କ୍ଷମତାର ରିମୋର୍ଟ କଣ୍ଟ୍ରୋଲ ଶିବସେନା ହାତରେ, ଅଡୁଆରେ ବିଜେପି
Advertisement

କ୍ଷମତାର ରିମୋର୍ଟ କଣ୍ଟ୍ରୋଲ ଶିବସେନା ହାତରେ, ଅଡୁଆରେ ବିଜେପି

ମହାରାଷ୍ଟ୍ର ଶାସନର ରିମୋର୍ଟ ଏବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ହାତରେ । ଉଦ୍ଧବ ଯେମିତି ଚାହିଁବେ, ସରକାର ସେମିତି ହେବ । ଶିବସେନା ମୁଖପତ୍ର 'ସାମନା'ରେ ଦଳର ବରିଷ୍ଠ ନେତା ସଞ୍ଜୟ ରାଉତ ଏମିତି ଏକ ସନ୍ଦର୍ଭ ଲେଖିଛନ୍ତି । 

ଫାଇଲ ଫଟୋ

ନୂଆଦିଲ୍ଲୀ: ରିମୋର୍ଟ କଣ୍ଟ୍ରୋଲ । ରାଜନୀତିରେ ଏ ଶବ୍ଦ ବେଶ ପରିଚିତ । ମହାରାଷ୍ଟ୍ରରେ ୧୯୯୫ରୁ ୧୯୯୯ ମଧ୍ୟରେ ବିଜେପି-ଶିବସେନା ମେଣ୍ଟ ସରକାର ଚାଲିଥିବା ବେଳେ ଏହି ଶବ୍ଦର ବ୍ୟବହାର କରୁଥିଲେ ଶିବସେନା ପ୍ରତିଷ୍ଠାତା ଦିବଙ୍ଗତ ବାଲ ଠାକରେ । ଆଉ ଆଜି ଶିବସେନାର ମୁଖପତ୍ର 'ସାମନା'ରେ ଏ ଶବ୍ଦର ବ୍ୟବହାର ଦେଖିବାକୁ ମିଳିଛି । ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ମହାରାଷ୍ଟ୍ର ଶାସନର ରିମୋର୍ଟ କଣ୍ଟ୍ରୋଲ ବୋଲି ଅବିହିତ କରାଯାଇଛି । ଯେତେବେଳେ ମୁଖ୍ୟମନ୍ତ୍ରୀ ପଦ ନେଇ ବିଜେପି-ଶିବସେନା ମୁହାଁମୁହିଁ ହୋଇଛନ୍ତି, ଠିକ ସେତେବେଳେ ଏହି ସନ୍ଦର୍ଭ ବେଶ ଗୁରୁତ୍ୱବହନ କରୁଛି । 

ମହାରାଷ୍ଟ୍ର ଶାସନର ରିମୋର୍ଟ ଏବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ହାତରେ । ଉଦ୍ଧବ ଯେମିତି ଚାହିଁବେ, ସରକାର ସେମିତି ହେବ । ଶିବସେନା ମୁଖପତ୍ର 'ସାମନା'ରେ ଦଳର ବରିଷ୍ଠ ନେତା ସଞ୍ଜୟ ରାଉତ ଏମିତି ଏକ ସନ୍ଦର୍ଭ ଲେଖିଛନ୍ତି । ୨୦୧୪(୬୩) ତୁଳନାରେ ଏଥର ଦଳକୁ କମ ଆସନ ମିଳିଛି ସତ । ହେଲେ ମହାରାଷ୍ଟ୍ର ଶାସନର ରିମୋର୍ଟ ଉଦ୍ଧବ ଠାକରେଙ୍କ ପାଖରେ ରହିଛି ବୋଲି ଏଥିରେ କହିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ସରଗରମ । 

ମହାରାଷ୍ଟ୍ର ବିଧାନସଭାରେ ବିଜେପି ଓ ଶିବସେନା ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ମିଳିଛି ସତ । କିନ୍ତୁ ରାଜ୍ୟରେ ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ, ତାହାକୁ ନେଇ ଦୁଇ ଦଳ ମଧ୍ୟରେ ଜାରି ରହିଛି କୁସ୍ତି । ସରକାର ଗଢିବାକୁ ନେଇ ୫୦-୫୦ ଫର୍ମୁଲାରେ ଅଡ଼ି ବସିଛି ଶିବସେନା । ଅର୍ଥାତ ଶାସନର ଅଧା ସମୟ(୨.୫ବର୍ଷ) ମୁଖ୍ୟମନ୍ତ୍ରୀ ପଦ ଶିବସେନା ହାତରେ ଦେବାକୁ ଦଳ ଦାବି କରିଛି । ଆଉ ଏନେଇ ବିଜେପି ଠାରୁ ଲିଖିତ ଆଶ୍ୱାସନା ବି ମାଗିଛି । ସେପଟେ ବିଜେପି ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ନାରାଜ । ଅନ୍ୟପଟେ ମେଣ୍ଟରେ ଫାଟ ହେଲେ ଶିବସେନାକୁ ମନାଇ କଂଗ୍ରେସ-ଏନସିପି ସରକାର ଗଠନର ସ୍ୱପ୍ନ ଦେଖୁଛନ୍ତି । ଆଉ ଏଭଳି ସମୟରେ ରଞ୍ଜୟ ରାଉତଙ୍କ ସନ୍ଦର୍ଭର ବେଶ ଗୁରୁତ୍ୱ ରହିଛି । 

ଶିବସେନା ଟିକଟରେ ସିଲ୍ଲୋଡରୁ ନିର୍ବାଚନ ଜିତିଥିବା ମୁସଲିମ ବିଧାୟକ ଅବଦୁଲ ସତ୍ତାର କହିଛନ୍ତି , ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଛି । ସେ ଦାବି କରିଛନ୍ତି ଯେ ବିଜେପି ଓ ଶିବସେନା ମଧ୍ୟରେ ମେଣ୍ଟ ହେବା ସମୟରେ ରାଜ୍ୟରେ ୨।୫ ବର୍ଷ ଶିବସେନା ଓ ୨।୫ ବର୍ଷ ବିଜେପିର ମୁଖ୍ୟମନ୍ତ୍ରୀ ହେବ । ସତ୍ତାରଙ୍କ ବ୍ୟତୀତ ଶିବସେନା ବିଧାୟକ ପ୍ରତାପ ସରନାଇକ ମଧ୍ୟ ସମାନ ଦାବି କରିଛନ୍ତି । 

ଚଳିତ ନିର୍ବାଚନରେ ମହାରାଷ୍ଟ୍ରର ୨୮୮ଟି ଆସନରୁ ବିଜେପି-ଶିବସେନା ମେଣ୍ଟକୁ ୧୬୧ ଆସନ ମିଳିଛି । ଏଥିରେ ବିଜେପିର ୧୦୫, ଶିବସେନାର ୫୬ ଆସନ ରହିଛି ।  ସେପଟେ ଏନସିପିକୁ ୫୪, କଂଗ୍ରେସକୁ ୪୪ ଓ ଅନ୍ୟାନ୍ୟକୁ ୨୯ଟି ଆସନ ମିଳିଛି । ୨୦୧୪ ବିଧାନସଭା ନିର୍ବାଚନରେ ବିଜେପିକୁ ୧୨୨, ଶିବସେନା ୬୩, କଂଗ୍ରେସ ୪୨ ଓ ଏନସିପିକୁ ୪୧ଟି ଆସନ ମିଳିଥିଲା ।