ଏବେ ବେଳ ପ୍ରାୟଶ୍ଚିତ ଓ ଉପବାସର

ନିର୍ଭୟା ଘଟଣାକୁ ପାଖାପାଖି ୮ବର୍ଷ ବିତିଯାଇଥିଲେ ମଧ୍ୟ ଆମ ରାଜ୍ୟ ସେଥିରୁ କିଛି ଶିଖିପାରି ନଥିବା ଜଣାପଡ଼ୁଛି । କାହିଁକି ନା ପ୍ରତିଦିନ ଆମ ରାଜ୍ୟରେ ୭ ଜଣ ଦୁଷ୍କର୍ମର ଶିକାର ହେଉଥିବା ଅଭିଯୋଗ ହୋଇଛି । ୭ ଜଣଙ୍କ ମଧ୍ୟରୁ ୪ ଜଣ ନାବାଳିକା । ଅପରାଧକୁ ନେଇ ବିଧାନସଭାରେ ସରକାର ଯେଉଁ ତାଲିକା ଦେଇଛନ୍ତି, ତାହା ସମସ୍ତଙ୍କୁ ତାଜୁବ କରିଛି ।

ଏବେ ବେଳ ପ୍ରାୟଶ୍ଚିତ ଓ ଉପବାସର
ପ୍ରତୀକାତ୍ମକ ଫଟୋ

ବିଭୂତି ଭୂଷଣ ଦାସ, ନୂଆଦିଲ୍ଲୀ: ଡିସେମ୍ବର ୨୦୧୨ର ଏକ ଶୀତରାତି । ରାଜଧାନୀ ନୂଆଦିଲ୍ଲୀରେ ଘଟିଥିବା ଅତ୍ୟନ୍ତ ଲୋମହର୍ଷଣକାରୀ, ନାରକୀୟ ନିର୍ଭୟା ଗଣଦୁଷ୍କର୍ମ ମାମଲା ଦେଶବାସୀଙ୍କ ସାମୂହିକ ବିବେକକୁ ଦୋହଲାଇ ଦେଇଥିଲା । ଏମିତି ଏକ ପୈଶାଚିକ କାଣ୍ଡ ନେଇ ସାମୂହିକ ଉଦବେଗ ଓ ଜନ ଆକ୍ରୋଶ ଆନ୍ଦୋଳନର ରୂପ ନେଇଥିଲା । ଜନ ଆକ୍ରୋଶ ଏତେ ତୀବ୍ର ଥିଲା ଯେ, ଆନ୍ଦୋଳନର ନିଆଁ ସାରା ଦେଶକୁ ବ୍ୟାପି ଯାଇଥିଲା । 

ନିର୍ଭୟା ଘଟଣାକୁ ପାଖାପାଖି ୮ବର୍ଷ ବିତିଯାଇଥିଲେ ମଧ୍ୟ ଆମ ରାଜ୍ୟ ସେଥିରୁ କିଛି ଶିଖିପାରି ନଥିବା ଜଣାପଡ଼ୁଛି । କାହିଁକି ନା ପ୍ରତିଦିନ ଆମ ରାଜ୍ୟରେ ୭ ଜଣ ଦୁଷ୍କର୍ମର ଶିକାର ହେଉଥିବା ଅଭିଯୋଗ ହୋଇଛି । ୭ ଜଣଙ୍କ ମଧ୍ୟରୁ ୪ ଜଣ ନାବାଳିକା । ଅପରାଧକୁ ନେଇ ବିଧାନସଭାରେ ସରକାର ଯେଉଁ ତାଲିକା ଦେଇଛନ୍ତି, ତାହା ସମସ୍ତଙ୍କୁ ତାଜୁବ କରିଛି । ସାରା ରାଜ୍ୟରେ ଅଶାନ୍ତି, ଉତ୍ତେଜନା ଓ ଅସ୍ଥିରତାର ପରିବେଶ ସୃଷ୍ଟି ହୋଇଛି । ଯେମିତି ଲାଗୁଛି ଆମ ରାଜ୍ୟରେ ମହିଳାଙ୍କ ଇଜ୍ଜତ ମୂଲ୍ୟହୀନ । କିନ୍ତୁ ଏସବୁର କାଣିଚାଏ ବି ପ୍ରଭାବ ରାଜନୈତିକ ଦଳଗୁଡ଼ିକ ଉପରେ ପଡ଼ୁଥିବା ମନେ ହେଉଛି ।

