ବିଜ୍ଞାପନକୁ ନେଇ ବିବାଦ: ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଲେ ଉପରାଜ୍ୟପାଳ
Advertisement

ବିଜ୍ଞାପନକୁ ନେଇ ବିବାଦ: ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଲେ ଉପରାଜ୍ୟପାଳ

ଦିଲ୍ଲୀ ସରକାରଙ୍କ ବିଜ୍ଞାପନକୁ ନେଇ ଦେଖା ଯାଇଥିବା ବିବାଦରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରାଜ୍ୟପାଳ ଅନିଲ ବୈଜଲ | 

ବିଜ୍ଞାପନକୁ ନେଇ ବିବାଦ: ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଲେ ଉପରାଜ୍ୟପାଳ

ନୂଆଦିଲ୍ଲୀ: ସରକାରୀ ବିଜ୍ଞାପନ ଜାରି କରିବାକୁ ନେଇ ବିବାଦ ଘେରକୁ ଚାଲି ଆସିଛନ୍ତି ଦିଲ୍ଲୀ କ୍ଷମତାସୀନ ଅରବିନ୍ଦ କେଜ୍ରିୱାଲଙ୍କ ସରକାର | ଶନିବାର ଏକ ଖବର କାଗଜରେ ପ୍ରକାଶିତ ହୋଇଥିବା ବିଜ୍ଞାପନରେ ସିକିମକୁ ଏକ ପଡୋଶୀ ଦେଶ ଭାବେ ଦର୍ଶାଯାଇଥିଲା | ଅନ୍ୟପଟେ ଏନେଇ ଦିଲ୍ଲୀ ସରକାରଙ୍କୁ ନିଜର ପ୍ରତିବାଦ ଜଣାଇ ଚିଠି ଲେଖିଥିଲେ ସିକ୍କିମ ସରକାର | ପ୍ରକାଶିତ ସରକାରୀ ବିଜ୍ଞାପନରେ ଭୁଲ ହୋଇଥିବାର ସ୍ୱୀକାର କରିଥିଲେ ଦିଲ୍ଲୀର କ୍ଷମତାସୀନ ଆପ ସରକାର | 

ଏ ଘଟଣା ସମ୍ପର୍କରେ ଜଣାପଡିବା ପରେ ଦିଲ୍ଲୀର ଉପରାଜ୍ୟପାଳ ଅନିଲ ବୈଜଲ ଜଣେ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି | ଏନେଇ ଟ୍ୱିଟ କରି ଦିଲ୍ଲୀର ଉପରାଜ୍ୟପାଳ ଅନିଲ ବୈଜଲ ଜଣାଇଛନ୍ତି, "ଏଭଳି ଭୁଲକୁ ବରଦାସ୍ତ କରାଯିବ ନାହିଁ | ଏହି ବିଜ୍ଞାପନକୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି | ଏ ଘଟଣାରେ ଜଣେ ଅଧିକାରୀଙ୍କୁ ସସପେଣ୍ଡ କରାଯାଇଛି | ଏପରି ବିଜ୍ଞାପନ ଦେଶର ଅଖଣ୍ଡତା ବିରୋଧି |  "

ସିଭିଲ ଡିଫେନ୍ସ କୋରରେ ସ୍ୱୟଂସେବକ ପଦରେ ଭର୍ତ୍ତି ପାଇଁ  ଶନିବାର ଏକ ବିଜ୍ଞାପନ ପ୍ରକାଶ କରିଥିଲେ ଦିଲ୍ଲୀ ସରକାର | ଏଥିପାଇଁ ୪ଟି ମାନଦଣ୍ଡ ଜାରି ହୋଇଥିଲା | ପ୍ରଥମ ମାନଦଣ୍ଡ ଅନୁସାରେ ଆଶାୟୀ ପ୍ରାର୍ଥୀ ଭାରତ, ଭୂଟାନ, ନେପାଳ କିମ୍ବା ସିକ୍କିମର ଅଧିବାସୀ ହୋଇଥିବା ଆବଶ୍ୟକ | ଯାହାକୁ ନେଇ ଦେଖା ଦେଇଥିଲା ବିବାଦ | ଏପରିକି ସିକ୍କିମ ସରକାରଙ୍କ ମୁଖ୍ୟ ଶାସନ ସଚିବ ଏସସି ଗୁପ୍ତା, ଦିଲ୍ଲୀର ମୁଖ୍ୟ ସଚିବ ବିଜୟ କୁମାର ଦେବଙ୍କୁ ଚିଠି ଲେଖିଥିଲେ | ଏଥିରେ ସେ ଜଣାଇଥିଲେ ଭାରତୀୟ ନାଗରିକ ଭାବେ ଗର୍ବିତ ସିକ୍କିମ ଅଧିବାସୀ | ନେପାଳ ସହ ସିକ୍କିମକୁ ଏକ ସ୍ୱତନ୍ତ୍ର ଦେଶ ଭାବେ ପ୍ରକାଶିତ ସରକାରୀ ବିଜ୍ଞାପନରେ ଦର୍ଶାଯାଇଛି | ଏହାକୁ ହଟାଇବା ଦରକାର |   

ଏପରି ବିଜ୍ଞାପନ ପ୍ରକାଶକୁ ନେଇ ଦିଲ୍ଲୀ ସରକାରଙ୍କୁ ଘେରିଛି ବିରୋଧି ବିଜେପି | ଦିଲ୍ଲୀ ବିଜେପି ଅଧ୍ୟକ୍ଷ ତଥା ସାଂସଦ ମନୋଜ ତିୱାରୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ସିକ୍କିମକୁ ଅଲଗା ଦେଶ ଭାବେ ଦର୍ଶାଇବାକୁ ନେଇ ଟାର୍ଗେଟ କରିଛନ୍ତି | ସରକାର ଜାଗ୍ରତ ରହିବାକୁ ସେ ଦିଲ୍ଲୀ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି |