ସ୍ଥଳଭାଗ ମୁହାଁ ହେଉଛି 'ଅମ୍ଫାନ', ମୁକାବିଲା ଲାଗି ସତର୍କ ପ୍ରଶାସନ
Advertisement
Article Detail0/zeeodisha/odisha683303

ସ୍ଥଳଭାଗ ମୁହାଁ ହେଉଛି 'ଅମ୍ଫାନ', ମୁକାବିଲା ଲାଗି ସତର୍କ ପ୍ରଶାସନ

ଅମ୍ଫାନ ମହାବାତ୍ୟାର ମୁକାବିଲା ଲାଗି ପ୍ରଶାସନିକ ସ୍ତରରେ ଜାରି ରହିଛି ଉଦ୍ୟମ |

ସ୍ଥଳଭାଗ ମୁହାଁ ହେଉଛି 'ଅମ୍ଫାନ', ମୁକାବିଲା ଲାଗି ସତର୍କ ପ୍ରଶାସନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ସୁନ୍ଦରବନ ଠାରେ ସ୍ଥଳଭାଗ ଛୁଇଁବ ସାମୁଦ୍ରିକ ଝଡ 'ଅମ୍ଫାନ'| ସାମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ଲାଗି ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇସାରିଛି ପ୍ରାକ ପ୍ରସ୍ତୁତି  | ଏହି କ୍ରମରେ ଓଡିଶା ସରକାରଙ୍କ ପକ୍ଷରୁ ଉପକୂଳବର୍ତ୍ତୀ ଓଡିଶାର ପ୍ରାୟ ୧୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି | ଲୋକଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରୁଛି ପ୍ରଶାସନ | ଅନ୍ୟପଟେ ପଶ୍ଚିମବଙ୍ଗରେ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଉଛି|  

ଓଡିଶାରେ ବାତ୍ୟାର ମୁକାବିଲା ପାଇଁ ଉପକୂଳବର୍ତ୍ତୀ ଓଡିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ମୟୂରଭଞ୍ଜ ଆଦି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ ରହିବାକୁ ଜଣାଇ ଦେଇଛନ୍ତି ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର | ଏହା ସହିତ କୋଭିଡ୧୯ ସ୍ଥିତିକୁ ଦେଖି ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇବାକୁ କହିଛନ୍ତି |    

ସାମୁଦ୍ରିକ 'ଅମ୍ଫାନ' ମୁକାବିଲା ଲାଗି ପଡୋଶୀ ପଶ୍ଟିମବଙ୍ଗ ସରକାରଙ୍କ ପକ୍ଷରୁ ରାଜ୍ୟ ଉପକୂଳବର୍ତ୍ତୀ ଅଞ୍ଚଳ ଯଥା ସୁନ୍ଦରବନ, ଦକ୍ଷିଣ ୨୪ ପରଗଣା, ଦିଘା, ପୂର୍ବ ମେଦୀନପୁରରେ ବସବାସ କରୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି | ଏହା ସହିତ ରାଜ୍ୟର ବିଭିନ୍ନ ଭାଗରେ ସ୍ପେଶାଲ କଣ୍ଟ୍ରୋଲ ରୁମ ଖୋଲାଯିବା ସହ ଲୋକଙ୍କୁ ବାତ୍ୟା ସମ୍ପର୍କରେ ଅବଗତ କରାଯାଉଛି | ସୋମବାରଠୁ ଭୟଙ୍କର ସାମୁଦ୍ରିକ ଝଡ 'ଅମ୍ଫାନ' ଏକ ମହାବାତ୍ୟାରେ  ପରିଣତ ହୋଇସାରିଛି | ଯାହା ବର୍ତ୍ତମାନ ସ୍ଥଳଭାଗ ଆଡକୁ ଅଗ୍ରସର ହେଉଛି | ଏହାର ମୁକାବିଲା ଲାଗି ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ(ଏନଡିଆରଏଫ) ଓଡିଶା ଏବଂ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ 37ଟି ଟିମ୍ ନିୟୋଜିତ କରାଯାଇଥିବା ନେଇ ଜଣାଇଛନ୍ତି ଏହାର ମୁଖ୍ୟ ଏସ.ଏନ୍ ପ୍ରଧାନ ।

'ଅମ୍ଫାନ' ପାଇଁ ପଶ୍ଚିମବଙ୍ଗର କୋଲକାତା, ହୁଗଲି, ହାୱଡା, ଦକ୍ଷିଣ ଏବଂ ଉତ୍ତର ୨୪ ପରଗଣା, ପୂର୍ବ ମେଦୀନପୁର ଆଦି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) | ଏହି ମହାବାତ୍ୟାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ସାରିଛନ୍ତି | ଏନେଇ ଟ୍ୱିଟ କରି ସେ କହିଛନ୍ତି, "ବାତ୍ୟାର ମୁକାବିଲା ଏବଂ ଥଇଥାନ ଯୋଜନା ଉପରେ ଆଲୋଚନା କରାଯାଇଛି। ମୁଁ ସମସ୍ତଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ସମ୍ଭାବ୍ୟ ସମର୍ଥନକୁ ନିଶ୍ଚିତ କରୁଛି । "