ରାଜ୍ୟର କୌଣସି ବି ପ୍ରମୁଖ ଦଳ ଏହା ବିରୋଧର ପ୍ରତିବାଦର ସ୍ୱର ଉଠାଉ ନାହାଁନ୍ତି । ଖୋଦ ମୁଖ୍ୟମନ୍ତ୍ରୀ ଯେଉଁଠି କହୁଛନ୍ତି ନାରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ରାଜନୀତି ନ କରିବା ଉଚିତ, ସେଠି କାଣିଚାଏ ବି ପ୍ରଭାବ ରାଜନୈତିକ ଦଳ ଗୁଡ଼ିକ ଉପରେ ବା ପଡ଼ିବ କେମିତି ? ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସର ନେତାମାନଙ୍କ ମୁହଁରେ ଯେମିତି ତୁଣ୍ଡି ଲାଗିଛି । ମହିଳାଙ୍କୁ ସମ୍ମାନ ପାଇଁ ଚିତ୍କାର କରୁଥିବା ଶାସକ ବିଜେଡି ଦଳର ନେତାମାନେ ନିଜ ସରକାର ଉପରେ ବିପଦ ପଡ଼ିବା ଆଶଙ୍କାରେ ନିରବ ରହିବାକୁ ଉଚିତ ମଣୁଛନ୍ତି । ସାଧାରଣ ପରିବାରର ମହିଳାଙ୍କ ଇଜ୍ଜତ ଲୁଟ ଯେପରି ରାଜନୈତିକ ଦଳ ପାଇଁ ମୂଲ୍ୟ ରଖୁନାହିଁ ।

ଯଦି କୌଣସି ରାଜନୈତିକ ଦଳର ନେତା ଏପରି କିଛି କାରବାରରେ ସମ୍ପୃକ୍ତ ଥାନ୍ତେ, ତେବେ ନିଶ୍ଚିନ୍ତ ପ୍ରତିପକ୍ଷ ରାଜନୈତିକ ଦଳ ଏହାକୁ ପ୍ରସଙ୍ଗ କରିଥାନ୍ତେ । କାରଣ ଏଥିରୁ ରାଜନୈତିକ ଫାଇଦା ମିଳିବାର ସମ୍ଭାବନା ଥାଏ, ହେଲେ ସାଧାରଣ ପରିବାରର ଝିଅମାନେ ପ୍ରଭାବିତ ହେଉଥିବାରୁ ରାଜନୈକିକ ଫାଇଦା ସେତେଟା ମିଳିବାର ନାହିଁ । ରାଜନୈତିକ ଦଳ ତ ପାଟି ଫିଟାଉ ନାହାଁନ୍ତି, ମହିଳାଙ୍କ ଅଧିକାର ଓ ସ୍ୱାର୍ଥ ପାଇଁ କାମ କରୁଥିବା ମହିଳା ସଂଗଠନଗୁଡିକର ସ୍ୱର ବି ଶୁଣାଯାଉନି । ସାଧାରଣ ମହିଳା ସଇତାନମାନଙ୍କ ଦ୍ୱାରା କେତେ ଅତ୍ୟାଚାରିତ ହେଲେ, ଏମାନେ ଆଗକୁ ଆସିବେ ? କାହିଁକି ଏମାନେ ଚୁପ ?

ନାରୀଙ୍କୁ ସମ୍ମାନ ଦିଆଯିବ । ସେମାନଙ୍କ ମର୍ଯ୍ୟାଦା କିପରି ସୁରକ୍ଷିତ ରହିବ, ସେଥିପାଇଁ ସମସ୍ତେ ରାଜନୀତି କରୁଛନ୍ତି କେତେକ ଯାଗାରେ କାଉଁସେଲିଂ ମଧ୍ୟ କରାଯାଉଛି । ସରକାରୀ ଓ ବେସରକାରୀ ସ୍ତରରେ ଏନେଇ ବିତର୍କ କରାଯାଉଛି । ମହିଳାମାନେ କିପରି ନିଜକୁ ସୁରକ୍ଷିତ ରଖିପାରିବେ ତାଲିମ ଦିଆଯାଉଛି । ମହିଳାଙ୍କୁ ଖରାପ ବ୍ୟବହାର କଲେ କଡ଼ା ଦଣ୍ଡ ବିଧାନ ରହିଛି । ତଥାପି ମହିଳା ଅସୁରକ୍ଷିତ । ତଥାପି ନିର୍ଭୟା ଭଳି ବର୍ବରକାଣ୍ଡ ଘଟୁଛି । ପୀଡିତାଙ୍କୁ ନ୍ୟାୟ ମିଳୁନି, ଦୋଷୀ ଖସି ଯାଉଛନ୍ତି ।  ତାର ଦୁର୍ଭାଗ୍ୟଜନକ ଉଦାହରଣ କୋରାପୁଟର କୁନ୍ଦୁଲି ପୀଡ଼ିତା ହୁଅନ୍ତୁ କି, ପିପିଲିର ବେବିନା ଅବା, ରାୟଗଡ଼ା କାଶୀପୁରର ଇତିଶ୍ରୀ । ଏମାନଙ୍କୁ ନ୍ୟାୟ କେବେ ? ଏମାନେ କଣ ନ୍ୟାୟରୁ ବଞ୍ଚିତ ହୋଇ ନାହାଁନ୍ତି କି ? ନାଁ ଏମାନଙ୍କୁ ନେଇ ରାଜନୀତି ହୋଇନାହିଁ ? ତଥାପି ଘରେ ବାହାରେ ସବୁଠି ମହିଳାଙ୍କ ପାଇଁ ଜଗି ବସିଛି ବିପଦ । 

ଆଜି ବି କେଉଁଠି ସୁରକ୍ଷିତ ନୁହଁନ୍ତି ମହିଳା ? ଆମ ପୂରା ବ୍ୟବସ୍ଥା ଯେମିତି ନାଚାର ଓ ବଧିର ହୋଇପଡ଼ିଛି ? କାହାରି କାନକୁ ଶଉୁନି ଅସହାୟ ନାରୀର କାନ୍ଦ ? କାହିଁକି ବାରମ୍ବାର ଘଟିଚାଲିଛି ଏ ଲଜ୍ଜାଜନକ ଘଟଣା ? କିଏ ଏଥି ପାଇଁ ଦାୟୀ ? ଯେଉଁଠି ଦିନକୁ ୭ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି ସେ କଣ ରାଜନୈତିକ ପ୍ରସଙ୍ଗ ହେବା ଅନୁଚିତ ?

ଜାତି ଧର୍ମ ବିଚାରରେ ଆଇନର ଶାସନ ଖାଲି ଗଣତନ୍ତ୍ର ପାଇଁ ବିପଦ ନୁହେଁ, ଦେଶର ଏକତା, ସଂହତି ପ୍ରତି ମଧ୍ୟ ବିପଦ । କେନ୍ଦ୍ରରର ମୋଦି ସରକାର ହେଉ କି ରାଜ୍ୟର ନବୀନ ସରକାର...ସମସ୍ତଙ୍କ ନୀରବତା ଦାୟିତ୍ୱ ମୁକ୍ତ କରିପାରିବ ନାହିଁ । କେନ୍ଦ୍ର ସରକାରଙ୍କ ବେଟି ବଚାଓ, ବେଟୀ ପଢ଼ାଓ ହେଉକି..ରାଜ୍ୟ ସରକାରଙ୍କ ବିଜୁ କନ୍ୟା ରତ୍ନ ଯୋଜନା....ସ୍ଲୋଗାନର ଏହା କଣ ଅସଲ ସ୍ୱରୂପ ? ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମୋହଦୟଙ୍କୁ ଏସବୁ ପ୍ରଶ୍ନର ଉତ୍ତର ଦେବାକୁ ହେବ । ଆଉ ପ୍ରତିବାଦ ପାଇଁ ଉପବାସ ନୁହେଁ, ଏବେ ପ୍ରାୟଶ୍ଚିତ ପାଇଁ ଉପବାସର ବେଳ ଆସିଯାଇଛି ।  ...କଣ ଅସୁବିଧା ? କାହିଁକି ନହେବ ରାଜନୀତି ?...