ରଥ ନିର୍ମାଣ କାମ: ଅଖ ଉପରେ ପଡ଼ିଲା ଦଣ୍ଡା
Advertisement

ରଥ ନିର୍ମାଣ କାମ: ଅଖ ଉପରେ ପଡ଼ିଲା ଦଣ୍ଡା

ମହାରଣା ଓ ଭୋଇ ସେବକମାନେ ତିନି ରଥର ଚାରିନାହାକା ଉଠାଇବା ପରେ ଛକାଠ, ୧୪ନାହାକା ଏବଂ ପ୍ରଥମ ଭୂଇଁ କାର୍ଯ୍ୟ ଆରମ୍ଭ କରାଯାଇଛି । 

ଫଟୋ ସୌଜନ୍ୟ: ଜୀ ମିଡିଆ

ସଞ୍ଜୟ ମହାପାତ୍ର, ପୁରୀ: ଚକ ଡେରା ବିଧି ମୁତାବକ ସମ୍ପନ୍ନ ହେବା ପରେ ଅଖ ଉପରେ ପଡ଼ିଲା ଦଣ୍ଡା । ନନ୍ଦିଘୋଷ ଓ ତାଳଧ୍ୱଜରେ ୯ଟି ଦଣ୍ଡା ସହ ଦୁଇଟି ମୁହାଁଟ, ଦେବଦଳନରେ ୭ଟି ଦଣ୍ଡା ଏବଂ ଦୁଇଟି ମୁହାଁଟ ଲଗାଯାଇଛି । ପରେ ନିରାଡି, ଜଳଯନ୍ତ ଏବଂ କଣ ଗୁଜ ଲଗାଇବା ସହ ଆଜି ବିଧିର ବହୁତ ପୂର୍ବରୁ ଚାରିନାହାକା ଉଠିଛି । ଦେବସ୍ନାନ ପୂର୍ଣ୍ଣିମାରେ ଚାରିନାହାକା ଉଠାଯାଇଥାଏ କିନ୍ତୁ ଏହାର ପୂର୍ବରୁ ଚାରିନାହାକା ଉଠାଯାଇଛି । ମହାରଣା ଓ ଭୋଇ ସେବକମାନେ ତିନି ରଥର ଚାରିନାହାକା ଉଠାଇବା ପରେ ଛକାଠ, ୧୪ନାହାକା ଏବଂ ପ୍ରଥମ ଭୂଇଁ କାର୍ଯ୍ୟ ଆରମ୍ଭ କରାଯାଇଛି । 

ସେପଟେ ଆସନ୍ତାକାଲି ଗୁଆଲି ଯାତ୍ରା ଏବଂ ୫ ତାରିଖରେ ସ୍ନାନଯାତ୍ରା ସମୟରେ କିଭଳି ସାମାଜିକ ଦୂରତ୍ୱ ବଜାୟ ରହିବ, ସେ ଉପରେ ଗୁରୁତ୍ୱାରୋପ କରାଯାଇଛି । ଏନେଇ ନୀଳାଦ୍ରି ଭକ୍ତ ନିବାସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ପୁରୀ ଜିଲ୍ଲାପାଳ, ପରିଚାଳନା କମିଟି ସଦସ୍ୟ, ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପଟଯୋଶୀ ମହାପାତ୍ର ଏବଂ ଛତିଶା ନିଯୋଗ କର୍ତ୍ତୁପକ୍ଷ ଉପସ୍ଥିତ ରହିଥିଲେ । ତେବେ ସମସ୍ତ ସେବାୟତଙ୍କ କୋଭିଡ ଟେଷ୍ଟ କରାଯାଇଛି । ସ୍ନାନଯାତ୍ରାକୁ ନେଇ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଇଥିବା କହିଛନ୍ତି ଉନ୍ନୟନ ପ୍ରଶାସକ ଅଜୟ ଜେନା । 

ଏପଟେ ସ୍ନାନ ପୂର୍ଣ୍ଣିମା ସିଧା ପ୍ରସାରଣ ପ୍ରସଙ୍ଗ । ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂ ପୁରୀ ଆସି ଅନୁଧ୍ୟାନ କରିଛନ୍ତି । ବିଶେଷଭାବେ ବାଗେଡ଼ିଆ ଧର୍ମଶାଳା ଓ ସ୍ନାନ ବେଦି ସମୁଖର ଅନୁଧ୍ୟାନ କରିଛନ୍ତି । ତାଙ୍କ ସହିତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ସୂଚନା ଲୋକ ସମ୍ପର୍କ ବିଭାଗର ବରିଷ୍ଟ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ତେବେ କିଭଳି ବ୍ୟବସ୍ଥା କରାଯିବ ସେନେଇ ବୈଠକ କରାଯାଇ ନିଷ୍ପତ୍ତି ନିଆଯିବ ।