'କ୍ଷମତା' ପ୍ରଦୂଷଣରୁ ମୁକ୍ତ ପାଇଁ ପ୍ରଦୂଷଣ ସହର 'ସାହା'

ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟୁଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ । ଅନ୍ୟପଟେ ସୋନିଆ ଗାନ୍ଧୀଙ୍କୁ ଭେଟିବେ ଶରତ ପାୱାର ।

'କ୍ଷମତା' ପ୍ରଦୂଷଣରୁ ମୁକ୍ତ ପାଇଁ ପ୍ରଦୂଷଣ ସହର 'ସାହା'
ଡିଜାଇନ ଫଟୋ

ଶେଷଦେବ ମହାପାତ୍ର, ନୂଆଦିଲ୍ଲୀ: ମହାରାଷ୍ଟ୍ରରେ କିଏ ଗଢ଼ିବ ସରକାର ? ସରକାର ଗଠନରେ କ'ଣ ରହିବ ଏନସିପି ଓ କଂଗ୍ରେସର ଆଭିମୁଖ୍ୟ ? କେଉଁ ଫର୍ମୁଲାରେ ମହାରାଷ୍ଟ୍ର ଗଣିତକୁ କଷିବ ଭାରତୀୟ ଜନତା ପାର୍ଟି ? ବିଜେପି ସହ ରହିବ ନା ଛାଡ଼ିବ, କ'ଣ ହେବ ଶିବସେନାର ଶେଷ ସିଦ୍ଧାନ୍ତ ?  ଏ ତମାମ ପ୍ରଶ୍ନର ଉତ୍ତର ହୁଏତ ଖୁବଶୀଘ୍ର ଆସିପାରେ, କାହିଁକି ନା ଆଜି ଦିଲ୍ଲୀ ଦରବାରରେ ବସୁଛି ହେଭିୱେଟଙ୍କ ବୈଠକ । ଗୋଟେ ପଟେ ସୋନିଆ-ଶରତ ତ ଅନ୍ୟପଟେ ଶାହ-ଫଡନାଭିସ । 

ଗତ କିଛିଦିନ ହେଲା ନେତୃତ୍ୱକୁ ନେଇ ବିଜେପି-ଶିବସେନା ଭିତରେ ଲାଗି ରହିଥିବା ଛକାପଞ୍ଝା ଭିତରେ ଆଜିର ଦିନଟି ନିର୍ଣ୍ଣାୟକ ଭୂମିକା ନିଭାଇପାରେ । ଆଜି ସ୍ପଷ୍ଟ ହେବାକୁ ଯାଉଛି ମହାରାଷ୍ଟ୍ର ସରକାରରେ କ'ଣ ରହିବ କଂଗ୍ରେସ ଓ ଏନସିପିର ଭୂମିକା । ସନ୍ଧ୍ୟାରେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟୁଛନ୍ତି ଏନସିପି ମୁଖ୍ୟ ଶରଦ ପାୱର । ପୂର୍ବରୁ ଶରଦ ବିରୋଧୀ ଦଳ ଭୂମିକା ନିଭାଇବା ନେଇ ଯେଉଁ ସ୍ପଷ୍ଟୋକ୍ତି ଦେଇଥିଲେ, ଆଜି ସେ ୟୁ ଟର୍ଣ୍ଣ ମାରିବାର ବି ସମ୍ଭାବନା ବେଶ୍ ଅଧିକ । ଅନ୍ୟପଟେ ଦଳର ବରିଷ୍ଠ ନେତା ମଧ୍ୟ ସରକାରରେ ରହିବାକୁ ଉଚିତ୍ ମନେ କରୁଥିବା ନୱାବ ମଲିକଙ୍କ ଟ୍ୱିଟରୁ ସ୍ପଷ୍ଟ ହେଉଛି।

sharad pawar and  sonia gandhi

ଏପଟେ କଂଗ୍ରେସର ସବୁଠୁ ବଡ଼ ମିଶନ, ବିଜେପିକୁ ସାମ୍ନା କରିବା । ତେଣୁ, ବିଜେପିକୁ ଯଥୋଚିତ କ୍ଷମତାରୁ ଦୂରେଇ ରଖିବାକୁ ଦଳ ଶିବସେନାକୁ ନେଇ ନିଜର ଗୋଟି ଚାଳନା କରିପାରେ । ଏନସିପି ମୁଖ୍ୟଙ୍କ ସହ ସୋନିଆ ଏନେଇ ବିଷଦ ଆଲୋଚନା କରିବାର ସମ୍ଭାବନା ରହିଛି ।

ସେପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ସାକ୍ଷାତ କରିବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ । ବଡ଼ ବଡ଼ ରାଜନୈତିକ ଗଣିତକୁ ଅତି ସୁନ୍ଦର ଫର୍ମୁଲାରେ ସମାଧାନ କରିପାରୁଥିବା ଶାହ ମହାରାଷ୍ଟ୍ରରେ ସରକାର ଗଢିବା ପାଇଁ କେଉଁ ଫର୍ମୁଲା ଆପଣାଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି । କାହିଁକି ନା ଏବେ ବି ୫୦/୫୦ ଫର୍ମୁଲାକୁ ନେଇ ଶିବସେନା ନିଜ ଜିଦରେ ଅଟଳ ରହିଛି । ଆଉ ଏହି ପରିପ୍ରେକ୍ଷୀରେ ବିଜେପି ଯଦି ଏହାକୁ ସମର୍ଥନ ନ କରେ ତେବେ ଦଳ ମେଣ୍ଟରୁ ଓହରି ଯିବା ନେଇ ଅନେକ ଥର ସ୍ପଷ୍ଟ କରିସାରିଛି ।ଏପରିକି ବିକଳ୍ପ ସରକାର ପାଇଁ ଦଳ ପାଖରେ ୧୭୦ ବିଧାୟକଙ୍କ ସମର୍ଥନ ଥିବା ନେଇ ଦଳର ଅନେକ ନେତା ବାହସ୍ଫୋଟ ମାରି ସାରିଛନ୍ତି । ତେଣୁ ଏଠାରେ ମହାରାଷ୍ଟ୍ର ମହାନାଟକକୁ ନେଇ ଅନେକ ପ୍ରଶ୍ନ ଆସିବା ସ୍ୱାଭାବିକ ।

କ'ଣ ହେବ ଶାହଙ୍କ ନିଷ୍ପତ୍ତି ? ସତରେ କ'ଣ ଶିବସେନାର ସର୍ତ୍ତକୁ ମାନିବେ ଶାହ ? ନା ବିକଳ୍ପ ଭାବେ ଏନସିପିକୁ ମନାଇବା ପାଇଁ ପ୍ରସ୍ତୁତ କରିବେ ବ୍ଲୁ ପ୍ରିଣ୍ଟ ? ନିଜର ବିଚକ୍ଷଣ ବୁଦ୍ଧି ଓ ପ୍ରଖର ରାଜନୀତିରେ ସର୍ବଦା ରାଜନୀତିକୁ ଓଲଟାଇ ପାରୁଥିବା ଶାହଙ୍କ ଗଣିତ ଏବେ କିଭଳି ସମାଧାନ ହେଉଛି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଉତ୍ତର-ପୂର୍ବରେ ପଦ୍ମ ଫୁଟାଇବା ହେଉ କି ନିକଟରେ ହରିୟାଣାରେ ସରକାର ଗଠନ କରିବା, ସବୁଥିରେ ନିଜର ସ୍ୱତନ୍ତ୍ର ଫର୍ମୁଲା ପକାଇ ବିଜୟର ସ୍ୱାଦ ଦେଇଥିବା ଶାହଙ୍କ ନିଷ୍ପତ୍ତି ଉପରେ ସାରା ଦେଶର ନଜର ରହିଛି । ତେଣୁ, ବୈଠକ ପୂର୍ବରୁ ମିଳିଥିବା କେତେକ ଆଭାସ ଭିତରୁ ଶିବସେନାର ସର୍ତ୍ତ ମାନିବା ବଦଳରେ ଓଲଟା ଉଦ୍ଧବ ଠାକରେଙ୍କୁ ସର୍ତ୍ତରୁ ଓହରିବା ପାଇଁ ମଜବୁର କରିପାରନ୍ତି ବିଜେପି ଚାଣକ୍ୟ ।

ଆଜି ଦିଲ୍ଲୀ ଦରବାରରେ ଏ ସମସ୍ତ ପ୍ରଶ୍ନର ଉତ୍ତର ଆସିପାରେ । ଦେବେନ୍ଦ୍ର ଫଡନାଭିସ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ନା ପୁଅ ଆଦିତ୍ୟ ଠାକରେଙ୍କୁ ସିଂହାସନରେ ବସାଇବା ପାଇଁ ସଫଳ ହେବେ ଉଦ୍ଧବ ? ଶିବସେନାର ଜିତ୍ ଆଗରେ ମୁଣ୍ଡ ନୁଆଁଇବ କି ବିଜେପି ? ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଦେବା ଆଳ ସିନା ସାଧାରଣ ଲୋକଙ୍କ ପାଇଁ, କିନ୍ତୁ ଏହି ବାହାନାରେ ଯେ ଫଡ଼ନାଭିସ ଅମିତ ଶାହଙ୍କ ଶରଣ ପଶିବାକୁ ଯାଉଛନ୍ତି, ଏକଥାକୁ ଏଡ଼ାଇ ଦିଆଯାଇ ନପାରେ ।