ନିର୍ବାଚନ ପ୍ରଚାର ବେଳେ ମସ୍ତି ମୁଡରେ ଓୱେସୀ
Advertisement

ନିର୍ବାଚନ ପ୍ରଚାର ବେଳେ ମସ୍ତି ମୁଡରେ ଓୱେସୀ

ଓୱେସୀଙ୍କ ପ୍ରଚାର ସମୟର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ ମସ୍ତି ମୁଡରେ ନଜର ଆସିଛନ୍ତି ।

owaisi performs a dance

ନୂଆଦିଲ୍ଲୀ: ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଜୋରସୋରରେ ପ୍ରଚାର । ଦିନରାତି ଏକ କରି ପ୍ରଚାରରେ ଲାଗିଛନ୍ତି ବିଭିନ୍ନ ରାଜନୈତିକ ଦଳ । ଏଆଇଏମଆଇଏମ ମଧ୍ୟ ନିର୍ବାଚନୀ ମଇଦାନକୁ ଓହ୍ଲାଇଛି । ଦଳର ମୁଖ୍ୟ ଅସଦୁଦ୍ଦିନ ଓୱେସୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି । ତେବେ ଓୱେସୀଙ୍କ ପ୍ରଚାର ସମୟର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । 

ଏହି ଭିଡିଓରେ ଓୱେସୀ ମସ୍ତି ମୁଡରେ ନଜର ଆସିଛନ୍ତି । ଖବର ସରବୋରାହ ସଂସ୍ଥା ଏଏନଆଇ ମୁତାବକ ଭିଡିଓଟି ଔରଙ୍ଗାବାଦର । ଏଠାରେ ଥିବା ପଠାନ ଗେଟ ଅଞ୍ଚଳରେ ଏକ ନିର୍ବାଚନ ସଭାକୁ ସମ୍ବୋଧନ କରିବା ଅବସରରେ ଡ୍ୟାନ୍ସ କରିଥିଲେ ଏଆଇଏମଆଇଏମ ମୁଖ୍ୟ ଓୱେସୀ । ଭିଡିଓରେ ଦେଖିବାକୁ ମିଳିଛି, ଓୱେସୀ ପ୍ରଥମେ ନିର୍ବାଚନୀ ସଭାକୁ ସମ୍ବୋଧନ କରିଛନ୍ତି । ପରେ ମଞ୍ଚ ତଳକୁ ଓହ୍ଲାଇ ଏକ ଗୀତର ତାଳେ ତାଳେ ଧୁମଧାଡକା ଡ୍ୟାନ୍ସ କରୁଛନ୍ତି । ଓୱେସୀଙ୍କ ହାତରେ ଏକ ଫୁଳମାଳ ଥିବା ଦେଖିବାକୁ ମିଳିଛି । 

କେବଳ ଓୱେସୀ କାହିଁକି, ସମର୍ଥକ ବି ମସ୍ତି ମୁଡରେ । ଗୀତରେ ତାଳେ ତାଳେ ନାଚୁଥିଲେ ଓୱେସୀ । ଆଉ ଓୱେସୀଙ୍କ ସହ ତାଳଦେଇ ନାଚୁଛନ୍ତି ତାଙ୍କ ସମର୍ଥକ । ପୁରା ସେଲିବ୍ରେସନର ମାହୋଲ । ମହାରାଷ୍ଟ୍ର ନିର୍ବାଚନରେ ବିଜେପି, ଶିବସେନା, କଂଗ୍ରେସ, ଏନସିପି ପରି ନିଜ ଦଳର ଉପସ୍ଥିତିକୁ ମଧ୍ୟ ଜାହିର କରିବାକୁ ଉଦ୍ୟମ କରୁଛନ୍ତି ଓୱେସୀ । 

ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଜୋରଦାର ବର୍ଷିଥିଲେ ଏଆଇଏମଆଇଏମ ମୁଖ୍ୟ । କହିଥିଲେ, ୧୯୯୩ ମୁମ୍ବାଇ ଦଙ୍ଗା ଉପରେ ଶ୍ରୀକୃଷ୍ଣ କମିଟି ଦେଇଥିବା ରିପୋର୍ଟକୁ ମୋଦି ଲାଗୁ କରିବା ଦରକାର । ପ୍ରଧାନମନ୍ତ୍ରୀ କେବଳ ବିବାଦୀୟ ବିଷୟ ଉଠାଇ ଏକ ନିର୍ଦ୍ଦିଷ୍ଟ ବର୍ଗକୁ ସନ୍ଦେଶ ଦେବାରେ ଲିପ୍ତ ରହୁଛନ୍ତି ବୋଲି ଅଭିଯୋଗ କରୁଥିଲେ ଓୱେସୀ । 

ସେ ଆହୁରି ମଧ୍ୟ କହିଥିଲେ, ପୂର୍ବବର୍ତ୍ତୀ ସରକାର ମୁମ୍ବାଇ ଦଙ୍ଗା ପୀଡିତଙ୍କୁ ନ୍ୟାୟ ଦେଇନଥିବା ମୋଦି କହୁଛନ୍ତି । ଏବେ ଏହି ମାମଲା ବନ୍ଦ ହୋଇସାରିଛି । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆସରିଛି । ମାତ୍ର ଏହି ଦଙ୍ଗାକୁ ନେଇ ଶ୍ରୀକୃଷ୍ଣ କମିଟି ଦେଇଥିବା ରିପୋର୍ଟକୁ ଏପର୍ଯ୍ୟନ୍ତ ଲାଗୁ କରାଯାଇନାହିଁ । ଏହା ଉପରେ କେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧ୍ୟାନ ଦେବେ ବୋଲି କହିଥିଲେ ଏଆଇଏମଆଇଏମ ମୁଖ୍ୟ । ତେବେ ଓୱେସୀଙ୍କ ଏହି ଡ୍ୟାନ୍ସ ଭୋଟରଙ୍କୁ କେତେ ପ୍ରଭାବିତ କରୁଛି ଏବଂ ତାଙ୍କ ଦଳ ମହାରାଷ୍ଟ୍ରରେ କେତେ ସଫଳତା ପାଉଛି, ତାହା ନିର୍ବାଚନୀ ଫଳଫଳ ହିଁ କହିବ ।