ଝାଡ଼ଖଣ୍ଡକୁ ଫେରିଲା ସୋରେନ ସରକାର
Advertisement
Article Detail0/zeeodisha/odisha616955

ଝାଡ଼ଖଣ୍ଡକୁ ଫେରିଲା ସୋରେନ ସରକାର

ପୁଅର ଶପଥ ଗ୍ରହଣ ଉତ୍ସବକୁ ମନଭରି ଉପଭୋଗ କଲେ ଶିବୁ ସୋରେନ

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ଆରମ୍ଭ ହେଲା ହେମନ୍ତ ସରକାର । ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ । ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ବିରୋଧୀଙ୍କ ପାଇଁ ଏକତା ମଞ୍ଚ ପାଲଟିଲା ହେମନ୍ତ ସୋରେନଙ୍କ ଶପଥ ଗ୍ରହଣ ସମାରୋହ । ରାଞ୍ଚି ସମାରୋହରେ ମହାମେଳି କରିଛନ୍ତି ବିରୋଧୀ, ପୂର୍ବରୁ ଯାହା କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ଉତ୍ସବରେ ଦେଖିବାକୁ ମିଳିଥିଲା । 

ଝାଡ଼ଖଣ୍ଡରେ ଜେଏମଏମ ନେତୃତ୍ୱାଧିନ ମେଣ୍ଟକୁ ବହୁମତ ମିଳିବା ପରେ ଆଜି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ଜେଏମଏମ ନେତା ହେମନ୍ତ ସୋରେନ । ସେହିପରି ମେଣ୍ଟ ସରକାରରେ ସାମିଲ ଥିବା କଂଗ୍ରେସରୁ ବିଧାୟକ ରାମେଶ୍ୱର ଉରାଙ୍ଗ ଏବଂ ଆରଜେଡିର ସତ୍ୟାନନ୍ଦ ଭୋଗତା ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ରାମେଶ୍ୱର ମନମୋହନ ସିଂହ ସରକାରରେ କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଥିଲେ । ସେ ଝାଡ଼ଖଣ୍ଡର ପିସିସି ସଭାପତି ରହିଛନ୍ତି । ଜେଏମଏମ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ସୁଯୋଗ୍ୟ ସନ୍ତାନଙ୍କ ହାତରେ ଏବେ ଝାଡ଼ଖଣ୍ଡ ଶାସନ । ପୂର୍ବରୁ ଶିବୁ ସୋରେନ ୩ଥର ଏବଂ ହେମନ୍ତ ସୋରେନ ଥରେ ମୁଖ୍ୟମନ୍ତ୍ରୀ ହୋଇ ସାରିଛନ୍ତି । ମାତ୍ର ସଂଖ୍ୟା ଗରିଷ୍ଠତା ଅଭାବରୁ କେବେ ମଧ୍ୟ ଟର୍ମ ପୁରା କରିପାରିନାହାଁନ୍ତି ସୋରେନ ପରିବାର । ମାତ୍ର ଏଥର ମେଣ୍ଟକୁ ମିଳିଛି ସଂଖ୍ୟା ଗରିଷ୍ଠତା, ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ସେରେନ । 

ଶପଥ ସମାରୋହରେ ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ

ଯାହା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଶପଥ ଗ୍ରହଣ ଉତ୍ସବରେ ହେବାର ଥିଲା, ତାହା ଝାଡ଼ଖଣ୍ଡରେ କରି ଦେଖାଇଛନ୍ତି ବିରୋଧୀ । କର୍ଣ୍ଣାଟକର ତତକାଳିନ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯେଉଁପରି ଭାବରେ ମହାମେଳି କରିଥିଲେ ବିରୋଧୀ, ଆଜି ରାଞ୍ଚିରେ , ଠିକ୍ ସେପରି କିଛି ହିଁ ଦେଖିବାକୁ ମିଳିଛି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ, ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ, ଆରଜେଡି ନେତା ତେଜସ୍ୱୀ ଯାଦବ, ଆପ ନେତା ସଞ୍ଜୟ ସିଂହ ପ୍ରମୁଖ ଏହି ସମାରୋହରେ ସାମିଲ ହୋଇଥିଲେ । 

ଜେଏମଏମ ମୁଖ୍ୟ ଶିବୁ ସୋରେନ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଉପସ୍ଥିତ

ବାପାଙ୍କ ସାମନାରେ ଶପଥ ନେଲେ ପୁଅ ହେମନ୍ତ ସୋରେନ । ହସ ହସ ମୁହଁରେ ପୁଅର ଶପଥ ଗ୍ରହଣ ଉତ୍ସବକୁ ଦେଖୁଥିଲେ ଶିବୁ ସୋରେନ । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ ।