀମାନେ ବିହାର ଏବଂ ଉତ୍ତର ପ୍ରଦେଶରେ ଟ୍ରେନରେ ନିଆଁ ଲଗାଇ ଦେବା ସହିତ ରାସ୍ତା ରୋକ କରିଥିଲେ। ଏଥିସହ ପୁଲିସ ସହ ମଧ୍ୟ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି। ସେନାର ଅଗ୍ନିପଥ ଯୋଜନାକୁ ନେଇ ବିଶାଖାପାଟଣାରେ ଗୁଳିମାଡ଼ ହୋଇଛି। ଏହି ଉତ୍ତେଜନାର ପୁଲିସ ଗୁଳିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିସହ ଗୁଳିମାଡ଼ରେ ୩ ଜଣ ଗୁରୁତର ହୋଇଛନ୍ତି। ଅନ୍ୟପକ୍ଷରେ ଟ୍ରେନରେ ନିଆଁ ଲଗାଇ ଦେଇଛନ୍ତି ଆନ୍ଦୋଳନକାରୀ। ଭଙ୍ଗାରୁଜା ବେଳେ କିଛି ସ୍ଥାନରେ ପୁଲିସ ସହ ମୁହାଁମୁହିଁ ସ୍ଥିତି ଉପୁଜିଛି। 

ବିହାରର ବେଗୁସରାଇ ଅନ୍ତର୍ଗତ ଲକ୍ଷୀସରାଇ ଷ୍ଟେସନରେ ଆନ୍ଦୋଳନକାରୀମାନେ ଟ୍ରେନ୍ ଜାଳି ଦେଇଛନ୍ତି। ସେହିପରି ଲଖମିନିଆରେ ରେଳ ଷ୍ଟେସନରେ ନିଆଁ ଲଗାଇ ଦେଇଛନ୍ତି ଆନ୍ଦୋଳନକାରୀ। ଏହାସହିତ ଆରାରା, ବକ୍ସର ଓ ବେତିହାରେ  ମଧ୍ୟ ଜୋରଦାର ପ୍ରତିବାଦ ଦେଖିବାକୁ ମିଳିଛି।  ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପୋଡ଼ାଜଳା କରିବା ସହ ବିକ୍ଷୋଭ କରୁଛନ୍ତି। ଉତ୍ତର ପ୍ରଦେଶ ବଲିଆରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି। ତେଲେଙ୍ଗାନାର ସିକନ୍ଦରାବାଦରେ ମଧ୍ୟ ଟ୍ରେନ୍ ଜାଳି ଦେଇଛନ୍ତି ବିକ୍ଷୋଭକାରୀ। ଆଜି ମଧ୍ୟ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ବିହାର (ବିହାର) ସମେତ ଉତ୍ତରପ୍ରଦେଶ, ଓଡ଼ିଶା, ଦିଲ୍ଲୀ, ପଶ୍ଚିମବଙ୍ଗ, ତେଲେଙ୍ଗାନା ସମେତ ୧୧ଟି ରାଜ୍ୟରେ ଯୁବକମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି। 

 

