ଭୋକର ଯାତନା ବୁଝେ ଗରିବୀ ମନ
Advertisement

ଭୋକର ଯାତନା ବୁଝେ ଗରିବୀ ମନ

ଚମ ଧିୁଡ଼ୁଧୁଡ଼େଇ ଗଲାଣି। ବୟସର ସାୟାହ୍ନରେ ଏବେ ରାସ୍ତାକଡ଼ର ଜରିପାଲ ହିଁ ତାଙ୍କ ପାଇଁ ସାହାରା। କଥାରେ ଅଛି ଭୋକିଲା ପେଟ ହିଁ ବୁଝିପାରେ ଭୋକିଲା ପେଟର ବେଦନା, ଅନାହାର ମନର ଯନ୍ତ୍ରଣା ଆଉ ଗରିବୀର ତାଡ଼ନା। ଏଭଳି ଜଣେ ବୃଦ୍ଧା, ଯିଏ କି ଦିଲ୍ଲୀ ଏନସିଆର୍ ସ୍ଥିତ ନୋଇଡ଼ା ସେକ୍ଟର-୨୦ରେ ରହୁଛନ୍ତି। 

ପ୍ରତୀକାତ୍ମକ ଫଟୋ

ସୌଭାଗ୍ୟ ରଞ୍ଜନ ମିଶ୍ର, ନୂଆଦିଲ୍ଲୀ: କୋରୋନାକୁ ପ୍ରତିହତ ପାଇଁ ସମ୍ପୂର୍ଣ୍ଣ ଦେଶ ବର୍ତ୍ତମାନ ଲକ୍ ଡାଉନରେ ଜିଉଁଛି। ଦେଶର ଜନତା ବର୍ତ୍ତମାନ ଗୃହବନ୍ଦୀ ଭାବେ ବଞ୍ଚୁଛନ୍ତି। କିନ୍ତୁ ଏଭଳି ପରିସ୍ଥିତିରେ ବେଶ୍ ହନ୍ତସନ୍ତ ହେଉଛନ୍ତି ରାସ୍ତା କଡ଼ର ଦରଦୀ ମଣିଷ। ସମ୍ପୂର୍ଣ୍ଣ ଦେଶ ବନ୍ଦ ହୋଇଯିବା ପରେ ଭୋକ ଉପାସରେ ଦିନ କାଟୁଛନ୍ତି ଏଭଳି କିଛି ମଣିଷ। ଯେଉଁମାନଙ୍କ ପାଇଁ ପ୍ରତିଟି ମୂହୁର୍ତ୍ତ ବଞ୍ଚିବା ପାଇଁ ଅନ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ଅନ୍ୟର ସାହାରା ଲୋଡ଼ୁଛନ୍ତି ଏହି ମଣିଷମାନେ। ପୂର୍ବରୁ ସ୍ୱାଭାବିକ ଥିବା ବେଳେ ଏମାନେ କେଉଁଠୁ ନା କେଉଁଠୁ ଦିନକୁ ଦୁଇବେଳା ପାଇଁ ଦାନା ଯୋଗାଡ଼ କରିଦେଉଥିଲେ। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଏମାନେ ସଂଘର୍ଷରତ।  

କେନ୍ଦ୍ରୀୟ ରାଜଧାନୀ ଦିଲ୍ଲୀରେ ଲକଡାଉନ ସମୟରେ ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଥିଲା, ଯାହା ଜଣେ ସାଧାରଣ ଲୋକଙ୍କୁ ବେଶ ଆନ୍ଦୋଳିତ କରିବ। ନୋଏଡ଼ା ସେକ୍ଟର ୨୦ ଅଞ୍ଚଳରେ ଜଣେ ବୃଦ୍ଧା ଏହି ଲକଡାଉନ ସମୟରେ ବେଶ ବେସାହାରା ହୋଇ ପଡିଛନ୍ତି। ଅନ୍ୟ ଆଗରେ ହାତ ପାତେଇଲେ ହିଁ ପେଟ ପୂରେ। କିନ୍ତୁ ଭୋକର ଯାତନା ଯେ ଜଣେ ଭୋକିଲା ହିଁ ଜାଣିପାରେ, ତାହାକୁ ଖୁବ୍ ସୁନ୍ଦର ଭାବେ ପ୍ରମାଣିତ କରିଛନ୍ତି ବୃଦ୍ଧା ଜଣକ।  

