କୋରୋନା: ଟ୍ରମ୍ପ କହିଲେ, ଲକ୍ଷେ ଟପିପାରେ ଆମେରିକାରେ ମୃତ୍ୟୁ ସଂଖ୍ୟା
Advertisement

କୋରୋନା: ଟ୍ରମ୍ପ କହିଲେ, ଲକ୍ଷେ ଟପିପାରେ ଆମେରିକାରେ ମୃତ୍ୟୁ ସଂଖ୍ୟା

ରବିବାର ହ୍ୱାଇଟ ହାଉସରେ ଗଣମାଧ୍ୟମକୁ ସମ୍ବୋଧନ କରି ଟ୍ରମ୍ପ କହିଥିଲେ, ସାମାଜିକ ଦୂରତ୍ୱ ଗାଇଡ ଲାଇନକୁ ଆସନ୍ତା ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । 

ଫାଇଲ ଫଟୋ

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ କୁହାଯାଉଥିବା ଆମେରିକାରେ ଏବେ ବିଶ୍ୱର ସବୁଠୁ ଅଧିକ କୋରୋନା ଆକ୍ରାନ୍ତ । ମୃତ୍ୟୁ ସଂଖ୍ୟା ବି ହୁ ହୁ ହୋଇ ବଢ଼ିଚାଲିଛି । ତେବେ ଆଗାମୀ ଦୁଇ ସପ୍ତାହ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ସମୟ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କୋରୋନା ମହାମାରୀରେ ଆମେରିକାରେ ୧ ଲକ୍ଷ ଲୋକଙ୍କ ଜୀବନ ଯିବ ବୋଲି ଟ୍ରମ୍ପ ଆଶଙ୍କା କରିଛନ୍ତି । 

ରବିବାର ହ୍ୱାଇଟ ହାଉସରେ ଗଣମାଧ୍ୟମକୁ ସମ୍ବୋଧନ କରି ଟ୍ରମ୍ପ କହିଥିଲେ, ସାମାଜିକ ଦୂରତ୍ୱ ଗାଇଡ ଲାଇନକୁ ଆସନ୍ତା ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ତେବେ ଆସନ୍ତା ଜୁନ ୧ ମଧ୍ୟରେ ଆମେରିକାରେ ସ୍ଥିତି ସ୍ୱାଭାବିକ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ତେବେ ଆସନ୍ତା ଦୁଇ ସପ୍ତାହ ଦେଶ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ସମୟ ବୋଲି ସ୍ୱିକାର କରିଛନ୍ତି ଆମେରିକା ରାଷ୍ଟ୍ରପତି । 

ଆମେରିକାରେ ୧ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇପାରେ

ଟ୍ରମ୍ପଙ୍କ କହିବା କଥା ହେଲା, କୋରୋନା ଯୋଗୁଁ ଆମେରିକାରେ ୧ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇପାରେ । ଯଦି ମୃତ୍ୟୁ ସଂଖ୍ୟା ୧ ଲକ୍ଷ ଭିତରେ ରହୁଛି, ତେବେ ଆମେ କୋରୋନା ମୁକାବିଲା କ୍ଷେତ୍ରରେ ଭଲ୍ କାମ କରିଛୁ ବୋଲି ଧରି ନେବାକୁ ହେବ । ଅର୍ଥାତ ଆମେରିକା ରାଷ୍ଟ୍ରପତି ମଧ୍ୟ ସ୍ୱିକାର କଲେଣି, କୋରୋନା ଆଗକୁ ଆହୁରି ତାଣ୍ଡବ ରଚିବାକୁ ଯାଉଛି । 

 ନୂଆ ଉହାନ ପାଲଟିଛି ନ୍ୟୁୟର୍କ

ଏବେ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୪ ହଜାର ପାର କରିସାରିଛି । ନ୍ୟୁୟର୍କରେ ସ୍ଥିତି ପୁରା ଗମ୍ଭୀର ରହିଛି । ରବିବାର ନ୍ୟୁୟର୍କରେ ୯୬୫ ଜଣଙ୍କ ଜୀବନ ଯାଇଛି । ଶନିବାର ଏହି ସଂଖ୍ୟା ୭୨୮ ରହିଥିଲା ।