ବିହାରର ସାମସ୍ତିପୁରରେ ଯୁବକମାନେ ଆଜି ସକାଳେ ଜାମ୍ମୁ ତାୱି-ଗୁଆହାଟି ଏକ୍ସପ୍ରେସ ଟ୍ରେନରେ ନିଆଁ ଲଗାଇ ଦେଇଥିଲେ। ଯେଉଁଥିରେ ଟ୍ରେନର ଦୁଇଟି ବଗି ପୋଡି ଯାଇଥିଲାବେଳେ ୟୁପିର ବାଲିଆରେ ଯୁବକମାନେ ଅନେକ ଟ୍ରେନ୍ ଭଙ୍ଗାରୁଜା କରିଥିଲେ। ସମ୍ପ୍ରତି ପାଟନାରେ ଅବସ୍ଥାନ କରୁଥିବା ବିହାରର ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀଙ୍କର ପଶ୍ଚିମ ଚମ୍ପାରଣ ଜିଲ୍ଲା ଅନ୍ତର୍ଗତ ବେତ୍ତିହା ସ୍ଥିତ ବାସଭବନରେ ଆକ୍ରମଣ କରିଛନ୍ତି। ତେଲେଙ୍ଗାନାର ସିକନ୍ଦରାବାଦ ରେଳ ଷ୍ଟେସନରେ ବିକ୍ଷୋଭକାରୀମାନେ କିଛି ଟ୍ରେନର ବଗି ପୋଡି ଦେବା ସହ ଯାତ୍ରୀମାନଙ୍କ ଉପରେ ପଥର ଫିଙ୍ଗିଥିଲେ। ପଶ୍ଚିମବଙ୍ଗର ଐତିହାସିକ ହାୱଡା ବ୍ରିଜରେ ମଧ୍ୟ ଅଗ୍ନିପଥ ଯୋଜନା ବିରୋଧରେ ପ୍ରତିବାଦ କରାଯାଇଥିଲା ଯେଉଁଠାରେ ପୋଲିସ ତୁରନ୍ତ ବିକ୍ଷୋଭକାରୀଙ୍କୁ ହଟାଇଥିଲା। ଦିଲ୍ଲୀର ITOରେ ଅଗ୍ନିପଥ ସ୍କିମ୍ ବିରୋଧରେ ଯୁବପୀଢ଼ିଙ୍କ ବିକ୍ଷୋଭ ପ୍ରଦର୍ଶନ ପରେ ITOରେ ଥିବା  ମେଟ୍ରୋ ଗେଟ୍କୁ ବନ୍ଦ କରାଯାଇଛି। ପୋଲିସ ସହିତ ଠେଲାପେଲା ବେଳେ ଜଣେ ଛାତ୍ର ଆହତ ହୋଇଥିବା କୁହାଯାଉଛି। ଏଥିସହିତ ବିକ୍ଷୋଭକାରୀଙ୍କୁ ଅଟକ ରଖାଯାଇଛି। 

Also Read: Agnipath scheme: 'ଅଗ୍ନିପଥ' ପାଇଁ ଅଗ୍ନିକାଣ୍ଡ, ବିରୋଧ ପରେ ବଡ଼ ପରିବର୍ତ୍ତନ କଲେ ସରକାର

ପୂର୍ବ କେନ୍ଦ୍ରୀୟ ରେଳ ଅଧୀନରେ ଥିବା ବିଭିନ୍ନ ଷ୍ଟେସନରେ ବିକ୍ଷୋଭକାରୀଙ୍କ ଗତିବିଧି ଯୋଗୁଁ ଟ୍ରେନ୍ ସେବା ପ୍ରଭାବିତ ହୋଇଛି। ମାଲଦା ଟାଉନ୍ - ଲୋକମାନ୍ୟ ତିଲକ (ଟି) ଏକ୍ସପ୍ରେସ ଏବଂ ହାୱଡା-ନୂଆଦିଲ୍ଲୀ ଦୁରନ୍ତ ଏକ୍ସପ୍ରେସକୁ ବାତିଲ କରାଯାଇଛି। ଅନ୍ୟପଟେ ଓଡିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ରେ ବିକ୍ଷୋଭକାରୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ଆର୍ମି ଅଫିସ୍ ଆଗରେ ବିରୋଧ ପ୍ରଦର୍ଶନ କରିବା ସହ ରାସ୍ତାରୋକ କରିଛନ୍ତି । ତେବେ ରିଙ୍ଗ୍ ରୋଡ୍‌ରେ ରାସ୍ତା ଅବରୋଧ କରିବାବେଳେ ପୋଲିସ୍‌ ବିକ୍ଷୋଭକାରୀଙ୍କ ଉପରକୁ ଲାଠିମାଡ଼ କରିଥିବା ଜଣାପଡ଼ିଛି।

