Advertisement
Article Detail0/zeeodisha/odisha695977
Zee OdishaOdisha Khabarରଜ@2020: ଅଫଲାଇନରେ ଫିକା, ଅନଲାଇନରେ ଭିଡ଼

ରଜ@2020: ଅଫଲାଇନରେ ଫିକା, ଅନଲାଇନରେ ଭିଡ଼

ରଜକୁ ଫିକା କରିଦେଇଛି କୋରୋନା...ମଉଜ, ଉଲ୍ଲାସ ସବୁ ବନ୍ଦ...ସାଙ୍ଗସାଥୀ ମେଳ ନାହିଁ...ଗାଁ ଦାଣ୍ଡରେ ଗହଳି ନାହିଁ...ହେଲେ ଆକ୍ଟିଭ ରହିଛି ସୋସିଆଲ ମିଡିଆ...ଫିକା ପଡ଼ିନି ସୁନ୍ଦରୀଙ୍କ ସଜ...!

ସୁନ୍ଦରୀଙ୍କ ଆଗରେ ଫିକା କୋରୋନା
ସୁନ୍ଦରୀଙ୍କ ଆଗରେ ଫିକା କୋରୋନା

ଭୁବନେଶ୍ୱର: ବନସ୍ତେ ଡାକିଲା ଗଜ...ବରଷକେ ଥରେ ଆସିଛି ରଜ...ଆସିଛି ରଜ ଲୋ ଘେନି ନୂଆ ସଜବାଜ...

ଏମିତି କିଛି ଗୀତ ବାଜୁଥାନ୍ତା । ଗାଁ ମୁଣ୍ଡରେ କୁମାରୀ ଝିଅ ସଜବାଜ ହୋଇ ଦୋଳିରେ ବସିଥାନ୍ତେ । ଫ୍ରକ ଗୋଟିଏ ଗୋଟିଏ ପିନ୍ଧି ପୁଚି ଖେଳୁଥାନ୍ତେ । ଆଉ ଲୁଡ଼ୁ ଖେଳ, ପୋଡ଼ ପିଠା, ରଜ ପାନର ଆସର ଜମିଥାନ୍ତା । ପାଖ ଗାଁରୁ ମାଇକରେ ଶୁଭିଥାନ୍ତା...ଆର ଗାଁ ଇଶ୍ୱର ବେହେରା ଝିଅ । ଆଉ ଏ ଗାଁର ଟୋକା ମଣ୍ଡପରେ ତାସ୍ ଖେଳୁଥାନ୍ତେ । ପାନ ଖଣ୍ଡେ ଖଣ୍ଡେ ଚୋବାଇ ଝିଅଙ୍କ ଲିପଷ୍ଟିକ ସହ ନିଜ ପାନଖିଆ ଓଠକୁ ତୁଳନା କରୁଥାନ୍ତେ । କୁନି କୁନି ଛୁଆ ଘଣ୍ଟାକରେ ୩ ଥର ଡେଇଁ ଡେଇଁକି ଘରୁ ବାହାରକୁ ହେଉଥାନ୍ତେ । ଦାଣ୍ଡ ପିଣ୍ଡାରେ ଅଜା ବସି ତାଙ୍କ ସମୟର ରଜ କଥା ଟିକେ ବଢ଼େଇ ଚଢ଼େଇ ଗପୁଥାନ୍ତେ ।

