ନାସିକ ଗସ୍ତ ବାତିଲ କରି ଦଳୀୟ ମନ୍ତ୍ରୀଙ୍କ ବୈଠକ ଡାକିଲେ ଶରଦ ପାୱାର
Trending Photos
ନୂଆଦିଲ୍ଲୀ: ମହା ବିକାଶ ଅଘାଡ଼ୀରେ ମହା ଫାଟ ! ଭାଙ୍ଗିଯିବ ଉଦ୍ଧବ ସରକାର ! ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପରେ ଶରଦ ପାୱାର ଖପ୍ପା ! ବର୍ତ୍ତମାନ ମହାରାଷ୍ଟ୍ର ସରକାରକୁ ନେଇ ଏଭଳି କିଛି ଆଶଙ୍କା ପ୍ରକାଶ ପାଇଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭୀମା କୋରେଗାଁଓ (Bhima Koregaon) ଓ ଏଲଗାର ମାମଲର ତଦନ୍ତ NIA ହାତରେ ଦେଇଛନ୍ତି । ଆଉ ଉଦ୍ଧବ ଠାକରେଙ୍କ ଏହି ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରିନି ଏନସିପି । ଦଳର ସମସ୍ତ ୧୬ ମନ୍ତ୍ରୀଙ୍କ ବୈଠକ ଡାକିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର ।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ଆଜି ଶରଦ ପାୱାର ନାସିକ ଯିବାର ଥିଲା । ମାତ୍ର ଏହି ଗସ୍ତକୁ ବାତିଲ କରିଛନ୍ତି ଏନସିପି ମୁଖ୍ୟ । ତୁରନ୍ତ ଦଳୀୟ ମନ୍ତ୍ରୀଙ୍କ ବୈଠକ ଡାକିଛନ୍ତି । ଯାହା କୁହାଯାଉଛି, ଭୀମା କୋରେଗାଁଓ ମାମଲାର ତଦନ୍ତ ମହାରାଷ୍ଟ୍ର ପୋଲିସ ହିଁ କରୁ ବୋଲି ଶରଦ ପାୱାର ଚାହୁଁଥିଲେ । ଯେଉଁଥିପାଇଁ ଏହି ମାମଲାର ତଦନ୍ତ ଏନଆଇଏ ହାତରେ ଦେବା ନିଷ୍ପତ୍ତିକୁ ନେଇ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ମଧ୍ୟ ପୂର୍ବରୁ ଆପତ୍ତି ଉଠାଇଥିଲେ ।
କହିରଖୁଛୁ, କିଛି ଦିନ ପୂର୍ବରୁ ଏନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଥିଲେ ଏନସିପି ମୁଖ୍ୟ ଶରଦ ପାୱାର । ଦୁଇ ପୃଷ୍ଠା ବିଶିଷ୍ଟ ଏହି ଚିଠିରେ ଭୀମା କୋରେଗାଁଓ ମାମଲାର ତଦନ୍ତ ପାଇଁ ଏସଆଇଟି ଗଠନ କରିବାକୁ ଦାବି କରିଥିଲେ ଶରଦ । ଏପରିକି ପୂର୍ବ ସରକାର(ଫଡନାଭିସ ସରକାର) ଉପରେ ମଧ୍ୟ ଗମ୍ଭୀର ଅଭିଯୋଗ ଆଣିଥିଲେ ।
ଶରଦ ପାୱାର କହିଥିଲେ, ''ତତକାଳିନ ସରକାର ପୋଲିସ ସହ ମିଶି ଏହି ମାମଲାରେ ଚକ୍ରାନ୍ତ ରଚିଥିଲେ । ଏହି ହିଂସାକାଣ୍ଡର ମୁଖ୍ୟ ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି । ତେଣୁ ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାର ଏସଆଇଟି ଗଠନ କରନ୍ତୁ ।''
ଆହୁରି ପଢ଼ନ୍ତୁ; ଟ୍ରମ୍ପଙ୍କ ଗୁଜୁରାଟ ଗସ୍ତ କାହିଁକି ? ପୋଲ୍ ଖୋଲିଲା ଶିବସେନା