କେଇ ଖଣ୍ଡ କାଠ, ବହ୍ଲା ଆଉ କିଛି ଟିଣ ଚାଦର ଭରସାରେ ସେତୁର ଭାଗ୍ୟ
Advertisement
Article Detail0/zeeodisha/odisha611698

କେଇ ଖଣ୍ଡ କାଠ, ବହ୍ଲା ଆଉ କିଛି ଟିଣ ଚାଦର ଭରସାରେ ସେତୁର ଭାଗ୍ୟ

ଏଠି ଆଖି ବି ଅଛି, କାନ ବି ଅଛି । କିନ୍ତୁ ଆଖି ନ ଥିଲା ଭଳି ଓ କାନକୁ ନ ଶୁଭିଲା ଭଳି ସଭିଏଁ ଅଛନ୍ତି । 

କେଇ ଖଣ୍ଡ କାଠ, ବହ୍ଲା ଆଉ କିଛି ଟିଣ ଚାଦର ଭରସାରେ ସେତୁର ଭାଗ୍ୟ

ବୌଦ୍ଧ: କେଇ ଖଣ୍ଡ କାଠ, ବହ୍ଲା ଆଉ କିଛି ଟିଣ ଚାଦର ଭରସାରେ ସେତୁର ଭାଗ୍ୟ । ପ୍ରାୟ ୭ କୋଟି ଟଙ୍କାରେ ନିର୍ମାଣ ହୋଇଛି ସେତୁ । ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ ସହ ବଲାଙ୍ଗିର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲା ମଧ୍ୟରେ ନୂତନ ସମ୍ପର୍କ ପାଇଁ ନିର୍ମାଣ ହୋଇଥିଲା ବିଜୁ ସେତୁ। ହେଲେ ସେତୁର ଦୁଇ ପାଶ୍ୱର୍ରେ ଆପ୍ରୋଚମେଣ୍ଟ ରାସ୍ତାର କାମ ଅତି ନିମ୍ନ ମାନର ହୋଇଥିବାରୁ ଏବେ ତାହା ବିପଦଜନକ । ଫଳରେ ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ ଖୁଟିଂଗୋରା ପଞ୍ଚାୟତର ଖଡଙ୍ଗନଦୀର ଜାମୁଡ ଘାଟରେ ନିର୍ମାଣ ହୋଇଥିବା ସମ୍ପର୍କ ସେତୁ ରେ ଏବେ ଦେଖାଦେଇଛି ଫାଟ  ।

ଏଠି ଆଖି ବି ଅଛି, କାନ ବି ଅଛି । କିନ୍ତୁ ଆଖି ନ ଥିଲା ଭଳି ଓ କାନକୁ ନ ଶୁଭିଲା ଭଳି ସଭିଏଁ ଅଛନ୍ତି । ସେଥିପାଇଁ ପ୍ରଶାସନର ଅପାରଗତା ଯୋଗୁଁ କୌଣସି ଅଘଟଣ ଘଟିଲେ ବି କେହି କାହା ମୁଣ୍ଡକୁ ଦୋଷ ନେବେନି।  ଆଜ୍ଞା ହଁ, ସେତୁ କାମ ସରିଛି । ହେଲେ ଯେନତେଣ ପ୍ରକାରେ ଅତି ନିମ୍ନ ମାନର କାମ କରାଯାଇଛି । ସେତୁର ଦୁଇ ପାଶ୍ୱର୍ରେ ଥିବା ଆପ୍ରୋଚମେଣ୍ଟ  ରାସ୍ତା, କେଇ ଖଣ୍ଡ କାଠ, ବହ୍ଲା ଆଉ କିଛି ଟିଣ ଚଦରରେ ଝୁଲୁଛି ସମ୍ପର୍କ ସେତୁର ଭାଗ୍ୟ । 

ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ ଖୁଟିଂଗୋରା ପଞ୍ଚାୟତର ଖଡଙ୍ଗନଦୀର ଜାମୁଡ ଘାଟରେ ନିର୍ମାଣ ହୋଇଛି ଏହି ବିଜୁ ସେତୁ । ୪ ଜିଲ୍ଲାବସୀଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନା ହେବା ସହ ବାଣିଜ୍ୟ, ଶିକ୍ଷା ଓ ସ୍ୱାସ୍ଥ୍ୟ ସହ ଗମନାଗମନ କ୍ଷେତ୍ରରେ ମୁଖ୍ୟ ମାଧ୍ୟମ ସାଜିବା ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିଲା ଏହି ସେତୁ । ଠିକାଦାର ଅତି ନିମ୍ନ ମାନର କାମ କରି ଚମ୍ପଟ ମାରିଥିବାବେଳେ ସେତୁ କାମ ହାତକୁ ନେଇଥିବା ଓ ଦାୟିତ୍ୱରେ ଥିବା ବୌଦ୍ଧ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ଓ ଅଧିକାରୀଙ୍କ ଠିକଦାର ପ୍ରତି ଥିବା ଅହେତୁକ ଅନୁକମ୍ପା ଜଳଜଳ ହୋଇ ଦିଶୁଛି ।  ସବୁଠାରୁ ବଡ଼ କଥା ହେଲା ଏ ବାବଦରେ ସମସ୍ତଙ୍କ ପାଖରେ ଖବର ଅଛି । ହେଲେ ନିଜ ଦୋଷକୁ ଲୁଚାଇବାକୁ ଯାଇ ଆଖି ବୁଜିଦେଇଛି ବୌଦ୍ଧ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ।

ବ୍ଲକର ଖୁଟିଂଗୋରା ପଞ୍ଚାୟତ  ଭାୟା ଦେଓଗାଁ ଦେଇ ଖଡଙ୍ଗ ନଦୀର ଜାମୁଡ ଘାଟରେ ବିଜୁସେତୁ ନିର୍ମାଣ ପାଇଁ ୨୦୧୬-୧୭ ଆର୍ଥିକ ବର୍ଷରେ ୧୫୩.୧୫ ମିଟର ଦୈର୍ଘ୍ୟ ଲମ୍ବା ଏବଂ ୭.୫ ମିଟର ପ୍ରସସ୍ଥ ବିଶିଷ୍ଟ ସେତୁ ନିର୍ମାଣ ପାଇଁ ୬ କୋଟି ୯୯ ଲକ୍ଷ ୧୪ ହଜାର ଟଙ୍କା ବ୍ୟୟବରାଦ ହୋଇଥିଲା । ସେତୁ ନିର୍ମାଣ ପାଇଁ ଥିବା ସମୟ ଅବଧିର ୬ ମାସ ପୂର୍ବରୁ ଠିକାଦାର ଅତି ନିମ୍ନ ମାନର କାମ କରି ସେତୁ କାମ ସାରି ଦେଇଥିବାବେଳେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ରାଜ୍ୟ ସରକାରଙ୍କ ପାଖରେ ପାରଦର୍ଶିତା ଦେଖାଇଥିଲା । ହେଲେ ସେତୁ ନିର୍ମାଣର କେଇ ବର୍ଷ ନଯାଉଣୁ ସେତୁ ଦୁଇ ପାଶ୍ୱର୍ରେ ଥିବା ଆପ୍ରୋଚମେଣ୍ଟ ରାସ୍ତାର ବିପଦଜନକ ଦୃଶ୍ୟ ଦେଖିଲା ପରେ ଜଣାପଡୁଛି ବିଭାଗର ଅସଲ ଚରିତ୍ର, ଯାହାକୁ ନେଇ ଏବେ ଅଞ୍ଚଳରେ ଅସନ୍ତୋଷର ଦାନା ବାନ୍ଧିବାରେ ଲାଗିଛି । ଅନ୍ୟପଟେ ତୁରନ୍ତ ସମ୍ପୃକ୍ତ ବିଭାଗକୁ କହି ଆପ୍ରୋଚମେଣ୍ଟ ରାସ୍ତା ମରାମତି କରାଯିବା ପାଇଁ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି ବୌଦ୍ଧ ଜିଲ୍ଲାପାଳ ।

ସମ୍ପର୍କ ସ୍ଥାପନ ପାଇଁ ନିର୍ମାଣ ହୋଇଥିବା ସେତୁର ଭାଗ୍ୟ ଏବେ କେଇଖଣ୍ଡ କାଠ, ବହ୍ଲା ଆଉ ଟିଣ ଚାଦରରେ ରହିଥିବାବେଳେ ବେଳ ଥାଉଥାଉ ଏହାର ସ୍ଥାୟୀ ମରାମତି କରା ନ ଗଲେ ୪ ଜିଲ୍ଲା ମଧ୍ୟରେ ଯୋଡି ହୋଇଥିବା ସମ୍ପର୍କର ସେତୁ ଛିନ୍ନ ହେବା ନିଶ୍ଚିତ ।