fallback

Add Zee News as a Preferred Source

ହେଲେ ଏତେ ସପନକୁ ରାତି କାହିଁ । ସବୁ ଫିକା କରିଦେଲା କୋରୋନା ମହାମାରୀ । ଗାଁରେ ରଜର ଆସର ନାହିଁ କି ଦୋଳି ଖେଳର ମଉଜ ନାହିଁ । ହେଲେ ଝିଅଙ୍କ ସଜବାଜରେ କିଛି ଫରକ ପଡ଼ିନି । ବରଂ ଅଧିକ ସମୟ ମିଳିଛି, ସଜ ବି ଜମେଇ କି ହେଇଛି । ଦାମ୍ପତ୍ୟ ଜୀବନର ସର୍ବଶ୍ରେଷ୍ଠ ସମ୍ଭୋଗର ମାସ ହେଉଛି ଆଷାଢ଼ । ବର୍ଷାର ଆଗମନରେ ମେଘ ଓ ମାଟିର ହୁଏ ମିଳନ । ରଜସ୍ୱଳା ହୁଏ ମାଟି ମାଆ । ପ୍ରଜନନ ପୂର୍ବରୁ ୩ ଦିନର ମିଳେ ବିଶ୍ରାମ । ଯାହାକୁ ଆମେ ରଜ କହୁଛେ । କୁମାରୀଙ୍କ ପାଇଁ ତ ଏକ ତାଲିମ ପ୍ରଦାନକାରୀ ପର୍ବ । ଜଣେ ନାରୀ ଭାବେ ଆଗକୁ ସେମାନଙ୍କୁ ଯେ ଏମିତି କିଛି କର୍ତ୍ତବ୍ୟ ସମ୍ପାଦନ କରିବାକୁ ପଡ଼ିବ, ଏହି ପର୍ବ ତାହା ଶିଖାଇ ଦେଇଥାଏ । ବିରହ, ବିଧୂର ଯକ୍ଷର ପ୍ରିୟା ଉଦ୍ଦେଶ୍ୟରେ ମେଘ ମାଧ୍ୟମରେ ପ୍ରେରିତ ବାର୍ତ୍ତାକୁ ନେଇ କାଳିଦାସଙ୍କ ରଚିତ 'ମେଘଦୂତ' ସତରେ ଆଜି କାହିଁ ମନେପଡ଼ୁଛି ।

fallback

ରଜ-୨୦୨୦ । କୋଭିଡ୍ ନିୟମ ମାନି ଚାଲିଛି ସେଲିବ୍ରେସନ । ତେବେ ମହାମାରୀ କଟକଣା ସହ ରଜ ପାଳନରୁ ଏକ ନିଆରା ଅନୁଭୂତି ମିଳିଛି । କୁମାରୀ ଝିଅର ଧଳା ମାସ୍କରେ ନାଲି ଲିପଷ୍ଟିକ ଲାଗି ଅଦ୍ଭୁତ ଦେଖାଯାଉଛି । ପୁଚି ଖେଳରେ ପ୍ରଥମ ହେବ ବୋଲି ନିକଟତର ପ୍ରତିଯୋଗୀର ଗୋଡ଼କୁ ଆଘାତ ଦେଉଥିବା ଚଗଲିର ଫର୍ମୁଲା ଏଥର ଫେଲ ମାରିଛି । ଚକା ପାରି ଲୁଡ଼ୁ ଖେଳୁଥିବା ଚକରା ଏଥର ବିଛଣାରେ ଶୋଇ ଆଣ୍ଡ୍ରଏଡ୍ ମୋବାଇଲରୁ ରିକ୍ୟୁଷ୍ଟ ପଠାଉଛି । ଅବଶ୍ୟ କେହି ଆସେପ୍ଟ କରୁନାହାନ୍ତି । ସେପଟେ ଫେସବୁକରେ ଝିଅଙ୍କ ରଜ ଫଟୋ ଛାଇ ଯାଇଛି । ସଫ୍ଟ କପି ଦେଖି ଦେଖି ସମୟ କଟି ଯାଉଛି ।

fallback

ବନ୍ୟା, ବାତ୍ୟାର ସାମ୍ନା କରି ମଧ୍ୟ ଓଡ଼ିଆଟିଏ ଉତ୍ସବ ମନାଇପାରେ । ଏ ଜାତିର ୧୨ ମାସରେ ୧୩ ପର୍ବ । ହେଲେ ଆଷାଢ଼ରେ ପଡ଼ୁଥିବା ରଜ ଓ ରଥଯାତ୍ରା ବେଶ ଜନାଦୃତ । ଏଥର କିନ୍ତୁ ଉଭୟ ପର୍ବ ପାଇଁ କୋରୋନା ବାଧକ । ଭିନ୍ନ ଭିନ୍ନ ସୁଗନ୍ଧର ଅତର, ସେଣ୍ଟ ଯେତେ ଲଗାଇଲେ ବି ହାତରେ ଲାଗିଥିବା ସାନିଟାଇଜରର ବାସ୍ନାରେ ସବୁ ମାଡ୍ ଖାଇଯାଉଛି । ପାନ ଖିଆ ପାଟିକୁ ଅଡ଼ୁଆ ସାଜିଛି ଛେପ ପକାଇଲେ ଫାଇନ ଗଣିବାର ଭୟ । ଡ୍ରେସରେ ସାବୁନର ଫେଣ ଛିଟିକି ପଡ଼ିଛି, କାହିଁକିନା ୨୨ ଥର ହାତ ପରା ହାତ ଧୋଇବାକୁ ପଡ଼ୁଛି ।