କିଛିଦିନ ଧରି ବୃଦ୍ଧା ଜଣଙ୍କୁ ଜଣେ ବ୍ୟକ୍ତି ଲଗାତାର କିଛି ଦିନ ଧରି ଖାଦ୍ୟ ଯୋଗାଇ ଦେଇ ଆସୁଥିଲେ। ଅନ୍ତରରୁ ଉକ୍ତ ବ୍ୟକ୍ତିଙ୍କୁ ଆଶୀର୍ବାଦ ଦେଇଥାନ୍ତି ଉକ୍ତ ମହିଳା ଜଣକ। ମାତ୍ର ଭିକ୍ଷା ବୃତ୍ତି ବା ସହାୟତାରୁ ଯାହା ବି ମିଳେ, ସେଥିରେ ଅନ୍ୟ ଜଣଙ୍କର ପେଟ ମଧ୍ୟ ପୁରାଇଥାନ୍ତି ଉକ୍ତ ବୃଦ୍ଧା ମହିଳା ଜଣକ। ଏହି କାହାଣୀ ବଖାଣିଛନ୍ତି ସହାୟତା କରୁଥିବା ବ୍ୟକ୍ତି ଜଣକ।  

ସୂଚନା ମୁତାବକ ପ୍ରାୟ ୬୫ରୁ ଅଧିକ ହେବ ବୃଦ୍ଧା ଜଣଙ୍କର ବୟସ, ଭୋକିଲା ପେଟରେ ରାସ୍ତାକୁ ବାହାରିଥିଲେ ପେଟ ଭରିବାର ଆଶାନେଇ । ଜଣେ ବ୍ୟକ୍ତିଙ୍କୁ ଦେଖି କିଛି କହିବା ଆଗରୁ ରାସ୍ତା କଡ଼ରେ ବସିପଡ଼ିଲେ ବୃଦ୍ଧା ଜଣଙ୍କ , କଥା କହିବାର ଶକ୍ତି ମଧ୍ୟ ତାଙ୍କ ପାଖରେ ନଥାଏ, ସମୟ ସମୟରେ ତାଙ୍କ ମୁଣ୍ଡ ଘୁରାଇଦେଉଥାଏ, ଏତେ କଷ୍ଟ ପରେବି ଖଣ୍ଡି ସ୍ୱରରେ ବ୍ୟକ୍ତି ଜଣଙ୍କୁ କହିଲେ ମୁଁ ତିନିଦିନ ହେବ କିଛି ଖାଇନାହିଁ, ଘରେ କିଛି ଖାଦ୍ୟ ନାହିଁ,  ମତେ କିଛି ଖାଦ୍ୟ ଦିଅନ୍ତୁ । ସହୃଦୟ ବ୍ୟକ୍ତି ଜଣଙ୍କ ଭୋକିଲା ପେଟର ବେଦନାକୁ ତତକ୍ଷଣାତ ବୁଝିପାରି ଘରୁ ଏକ ବିସ୍କୁଟ ପ୍ୟାକେଟ୍ ଓ କିଛି ଚାଉଳ, ଡାଲି ଓ ପରିବା ଆଣି ବୃଦ୍ଧା ଜଣଙ୍କୁ ଦେବା ସହ କହିଲେ ଏଥର ଘରକୁ ଯାଆ ରୋଷେଇ କରି ଖାଇବୁ । ବୃଦ୍ଧା ଜଣକଙ୍କ ଆଖିରେ ଲୁହ ଜକେଇ ଆସିଲା ଭଗବାନ ତୁମର ମଙ୍ଗଳ କରନ୍ତୁ କହି ବିସ୍କୁଟ୍ ପ୍ୟାକେଟ ଟିକୁ ଖୋଲି ଖାଇବାରେ ଲାଗିଲେ । କିଛି ସମୟ ସେ ସ୍ଥାନରେ ବସିବା ପରେ ଫେରିଗଲେ ନିଜ ଘରକୁ ।

ଏହି ଘଟଣାର ଠିକ୍ ଦୁଇଦିନ ପରେ ବୃଦ୍ଧାଙ୍କୁ ସାହାଯ୍ୟ କରିଥିବା ବ୍ୟକ୍ତି ଜଣକ ରାସ୍ତାରେ ଚାଲିଚାଲି ଯାଉଥାନ୍ତି ଏକ କାମରେ । ହଠାତ୍ ଗୋଟେ ସ୍ଥାନରେ ତାଙ୍କ ପାଦ ଅଟକିଗଲା । ସେ ଦେଖିଲେ ରାସ୍ତାକଡ଼ରେ ୪ ଖଣ୍ଡ ବାଉଁଶ ଓ ଗୋଟିଏ ଜରି ପାଲରେ ତିଆରି ହୋଇଛି  ଛୋଟିଆ କୁଡ଼ିଆ ଆଉ ସେହି କୁଡ଼ିଆରେ ରହୁଛନ୍ତି ବୃଦ୍ଧା ଜଣଙ୍କ ଯାହାଙ୍କୁ ସେ ଖାଦ୍ୟ ଦେଇଥିଲେ । ଠିକ୍ ଏହି ସମୟରେ  ସେହି ରାସ୍ତାରେ  ଭୋକିଲା ପେଟରେ ଖାଦ୍ୟ ଅନ୍ୱେଷଣରେ ବୁଲୁଥାଏ ଜଣେ ପାଗଳ , ହଠାତ୍ ଜରି ପାଲର ସେ କୁଡ଼ିଆରେ ରହୁଥିବା ବୃଦ୍ଧାଙ୍କ ଆଖିରେ ପଡ଼ିଲା ଭୋକିଲା ପାଗଳର ଖାଦ୍ୟ ଖୋଜିବାର ଦୃଶ୍ୟ, ନିଜେ ଭୋକର କଷ୍ଟକୁ ଅଙ୍ଗେ ନିଭାଇଥିବା ବୃଦ୍ଧା ଜଣଙ୍କ ଭୟ ନକରି ପାଗଳଟିକୁ ପାଖକୁ ଡ଼ାକିଲେ ଏବଂ ନିଜେ ଅନ୍ୟଠାରୁ ମାଗି ଆଣିଥିବା ଖାଦ୍ୟକୁ ପଲିଥିନରୁ ବାହାର କରି ପାଗଳଟିକୁ ଖାଇବାକୁ ଦେଲେ ।  

କିଛି ସମୟ ଧରି ଏହି ଦୃଶ୍ୟକୁ ଦେଖୁଥିବା ବ୍ୟକ୍ତି ଜଣଙ୍କ ଭାବିଲେ ପ୍ରକୃତରେ ସମସ୍ତଙ୍କର ହୃଦୟ ଅଛି , ଜଣେ ଅଭାବି ମଣିଷ ଯିଏ ଅନ୍ୟର ହାତଟେକାକୁ ଅପେକ୍ଷା କରିଥାଏ ସେ ବି ଅନ୍ୟକୁ ସାହାଯ୍ୟ କରିପାରେ , ସେ ମଧ୍ୟ ବୁଝିପାରେ ଭୋକିଲା ପେଟରେ ଥିବା ଲୋକର ସ୍ୱଭାବକୁ , ମୁହଁ ଦେଖି ଜାଣିପାରେ ପେଟରେ ଥିବା ପ୍ରବଳ ଭୋକକୁ । ଏଥିରୁ ଏହା ସ୍ପଷ୍ଟଯେ ଅନ୍ୟକୁ ସାହାଯ୍ୟ କରିବାକୁ ପାଖରେ ଅର୍ଥ ରହିଥିବା ଜରୁରୀ ନୂହେଁ , ଯିଏ ଅଙ୍ଗେ ନିଭେଇଛି ସେ ହିଁ ବୁଝିଛି ଭୋକିଲା ପେଟର ଜ୍ୱାଳା