ତେବେ ସେନାରେ ଭର୍ତ୍ତି ପାଇଁ ସରକାର ଆଣିଥିବା ‘ଅଗ୍ନିପଥ ଯୋଜନା’ରେ ଚାକିରି ସର୍ତ୍ତାବଳୀକୁ ତ୍ରୀବ ବିରୋଧ କରାଯାଇଥିଲା । ଗତକାଲିର ବିରୋଧ ପ୍ରଦର୍ଶନପରେ ଚେତିଛନ୍ତି ସରକାର।  ଏହା ପରେ କେନ୍ଦ୍ର ସରକାର ଚାକିରି ନିୟମ ପରିବର୍ତ୍ତନ କରିଛନ୍ତି। ମୁଖ୍ୟତଃ ଏହି ଯୋଜନାରେ ସର୍ବାଧିକ ବୟସ ସୀମା(Upper age limit) ୨୧ରୁ ୨୩କୁ ବୃଦ୍ଧି କରିଛନ୍ତି ।  ପୂର୍ବରୁ ସେନାରେ ପ୍ରବେଶ ପାଇଁ ବୟସ ଯୋଗ୍ୟତା ୧୭.୫ରୁ ୨୧ ବର୍ଷ ପର୍ଯ୍ୟନ୍ତ ରହିଥିଲା । ତଥାପି ବିକ୍ଷୋଭକାରୀମାନେ ସନ୍ତୁଷ୍ଟ ନଥିବା ଜଣାପଡ଼ିଛି ।

 

ଅନ୍ୟପଟେ ଏହାକୁ ନେଇ ବୟାନବାଜି ଆରମ୍ଭ ହୋଇଯାଇଛି। କଂଗ୍ରେସ ନେତା ତଥା ସାଂସଦ ମନୀଷ ତେୱାରୀ (Manish Tewari) ଗୁରୁବାର ଅଗ୍ନିପଥ ଯୋଜନାରେ ତାଙ୍କ ଦଳର ଆଭିମୁଖ୍ୟଠାରୁ ଭିନ୍ନ ମତ ରଖି କହିଛନ୍ତି ଯେ, ନୂଆ ଅଗ୍ନିପଥ ଯୋଜନା ସଠିକ୍ ଦିଗରେ ଏକ ସଂସ୍କାର। ସେ ଟୁଇଟ୍(Tweet) କରି କହିଛନ୍ତି ଯେ, ଅଗ୍ନିପଥ ନିଯୁକ୍ତି ପ୍ରକ୍ରିୟାକୁ ନେଇ ସମ୍ପୃକ୍ତ ଯୁବକମାନଙ୍କ ସହ ମୁଁ ସହାନୁଭୂତି ଦେଖାଉଛି। ବାସ୍ତବତା ହେଉଛି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରଯୁକ୍ତିବିଦ୍ୟା ସହିତ ସଜ୍ଜିତ ଭାରତର ଏକ ଯୁବ ସଶସ୍ତ୍ର ବାହିନୀର ଆବଶ୍ୟକତା ରହିଛି। ସଶସ୍ତ୍ର ବାହିନୀ ପାଇଁ ନିଯୁକ୍ତି ଗ୍ୟାରେଣ୍ଟି କାର୍ଯ୍ୟକ୍ରମ ହେବା ଉଚିତ ନୁହେଁ। ଦଶନ୍ଧି ଦଶନ୍ଧି ଧରି ପୁରୁଣା ଚୟନ ପ୍ରକ୍ରିୟାରେ ଏକ ପ୍ରମୁଖ ପରିବର୍ତ୍ତନର ଅଂଶ ହେଉଛି ଏହି ଯୋଜନା। କଂଗ୍ରେସ ଏହି ଯୋଜନା ଉପରେ ସରକାରଙ୍କୁ ସମାଲୋଚନା କରିଥିବାରୁ ଏହାକୁ ସ୍ଥଗିତ ରଖିବାକୁ ଦାବି କରିଥିବାରୁ ତାଙ୍କ ବିବୃତ୍ତି ତାଙ୍କ ଦଳର ଆଭିମୁଖ୍ୟର ବିରୋଧୀ। 

Also Read: 'ଅଗ୍ନିପଥ'କୁ ନେଇ ବାୟୁସେନା ମୁଖ୍ୟଙ୍କ ବଡ଼ ବୟାନ; ଏହି ତାରିଖରୁ ଆରମ୍ଭ ନିଯୁକ୍ତି ପ୍ରକ୍ରିୟା

ବିଶେଷଜ୍ଞ ଏବଂ ଅନ୍ୟମାନଙ୍କ ସହ ବ୍ୟାପକ ପରାମର୍ଶ ପରେ ହିଁ ଏହି ପରିପ୍ରେକ୍ଷୀରେ ପରବର୍ତ୍ତୀ ପଦକ୍ଷେପ ନିଆଯିବା ଉଚିତ ବୋଲି କଂଗ୍ରେସ କହିଛି। ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ରେଣୁ ଦେବୀ କହିଛନ୍ତି, 'ଏଭଳି ହିଂସାକାଣ୍ଡ ସମାଜ ପାଇଁ ବଡ଼ ବିପଜ୍ଜନକ। ପ୍ରତିବାଦକାରୀମାନେ ମନେରଖିବା ଉଚିତ ଯେ, ଏହା ସମାଜ ପାଇଁ ହାନିକାରକ। ରାସ୍ତାରେ ଓଲ୍ହାଇଥିବା ଛାତ୍ରମାନଙ୍କ କ୍ରୋଧକୁ କମ କରିବା ପାଇଁ କେନ୍ଦ୍ର ସରକାର ଅଗ୍ନିପଥ ନିଯୁକ୍ତି ଯୋଜନାରେ ଏକ ବଡ଼ ସଂଶୋଧନ କରିଛନ୍ତି।'

ଅଗ୍ନିପଥ ସ୍କିମକୁ ନେଇ ୱେଷ୍ଟର୍ଣ୍ଣ କମାଣ୍ଡ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ନବ କୁମାର ଖଣ୍ଡୁରୀ(Lt.General Nav Kumar Khanduri) କହିଛନ୍ତି ଯେ, ଅଗ୍ନିପଥ  ଦାୟିତ୍ୱ ସଂପନ୍ନ ନାଗରିକ ଭେଟି ଦେବ। ୪ ବର୍ଷ ପରେ ଅଗ୍ନିବୀରମାନେ ଶୃଙ୍ଖଳିତ, ଦକ୍ଷ ମଣିଷ ହୋଇ ବାହାରିବେ। ୪ ବର୍ଷର ଚାକିରି ପରେ ଯେତେବେଳେ ସେମାନେ ଫେରିବେ ସେମାନଙ୍କ ନୂଆ ପରିଚୟ ସୃଷ୍ଟି ହେବ। ସମାଜକୁ ଜଣେ ଦକ୍ଷ, ଦାୟିତ୍ୱସଂପନ୍ନ ଏବଂ ଶୃଙ୍ଖଳିତ ଯବାନ ଭେଟି ଦେବ ଅଗ୍ନିପଥ। ତା’ସହ ୪ ବର୍ଷ ପରେ ସେମାନେ କିପରି କର୍ମ ନିଯୁକ୍ତି ପାଇବେ ସେ ନେଇ ବି ଯୋଜନା ପ୍ରସ୍ତୁତ ହୋଇଛି ବୋଲି ସେ କହିଛନ୍ତି।

 

ଅନ୍ୟପଟେ ଅଗ୍ନିପଥ ଯୋଜନା ବିରୋଧରେ ଜଳୁଥିବା ନିଆଁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଗୃହମନ୍ତ୍ରୀ ରାଜନାଧ ସିଂହ ନିରବ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ସେମାନେ ବିକ୍ଷୋଭକାରୀଙ୍କୁ ସନ୍ତୁଷ୍ଟ କରିବା ଭଳି କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ଟ୍ୱିଟରରେ ପ୍ରତିରକ୍ଷା ମନ୍ତ୍ରୀ ଓ ଗୃହମନ୍ତ୍ରୀ କେବଳ ଅଗ୍ନିବୀର ନିଯୁକ୍ତି ବୟସ ସୀମା ଦୁଇ ବର୍ଷ ବୃଦ୍ଧି କରାଯାଇଥିବା ବିଷୟରେ ସୂଚନା ଦେଇଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ହିଂସାକାଣ୍ଡକୁ ନେଇ କୌଣସି ପ୍ରତିକ୍ରିୟା ଆସିନାହିଁ। କେବଳ ପ୍ରଧନମନ୍ତ୍ରୀ ନୁହଁନ୍ତି ଅନ୍ୟ ରାଜ୍ୟର ବିଜେପି ତଥା ଅଣ ବିଜେପି ଶାସିତ ସରକାର ମଧ୍ୟ ଶାନ୍ତି ଶୃଙ୍ଘଳା ବଜାୟ ରଖିବାକୁ ଅପିଲ କରିନାହାନ୍ତି।