ସରକାରୀ କାର୍ଯ୍ୟକ୍ରମରେ ବିନା ବାଦ୍ୟର ପରିବେଷଣ ହେବ 'ବନ୍ଦେ ଉତ୍କଳ ଜନନୀ'
Advertisement

ସରକାରୀ କାର୍ଯ୍ୟକ୍ରମରେ ବିନା ବାଦ୍ୟର ପରିବେଷଣ ହେବ 'ବନ୍ଦେ ଉତ୍କଳ ଜନନୀ'

'ବନ୍ଦେ ଉତ୍କଳ ଜନନୀ'କୁ ମିଳିଲା ରାଜ୍ୟ ସଙ୍ଗୀତ ମାନ୍ୟତା

ସରକାରୀ କାର୍ଯ୍ୟକ୍ରମରେ ବିନା ବାଦ୍ୟର ପରିବେଷଣ ହେବ 'ବନ୍ଦେ ଉତ୍କଳ ଜନନୀ'

ମଳୟ ମହାନ୍ତି, ଭୁବନେଶ୍ୱର: 'ବନ୍ଦେ ଉତ୍କଳ ଜନନୀ'କୁ ମିଳିଲା ରାଜ୍ୟ ସଙ୍ଗୀତର ମାନ୍ୟତା । ରାଜ୍ୟ କ୍ୟାବିନେଟ ଏଥିରେ ମୋହର ଲଗାଇଛି । ଏହି ସଙ୍ଗୀତକୁ 'ସରକାରୀ ମାନ୍ୟତା' ଦେବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି । ବିଧାନସଭାରେ ବିଧିବଦ୍ଧ ବିଲ୍ ଆସିବା ପରେ ଏହା ରାଜ୍ୟ ସଙ୍ଗୀତ ଭାବେ କାର୍ଯ୍ୟ କରିବ । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଏହାକୁ ରଚନା କରିଥିଲେ । 

କାନ୍ତକବିଙ୍କର ଏହି କାଳଜୟୀ ରଚନା ‘ବନ୍ଦେ ଉତ୍କଳ ଜନନୀ’ ୧୯୧୨ ମସିହାରୁ ଉତ୍କଳ ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଗାନ କରାଯାଇ ଆସୁଛି । ୧୯୩୬ ଏପ୍ରିଲ ପହିଲାରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠିତ ହେବା ସମୟରୁ ବନ୍ଦେ ଉତ୍କଳ ଜନନୀ ରାଜ୍ୟ ସଙ୍ଗୀତ ଭାବରେ ପ୍ରତିଟି ଓଡିଆର ହୃଦୟରେ ଓ ଭାବନାରେ ରହି ଆସିଛି । ୧୯୯୪ ମସିହା ନଭେମ୍ବର ୭ ତାରିଖ ଦିନ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ତଥା ବିଧାନସଭାର ତତ୍କାଳୀନ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ‘ବନ୍ଦେ ଉତ୍କଳ ଜନନୀ’କୁ ବିଧାନ ସଭାର ପ୍ରତି ଅଧିବେଶନର ଶେଷ ଦିବସରେ ଉଦ୍‌ଯାପନୀ ସଙ୍ଗୀତ ଭାବରେ ଗାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ତାହା ଅଦ୍ୟାବଧି ପାଳିତ ହୋଇ ଆସୁଛି । ପରବର୍ତ୍ତୀ ସମୟରେ ବିଧାନସଭାର ବୈଠକ ମାନଙ୍କରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେବା ସମ୍ପର୍କରେ ଅନେକ ବିଚାର ବିମର୍ଷ ହୋଇଛି । 

କୋଭିଡ୍‌ ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ସହ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ କ୍ରମେ ୨୦୨୦ ମଇ ୩୦ ତାରିଖ ଶନିବାର ସନ୍ଧ୍ୟା ୫ ଘଟିକା ୩୦ ମିନିଟ୍‌ ସମୟରେ ସମଗ୍ର ଓଡିଆ ଜାତି ସମ୍ପୂର୍ଣ୍ଣ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରି ଓଡିଆ ସ୍ୱାଭିମାନକୁ ନଭଶ୍ଚୁମ୍ବୀ କରିପାରିଛନ୍ତି । ଏହା ଥିଲା ଓଡିଆ ଜାତି ପାଇଁ ଗର୍ବ ଓ ଗୌରବର ମୁହୂର୍ତ୍ତ । ଏହି ଐତିହାସିକ ମୁହୂର୍ତ୍ତକୁ ଚିରସ୍ଥାୟୀ କରିବା ପାଇଁ ତଥା ସାଢେ ଚାରି କୋଟି ଓଡିଆଙ୍କ ଭାବାବେଗକୁ ସମ୍ମାନ ଜଣାଇ ରାଜ୍ୟ କ୍ୟାବିନେଟ୍‌ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଅନବଦ୍ୟ ସୃଷ୍ଟି ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ରାଜ୍ୟ ସଙ୍ଗୀତ ଭାବରେ ସରକାରୀ ମାନ୍ୟତା ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି । 

'ବନ୍ଦେ ଉତ୍କଳ ଜନନୀ' ଏହିସବୁ ମାନ୍ୟକ୍ରମ ସ୍ଥିର ହୋଇଛି...

  1. କାନ୍ତକବିଙ୍କ ରଚିତ ସମ୍ପୂର୍ଣ୍ଣ ଗୀତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ଭାବରେ ଗ୍ରହଣ କରାଗଲା । 
  2. ଏହି ସଙ୍ଗୀତ ଗାୟନର ଅନୁମୋଦିତ ସ୍ୱର, ଶୈଳୀ ତଥା ରେକର୍ଡିଂ ଓଡିଶା ସରକାରଙ୍କର ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ପ୍ରସ୍ତୁତ କରାଯିବା ପାଇଁ ସ୍ଥିର କରାଗଲା । 
  3. ଏହାର ଗାୟନ ଅବଧି ସ୍ୱର ତଥା ଶୈଳୀ ଉପରୋକ୍ତ ରେକର୍ଡିଂ ପ୍ରକାରେ ନିର୍ଦ୍ଧାରିତ ହେଲା । 
  4. ରାଜ୍ୟ ସରକାରଙ୍କର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ, ବିଧାନସଭାର ଅଧିବେଶନ ଏବଂ ଅନ୍ୟାନ୍ୟ ସ୍ୱତନ୍ତ୍ର ଭାବେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଏହି ସଙ୍ଗୀତର ବିନା ବାଦ୍ୟରେ ପ୍ରସ୍ତୁତ ଅନୁମୋଦିତ ସଂସ୍କରଣ ପରିବେଷଣ/ଗାନ କରାଯିବ । 
  5. ବିଦ୍ୟାଳୟ, ମହାବିଦ୍ୟାଳୟ, ଅନ୍ୟାନ୍ୟ ସଭାସମିତି ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ପୃଷ୍ଠସଙ୍ଗୀତ କିମ୍ବା ବାଦ୍ୟଯନ୍ତ୍ର ସଙ୍ଗତ ସହିତ ଏହାକୁ ପରିବେଷଣ କରାଯିବ । 
  6. ଉଦ୍‌ଘାଟନୀ, ଉଦ୍‌ଯାପନୀ ଓ ଉଦ୍‌ବୋଧନୀ ସଙ୍ଗୀତ ଭାବରେ ଏହା ଗାନ କରାଯିବା ସମୟରେ ଏହି ରାଜ୍ୟ ସଙ୍ଗୀତ ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ ଉପସ୍ଥିତ ସମସ୍ତେ ସଙ୍ଗୀତ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦଣ୍ଡାୟମାନ ରହିବେ । ମାତ୍ର ବୟସ୍ମ, ଅସୁସ୍ଥ, ଭିନ୍ନକ୍ଷମ, ଗର୍ଭବତୀ ମହିଳା ଯେଉଁମାନେ ନିଜର ଉପରୋକ୍ତ ଅକ୍ଷମତା କାରଣରୁ ଦଣ୍ଡାୟମାନ ହେବାରେ ଅସୁବିଧା ଅନୁଭବ କରୁଥିବେ ସେମାନେ ଏହି ସଙ୍ଗୀତ ପରିବେଷଣ/ଗାନ ସମୟରେ ନିଜ ସ୍ଥାନରେ ନମ୍ର ଭାବରେ ବସି ରହି ଏଥିପ୍ରତି ସମ୍ମାନ ପ୍ରଦର୍ଶନ କରିପାରିବେ । ଶିଶୁମାନଙ୍କୁ ମଧ୍ୟ ଏହି ସଙ୍ଗୀତ ପରିବେଷଣ / ଗାନ ସମୟରେ ଦଣ୍ଡାୟମାନ ରହିବାରୁ ଅବ୍ୟାହତି ଦିଆଗଲା । 
  7. ଏହି ସଙ୍ଗୀତ ପୋଲିସ୍‌ ବ୍ୟାଣ୍ଡ, ବଂଶୀ, ସିତାର ଭଳି ବିଭିନ୍ନ ବାଦ୍ୟଯନ୍ତ୍ର ମାଧ୍ୟମରେ ମଧ୍ୟ ପରିବେଷଣ କରାଯିବ । 
  8. ଏହି ସଙ୍ଗୀତର ପ୍ରଚାର ପ୍ରସାର ତଥା ଅଭିବୃଦ୍ଧି ନିମନ୍ତେ ଏହାର ସୃଜନାତ୍ମକ ପରିବେଷଣ ଉପରେ କୌଣସି କଟକଣା ରହିବ ନାହିଁ । 
  9. ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଠ୍ୟକ୍ରମରେ ଏହି ସଙ୍ଗୀତକୁ ଅନ୍ତର୍ଭୁକ୍ତ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଗଲା ।