ସୁରକ୍ଷା ପରାମର୍ଶଦାତାଙ୍କୁ ଭେଟିଥିଲେ ତବଲିଗ୍ ଜମାତରେ ସାମିଲ ମୌଲାନା
Advertisement

ସୁରକ୍ଷା ପରାମର୍ଶଦାତାଙ୍କୁ ଭେଟିଥିଲେ ତବଲିଗ୍ ଜମାତରେ ସାମିଲ ମୌଲାନା

ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢାଉଛି ତବଲିଗ ଜମାତ କାର୍ଯ୍ୟକ୍ରମର ଭିଡ଼ ।

ସୁରକ୍ଷା ପରାମର୍ଶଦାତାଙ୍କୁ ଭେଟିଥିଲେ ତବଲିଗ୍ ଜମାତରେ ସାମିଲ ମୌଲାନା

ନୂଆଦିଲ୍ଲୀ: ଦିଲ୍ଲୀ ନିଜାମୁଦ୍ଦିନ ଅଞ୍ଚଳରେ ହୋଇଥିବା ତବଲିଗ ଜମାତ  କାର୍ଯ୍ୟକ୍ରମକୁ ନେଇ ଦୈନିକ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ତେବେ ଗତ ୨୮-୨୯ ତାରିଖ ରାତିରେ ତବଲିଗି ଜମାତର ମୌଲାନା ସଦ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିଥିବା ନେଇ ସଦ୍ୟ ପ୍ରାପ୍ତ ସୂଚନା ମିଳିଛି । ଅଜିତ ଡୋଭାଲଙ୍କ ସହିତ ଆଲୋଚନା କରିବା ପରେ ହିଁ ଉକ୍ତ ସ୍ଥାନରୁ ତବଲିଗି ଜମାତର ସଦସ୍ୟମାନେ ସେଠାରୁ ହଟିବା ପାଇଁ ରାଜି ହୋଇଥିବା ସୂଚନା ରହିଛି । 

ତେବେ ଆଲୋଚନା ସମୟରେ ସେଣ୍ଟରରେ ରହିଥିବା ସମସ୍ତ ସଦସ୍ୟଙ୍କ କୋରୋନା ଟେଷ୍ଟ କରିବା ପାଇଁ ଅଜିତ ମୌଲାନାଙ୍କୁ କହିଥିଲେ । ତେବେ ସେଠାରୁ କୋରୋନା ସଂକ୍ରମିତଙ୍କ ସୂଚନା ମିଳିବା ନେଇ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଗୃହମନ୍ତ୍ରୀ ଅମିତ ଶାହା ଚିନ୍ତିତ ରହିଥିବା ନେଇ ଜଣାପଡ଼ିଛି ।  ତେବେ ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, କୋରୋନା ବିପକ୍ଷରେ ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ ଲଢେଇ ଯୁଦ୍ଧ ଜାରି ରଖିଛନ୍ତି । 

ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ରାଜ୍ୟରୁ ଲୋକମାନେ ସାମିଲ ହୋଇଥିଲେ । ମହାରାଷ୍ଟ୍ରରୁ ଏହି କାର୍ଯ୍ୟକ୍ରମରେ ୩୪ ଜଣ ସାମିଲ ହୋଇଥିଲେ । ପୋଲିସ ଏମାନଙ୍କୁ ଚିହ୍ନଟ କରି ଡାକ୍ତରଖାନାରେ କ୍ୱାରେଣ୍ଟାଇନ ପାଇଁ ଭର୍ତ୍ତି କରିଛି । ଏମାନଙ୍କ ରକ୍ତ ନମୂନା ମଧ୍ୟ ଯାଞ୍ଚ ପାଇଁ ପଠାଇଛି । ତେବେ ଏମାନଙ୍କ ମଧ୍ୟରୁ ଦୁଇ ଜଣ କୋରୋନା ସଂକ୍ରମିତ ଥିବା ସୂଚନା ରହିଛି । 

ନାନ୍ଦେଡ଼ ଅଞ୍ଚଳରୁ ମଧ୍ୟ ୧୩ ଜଣ ସାମିଲ ହୋଇଥିଲେ । ଦିଲ୍ଲୀ ପୋଲିସ ନାନ୍ଦେଡ଼ ପୋଲିସକୁ ସୂଚନା ଦେଇଥିଲା । ନାନ୍ଦେ଼ଡ଼ ପୋଲିସ ୧୩ ଜଣଙ୍କ ମଧ୍ୟରୁ ଜଣକର ସୂଚନା ପାଇଛି । ଉକ୍ତ ବ୍ୟକ୍ତି ଜଣକ ନାନ୍ଦେଡ଼ର ହିମାୟତ ନଗରର ଅଧିବାସୀ ବୋଲି ଜଣାପଡ଼ିଛି । ତାକୁ ପୋଲିସ ଡାକ୍ତରଖାନାରେ ଭର୍ତ୍ତି କରିଥିବା ନେଇ ସୂଚନା ରହିଛି । 

ସେପଟେ ନିଜାମୁଦ୍ଦିନ ଅଞ୍ଚଳରେ ଆଲମି ମକରଜରେ ପ୍ରାୟ ୨୩୬୧ ଜଣ ଲୋକ ସାମିଲ ହୋଇଥିଲେ । ୩୬ ଘଣ୍ଟା ପରିଶ୍ରମ କରି ଏହାକୁ ପୋଲିସ ଖାଲି କରିଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ ୬୧୭ ଜଣଙ୍କୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଅବଶିଷ୍ଟ ଲୋକଙ୍କୁ କ୍ୱାରେଣ୍ଟାଇନରେ ଭର୍ତ୍ତି କରାଯାଇଛି । ଏହି ତବଲିଗ ଜମାତରେ ସାମିଲ ହୋଇଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ ୨୪ ଜଣ କୋରୋନା ପଜିଟିଭି ଥିବା ଜଣାପଡ଼ିଛି । ତେବେ ଏହି ବୃହତ ସଂଖ୍ୟା ଦିଲ୍ଲୀରେ କୋରୋନା ବୃଦ୍ଧି ପାଇଁ ଖୋରାକ ଯୋଗାଇଛି । 

ସେପଟେ ଏହି ଜମାତ ସହିତ ଜଡ଼ିତ ଥିବା ୮ ଜଣ ଲୋକଙ୍କର ଦେଶର ଭିନ୍ନ ଭିନ୍ନ ସ୍ଥାନରେ ମୃତ୍ୟୁ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଜମାତ ସହିତ ଜଡ଼ିତ ଥିବା ୮୪ ଜଣଙ୍କ କୋରୋନା ପଜିଟିଭି ଆସିଥିବା ଜଣାପଡ଼ିଛି । ଏମାନଙ୍କ ମଧ୍ୟରୁ ଦିଲ୍ଲୀର ୨୪, ତେଲଙ୍ଗାନାର ୧୫ ଓ ତାମିଲନାଡ଼ୁର ୪୫ ଜଣ ରହିଥିବା ଜଣାପଡ଼ିଛି ।