ବିପଦରେ ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥା !
Advertisement
Article Detail0/zeeodisha/odisha615134

ବିପଦରେ ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥା !

ବେଳାଭୂମିରେ ମୃତ କଇଁଛ ଓ ଡଲଫିନଙ୍କ ମୃତ ଦେହ ଝୁଣି ଖାଉଛନ୍ତି କାଉ ଓ କୁକୁର  ।

ବିପଦରେ ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥା !

ପଟ୍ଟାମୁଣ୍ଡାଇ: ବିପଦରେ ଓଡ଼ିଶାର ଏକମାତ୍ର ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥା । ଚାରି ମାସ ଧରି ଅଚଳ ହୋଇ ପଡ଼ିଛି ବନବିଭାଗର ପାଟ୍ରୋଲିଂ ସ୍ପିଡ୍ ବୋଟ୍ । କେମିତି ହେବ କଇଁଛ ସୁରକ୍ଷା ? ଅସନ୍ତୋଷ ବ୍ୟକ୍ତ କଲେ ପରିବେଶବିତ୍ । ଅନ୍ୟପଟେ ବେଳାଭୂମିରେ ମୃତ କଇଁଛ ଓ ଡଲଫିନଙ୍କ ମୃତ ଦେହ ଝୁଣି ଖାଉଛନ୍ତି କାଉ ଓ କୁକୁର  ।

କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଓଡ଼ିଶାର ଏକ ମାତ୍ର ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥାକୁ ୧୯୯୭ ମସିହାରେ ରାଜ୍ୟ ସରକାର ସାମୁଦ୍ରିକ ଅଭୟାରଣ୍ୟର ମାନ୍ୟତା ପ୍ରଦାନ କରିଥିଲେ । ଗହୀରମଥାରେ ବିରଳ ଅଲିଭ ରିଡେଲ କଇଁଛଙ୍କ ସମେତ ୫ ପ୍ରଜାତିର ଡଲଫିନ୍, ସାର୍କ ଓ ପରପଏଜ ବହୁ ସଂଖ୍ୟାରେ ଦେଖାଯାଆନ୍ତି । ୨୦୦୪ରେ ସୁପ୍ରିମକୋର୍ଟର ବିଚାରପତିଙ୍କ ଅଧ୍ୟକ୍ଷତାରେ ସେଣ୍ଟ୍ରାଲ ଏମ୍ପପାଓର କମିଟି ଗହୀରମଥା ଗସ୍ତ ବେଳେ ବେଧଡକ ଟ୍ରଲର ଚଳାଚଳ ଦେଖି ଉଦବେଗ ପ୍ରକାଶ କରିବା ସହ ଏ ଦିଗରେ କଟକଣା ଜାରି ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ସତ୍ତ୍ୱେ ପ୍ରତିବର୍ଷ ହଜାର ହଜାର ବିରଳ କଇଁଛ ପ୍ରାଣ ହରାଉଛନ୍ତି । କଇଁଛମାନଙ୍କ ସୁରକ୍ଷା ପାଇଁ ୨୦୧୬ ମସିହାରେ ଉପକୂଳ ସମନ୍ୱିତ ଯୋଜନା ମାଧ୍ୟମରେ ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ୨ଟି ସ୍ପିଡ୍ ପାଟ୍ରୋଲିଂ ବୋଟ୍ କିଣାଯାଇଥିଲା । ଯାହା ବିରଳ ଅଲିଭି ରିଡଲେ କଇଁଛ ମାନଙ୍କୁ ସୁରକ୍ଷା ଦେବା ସହ ୫ ପ୍ରଜାତିର ଡଲଫିନ୍ , ସାର୍କ ଓ ପରପଏଜ ଆଦି ଜଳଜୀବଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସ୍ଥିର କରାଯାଇଥିଲା । କିନ୍ତୁ ବନବିଭାଗର ଅପାରଗତା ପାଇଁ ୨ଟି ବୋଟ୍ ରୁ ଗୋଟିଏ ବୋଟ୍ ଖରାପ ହୋଇ ପଡ଼ିରହିଛି । ଫଳରେ ଗହୀର ମଥାରେ ପାଟ୍ରୋଲିଂରେ ବାଧା ସୃଷ୍ଟି ହେବା ଦ୍ୱାରା ଅବାଧରେ ଟ୍ରଲର ପ୍ରବେଶ କରୁଛି । ଏବଂ ଟ୍ରଲର ମାଡ଼ରେ ବିରଳ କଇଁଛ ଏବଂ ଡଲଫିନ୍ ର ମୃତ୍ୟୁ ହେଉଥିବା ଅଭିଯୋଗ ହୋଇଛି ।

ଅନ୍ୟପଟେ କଇଁଛ ପ୍ରଜନନ ଋତୁ ନଭେମ୍ବର ୧ରୁ ମେ' ୩୧ ଯାଏ ସାତ ମାସ ୪୮୦ କିଲୋମିଟର ଉପକୂଳ ସମେତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ମାଛଧରା ଉପରେ କଡାକଡି ଭାବେ କଟକଣା ରହିଥାଏ । ଏହି ସମୟରେ ମାଛ ପ୍ରଚୁର ମାତ୍ରାରେ ମିଳୁଥିବାରୁ ଅବାଧରେ ଗହୀରମଥାରେ ଟ୍ରଲର ପ୍ରବେଶ କରି ବେଆଇନି ଭାବେ ମାଛ ମାରିଥାନ୍ତି । ଏହା କୁ ରୋକିବା ପାଇଁ ବନବିଭାଗକୁ ୨ଟ ସ୍ପିଡ୍ ବୋଟ ଯୋଗାଇ ଦିଆଯାଇଥିବା ବେଳେ ଗୋଟିଏ ଖରାପ ହୋଇପଡ଼ିଛି । ପ୍ରଶ୍ନ ଉଠୁଛି, ବୋଟ ଖରାପ ହୋଇ ପଡିରହିଥିବା ବେଳେ ବନବିଭାଗ ମରାମତି କରିବାରେ ବିଫଳ କାହିଁକି ? ନଭେମ୍ବର ପହିଲାରୁ ମିଶନ୍ ଅଲିଭ ରିଡଲେ ଆରମ୍ଭ କରାଯାଇଥିବା ବେଳେ ତାହା ପୂର୍ବରୁ ବୋଟ୍ ମରାମତି କରାଗଲା ନାହିଁ କାହିଁକି ? କଇଁଛ ସୁରକ୍ଷା ପାଇଁ ସଚେତନତା ସଭା ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ପାଟ୍ରୋଲିଂ ବୋଟ୍ ଅଚଳ ହୋଇ ପଡ଼ି ରହିବା ବନବିଭାଗର କାର୍ଯ୍ୟଦକ୍ଷତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି ?

ଏବେଠାରୁ କଇଁଛ ଓ ଡଲଫିନମାନଙ୍କ  ମୃତ ଦେହ ବେଳାଭୂମିରେ ପଡିଥିବାର ଦୃଶ୍ୟ ଦେଖିବାକୁ ମିଳୁଥିବା ବେଳେ ବନବିଭାଗ ତୁରନ୍ତ ଯଦି ସଜାଗ ନ ହୁଏ, ତେବେ ଆଗାମୀ ଦିନରେ ଅନେକ ଜଳଚର ଜୀବଙ୍କ ଜୀବନହାନୀ ହେବାର ସମ୍ଭାବନା ରହିଛି।