ଏନଡିଏରୁ ଓହରିବ ଶିବସେନା ! କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ଅରବିନ୍ଦ ସାୱନ୍ତ
Advertisement

ଏନଡିଏରୁ ଓହରିବ ଶିବସେନା ! କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ଅରବିନ୍ଦ ସାୱନ୍ତ

ମହାରାଷ୍ଟ୍ରରେ ବିକଳ୍ପ ସରକାର ! ଏନସିପିର ସର୍ତ୍ତ ମାନିନେଲା ଶିବସେନା . ବଳି ପଡିଲେ ଶିବସେନା ସାଂସଦ ତଥା କେନ୍ଦ୍ର ଭାରି ଶିଳ୍ପ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅରବିନ୍ଦ ସାୱନ୍ତ ! ଇନଡିଏରୁ ସମ୍ପର୍କ ଛିନ୍ନ କରିବାକୁ ଯାଇ ଶ୍ରୀଯୁକ୍ତ ସାୱନ୍ତ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି . ଏନଡିଏଠୁ ଓହରିଲା ପରେ ଯାଇ ଶିବସେନାକୁ ସମର୍ଥନ ନେଇ ଚିନ୍ତା କରିବ ବୋଲି ଏନସିପି କହିଥିଲା . 

ଫାଇଲ ଫଟୋ

ନୂଆଦିଲ୍ଲୀ: ଯାହା ଆଶା କରାଯାଉଥିଲା, ତାହା ହିଁ ହେଲା । ଏନସିପିର ସର୍ତ୍ତ ମାନିବାକୁ ଯାଇ ଏନଡିଏରୁ ଦୂରେଇବା ରାସ୍ତାରେ ଶିବସେନା । ବଳି ପଡିଲେ ଦଳର ଏକମାତ୍ର କେନ୍ଦ୍ରମନ୍ତ୍ରୀ ! କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲା ଶିବସେନା ସାଂସଦ ତଥା କେନ୍ଦ୍ର ଭାରି ଶିଳ୍ପ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅରବିନ୍ଦ ସାୱନ୍ତ । ଆଉ ଏହାପରେ ମହାରାଷ୍ଟ୍ରରେ କଂଗ୍ରେସର ବାହ୍ୟ ସମର୍ଥନରେ ଶିବସେନା-ଏନସିପି ସରକାର ଗଢିବା ଏକ ପ୍ରକାର ସ୍ପଷ୍ଟ ହେବାକୁ ଯାଉଛି । 

ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି-ଶିବସେନା ମଧ୍ୟରେ ଛକପଞ୍ଝା ଲାଗିଥିବା ବେଳେ ଶିବସେନା ଆଗରେ ଏକ ବଡ ସର୍ତ୍ତ ରଖିଥିଲା ଶରଦ ପାୱାରଙ୍କ ଦଳ ଏନସିପି । ଯଦି ଉଦ୍ଧବ ଠାକରେ ଏନଡିଏ ଠାରୁ ସମ୍ପର୍କ ଛିନ୍ନ କରନ୍ତି, ତେବେ ଶିବସେନାକୁ ଏନସିପି ସମର୍ଥନ କରିପାରେ । ଆଉ ଏପରି ହେଲେ ମହାରାଷ୍ଟ୍ରରେ ବିକଳ୍ପ ସରକାର ସମ୍ଭବ ବୋଲି ରୋକଠୋକ୍ କହିଥିଲେ ଏନସିପିର ବରିଷ୍ଠ ନେତାଏ । ଗତକାଲି ବିଜେପି ସରକାର ଗଠନ ପାଇଁ ପଛଘୁଞ୍ଚା ଦେବା ପରେ ଦ୍ୱିତୀୟ ବୃହଦ ଦଳ ଭାବରେ ଶିବସେନାକୁ ଆମନ୍ତ୍ରଣ କରିଥିଲେ ରାଜ୍ୟପାଳ । ଆଉ ଏହାପରେ ସମାନ କଥା ଦୋହରାଇଥିଲେ ଏନସିପିର ବରିଷ୍ଠ ନେତା ନୱାବ ମଲିକ । ତେବେ ଆଜି ଏନସିପି ସର୍ତ୍ତକୁ ଶିବସେନା ଗ୍ରହଣ କରିଥିବା ଜଣାପଡିଛି । ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ପ୍ରସ୍ତାବ ମଧ୍ୟ ଦେଇଛି ଏନସିପି ।  ଯେଉଁ ପ୍ରସ୍ତାବ ଗ୍ରହଣ କରିବା ଶିବସେନା ପାଇଁ କାଠିକାର ପାଠ । କାହିଁକିନା ପୁଅ ଆଦିତ୍ୟଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଛନ୍ତି ଶିବସେନା ମୁଖ୍ୟ । 

