ଆହୁରି ଦୁଇଦିନ ଥରାଇବ ଶୀତ, ଏହି ଜିଲ୍ଲାରେ ପାରଦ ୩ ଡିଗ୍ରୀ ତଳେ ରହିବ
Advertisement

ଆହୁରି ଦୁଇଦିନ ଥରାଇବ ଶୀତ, ଏହି ଜିଲ୍ଲାରେ ପାରଦ ୩ ଡିଗ୍ରୀ ତଳେ ରହିବ

 ଦୁଇଦିନ ଶୀତ ପରେ ପୁଣି ବଢିବ ତାପମାତ୍ରା 

ସୌଜନ୍ୟ: ସୋସିଆଲ ମିଡିଆ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଦୁଇଦିନ ଶୀତ ପରେ ପୁଣି ବଢିବ ତାପମାତ୍ରା । ରାଜ୍ୟରେ ଗତ ଚାରି ଦିନ ଧରି ଶୀତର ପ୍ରକୋପ ସାମାନ୍ୟ ବୃଦ୍ଧି ପାଇଥିବା ବେଳେ ଆସନ୍ତା ଦୁଇଦିନ ପରେ ପୁଣି ଉଭାନ ହେବାର ସମ୍ଭାବନା ରହିଛି । ଆସନ୍ତା ପାଞ୍ଚଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ସହ ଦୁଇଦିନ ଶୀତ ପରେ ତିନିଦିନ ପାରଦ ଉପରମୁହାଁ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଗତ ୨୪ ଘଣ୍ଟାରେ ୫ଟି ସ୍ଥାନର ତାପାମାତ୍ରା ୧୦ ଡିଗ୍ରୀ ତଳେ ଏବଂ ୧୮ଟି ସ୍ଥାନର ତାପମାତ୍ରା ୧୫ ଡିଗ୍ରୀ ତଳେ ରେକର୍ଡ ହୋଇଛି ।

କେନ୍ଦ୍ରର ସୂଚନା ମୁତାବକ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶାରେ ତିନି ରୁ ଚାରି ଡିଗ୍ରୀ ଏବଂ ଦକ୍ଷୀଣ-ଉପକୂଳ ଓଡିଶାରେ ୧ ରୁ ୩ ଡିଗ୍ରୀ ତାପମାତ୍ରା ସ୍ୱାଭାବିକଠାରୁ କମ୍ ରହିବ । ଏହାପରେ ପାଗରେ ପରିବର୍ତ୍ତନ ଆସିବା ସହ ୨ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇ ସ୍ୱାଭାବିକସ୍ତରକୁ ମୁହାଁଇବ । ତେବେ ଆସନ୍ତା ୨୪ ଘଣ୍ଟାରେ ମଧ୍ୟରେ କୋରାପୁଟ, ଗଜପତି, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ସ୍ୱଳ୍ପବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି ।

କିଛି ସ୍ଥାନରେ ସାମାନ୍ୟ କୁହୁଡି ହେବାର ସମ୍ଭାବନା ରହିଛି । ତେବେ ଆସନ୍ତାକାଲି କଟକ ବାରବାଟୀରେ ମ୍ୟାଚ ହେବାକୁ ଥିବା ବେଳେ ଟ୍ୱିନ ସିଟିରେ ପାଗ ଅନୁକୂଳ ଓ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ରହିବ ବୋଲି କେନ୍ଦ୍ରର ନିର୍ଦ୍ଦେଶକ ଏଚ. ଆର ବିଶ୍ୱାସ ସୂଚନା ଦେଇଛନ୍ତି ।