fallback

ସତରେ ମଉଜକୁ ପୁରା ବିଗାଡ଼ି ଦେଇଛି ମହାମାରୀ । ସଚେତନ ଓଡ଼ିଆ ଜାତି ବର୍ଷକ ପାଇଁ ଏହାକୁ ଟିକେ ସ୍କିପ କରିଦେଇଛନ୍ତି । ହେଲେ କୁମାରୀ ଝିଅଙ୍କ ସଜ କିନ୍ତୁ ଶହେରୁ ଶହେ । ବଢ଼ିଛି ବରଂ କମିନି । ଆମେ କହୁନୁ, ସୋସିଆଲ ମିଡ଼ିଆ କହୁଛି । ଅଧିକ ମଉଜ ନହେଲା ନାହିଁ, ହେଲେ ଘରେ ବସି ସଜେଇ ହେବାର ସୁଯୋଗକୁ ସତେ ଯେମିତି ହାତଛଡ଼ା କରିବାକୁ ଚାହିଁନାହାଁନ୍ତି ଏମାନେ । ଝିଅଙ୍କ ଭିତରେ ସୁନ୍ଦରତା ଯେ ଭରି ରହିଛି, ଏଥରର ରଜ ସେକଥା କହୁଛି । ଅବଶ୍ୟ ଯୌବନେ ମର୍କଟି ରମ୍ଭା !

fallback

ମେହେନ୍ଦୀ ଲଗା ହାତ, ଅଳତା ଲଗା ଗୋଡ଼, ଲିପଷ୍ଟିକ ଲଗା ଓଠ ଆଉ ମୁହଁରେ ଲାଗିଥିବା ବିନ୍ଦିର କମ୍ବିନେଶନ ଏଥର ରଜର ସଜ କଥା କହୁଛି । ବାହାରରେ ମେଳି ତ କରିହେବନି, ଘରେ ଘଣ୍ଟା ଘଣ୍ଟା ବସି ସଜେଇ ହେଇଛି କୁଆଁରୀ ଝିଅ । ଫଟୋଟିଏ ଉଠାଇଛି । ଫେସବୁକରେ ଛାଡ଼ିଛି । କମେଣ୍ଟ ବକ୍ସ ଫୁଲ ହୋଇଛି ।  ଝିଅଟି ମୁରୁକି ମୁରୁକି ହସି ଗୋଟିଏ ପରେ ଗୋଟିଏ ପଢ଼ିଚାଲିଛି ।

fallback

ରଜକୁ ଫିକା କରିଦେଇଛି କୋରୋନା । ମଉଜ, ଉଲ୍ଲାସ ସବୁ ବନ୍ଦ । ସାଙ୍ଗସାଥୀ ମେଳ ନାହିଁ । ଗାଁ ଦାଣ୍ଡରେ ଗହଳି ନାହିଁ । ହେଲେ ଆକ୍ଟିଭ ରହିଛି ସୋସିଆଲ ମିଡିଆ । ଫିକା ପଡ଼ିନି ସୁନ୍ଦରୀଙ୍କ ସଜ । ଯେତେ ଅଧିକ ଘରେ ରହିଛନ୍ତି ସେତେ ଅଧିକ ସଜ ହୋଇଛନ୍ତି । ବରଂ ଆଗ ଅପେକ୍ଷା ଏଥର ସୋସିଆଲ ମିଡିଆରେ ନିଜର ଡିମାଣ୍ଡ ବଢ଼ାଇଛନ୍ତି । କାହିଁକିନା ମନଇଚ୍ଛା ଛାଡ଼ିଛନ୍ତି ଅନେକ ସୁନ୍ଦର ଫଟୋ । ଆଉ ଲାଇକ୍ କରିବା ପାଇଁ ବି ଲାଗିଛି ପୁଅଙ୍କ ଭିଡ଼ । କାଳେ ଲାଇକୁ ଆଉ କ'ଣ କ'ଣ ବି ହୋଇଯିବ । ଫେସବୁକ୍, ଇନଷ୍ଟାଗ୍ରାମରେ ଏଥର ପାଳନ ହେଉଛି ରଜ । ସୁନ୍ଦରୀଙ୍କ ଅଗଣିତ ଫଟୋ ସହ ସଂଖ୍ୟାଧିକ ଲାଇକ ଓ କମେଣ୍ଟ ଏହା ପ୍ରମାଣ କରୁଛି ।

About the Author