ଯଦିଓ ଏନଡିଏରୁ ସମର୍ଥନ ପ୍ରତ୍ୟାହାର ନେଇ ଶିବସେନା ଘୋଷଣା କରିନାହିଁ, ତଥାପି ମଧ୍ୟ କେନ୍ଦ୍ରମନ୍ତ୍ରୀ ପଦରୁ ଶିବସେନା ସାଂସଦଙ୍କ ଇସ୍ତଫା ଦେବା ଘଟଣାରୁ ଏହା ସ୍ପଷ୍ଟ ହୋଇଗଲାଣି । ସେପଟେ ସରକାର ଗଠନ ନେଇ ଆଜି ସନ୍ଧ୍ୟା ସୁଦ୍ଧା ଆଭିମୁଖ୍ୟ ସ୍ପଷ୍ଟ କରିବା ପାଇଁ ରାଜ୍ୟପାଳ କହିଛନ୍ତି । ତେଣୁ ମହାରାଷ୍ଟ୍ର  ନୂଆ ସରକାର ନେଇ ଆଜି ହିଁ ସ୍ପଷ୍ଟ ଚିତ୍ର ଆସିପାରେ । ଯଦିଓ ଆସନ୍ତାକାଲି ଏନସିପି ବିଧାୟକ ଦଳ ବୈଠକରେ ଏହା ଉପରେ ଆଲୋଚନା ହେବାର ଅଛି,  କିନ୍ତୁ ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଆଜି ଏନସିପି ମଧ୍ୟ ଶିବସେନାକୁ ସମର୍ଥନ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିପାରେ । 

ଅନ୍ୟପଟେ ବିକଳ୍ପ ସରକାର ପାଇଁ ଶିବସେନାକୁ ସମର୍ଥନ ଦେବା ଯୁକ୍ତିରେ ବହୁ କଂଗ୍ରେସ ନେତା । ଏନେଇ ଦଳୀୟ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ପାଖରେ ଯୁକ୍ତି ଉପସ୍ଥାପନ କରିଛନ୍ତି । ତେଣୁ ଶିବସେନାକୁ କଂଗ୍ରେସ ଅନ୍ତତଃ ବାହ୍ୟ ସମର୍ଥନ ଦେବା ଜଣାପଡୁଛି । ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ମହାରାଷ୍ଟ୍ରରେ କଂଗ୍ରେସ ଏପରି ରାସ୍ତା ଆପଣାଇବା କିଛି ଅସ୍ୱଭାବିକ ଘଟଣା ନୁହେଁ । ସେମିତିରେ ବି କଂଗ୍ରେସର ସହଯୋଗୀ ଏନସିପି, ଶିବସେନାକୁ ସମର୍ଥନ ଦେବାଏକ ପ୍ରକାର ସ୍ପଷ୍ଟ ହୋଇସାରିଛି । ତେଣୁ ବର୍ତ୍ତମାନର ସ୍ଥିତି କହୁଛି, ରାଜ୍ୟରେ ସଂଖ୍ୟା ଗରିଷ୍ଠ ଦଳ ବିଜେପି ବିରୋଧୀ ଆସନରେ ହିଁ ବସିବ ।